ପ୍ରକୃତିର ଅଶ୍ରୁ
ପ୍ରକୃତିର ଅଶ୍ରୁ


ଗୁଗୁ...! ଉଠେ ରେ ପୁଅ।ତୁ କାଲି ମୋତେ କହିଥିଲୁ ନା ଅଫିସ୍ ଯିବୁ ବୋଲି।ସମୟ ଦେଖିଲି । ଉଠିପଡ , ସମୟ ୮ ଟା ହେଲାଣି।ତୋ ନିତ୍ୟକର୍ମ ସାରିଲେ ଅଫିସ୍ ଯିବୁ । ତୋ ମନ ପସନ୍ଦର ଜଳଖିଆ ତିଆରି କରିଛି। ଯା ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରିକି ଆସେ। ଏ ଥିଲା ମୋର ମା । କିଛି ଦିନ ହେବା ଶାରୀରିକ ଅସୁସ୍ଥ ଥିବାରୁ ମୁଁ ବ୍ୟାଙ୍କ୍ ରୁ ଛୁଟି ରେ ଥିଲି। ମୋ ପରିଚୟ ହେଲା ମୁଁ ବାଦଲ ପଟ୍ଟନାୟକ । ଗୋଟିଏ ବ୍ୟାଙ୍କ୍ ରେ କାର୍ଯ୍ୟ କରେ । କିଛି ଦିନ ପୂର୍ବରୁ ଭୀଷଣ ଶାରୀରିକ ଅସୁସ୍ଥ ହୋଇପଡ଼ିବା କାରଣରୁ ଛୁଟି ନେଇ ଘରେ ଏପରି ଶଯ୍ୟାଶାୟୀ ହୋଇଥିଲି ଯେ ଦୁନିଆ ବିଷୟରେ କିଛି ବି ଖବର ଜାଣିବା ମୋ ପକ୍ଷରେ ଅସମ୍ଭବ ହୋଇଯାଇଥିଲା। ଇତି ମଧ୍ୟ ରେ ଚିନ୍ ରୁ ଆସିଥିବା କରୋନା ନାମକ ଭୁତାଣୁ ଜନିତ ଏକ ରୋଗ ମହାମାରୀ ର ରୂପ ନେଇସାରି ଥାଏ। ଏହି ମହାମାରୀ ନା କେବଳ ଆମ ଦେଶ ଭାରତ ବର୍ଷ ତଥା ପୃଥିବୀରେ ଚୋଟ ବଡ଼ ପ୍ରାୟ ୨୦୦ ଟି ଦେଶରେ କାୟା ବିସ୍ତାର କରି ଜନ ସମାଜ କୁ କରାଳ ମୃତୁ ମୁହଁ କୁ ଠେଲି ଦେଇ ସାରିଥିଲା। ଖବରକାଗଜ ଠାରୁ ଆରମ୍ଭ କରି ଟିଭି ପରଦା , ରେଡ଼ିଓ ଠୁ ଆରମ୍ଭ କରି ମୋବାଇଲ୍ ସବୁ ଆଡେ କେବଳ ମହାମାରୀ କରୋନା ର ସମ୍ପ୍ରସାରଣ ଓ ମୃତକଙ୍କ ଗଣନା ଉପରେ ଚର୍ଚ୍ଚା। ଅଳ୍ପ କେତେ ଦିନ ହେବା ମହାମାରୀ କରୋନା ସମ୍ବନ୍ଧ ରେ ଖବର ଜାଣି କିଛି କିଛି ଧାରଣା ହୋଇଯାଇଥିଲା ଯେ ଦୁନିଆ କିଭଳି ସଙ୍କଟ ର ସାମ୍ନା କରୁଅଛି। ନିଜକୁ ଟିକିଏ ସୁସ୍ଥ ମନେ କରିବାରୁ ମୁଁ ଆଜି ଅଫିସ୍ କାର୍ଯ୍ୟ ରେ ଯୋଗ ଦେବକୁ ନିଷ୍ପତି ନେଇଛି। ଶୋଇଥିବା ବିଛଣା ରୁ ଉଠି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରିଦେଲି। ଟିକିଏ ଜଳଖିଆ ଖାଇ ବେଗ ବସ୍ତାନି ଧରି ଅଫିସ୍ ଅଭିମୁଖେ ବାହାରିପଡିଲି ।
ଏତେ ଦିନ ପରେ ମୋ ଦୁଇ ଚକିଆ ମଟରସାଇକଲ କୁ ଧରି ବାହାରକୁ ବାହାରିଛି। ରାସ୍ତା ଉପରକୁ ଆସି ଦେଖିଲି ରାସ୍ତା ଘାଟ ଶୁନଶାନ୍। ଗୋଟେ ବି ଗାଡ଼ି ମଟର ଦେଖା ଯାଉନାହିଁ। ଆଉ ଟିକିଏ ବାଟ ଯାଇ ଦେଖିଲି କିଛି ପୋଲିସ୍ କର୍ମୀ ରାସ୍ତା କୁ ଅବରୋଧ କରିଛନ୍ତି ଓ ଯେ ଜଣେ ବି ଗଲେ ତାଙ୍କୁ ଅଟକାଇ ପଚରାଉଚୁରା କରି ଛାଡୁଛନ୍ତି।ଜରୁରି ସେବା ରେ ନିଓଜିତ କର୍ମ ରେ ଯେଉଁ ମାନେ ଅଛନ୍ତି କେବଳ ସେମାନଙ୍କୁ ଆଗକୁ ଛାଡୁଛନ୍ତି। ମୁଁ ଯେତବେଳେ ଟିକିଏ ନିକଟ କୁ ଯାଇ ପହଞ୍ଚିଲି ମୋତେ ବି ଜଣେ ପୋଲିସ କର୍ମଚାରୀ ହାତ ଦେଖାଇ ଅଟକାଇ ପଚାରିଲେ କୁଆଡେ ଓ କେଉଁ କାମରେ ଯାଉଛନ୍ତି।ମୁଁ ମୋ ବ୍ୟାଙ୍କ୍ ର ପରିଚୟ ପତ୍ର ଦେଖେଇବାରୁ ମୋତେ ଆଗକୁ ଯିବାକୁ ଅନୁମତି ଦେଇଦେଲେ। ରାସ୍ତା ସମ୍ପୂର୍ଣ୍ଣ ରୂପେ ଖାଲି । ନାମ କୁ ମାତ୍ର କାଁ ଭାଁ ଗୋଟେ କେଉଁଠି ଗାଡ଼ି ଟେ ଯାଉଛି କି ନାହିଁ। ଚାରିଆଡେ ଖାଲି ପୋଲିସ୍ ର ପହରା। ଆଉ ଯେଉଁ ମାନେ କଟକଣା କୁ ଖିଲାପ କରୁଛନ୍ତି ତାଙ୍କ ମାନଙ୍କୁ ପୋଲିସ ର ଉତ୍ତମ ମାଧ୍ୟମ ପ୍ରାପ୍ତ ହେଉଛି । ଏପରି ଦେଖି ଦେଖି ମୁଁ ଜନଗହଲିପୂର୍ଣ୍ଣ ରାଜମହଲ ଛକରେ ପହଞ୍ଚିଲି।ଆରେ ଏ କଣ ପୁରା ଛକ ଶୁନଶାନ୍ ।ଜଣେ ବି ମଣିଷ ଦେଖାଯାଉ ନାହିଁ। ମୋ ମନ ଭିତରୁ ହଟାତ୍ ଏକ ପ୍ରଶ୍ନ ବାହାରି ଆସିଲା" କ'ଣ ଏଇଟା ସେଇ ଜନଗହଲିପୂର୍ଣ୍ଣ ରାଜମହଲ ଛକ ?" ମୋର ପ୍ରଶ୍ନ ନ ସରୁଣୁ ଶୂନ୍ୟ ରୁ ଅତ୍ୟନ୍ତ ଗମ୍ଭୀର ସ୍ଵରରେ ଉତ୍ତର ମୋ କାନରେ ଆସି ବାଜିଲା " ହଁ ମୁଁ ସେଇ ଜନଗହଳିପୂର୍ଣ୍ଣ ରାଜମହଲ ଛକ "। ମୁଁ ଗାଡ଼ି ରଖି ଠିଆ ହୋଇ ଚାରିଆଡେ ଖୋଜିଲି ଉତ୍ତର କେଉଁଆଡ଼ୁ ଆସିଲା,ହେଲେ କାହାରିକୁ ଦେଖିବାକୁ ପାଇଲି ନାହିଁ। ମୁଁ ପଚାରିବାକୁ ଲାଗିଲି କିଏ ତୁମେ ?? ମୋ ପ୍ରଶ୍ନର ଉତ୍ତର ଦେଇଥିଲ ?ମୋ ସାମ୍ନାକୁ ଆସ। ଏହା ଶୁଣି ଆଉ ଥରେ ଉତ୍ତର ଆସିଲା " ମୁଁ ଆଉ କେହି ନୁହେଁ ,ମୁଁ ଆପଣମାନଙ୍କ ର ସେଇ ଜନଗହଳିପୂର୍ଣ୍ଣ ରାଜମହଲ ଛକ। ଆଜି ମୁଁ ଏକା । କରୋନା ର ବିଭୀଷିକା ରେ ମୋ ପରିସର ଆଜି ଜନଶୂନ୍ୟ ହୋଇପଡିଛି। ଆଜି ର ଏଇ ପରିସ୍ଥିତି ପାଇଁ ଦାୟୀ କିଏ ? ଏ ସବୁ ରେ ମୋର କଣ ଅପରାଧ ଥିଲା ? କଣ ପାଇଁ ମୁଁ ଆଜି ଏକା ? " ।
ଏତେ କଥା ଶୁଣି ମୁଁ କିଛି ସମୟ ପାଇଁ ନିରବ ହୋଇ ରହିଗଲି । ମନରେ ଉଙ୍କି ମାରିଲା ରାଜମହଲ ଛକ । ସତରେ ଏଥିପାଇଁ ଦାୟୀ କିଏ। ଅନେକ ଥର ଚିନ୍ତା କରି ଦେଖିଲି , କେଉଁଠି ନା କେଉଁଠି ଆମେ ମଣିଷ ସମାଜ ତ ଦାୟୀ। ହେଲେ ଆତ୍ମ ଗାରିମା କ୍ଷୁର୍ଣ୍ଣ ଭୟ ଭୁଲ୍ କୁ ସ୍ବୀକାର କରିବାକୁ ସମର୍ଥ ନଥିଲା। ମୁଁ ଜଣେ ମଣିଷ ଓ ଆମ ମଣିଷଙ୍କ ପାଖରେ ଚତୁରତା ର ବୁଦ୍ଧି ଅଛି , ଯେ କୋଣସି ଦୋଷକୁ ବି କୌଶଳ କ୍ରମେ ନିରୀହ ଉପରେ ଲଦିଦେଇ ଖସିଯାଇପରୁ । ସେଥିପାଇଁ ରାଜମହଲ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଦେଲି " ଆଜି ର ଏଇ ପରିସ୍ଥିତି ପାଇଁ କରୋନା ନାମକ ଭୁତାଣୁ ଦାୟୀ"। ଏବେ ବି ମାନେ ଅଛି ଯେଉଁ ବାକ୍ୟ ଉତ୍ତର ରେ କହିଥିଲି ସେ ଥିଲା ମୋ ଶେଷ ବାକ୍ୟ ।ଆଉ ତାପରେ ମୁଁ କେବଳ ଶୁଣିବା ଛଡା କହିବାକୁ କିଛି ସୁଯୋଗ ନଥିଲା। ରାଜମହଲ ମୋର ପ୍ରତିଉତ୍ତର ଦେଇ କହିଲା " ମନୁଷ୍ୟ ପୃଥିବୀରେ ଗୋଟେ ଶ୍ରେଷ୍ଠ ପ୍ରାଣୀ। ବୁଦ୍ଧି, ବିବେକ,ଆଦର ସ୍ନେହ, ସଂଯମତା, ଜ୍ଞନକୋୖଶଳ, କଳା, ସଂସ୍କାର, ଏପରି ସର୍ବ ଗୁଣ ସମ୍ପନ୍ନ ଥିବା ଏକମାତ୍ର ପ୍ରାଣୀ। କିନ୍ତୁ ସମୟ ବଢିବା ସାଥେ ଗୁଣ ହରେଇ ପଥଭ୍ରଷ୍ଟ ହୋଇଯାଇଛି। ଯେଉଁ ପ୍ରକୃତି ତାର ପୋଷଣ କରେ ସେହି ପ୍ରକୃତି କୁ ଅହଂକାରୀ ହୋଇ ନଷ୍ଟ କରିବାରେ ଲାଗିଛି। ମଣିଷ ସମାଜ ର ଉତ୍ପାତ୍ ଏତେ ମାତ୍ରାରେ ବଢ଼ିଯାଇଛି ଯେ ନିରୀହ ଜୀବ ଜନ୍ତୁ ମଧ୍ୟ ନିର୍ଦ୍ଵନ୍ଦରେ ବିଚରଣ କରିବ ଅସମ୍ଭବ ହୋଇପଡିଛି। ସୁନ୍ଦର ପୃଥିବୀଟା ଆଜି ଏତେ ପ୍ରଦୂର୍ଶିତ ହୋଇସାରିଛି ଯାହା ଦ୍ଵାରା ଅନ୍ୟ ପ୍ରାଣୀଜଗତ ତ୍ରାହି ତ୍ରାହି ଡାକୁଛନ୍ତି। ବିଗତ ଦିନ କଥା ମନେ ପଡେ , ମୁଁ ଏଠି ଅନେକ ବର୍ଷ ପୂର୍ବରୁ ନିରବଦ୍ରଷ୍ଟା ହୋଇ ରହିଛି। ସମୟ ରେ ପରିବର୍ତ୍ତନ ଆସିଯାଇଛି, ଯେଉଁ ଗହଳ ଚହଳ ଦିନେ ମୋତେ ଖୁସି ଦେଇଥିଲା ମଣିଷ ସମାଜ ସମୟ ପରିବର୍ତ୍ତନ ଅନୁସାରେ ଏତେ ମାତ୍ର ରେ କ୍ରୁର ହୋଇ ପ୍ରକୃତିକୁ ଏଭଳି ଛାରଖାର କରିପକାଇଲେ ଯେ ପାରା ପକ୍ଷୀ ଟିଏ ବସିବା ପାଇଁ ସ୍ଥାନ ନାହିଁ। ଯେତେ ଗଛ ଥିଲା ସବୁ କରିପକାଇଲେ, ଚାରିଆଡେ ଖାଲି କୋଠା ବାଡି। ମଣିଷ ଏତେ ସ୍ୱାର୍ଥପର ହୋଇଗଲା ଯେ ଅନ୍ୟ ଜୀବଜନ୍ତୁ ମାନଙ୍କ କଥା ବି ଭାବିଲା ନାହିଁ । ଯେଉଁ ପଶୁ ପକ୍ଷୀ ମାନେ ଦିନେ ମଣିଷ ଭୟରେ ଗଛ ଏଣେତେଣେ ଲୁଚିଛପି ରହୁଥିଲେ ଆଜି ପ୍ରକୃତି ତାହାର ପ୍ରତିଶୋଧ ନେଉଛି। ଏହାହିଁ ସମୟର ପ୍ରତିଶୋଧ ଯାହା ପ୍ରକୃତି ନଉଛି। ଆଜି କରୋନା ପ୍ରକୃତି ର ଦୂତ ହୋଇ ତାଣ୍ଡବ କରି ପ୍ରତିଶୋଧ ନେଇଛି। ଆଉ ଏଥିସହ ଚେତେଇ ଦଉଛି ସାବଧାନ ହେବାକୁ । ନଚେତ୍ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ "। ହଟାତ୍ ମୋତେ ଜଣେ କିଏ ଡାକ ଦେଲେ " ସାର୍ କଣ ହେଲା କଣ ପାଇଁ ଛିଡା ହୋଇ ରହିଲେ? ମୁଁ ବୁଲି ଚାହିଁଲି, ଦେଖିଲି ଜଣେ ପୋଲିସ ବାବୁ ମୋତେ ସେ ସ୍ଥାନ ରୁ ଯିବାକୁ କହୁଥାନ୍ତି। ପୋଲିସ୍ ବାବୁଙ୍କ ଡାକରେ ମୋର ଯେମିତି ଚେତା ଫେରିଲା ।ଲାଗିଲା ଯେମିତି ମୁଁ ଆଉ କେଉଁ ଦୁନିଆକୁ ଚାଲିଯାଇଥିଲି। ମୁଁ ତୁରନ୍ତ ସେ ସ୍ଥାନରୁ ଚାଲିଆସିଲି ଅଫିସ୍ ରେ ପହଞ୍ଚିଲି।କିନ୍ତୁ ଯାହା ସବୁ ଘଟିଲା ରାଜମହଲ ଛକରେ ସେ ମୋର ଭ୍ରମ କି ସତ୍ୟ ମୁଁ ଜାଣିନି ହେଲେ କଥା ଟା ସମ୍ପୂର୍ଣ ସତ। ଆମେ ମଣିଷ ହିଁ ପ୍ରକୃତିର ବିନାଶ କରୁଛୁ ଏବଂ ଦୋଷ ମହାମାରୀ, ପ୍ରାକୃତିକ ଦୁର୍ବିପାକ କୁ ଦେଉଛୁ। ସମୟ ଆଜି ଆସିଛି ନିଜକୁ ସୁଧାରି ପ୍ରକୃତି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ। ନଚେତ୍...........!