Pramod Kumar Jena

Tragedy

3  

Pramod Kumar Jena

Tragedy

ପୁରୁଣା ଜିନିଷ ନୂଆ ଘରେ

ପୁରୁଣା ଜିନିଷ ନୂଆ ଘରେ

2 mins
413



       ଚାକିରି ଜୀବନ ଭିତରେ ଅନେକ ଥର ବଦଳି ହୋଇଛି । ଏ ବସା ଘରକୁ ଛାଡି, ସେ ବସା ଘରକୁ ଜିନିଷ ବୋହିବା ଦେହସୁହା ହୋଇଯାଇଥିଲା । ନୂଆ ଜାଗାକୁ ଯିବାର ଉତ୍କଣ୍ଠା ପୁରୁଣା ଜାଗା ଛାଡିବାର ଅବଶୋଷ ଭିତରେ କିଛି ବନ୍ଧୁବାନ୍ଧବ, ପାଖ ପଡିଶା ଆଉ ସାଙ୍ଗ ସାଥୀଙ୍କ ସହାୟତାରେ ସେ କାମଟି ସୁରୁଖୁରୁରେ ହୋଇ ଯାଉଥିଲା । ଏବେ ବଳ ବି ନାହିଁ, ବୟସ ବି

ନାହିଁ । ଏଇଟା ବୋଧେ ଜୀବନର ଶେଷ ବଦଳି । ଭଡା ଘରକୁ ଛାଡି ନିଜ ଘରକୁ ଯିବେ । ନିଜ ପସନ୍ଦର ଜାଗା ଉପରେ ମନମୁତାବକ ଘରଟିଏ କରିବା ଆଜିକା ସମୟରେ କାଠିକର ପାଠ । ଯା’ ହେଉ ଅବସରକାଳୀନ ପାଉଣାରେ ଘରଟିଏ କିଣିଛନ୍ତି । ସୁବିଧା-ଅସୁବିଧା ଅନୁସାରେ ଚାକିରି ଜୀବନ କାଳରେ ବହୁତ କିଛି ଜିନିଷ ଠୁଳ ହୋଇ ଯାଇଛି । ସବୁ ଜିନିଷ କ’ଣ ନୂଆ ଘରେ ରଖି ହେବ ? ତେଣୁ ପ୍ରତି ଦିନ ଝଗଡାଝାଟି ଭିତରେ ସେ ଜିନିଷକୁ ଅଲଗା କରାଯାଉଛି । ଏ ଦାୟିତ୍ୱଟା ଶ୍ରୀମତିଙ୍କର । ସେ ଦିନ ଖଟ ଉପରେ ପସରା ମେଲେଇ ବସିଥିଲେ ଶ୍ରୀମତି । ଆଜି ବୋଧେ ପୁରୁଣା ବାକ୍ସର ପାଳି । ପଲଙ୍କ ସାରା ଖୋଲା ପଡିଛି ଥାକ ଥାକ ହୋଇ ପୁରୁଣା ପୋଷାକ ।

       : କାହିଁକି ଏ ଗୁଡା ରଖିଛ ଆଜି ଯାଏ ? ପୁଅ ତ କେବେ ଠାରୁ ଚାକିରି କରି ଗଲାଣି । ଏ ଗୁଡା କ’ଣ ହେବ ? କେଉଁଠି ରଖିବ ?

       ଶ୍ରୀମତିଙ୍କ ମୁହଁରୁ କଥା ନ ସରୁଣୁ ପ୍ରଭାତ ବାବୁ କହିଲେ, କାହିଁକି ? ମୋ ପୁଅ ପାଇଁ ମାଷ୍ଟର୍ ବେଡରୁମରେ ଯେଉଁ ୱାର୍ଡରୋବ୍ ହେଉଛି, ସେ ଗୁଡା କ’ଣ ହେବ ? ତା’ ଭିତରେ ରଖିବି । ତା’ ପାଖକୁ ମୋ ପୁଅର ଗୋଟେ ବଡ ଫୋଟ କରି ଲଗେଇଦେବି, ଆଉ ପଚାରିବି କୋଉ ଡ୍ରେସ୍ ପିନ୍ଧିବୁ ? ହଠାତ୍ ମାନୁ ବୋଉ ଗୋଟିଏ ଛୋଟ ଛୋଟ ଡ୍ରେସକୁ ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ । ଆଉ ବେଶି ସମୟ ଠିଆ ହୋଇ ପାରିଲେନି ପ୍ରଭାତ ବାବୁ । ବାହାରକୁ ଚାଲି ଆସିଲେ । ଇଚ୍ଛା ହେଲା କାନ୍ଦିବାକୁ । ଲୁହକୁ ଅଟକେଇ ପାରିଲେନି । ହଠାତ୍ ଲାଗିଲା, ପଛରୁ କୁନି ସ୍ୱରରେ କିଏ ଯେମିତି ଡାକୁଛି, ବାବା ! ବାବା ! ଗଛ ମୂଳେ କ’ଣ କରୁଛ ? ପଛକୁ ଅନେଇଲେ । ଲୁହ ଭରା ଆଖିକୁ କିଛି ଦେଖା ଗଲାନି । ମନର ଆଇନାରେ ଖାଲି ଜଳଜଳ ହୋଇ ଦିଶୁଥିଲା, ଅପାସୋରା ଅତୀତର ଛବିଗୁଡିକ ।



Rate this content
Log in

Similar oriya story from Tragedy