ଶ୍ରୀମାନ ମାଡୁଆ

Abstract Comedy

3  

ଶ୍ରୀମାନ ମାଡୁଆ

Abstract Comedy

ପୂଜା ପାଇଁ ଫୁଲ

ପୂଜା ପାଇଁ ଫୁଲ

3 mins
11.5K



କେତେ ଜତନ ରେ ଫୁଲ ଗଛ ଗୁଡା ବଢ଼େଇଥିଲି । ରଙ୍ଗ ରଙ୍ଗିଆ ଫୁଲ ଗଛ ସହ ବିଶେଷ କରି ବଗିଚାର ଗୋଟେ ପଟରେ ଘରକୁ ଆସୁଥିବା ଅତିଥି ମାନଙ୍କ ଦୃଷ୍ଟି ପଡିବା ଭଳି ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ ବଗିଚା ର ଟିକେ ପ୍ରସଂଶା କରିଦେଲା ତେବେ ଅଧିକ ଖୁସି ହୁଏ । ଏଇ କିଛି ମାସ ପୂର୍ବରୁ ବଗିଚା ର ପୁରୁଣା ପାଚେରିର ଗୋଟେ ଅଂଶ ଭାଙ୍ଗିଗଲା ।କେତେବେଳ ଅର୍ଥର ଅଭାବ ତ କେତେବେଳ ସମୟର ଅଭାବରେ ପାଚରି ମରାମତି ହେଇପାରିନି । ଅବଶ୍ୟ ସେବେଠୁ ଚାରିଗୋଡ଼ିଆ ପ୍ରାଣୀ ସିନା ପଶିପାରୁନାହାନ୍ତି କିନ୍ତୁ ଦୁଇ ଗୋଡ଼ିଆ ପ୍ରାଣୀଙ୍କ ପଦୁର୍ଭାଵ ସହିବା ସୀମା ଟପିଗଲାଣି । କେତେଦିନ ହେଲାଣି ସକାଳୁ ଉଠି ବଗିଚାରେ ଫୁଲ କଢ଼ ଟିଏ ଦେଖିବା ମୋ ପାଇଁ ସ୍ୱପ୍ନ ହେଇଗଲାଣି । ଏଇ କିଛିଦିନ ତଳେ ଜଣେ ଶୁଭଚିନ୍ତକ ପାହାଁନ୍ତା ରେ ଗୋଲାପ ଫୁଲସବୁ ତୋଳି ସାରିବା ପରେ ଗଛ କଣ୍ଟା ରେ କାଗଜ ଖଣ୍ଡେ ଝୁଲେଇ ଦେଇ ଚାଲିଗଲେ । ମୁଁ ନିଦରୁ ଉଠି ଦେଖେ ଫୁଲ ତ ଦୂରର କଥା ରାତିରେ ଦେଖିଥିବା କଢ଼ ଟିଏ ବି ନାହିଁ । ଗଛ କଣ୍ଟାରେ ଝୁଲୁଥିବା କାଗଜ ଆଣି ଦେଖେ ତ ସେଥିରେ ଲେଖା ଅଛି ଗୋଲାପ ଗଛ ମୂଳରେ ଅଣ୍ଡା ଖୋଳ ଓ ଚାହା ପତି ଦିଅ ଫୁଲ ଭଲ ବଢିବ । ଯାହାହେଉ ଫୁଲ ତୋଳି ସାରିବା ପରେ ସେ ଯେଉଁ ମହତ କାର୍ଯ୍ୟଟି କରିଲେ ସେଥିପାଇଁ ମୁଁ ଭଗବାନଙ୍କ ପାଖରେ ତାଙ୍କର ଅନେକ ମଙ୍ଗଳ କାମନା କରିଛି । ନୀତିବାଣୀ କାଗଜଟିକୁ ହାତରେ ଧରି ଫେରୁଛି ଦେଖିଲି ଆର ସାହିର ରମା ମା ଖୁଡି ହାତରେ ଗୋଟେ ଜରି ଓ ଆଙ୍କୁଡା ବାଡ଼ି ଧରି ଭଙ୍ଗା କାନ୍ଥ ବାଟେ ଭିତରକୁ ପଶୁଛି । ମୋତେ ଦେଖି କହିଲା ସେ କାଣି ବୁଢ଼ୀ ରାତିରେ କଣ ଶୋଉଛି । ରାତି ଅଧରୁ ହାତରେ ବ୍ୟାଗ ଆଉ ନଗି ଧରି ଫୁଲ ତୋଳିବାକୁ ପଳଉଛି । ଧର୍ମ ସହିବନି ରେ ତାକୁ । ଏ ଖଣ୍ଡ ମଣ୍ଡଳର କାହା ବାଡ଼ିରେ ଫୁଲ ଡେମ୍ପ ସୁଦ୍ଧା ଛାଡ଼ୁନି । ମୋର ଖାଲି ପୂଜା ପାଇଁ ଦିଟା ଫୁଲ ହେଇଗଲେ ଚଳିଲା । କି ଉତ୍ତର ଦେବି କିଛି ବୁଝିପାରୁନଥିଲି । କାଣି ବିଲେଇ ର କୁଜି ଅସରପା ଉପରେ ଦାଉ ସାଧିବା ଭଳି ହେବ । ବ୍ୟାଗ ଵାଲା କୁ ତ ଧରିପାରୁନି ଏ ଜରି ଧରିଥିବା ଲୋକ କୁ କଣ କହିବି । ଦେଖିଲି ଆଉ ଦୁଇ ଜଣ କିଶୋରୀ ବାହାର ପଟେ ଲୁଙ୍ଗୁରୁ ପୁଙ୍ଗୁରୁ ହଉଛନ୍ତି । ସକାଳୁ ମୋର ଏଠାରେ ଉପସ୍ଥିତି ହୁଏତ ସେମାନଙ୍କୁ ନିରାଶ କରିଛି । ସେମାନେ ମନେ ମନେ ବୋଧେ ଭାବୁଥିବେ ଏ ବାଡିପଡା ଆଜି ସକାଳୁ ସକାଳୁ ଉଠି ବଗିଚାରେ କଣ କରୁଛି । ମଣିଷକୁ ଟିକେ ଶାନ୍ତି ରେ ଫୁଲ ଚୋରି କରିବାକୁ ଦେବେନି । ତାଙ୍କୁ ଦେଖି କହିଲି ଡେରିରେ ଆସିଲେ, ଆଉ କଣ କିଛି ବଳିଛି । ଦେଖ ଯଦି କୋଉଠି ଦୁଇ ତିନିଟା ଗେଣ୍ଡୁ ଫୁଲ କି ଟଗର ବଳିଥିବ । ତୁମେମାନେ କଣ ସବୁଦିନ ଫୁଲ ତୋଳିବାକୁ ଆସ । 

-- ନାହିଁ ଆମେ ମଝିରେ ମଝିରେ ଆସୁ । ସବୁଦିନ ଆମର କିଏ ସକାଳୁ ଉଠି ଫୁଲ ତୋଳିବ । ମୋର୍ନିଂ ୱଆକ କୁ ଗଲାବେଳେ ଯଦି କୋଉଠି ଫୁଲ ଦେଖୁ ତେବେ ତୋଳିଦେଉ ନହେଲେ ନାହିଁ । 

ବ୍ୟାଗ ଵାଲା ଖସିଗଲେ ,ଜରି ଵାଲା ବୁଢ଼ୀକୁ ତ କିଛି କହିଲି ନାହିଁ ଆଉ ଏ ମଝିରେ ମଝିରେ ଆସୁଥିବା ଝିଅମାନଙ୍କୁ କଣ କହିବି ।

-- ହଉ ଦେଖ ଯଦି କୋଉଠି କିଛି ବଳିଥିବ ।

-- ନାହିଁମ ଆଜି ରୋଜ ଡେ ତ ଭାବିଲୁ ତୁମ ବଗିଚାରୁ ଗୋଲାପ ଫୁଲ ନେଇଥାନ୍ତୁ । କାହିଁ କୋଉଠି ଗୋଟାଏ ବି ଦିଶୁନି । 

ତାଙ୍କ ହାତକୁ ନୀତିବାଣୀ କାଗଜଟି ବଢ଼େଇ ଦେଇ କହିଲି ତୁମ ମାନଙ୍କ ଘରେ ଚାହା ତିଆରି ପରେ ଯେଉଁ ଚାହା ପତି ଫୋପାଡ଼ି ଦେଉଛ ଆଉ ଫୋପାଡିବନି, ରଖିଥିବ । ଅଧିକା ହେଇଗଲେ ତାକୁ ଆଣି ଆମ ଗୋଲାପ ଗଛ ମୂଳରେ ଦେବ । ଗଛରେ ଭଲ ଫୁଲ ଧରିଲେ ଆସି ନେଇଯିବ । 

ମୋ କଥା ଶୁଣି ଫେଁ କିନା ହସି ଦେଇ ସେମାନେ ଚାଲିଗଲେ ।


ଆମ ଠାକୁରଙ୍କ ପୂଜା ପାଇଁ ଚୋରି ଫୁଲ ଦିଇଟା ନହେଲେ ନହୁଏ । କୃଷ୍ଣ ଲୀଳାରେ ତ ମାଖନ ଚୋରି ଠୁ ଆରମ୍ଭ କରି ବସ୍ତ୍ର ଓ ପର ସ୍ତ୍ରୀ ଭଳି ଅନେକ ସଙ୍ଗିନ ମାହାତ୍ମ୍ୟ ଉଲ୍ଲେଖ ଅଛି । ରାମାୟଣ ରେ ରାବଣ ସୀତାଙ୍କୁ ଚୋରି କରି ନେଲା ନାହିଁ ଯେ ତାର ପୂର୍ବା ପର ବର୍ଣ୍ଣନା କରୁ କରୁ ତୁଳସୀ ଦାସ ସାତ ଖଣ୍ଡ ମୋଟା ମୋଟା ଗ୍ରନ୍ଥ ଲେଖିଦେଲେ । ଏହିପରି ଅନେକ ଚୋରି ମାହାତ୍ମ୍ୟ ଆମ ପୁରାଣରେ ବର୍ଣ୍ଣିତ ଅଛି । ସେଥିପାଇଁ ବୋଧେ ଆମ ଠାକୁରଙ୍କ ପାଖରେ ପୂଜା ପାଇଁ ଅନ୍ୟ ବାଡ଼ିରୁ ଚୋରି ଫୁଲ ଦିଇଟା ନିହାତି ଦରକାର । 

ଭାବୁଛି ରୋଜ ଡେ ତ ଗଲା ଆଗକୁ ସରସ୍ୱତୀ ପୂଜା ଆସୁଛି ତେଣୁ ଏ ପୂଜାରେ ଲାଗିଲା ଭଳି ଫୁଲ ଗଛ ସବୁ ଆଉ ବଗିଚା ରେ ରଖିବିନି । ପୁରା ବଗିଚାରେ ଆଗକୁ ସଦାବିହାରି ଫୁଲ ଗଛ ଲାଗେଇଦେବି । ଆଉ ବାଉଁଶ ଥିବ ଯେ ବଇଁଶି ବାଜିବ । ଦେଖା ଶୁଣା ଝିନଝଟ ନଥିବ । ସକାଳୁ ଉଠିଲେ ବଗିଚାଟା ଖାଲି ଫୁଲ ମୟ ଲାଗୁଥିବ । ମୋ ଘରେ ପଛେ ଠାକୁର ବିନା ଫୁଲରେ ଅପୂଜା ରୁହନ୍ତୁ କିନ୍ତୁ ମୋ ବଗିଚା ରୁ ଫୁଲ ଚୋରିକରି ଆଉ କାହାଘରେ ଯେମିତି ପୂଜା ନହେଉ । ନା ଖୁଦ୍ ଖାଉଙ୍ଗା, ନା କିସୀକୋ ଖାନେ ଦୁଙ୍ଗା ।



Rate this content
Log in

Similar oriya story from Abstract