Priyadarshini Mishra

Tragedy

3  

Priyadarshini Mishra

Tragedy

ପୁରୁଣା ଘର

ପୁରୁଣା ଘର

3 mins
796



      ପିଲାଦିନୁ ବିଜୟ ଶୁଣି ଆସିଛି ଯେ ତାଙ୍କ ଗାଁରେ ତାଙ୍କର ଘରଟିଏ ଅଛି । କିନ୍ତୁ ହେତୁ ହେବା ଦିନଠାରୁ ମାଆ ସହ ସେ ସହରରେ ହିଁ ରହିଛି । ଗାଁକୁ ଯିବା କଥା ଉଠିଲେ ମାଆ ଭୟରେ ଥରି ଉଠେ । ଯେଉଁ ଗାଁରେ ସେ ତା'ର ସ୍ୱାମୀଙ୍କୁ ହରାଇଛି ପୁଅକୁ ନେଇ ସେ ଗାଁ କୁ ଯାଇପାରିବ ନାହିଁ ବୋଲି ରୋକ ଠୋକ ଶୁଣେଇଦିଏ । ତେଣୁ ନିଜ ଗାଁକୁ ଯିବାର ବିଜୟର ଇଛା ଥିଲେ ମଧ୍ୟ ଚୁପ ରହେ । ଗାଁ ଘର ପ୍ରତି ତା ମନରେ ସୃଷ୍ଟି ହୁଏ ଅହେତୁକ ଦୁର୍ବଳତା । ମନ କଥା ମନରେ ରଖେ ।

   

 ଗତବର୍ଷ ମାଆର ଦେହାନ୍ତ ପରେ ସେ ଅନେକ ଚିନ୍ତା କଲା । ମୃତ୍ୟୁ ବେଳକୁ ମାଆ ବାରମ୍ବାର ତାଗିଦ କରିଥିଲା ଗାଁକୁ ନଯିବାକୁ । ତେବେ ଗାଁ ଘରଟିକୁ ଦେଖିବାର ଅଦମ୍ୟ ଇଚ୍ଛା ତା ମନରେ ପୁନର୍ଜୀବିତ ହୋଇଉଠିଲା । ଘର ଅଛି ବୋଲି ସିନା ଏତେ କଥା । ଘର ନଥିଲେ କଣ ତାକୁ ଯିବାକୁ ଇଛା ହେବକି?ଏହି କଥା ଚିନ୍ତା କରି ସହରର ଜଣେ ବିଲଡର କୁ ଘର ବିକ୍ରି କରିଦେବା ପାଇଁ ଚାହିଁଲା । ବିଲଡର ମହାଶୟ ଘର ଦେଖିବା ପାଇଁ ବିଜୟଠାରୁ ଚାବି ନେଇ ଗାଁକୁ ଗଲେ । ଦୁଇ ଦିନ ପରେ ଆସି ବିଜୟକୁ ବହୁତ ଗାଳି ଦେଲେ । ବିଜୟ କିଛି ବୁଝି ପାରିଲା ନାହିଁ । ବିଲଡର ମହାଶୟ କହିଲେ ଗାଁ ଲୋକେ ତାଙ୍କୁ ଦୂରରୁ ଘରଟି ଦେଖାଇ ଦେଇ ସେଠାକୁ ଯିବାକୁ ବାରଣ କଲେ । ଭୂତ ପ୍ରେତକୁ ମାନୁ ନଥିବା ବିଲଡର ଗ୍ରାମବାସୀଙ୍କ କଥାକୁ ଖାତିର ନକରି ସେଠାକୁ ଗଲେ । ସେଠାରେ ସେ ଯାହା ଅନୁଭବ କଲେ ତାହା ଜୀବନ ସାରା ଭୁଲି ପାରିବେ ନାହଁ । ଜୀବନ ବଞ୍ଚାଇ ସେଠାରୁ ଆସିପାରି ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ । ବିଜୟ ଯେତେ ବୁଝାଇଲା ଏହା ଗ୍ରାମବାସୀଙ୍କ କୁଚକ୍ରାନ୍ତ ହୋଇପାରେ କିନ୍ତୁ ବିଲଡର ବୁଝିବାକୁ ନାରାଜ ଥିଲେ ।ସେ ଗଲା ପରେ ବିଜୟ ଥରଟିଏ ଗାଁକୁ ଯାଇ ଘରଟିକୁ ଦେଖି ଆସିବ ବୋଲି ଭାବିଲା । ଜୀବନରେ ମାଆ କଥାକୁ କେବେ ଅମାନ୍ୟ କରିନଥିବା ବିଜୟ ପ୍ରଥମ ଥର ପାଇଁ ମାଆ କଥା ନମାନି ଗାଁକୁ ଯିବାପାଇଁ ବାହାରିଲା । 

   

 ସକାଳୁ ଗାଡି ନେଇ ଚାଲିଲା ଗାଁ ଅଭିମୁଖେ । ଗାଁ ଆଉ ପାଞ୍ଚ କିଲୋମିଟର ଥାଏ ହଠାତ ରାସ୍ତା ପାର୍ଶ୍ୱରେ ଥିବା ଗଛଟିଏ ଭାଙ୍ଗି ଗାଡି ଆଗରେ ପଡିଲା । ଗାଡ଼ିରେ ବ୍ରେକ ଦେଉ ଦେଉ ରାସ୍ତା କଡେ ଠିଆ ହୋଇଥିବା ଯୁବତୀଟି ଉପରେ ତା' ନଜର ପଡିଲା । ଯୁବତୀଟି ଚିହ୍ନା ଚିହ୍ନା ଜଣା ପଡ଼ୁଥିବାରୁ ସେ ଗାଡ଼ିରୁ ବାହାରିଥିଲା । କିନ୍ତୁ ସେଠାରେ କେହି ନଥିଲେ ।ପୁଣି ଅଳ୍ପ ଦୂର ଯାଇଛି ଏକ ବଡ଼ ପଥର ରାସ୍ତାର ଏପାଖରୁ ସେପାଖକୁ ଗଡ଼ିଗଲା । ସେ ଅଚିହ୍ନା ଯୁବତୀ ସେଠାରେ ମଧ୍ୟ ଥିଲା । ଏଥର ବିଜୟ ବୁଝିପାରିଥିଲା ଯେ ସେ ଯୁବତୀଟି ତାକୁ କ୍ଷତିଗ୍ରସ୍ତ କରିବା ପାଇଁ ବୃଥା ଚେଷ୍ଟା କରୁଛି । ତେବେ ଦୃଢ଼ ମନା ହୋଇ ସେ ଆଗକୁ ବଢ଼ିଲା । ଗାଁରେ ଜଣେ ବୁଢା ଲୋକକୁ ଦେଖି ସେ ତା ଘର ବିଷୟରେ ପଚାରିଲା । ବୁଢା ତାକୁ ଦେଖି ପ୍ରଥମେ ହଡ଼ ବଡେଇ ଗଲା । ତାପରେ ତାକୁ ଜାଣି ପାରିଲା ଭଳି ପଚାରିଲା,"ତୁ ଅଜୟ ଦାସଙ୍କ ପୁଅ କି?"ବିଜୟ ହଁ କରିବାରୁ ତୁ ଏଠୁ ପଳା କହି ବୁଢା ଦୌଡ଼ିବାକୁ ଲାଗିଲା । ବିଜୟ ତାକୁ ଅନୁସରଣ କଲା । ବୁଢା ଘରକୁ ଯାଇ ତା ସହ କଥା ହେବାକୁ ଚେଷ୍ଟା କଲା ।  କିନ୍ତୁ ବୁଢା ନଛୋଡବନ୍ଧା । ବିଜୟକୁ ସେଠାରୁ ଚାଲିଯିବାପାଇଁ କହୁଥାଏ । ବିଜୟ ଅନୁରୋଧ କରି କହିଲା,"ମଉସା ଥରଟିଏ ମୋ ସହ କଥା ହୁଅ ମୁଁ ଚାଲିଯିବି" । ବୁଢ଼ାର ମନ କଣ ହେଲା କେଜାଣି କବାଟ ଖୋଲି ବାହାରକୁ ଆସିଲା । ବୁଢା କହିବାକୁ ଆରମ୍ଭ କଲା,"ମୁଁ ଓ ତୋ ବାପା ଅଜୟ ଭଲ ସାଙ୍ଗ ଥିଲୁ । ତୋ ପିଉସୀ ଲତା ସହ ମୋର ବିବାହ ଠିକ ହୋଇଥିଲା । ତେବେ ଗାଁ ସାହୁକାରର ପୁଅର ଖରାପ ଦୃଷ୍ଟି ତୋ ପିଉସୀ ଉପରେ ଥିଲା । ଦିନେ ସୁଯୋଗ ପାଇ ସାହୁକାରର ପୁଅ ତୋ ପିଉସୀର ଜୀବନ ନଷ୍ଟ କରିଦେଲା । ଆମେ କିଛି ଜାଣିବା ପୂର୍ବରୁ ତୋ ପିଉସୀ ସବୁକଥା ଚିଠି ରେ ଲେଖି ଆତ୍ମହତ୍ୟା କରିଦେଲା । ତୋ ବାପା ଚିଠି ପଢି ରାଗିଗଲା ଓ ସାହୁକାରର ପୁଅକୁ ମାରିଦେଲା । ସାହୁକାର ପୁଅ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ତୋ ବାପାକୁ ହତ୍ୟା କଲା । ଅର୍ଥ ବଳ ଦ୍ୱାରା କୋର୍ଟ କଚେରୀରୁ ମୁକ୍ତି ପାଇଗଲା । ଗାଁକୁ ଆସି ତୁମ ମାଆ ପୁଅକୁ ମାରି ତୁମ ବଂଶ ନିପାତ କରିବାକୁ ଚାହିଁଥିଲା । ମୁଁ ରାତାରାତି ତୁମ ମାଆ ପୁଅ ଦୁହିଁଙ୍କୁ ସହରରେ ସୁରକ୍ଷିତ ଯାଗାରେ ପହଞ୍ଚେଇ ଦେଲି ।ବହୁ କଷ୍ଟରେ ତୋ ମାଆ ତୋତେ ବଡ଼ କଲା । ପ୍ରତିଶୋଧ ର ନିଆଁରେ ଜଳି ଜଳି ସାହୁକାର ମଲା ସତ ହେଲେ ଲୋକେ କହୁଛନ୍ତି ଏବେ ମଧ୍ୟ ତା ଆତ୍ମ । ଘୁରି ବୁଲୁଛି ।ଏହା କହି ବୁଢା ଏକ ପୁରୁଣା ଫୋଟୋ ଆଲବମ ବାହାର କରି ତା ବାପା ମାଆ ପିଉସୀ ଙ୍କ ଫୋଟୋ ଦେଖାଇଲା । ପିଉସୀର ଫୋଟୋ ଦେଖି ବିଜୟ ଚମକି ପଡିଲା । ସେହି ଯୁବତୀଙ୍କୁ ସେ ରାସ୍ତାରେ ଦେଖିଥିଲା । ସେ ବୁଢାକୁ ରାସ୍ତ ।ରେ ଘଟିଥିବା ସମସ୍ତ ଘଟଣା କହିବା ସଙ୍ଗେ ସଙ୍ଗେ ପିଉସୀକୁ ଦେଖିଥିବା କହିଲା ।ବୁଢ଼ା କହିଲା ତା ପିଉସୀ ତାକୁ ସାହୁକାରର ଆକ୍ରମଣରୁ ରକ୍ଷା କରିଛି ।

   

  ବୁଢା ଠାରୁ ସବୁ କଥା ଶୁଣି ବିଜୟର କଣ ମନ ହେଲା କେଜାଣି ଗାଁର "ପୁରୁଣା ଘର"କୁ ନ ଯାଇ ସହରକୁ ଫେରି ଆସିବାର ନିଷ୍ପତ୍ତି ନେଇ ଫେରି ଆସିଲା ।



Rate this content
Log in

Similar oriya story from Tragedy