ଶ୍ରୀମାନ ମାଡୁଆ

Comedy

4.5  

ଶ୍ରୀମାନ ମାଡୁଆ

Comedy

ବିବାହ ବାର୍ଷିକୀ ଦିବସ

ବିବାହ ବାର୍ଷିକୀ ଦିବସ

6 mins
356



ଏ ବିବାହ ବାର୍ଷିକୀ ଦିବସଟା ଗୋଟେ ବଡ଼ ବିଚିତ୍ର ଦିବସ । ବିଶେଷକରି ଫେସବୁକ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟୀ ଯାଉଛି । ମୋର ଗୋଟେ FB ସାଙ୍ଗ । ଘୋଡ଼ା ମଦୁଆ । ସକାଳୁ ତାର ସ୍ତ୍ରୀ ସହ ସବୁ ସର୍ଗ, ଉପସର୍ଗ ଓ ଅଳଙ୍କାର ଯୁକ୍ତ ଭାଷାରେ ଗାଳି ଗୁଳଜ ନ ହେଲେ ସେମାନଙ୍କ ଦିନ ଆରମ୍ଭ ହୁଏନି । ବେଳେ ବେଳେ ଗାଳି ଗୁଲଜ ଟା ହାତା ହାତି ରେ ସମାପ୍ତ ହୁଏ । ଗଲା ସପ୍ତାହରେ ତାର ଆନିଭର୍ସରି ଥିଲା । ସେହି ଦିନ ମୁଁ ଫେସବୁକ ଖୋଲୁ ଖୋଲୁ ଦେଖିଲି ସେ ସାଙ୍ଗ ତା ସ୍ତ୍ରୀ ସହ ଗୋଟେ ବିବାହ ପରର ମୁଚକୁନ୍ଦିଆ ହସ ହସ ଫୋଟ ପୋଷ୍ଟ କରିଥିଲା । ତଳେ ଲେଖିଥିଲା - ମୋ ଜୀବନ ସଙ୍ଗିନୀ, ତୁମେ ମୋ ଜୀବନକୁ କରିଦେଲ ରଙ୍ଗୀନ ରଙ୍ଗୀନ । 

ସେ ଯାହାବିହେଉ ଏ ପ୍ରକାରର ଛଳନା ପୋଷ୍ଟ ଗୁଡିକ କିନ୍ତୁ ମୋ ଜୀବନ ସଙ୍ଗିନୀଙ୍କୁ ଭାରି ପ୍ରଭାବିତ କରେ । ଏଇ ଗଲା ମାସରେ ମୋର ବି ଆନିଭର୍ସରି ଥିଲା । ସକାଳୁ ସଙ୍ଗିନୀ ଙ୍କୁ ନେଇ ମନ୍ଦିର ଯାଇଥିଲି । ଦୀପ ଲଗେଇ ଆସିଲୁ । ସାଙ୍ଗମାନଙ୍କୁ ଫୋନ କରି ନିମନ୍ତ୍ରଣ କଲି ସନ୍ଧ୍ୟାରେ ଘରକୁ ଆସିବା ପାଇଁ । ଭାବିଲି ସବୁ ସାଙ୍ଗ ମାନେ ଏକାଠି ବସି ଖୁସି ଗପ କରିବା ଆଜିର ଏ ବିଶେଷ ଦିନ ଟିକୁ ମଜାରେ କାଟିବା । ଜଣେ ଦିଜଣ ସଙ୍ଗଙ୍କୁ ଫୋନକରି କଣ ଆଇଟମ କଲେ ଭଲ ହେବ ଆଉ କଣ କଣ ସରଞ୍ଜାମ ସବୁ ଦରକାର ବୁଝିନେଲି । କିନ୍ତୁ ଭାବୁଥାଏ କେମିତି ସଙ୍ଗିନୀଙ୍କୁ କହିବି । ବିଲେଇ ବେକରେ ଘଣ୍ଟି ବାନ୍ଧିବି କେମିତି ? ଜଣେ ସାଙ୍ଗ କହିଲା ତରକାରୀ କରିବା ପାଇଁ ଯଦି ବଡ଼ ଟବ (ଚେପଟା ଦେକଚି କୁ ଆମ ଆଡେ ଟବ କହନ୍ତି) ଦରକାର ତାହାହେଲେ କହିବୁ । ସାଙ୍ଗକୁ କହିଲି ହଉ ମୁଁ ଯାଇ ଏବେ ଟବ ନେଇଆସୁଛି । ମୋ କଥା ବୋଧେ ସଙ୍ଗିନୀ ଶୁଣୁଥିଲେ କି କଣ ହଠାତ ତାଙ୍କ ମୁଖମଣ୍ଡଳରେ ଏକ ଅଦ୍ଭୂତ ଖୁସିର ଚମକ ଆସିଗଲା । ଭାବିଲି ସଙ୍ଗିନୀ ବୋଧେ ମୋ ସାଙ୍ଗମାନେ ଘରକୁ ଆସିବା ଜାଣି ଖୁସି ହୋଇଗଲେ । ସୁଯୋଗ ଦେଖି ତାଙ୍କୁ ମନର କଥା କହିଦେଲି କିଛି ସାଙ୍ଗଙ୍କୁ ଆଜି ସନ୍ଧ୍ୟାରେ ଡାକିଛି। ଯଦି କହିବ ଘରେ ରୋଷେଇ କରିବା ନଚେତ ବାହାରୁ ମଗେଇ ଦେବା । ମୋ କଥାଶୁଣି ପ୍ରସନ୍ନ ବଦନରେ ସଙ୍ଗିନୀ କହିଲେ- "ଏଇଟା ଗୋଟେ କି କଥା। ତୁମ ସାଙ୍ଗ ମାନେ ଘରକୁ ଆସିବେ ଆଉ ତାଙ୍କୁ ବାହାରୁ ମଗେଇ ଖାଇବାକୁ ଦେବା, ଏଇଟା କଣ ସୁନ୍ଦର ଲାଗିବ । କଣ ଭାବିବେ ସେମାନେ । ଛି ଏମିତିକା ଖରାପ କଥା ମୋ ଦେଇ ହେବନି ।" ମୋ ଠାରୁ କଣ ଆଇଟମ ହେବ ଶୁଣି କହିଲେ ହଉ ମୁଁ ନିଜେ ତିଆରି କରିଦେବି । ୟୁଟ୍ୟୁବ ବିଶ୍ୱବିଦ୍ୟାଳୟ ରୁ ପିଏଚଡି କରିଥିବା ଆମ୍ଭ ସଙ୍ଗିନୀ ସଙ୍ଗେ ସଙ୍ଗେ ଦୁଇ ତିନିଟା ରୋଷେଇ ପ୍ରଣାଳୀ ଭିଡିଓ ୟୁଟ୍ୟୁବରୁ ଦେଖି କଣ ସବୁ ଦରକାର ତାର ଗୋଟେ ଲିଷ୍ଟ ମୋତେ ଧରେଇଦେଲେ । କାଳେ ମନ ପରିବର୍ତ୍ତନ ହେବ ମୁଁ ଅବିଳମ୍ବେ ସେସବୁ ସଉଦା ଦୋକାନରୁ ଆଣି ଆସିଲି । ଆସିଲା ବେଳେ ସାଙ୍ଗ ଘରୁ ବଡ଼ ଟଵ ଟା ବି ନେଇଆସିଲି । ସଙ୍ଗିନୀ ଲାଗିପଡିଲେ କାମରେ । ଯାହାହେଉ ଆଜି ମୋ ଭାଗ୍ୟରେ ବୃହସ୍ପତି ଚଳୁଛନ୍ତି ବିନା ଦ୍ଵିଧା ରେ ମନସ୍କାମନା ସବୁ ପୂରଣ ହେଉଛି । ସଂଧ୍ୟାସୁଧା ସବୁ ରୋଷେଇ କାମ ବିନା କିଛି କେଂ କାଁ ରେ ସରିଗଲା । ସନ୍ଧ୍ୟାରେ ସଙ୍ଗିନୀ ଦୁଇଟି ପ୍ୟାକେଟ ଧରି ମୋ ପାଖକୁ ଆସିଲେ କହିଲେ ଦେଖିଲ ଆଜି ମୁଁ ଏତକ ତୁମ ପାଇଁ ଆଣିଛି । ସେ ଦୁଇଟା ବ୍ୟାଗର ସାଇଜ଼ ଦେଖି ମୋ ମୁଣ୍ଡକୁ ପିତ୍ତ ଉଠିଲାଣି । ଗତ ମାସେ ଉପରେ ହେଲାଣି ପ୍ରତିଦିନ କିଛି କିଛି ଟଙ୍କାର ହିସାବ ମୁଁ ଆଉ ପାଉନି । ମୁଁ ବି କୋଉଠି କଣ ଖର୍ଚ୍ଚ କରୁଛି ମନେପକେଇପାରୁନଥିବାରୁ ମୋ ପାକଳ ମନକୁ ଦୋଷ ଦେଉଥିଲି । ଏବେ ବୁଝିଲି ସେ ଟଙ୍କା ସବୁ ଅଦୃଶ୍ୟ ହେବା ପଛରେ କାହାର ହାତ ଅଛି । ହଉ ମନର ରାଗ କୁ ମନରେ ରଖି ଚୁପ ରହିଲି । ଆଗକୁ ସାଙ୍ଗ ମାନେ ସବୁ ଘରକୁ ଆସିବେ, ସବୁ କାମ କେମିତି ଭଲରେ କଟିଯାଉ । ମୋ ହାତକୁ ବ୍ୟାଗ ଦିଟା ବଢ଼େଇ ଦେଇ ସେ ଖାଲି ଏପଟ ସେପଟ ଅନଉଥାନ୍ତି କାଳେ ମୁଁ କିଛି ପ୍ରତି ଉପହାର ତାଙ୍କୁ ଦେବି । କିନ୍ତୁ ମୋତେ ନିରବ ଦେଖି କହିଲେ ତୁମେ ଯେଉଁ ମୋ କାନ ପାଇଁ ଟପ ଆଣିଛ ଦେଖେଇଲ । କାନ ଫୁଲ(ଟପ) କଥା ଶୁଣି ମୋ କାନ ଝାଇଁ ମାରିଗଲା । ମୁଁ କହିଲି କାହିଁ ମୁଁ ତ ସେମିତି କିଛି ଆଣିନି କିଏ କହିଲା ।

--- "ଆଉ କିଏ କହିବ ! ତୁମେ ସକାଳେ ତୁମ ସାଙ୍ଗକୁ କହୁ ନଥିଲ, ଟପ ଆଣିବାକୁ ଯିବ ବୋଲି ।" ତାଙ୍କ କଥା ଶୁଣି ବହେ ହସିଲି -- "ଆଲୋ ତୁମ କାନକୁ ଟପ ନୁହେଁ ତରକାରୀ କରିବା ପାଇଁ ତା ଘରୁ ଟବ ଆଣିବାକୁ ଯିବି ବୋଲି କହୁଥିଲି , ତୁମକୁ କଣ ଟପ ଶୁଣାଗଲା କି? ଆଉ ଏ ବିବାହ ବାର୍ଷିକୀ ଜନ୍ମଦିନ ପାର୍ଟି,ଦାମୀ ଉପହାର ସବୁ ବଡ଼ବଡିଆଙ୍କ କଥା ଆମ ଭଳି ଖଟିଖିଆଙ୍କର ଏସବୁ କଣ ଥାଏ କି ? ମନ୍ଦିର ଯାଇ ଠାକୁର ଦର୍ଶନ କରିଲୁ ଆଉ କଣ ଦରକାର ।" ମୋ କଥା ଶୁଣି ହୁଁ ଟା ମାରି ସେଠୁ ଚାଲିଗଲେ । ସେମିତି ମୁହଁଟାକୁ ଫୁଲେଇ ସବୁ କାମ କରିଲେ । ଯାହାହେଉ ଭଲରେ ଭଲରେ ସାଙ୍ଗମାନେ ସବୁ ଖାଇପିଇ ବାହୁଡ଼ିଲେ । ସବୁ କାମ ସରିଲା ପରେ ତାଙ୍କୁ ଯାଇ କହିଲି-- ଆଉ କିଛି କଚୋରି ଛାଣି ଦିଅ ବହୁତ ଭୋକ ଲାଗିଲାଣି । ଯେମିତି ସେ ମୋତେ ଅପେକ୍ଷା କରିଥିଲେ ଅଦିନିଆ ମେଘ ଭଳି ବର୍ଷିଗଲେ 

-- ହଁ ଘରେ ତ ଗୋଟାଏ ମାଗଣା ରୋଷେଇଆ ଅଛିନା । ଡାକ ଆହୁରି ସାଙ୍ଗ ମାନଙ୍କୁ, ତୁମେ ସବୁ ମଜ଼ା କର ମୁଁ ଏମିତି ଗରମରେ ରୋଷେଇ ଘରେ ସଢ଼ୁ ଥିବି । ଭାବିଲି ଯାହାହେଉ ଏତେ ଖର୍ଚ୍ଚକରି ମୋ ପାଇଁ କାନ ର ଟପ ଟିଏ ଆଣିଛନ୍ତି । ଆଉ ଅଧିକ ଖର୍ଚ୍ଚକରି ପୁଣି ସାଙ୍ଗ ମାନଙ୍କ ପାଇଁ ହୋଟେଲରୁ ଖାଇବା ଆଣିବେ, ମନକୁ ବୁଝେଇ ଏତେ କଷ୍ଟକରି ସବୁ ନିଜେ ରାନ୍ଧିଲି । କଚୋରି ପାଇଁ ମଇଦା ଦଳିବା ପରେ ସବୁ ବେଲିବା ବେଳକୁ ଆଉ ହାତ ଉଠେଇ ପାରୁନଥିଲି ତଥାପି ସେଇକଷ୍ଟ ରେ ଚୁଲି ପାଖରେ ଠିଆହୋଇ ସବୁ ଛାଣିଲି, କଣ ପାଇଁ ମ । ସେଥିରେ ପୁଣି ଖାଇ ସାରିବା ପରେ କହିଲେ କଣ ନା ତରକାରୀ ଟିକେ ଲୁଣିଆ ହେଇଛି ଭାଉଜଙ୍କୁ କହ ଗରମ ପାଣି ମିଶେଇ ଘାଣ୍ଟି ଦେବେ । କଚୋରି ରେ ପୁର ଟିକେ ଅଧିକ ହେଇଗଲା ଆଉ ଟିକେ କମ ପୁର ଦେଇଥିଲେ ଭଲ ଲାଗିଥାନ୍ତା । ସବୁ ଶୁଖିଲା ସାଙ୍ଗକୁ ପୋଡ଼ପିଠାଟା ମ୍ୟାଚ କଲାନି । ଶୁଖିଲା ଖାଇବା ସାଙ୍ଗକୁ ଟିକେରସମଲାଇ ଭଳି ପାଣିଆ ମିଠା ହେଇଥିଲେ ଜମିଥାନ୍ତା । ମୋ କଥା କିଏ ଭାବିଲା ? କେତେ କଷ୍ଟରେ ଏକା ଏକା ସବୁ କଲି । ତୁମର ଟିକେ ଦୟା ମାୟା ଅଛି ? ଆଜି ଭଳି ଦିନରେ କିଏ କେତେ କଣ କରୁଛନ୍ତି । ଭାଉଜ କହୁଥିଲେ ଭାଇନା ତାଙ୍କୁ ଆନିଭର୍ସରି ରେ ଯାହା ସବୁ ଗିପ୍ଟ ଦେଇଛନ୍ତି, ତୁମେ ବାର ବରଷ ଗୋତି ଖଟିଲେ ବି କିଣି ପାରିବନି । ତୁମ ସାଙ୍ଗ ମାନେ ପରା କିଏ କେତେ କଣ ସବୁ କରୁଛନ୍ତି । ବେଳୁନ ଫୁଟେଇ ହୋଟେଲରେ କେକ କାଟୁଛନ୍ତି । ହୋଟେଲରେ ଡିନର୍ ର ସବୁ ଆଙ୍ଗଲରୁ ଗୋଟେ ଗୋଟେ ଫୋଟ ଉଠେଇ ଛାଡ଼ୁଛନ୍ତି । କାଲି ପରା ତୁମର ଜଣେ ସାଙ୍ଗ ଆନିଭର୍ସରି ପାଇଁ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ପୁରୀ ସମୁଦ୍ର କୁଳରେ ବୁଲିବା ଫୋଟ ଛାଡିଥିଲେ । କଣ ସବୁ ଦେଖୁଛ ନା ଆଖି ଫୁଟିଯାଇଛି । ତୁମ ମନ କହିଲାନି ହୋଟେଲ ନହେଲେ ନାହିଁ ଟିକେ ଦୋଳମୁଣ୍ଡେଇ ନେଇ ଗୁପ ଚୁପ ଦିଟା ଖୋଇ ଦେଇଥାନ୍ତି । କେମିତିକା ଲୋକ କେଜାଣି । ମୁଁ ଜୀବନ ରେ ସୁଖ ବୋଲି କିଛି ଦେଖିଲିନି । ମୋ ଭାଉଜ ଠିକ କହୁଥିଲେ- "ଏ ପିଲାଟା କାହିଁକି ମୋତେ ଠିକ ଲାଗୁନି ତୁ କେମିତି ତାକୁ ପସନ୍ଦ କଲୁ କେଜାଣି ବାହା ହେଲେ ପସ୍ତେଇବୁ । ଏ ଲେଖକ ଗୁଡା ବଡ଼ ବାହାପିଆ । ୟାଙ୍କୁ ଜୀବନରେ ଗୋଟେ କାଣି କୁଜି ବି ପାଖରେ ପୁରଉନଥିବେ କିନ୍ତୁ ପ୍ରେମ କବିତା ଏମିତି ଲେଖିବେ ଯେ ଯେମିତି ହେମାମାଳିନୀ ୟାଙ୍କ ପ୍ରେମରେ ଉବୁଟୁବୁ ହେଉଛି ।" ଭାଉଜଙ୍କ କଥା ଶୁଣିଥିଲେ ଆଜି ଏ ଦିନ ଦେଖିନଥାନ୍ତି । କେତେକଷ୍ଟରେ ଶାଢ଼ୀ ପିନ୍ଧି ସଜ ହୋଇଥିଲି । ଭାବିଲି ଆଜି ତୁମ ସାଙ୍ଗମାନେ ଆସିବେ । କେତେ କିଏ ସବୁ ଫୋଟ ଉଠେଇବେ, ଫେସବୁକ,ହ୍ଵାଟ୍ସଆପ ରେ ଛାଡିବେ ।

କମସେ କମ ଶହେଟା ଫୋଟ ତ ଉଠିବ । କଣ ଉଠିଲା ? ହେଇ ହେଇ ଫୋଟ ଦଶଟା ଉଠିଥିବ କି ନାହିଁ ସନ୍ଦେହ । ଉପରେ ପୁଣି ତୁମ ସାଙ୍ଗ ଯେଉଁ ଫୋଟ ଉଠେଇଲେ, ସେଥିରେ ମୁହଁ ସବୁ କଳା ଦେଖାଯାଉଛି । ତୁମକୁ କେକ ଖୋଇଲା ବେଳର ଫୋଟ ଉଠିଛି, ତୁମେ ମୋତେ କେକ ଖୋଇଲା ଫୋଟର ଅଧା କଟିଯାଇଛି । ମୁଁ ତରକାରୀ ଦେଲା ବେଳ ଫୋଟ ଅଛି ମିଠା ବାଣ୍ଟିବା ଫୋଟ ଉଠିନି । କଣ ଏଇଥିପାଇଁ ମୁଁ ସେଠିକୁ ସଜ ହୋଇ ଯାଇଥିଲି । ଛାଡ଼, ସବୁ ମୋ ପୋଡା କପାଳ । ତୁମ କଲେଜ ସାଙ୍ଗ ପରା ତାଙ୍କ ଆନିଭର୍ସରିକୁ ମୋଗଲ ଗାର୍ଡେନରେ ବୁଲୁଥିବା ଫୋଟ ଫେସବୁକ ରେ ଛାଡିଥିଲେ । ତାଙ୍କ ସ୍ତ୍ରୀ ସକାଳୁ ଦୁଇଥର ଫୋନ କଲେଣି । ମୁଁ ଫୋନ ଉଠଉନାହିଁ, କଣ କହିବି- ଆଜି ଆମେ ମନ୍ଦିର ଯାଇଥିଲୁ ଦୀପ ଲଗେଇ ଆସିଛୁ । ତୁମକୁ ତ ସରମ ନାହିଁ ମୋ ମନ ଜଳିଯାଉଛି । 

ମୁଁ ବି ମନେ ମନେ ଭାବୁଥାଏ ଶଳା ଖାନନଗର ପାର୍କରେ ଫୋଟ ଉଠେଇ କହିଲା କଣ ନା ଆନିଭର୍ସରି ରେ ଆଉଟିଙ୍ଗ ଆଟ୍ ମୋଗଲ ଗାର୍ଡେନ । ତା ଵୋପା ଚଉଦପୁରୁଷରେ କିଏ ମୋଗଲ ଗାର୍ଡେନ ଦେଖିଥିଲା । ଶଳା ଫୋଟ ତ ଉଠେଇଲୁ ତାକୁ ପୁଣି ଫେସବୁକରେ ଛାଡିବା କଣ ଦରକାର ଥିଲା । ସେ ଫୋଟ ଦେଖି କେତେଜଣଙ୍କ ଘରେ ନିଆଁ ଲାଗିଥିବ କିଛି ଅନୁମାନ ଅଛି କି ତାର । ଆନିଭର୍ସାରି ରେ ଏମିତିକା ବୁଲାବୁଲି ଫୋଟ ସବୁ ଛାଡୁଥିବା ଲୋକ ମାନେ ଯେ କେତେ ନିର୍ଦୟ, ହୃଦୟହୀନ ଓ ନିଷ୍ଠୁର ତାହା ସେମାନେ ଜାଣିପାରନ୍ତି ନାହିଁ ।

ମୋତେ ନୀରବରେ କଣ ସବୁ ଭାବୁଥିବା ଦେଖି ସଙ୍ଗିନୀ କହିଲେ କାଲି ପିଲାଙ୍କୁ ନେଇ ଆମ ଘରକୁ ଯାଉଛି । ଦୁଇ ଦିନ ରହି ଫେରିବୁ । ତୁମେ ଦେଖ ଆଉ କାହାର ଆନିଭର୍ସରି ଡାକରା ଥିବ ସେଠି ଯାଇଁ ପଙ୍ଗତ ପକେଇବ ।




Rate this content
Log in

Similar oriya story from Comedy