ବାଇଡ୍ଂକ
ବାଇଡ୍ଂକ
ରୋଲ୍ ନମ୍ବର ୧..... ୟେସ ସାର୍ ....... ରୋଲ୍ ନମ୍ବର ୨..... ୟେସ ସାର୍ .......। ମୋ ରୋଲ୍ ନମ୍ବର ଥିଲା ୨। ବିକ୍ରମର ରୋଲ୍ ନମ୍ବର ୧ । କିନ୍ତୁ ଉପସ୍ଥାନ ଯେତେ ବେଳେ ପଡିଲେ ବି ମୁଁ ତାର ନମ୍ବରରେ ଓ ସେ ମୋ ନମ୍ବରରେ ଉପସ୍ଥାନ ପକାଉ । କିନ୍ତୁ କେବେ ବି ଧରା ପଡିନଥାଉ । ପ୍ରଥମ ପିରିଅଡ୍ ସବୁବେଳେ ପ୍ରଧାନ ଶିକ୍ଷକଙ୍କ ହାତରେ । ବିକ୍ରମ ଓ ମୁଁ ଦୁହେଁ ଘନିଷ୍ଠ ବନ୍ଧୁ । ପାଠରେ ଯେକିତି ଧୁରନ୍ଧର ସାଠରେ ବି ସେତିକି ନିପୁଣ । ଆମ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମିଶ୍ର । ବଗ ପରି ଧଳା ଧଳା କୁରୁତା ଓ ଧୋତି ଓ ତାସାଙ୍ଗକୁ କଳା ରଂଗର ଇଂରେଜ ଅମଳର କୋଟ୍ । ପତଳା, ଲମ୍ବ ଓ ଗୌର ବର୍ଣ୍ଣର ଶରୀରକୁ ବେସ୍ ମାନେ । ସାଇକେଲରେ ଏମିତି ଯତ୍ନ ଯେପରି ସଦ୍ୟ କିଣା ହୋଇଛି। ସେ ସାଇକେଲ ପଛରେ ଗୋଟେ ମୁନିଷି ବ୍ୟାଗ୍ ଓ ବେତ ବଡି ଓ ବ୍ୟାଗ୍ ଭିତରେ ଟିଫ୍ଫିନ । ସ୍କୁଲ ହତାରେ ପଶିଲେ ଏମିତି ଲାଗେ ସତେ ଯେମିତି ମହାବଳ ବାଘଟେ ପଶିଆସିଲା । ସେ ଶିକ୍ଷକ ହୁଅନ୍ତୁ ବା ଛାତ୍ର ସବୁ ଡରରେ ଥରହର । ନୂଆ କରି ବଦଳି ହୋଇ ଆମ ସ୍କୁଲକୁ ଅସିଥାନ୍ତି । ତାଙ୍କୁ ଅବଶ୍ୟ ଆମ ଦୁହିଙ୍କ ସାଠ ଜ୍ଞାନର ନିପୁଣତା ଉପରେ ଅବଗତ ନଥିଲା । ପ୍ରଧାନ ଶିକ୍ଷକ ରୁଦ୍ର ପ୍ରତାପ ମିଶ୍ରଙ୍କ ଏପରି କଡ୍ଡା ଶାସନ ଆମ ଦୁହିଙ୍କୁ ସ୍କୁଲଟା କାରାଗାର ପରି ଲାଗୁଥିଲା । ନା ସାଙ୍ଗ ଏଇ ପରିସ୍ଥିତିର କିଛି ସମାଧାନର ବାଟ କରିବାକୁ ପଡ଼ିବ । ଏଭଳି ଦୁହେଁ ଚିନ୍ତା କରି ପ୍ରଧାନ ଶିକ୍ଷକ ରୁଦ୍ର ପ୍ରତାପଂକ ବିରୁଧରେ ରଣନୀତି ଆରମ୍ଭ କରିଦେଲୁ ।
୧ମ ଭାଗ --- ସବୁଦିନ ପରି ପ୍ରଧାନ ଶିକ୍ଷକ ସ୍କୁଲରେ ପ୍ରବେଶ କରିବା ପରେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖି ତାଙ୍କ ଅଫିସ୍ ରୁମକୁ ଗଲେ । ସାଇକେଲ ଷ୍ଟାଣ୍ଡଟି ସ୍କୁଲର ବାମପାର୍ସ୍ୱରେ ଥିଲା । ପ୍ରାଥନା ପାଇଁ ପିଲାଙ୍କ ଗହଳି ଚହଳିର ସୁଯୋଗ ନେଇ ଆମେ ସାଇକେଲ ଷ୍ଟାଣ୍ଡ ନିକଟରେ ଯାଇ ଲୁଚିଗଲୁ । ବିକ୍ରମ ଗୋଟେ ଲୁହା କଣ୍ଟାରେ ପ୍ରଧାନ ଶିକ୍ଷକଙ୍କ ସାଇକେଲ ଚକାକୁ ଫୋଡି ପବନ ବାହାର କରିଦେଲା । ପ୍ରାଥନା ଯେମିତି ସରିଲା ସବୁ ପିଲାଙ୍କ ସହ ଆମେ ଶ୍ରେଣୀକୁ ଚୁପ ଚାପ ଯାଇ ବସିଗଲୁ। ପ୍ରଧାନ ଶିକ୍ଷକ ଆସି ତାଙ୍କ ପିରିଅଡ୍ ସାରି ଚାଲିଗଲେ । ମନରେ ଭାରି ଆନନ୍ଦ । ରାଜ୍ୟ ଜୟ କରିବା ପରି ଲଗୁଥିଲା । ସ୍କୁଲ ଛୁଟି ହେଲା, ସବୁ ପିଲା ଆଖି ପିଛୁଳାକେ ପଳେଇଗଲେ । ଆମେ ବି ସୁନା ପିଲାଙ୍କ ପରି ଯାଉଥିଲୁ । “ଏ ବିକ୍ରମ ଓ ବାଦଲ୍ ୟାଡେ ଆସିଲ “ ପ୍ରଧାନ ଶିକ୍ଷକ ଡାକ ଦେଲେ । “ମରିଗଲା ମଣିଷ “ କଣ କରିବା ? ଏକଥା ମନରେ ଭାବି ପ୍ରଧାନ ଶିକ୍ଷକଙ୍କ ପାଖକୁ ଗଲୁ । ପ୍ରଧାନ ଶିକ୍ଷକ କହିଲେ ଆରେ ପିଲେ ମୋ ସାଇକେଲ ଚକାଟା ଲିକ୍ ହୋଇ ଯାଇଛି ,ଟିକିଏ ଧର ସାଇକେଲ ମରାମତି ଦୋକାନକୁ ନେବା। ମନେ ମନେ ଦୁହେଁ ଭାରି ହସିଲୁ । କାରଣ ସାଇକେଲ ମରାମତି ଦୋକାନ ସ୍କୁଲ ଠାରୁ ଦୁଇ କୋଶ ବାଟ । ପ୍ରଧାନ ଶିକ୍ଷକ ସ୍କୁଲରେ ବସିଥିଲେ ଆମେ ଦୁହେଁ ସାଇକେଲ ମରାମତି ଦୋକାନରୁ ସାଇକେଲ ଠିକ୍ କରି ଆଣି ପ୍ରଧାନ ଶିକ୍ଷକଙ୍କୁ ଦେଲୁ । ପ୍ରଧାନ ଶିକ୍ଷକ ଖୁସି ହୋଇ ଗେଲ କରି କହିଲେ “ ସତରେ ଭାରି ସୁନା ପିଲା ଦିଟା “। ଆଉ ପ୍ରଧାନ ଶିକ୍ଷକ ସ୍କୁଲରୁ ଚାଲି ଗଲେ । ହେଲେ ଯୋଜନାର ବିଫଳରେ ମନରେ ପ୍ରବଳ ଦୁଃଖ । ନାସାଙ୍ଗ ଆଉ ଗୋଟେ ପ୍ରୟାଶ କରିବାକୁ ପଡିବ । ଏତିକି କହି ମୁଁ ମୋ ଘରକୁ ଆଉ ସେ ତା ଘରକୁ । ରାତି ସାରା ଆଖିରେ ନିଦ ନାହିଁ ।
୨ୟ ଭାଗ --- ସକାଳ ହେଲା । ଆମ ବାଡିରେ ବୁଲୁ ବୁଲୁ ନଜର ପଡିଲା ବାଇଡଙ୍କ ଲଟାରେ । ଖୁବ୍ ଭଲ ବାଇଡଙ୍କ ପାଚିଛି । ଏବେ ଗୋଟେ ନୂଆ ଉପାୟ ମନରେ ଅସିଲା । ସ୍କୁଲରେ ପହଞ୍ଚି ବିକ୍ରମକୁ ଡାକି କହିଲି “ସାଙ୍ଗ ଦେଖେ କଣ ଆଣିଛି “.. ବିକ୍ରମ କହିଲା “ ଏ କଣ କିରେ ସାଙ୍ଗ “ ମୁଁ କହିଲି ବାଇଡଙ୍କ”..ଥରେ ଦେହରେ ଲାଗିଲେ ପୁଅ ନାମ ନଉଥିବ ,ଗୁଣ ଗାଉଥିବ”.। ହାଃ ହାଃ ହାଃ.....ଖାଲି ଦେଖେ କଣ ହଉଛି। ଏଇ କଥା ମନରେ ପାଂଚି ଶ୍ରେଣୀ ଗୃହକୁ ଆଗୁଆ ପଳେଇଲୁ । କିଛି ଚକ୍ ଖଡି ଗୁଣ୍ଡରେ ବାଇଡଙ୍କ ମିଶେଇ ଗୋଟେ କାଗଜ ପୁଡିଆରେ କୌଶଳରେ ଶ୍ରେଣୀର କବାଟ ଉପରେ ରଖିଦେଲୁ । ଗୋଟେ ସୁତାରେ ବାଂଧି ଦେଲୁ। ଯେମିତି ପିରିଅଡ୍ ଘଣ୍ଟି ବଜିବ ପ୍ରଧାନ ଶିକ୍ଷକ ଅସିବେ ଓ କବାଟ ପଛରେ ରହି ସୁତାକୁ ଭିଡିଦେଲେ କାଗଜରେ ଥିବା ବାଇଡଙ୍କ ପ୍ରଧାନ ଶିକ୍ଷକଙ୍କ ଉପରେ ପଡିବ । ତାପରେ ହେବ ମଜ୍ଜା । ମନରେ ଉତ୍କଣ୍ଠା । ଯୋଜନା କେମିତି କାମ କରିବ ଦେଖିବା ପାଇଁ । ପିରିଅଡ୍ ଘଣ୍ଟି ବାଜିଲା । କିଛି ସମୟ ପରେ ବିକ୍ରମ ଦେଖିଲା ପ୍ରଧାନ ଶିକ୍ଷକ ଶ୍ରେଣୀ ଆଡକୁ ମାଡି ଆସୁଛନ୍ତି । ପିଲା ସବୁ ଚୁପ୍ ଚାପ୍ । ପାଦର ଶବ୍ଦ ଧିରେ ଧିରେ ନିକଟ ହେଉ ଥାଏ । ହୃଦୟ ବି ସେତେ ଜୋରରେ ଧକ୍ ଧକ୍ କରୁଥିଲା । କଣ ହେବ ! ପାଦର ଶବ୍ଦ ଆହୁରି ନିକଟ ହେଲା । ଏଇ ଦୁଆର ବନ୍ଧକୁ ଯେମିତି ପାଦ ପକାନ୍ତି ,…. ଚଟ୍ କରି ସୁତାଟା ଭିଡିଦେଲି । କିଛି ସମୟ ପାଇଁ ଯେମିତି ସବୁ କିଛି ସ୍ତବଧ । ଏ କଣ କରିଦେଲି ମୁଁ “ .... ପ୍ରଧାନ ଶିକ୍ଷକଙ୍କ ଜାଗାରେ ଥିଲେ ମୋ ବାପା । ମୋ ବାପା ବି ସେହି ସ୍କୁଲର ଜଣେ ଶିକ୍ଷକ । ସେତେ ବେଳକୁ ବାପାଙ୍କ ଦେହ ଯାକ ନାଲି ପଡି ଆଉ ଦେଖିବା ପରିସ୍ଥିତି ବାହାରେ । ସେ ତୁରନ୍ତ ସ୍କୁଲରୁ ଘରକୁ ଚାଲିଆସିଲେ । ବହୁ ଉପଚାର ପରେ ଦେଖ ଭଲ ହୋଇ ଥିଲା । ବାପାଙ୍କ ଏଇ ଘଟଣାକୁ ମୁଁ ନିଜକୁ ଦାୟୀ କରି ଭଗବାନଙ୍କ ପାଖରେ ପାଆ ଭୁଲ ମାଗି କ୍ଷମା ପ୍ରାର୍ଥନା କରି କହିଲି ପ୍ରଭୂ ହେ ଆଉ ଜୀବନରେ ଏଭଳି ଭୁଲ କରିବିନି କି ଆଉ କେଉଁ ଶିକ୍ଷକଙ୍କୁ ହଇରାଣ କରିବିନି । ଆଜି ବି ମନେ ଅଛି ସେ ଘଟଣା । .......