ଆଇସ୍କ୍ରିମ
ଆଇସ୍କ୍ରିମ
ଆଲୋ ବୋଉ ଲୋ .....ଏ ବୋଉ ଲୋ .....ଗୁରୁଜୀ ଆଉ ଭୁଲ୍ କରିବିନି । ଆଉ ତୋଟା କୁ ଯିବିନି । ଏଥର ସବୁ ପାଠ କରିକି ଆଣିବି । ଏ କଥା ଥିଲା ବାଟୁଆର । ପାଠ ନ କରି ତୋଟାରେ ବୁଲୁ ଥିବାର ଗୁରୁଜୀ ଦେଖି ଆଜି ସ୍କୁଲରେ ବେତରେ ବୁଝଉ ଥିଲେ । ସତ କହିବାକୁ ଗଲେ ବଟୁଆ ତୋଟାରେ ଏକା ନଥିଲା । ମୁଁ ବି ଥିଲି । ଗାଁ ପଛ ରାଣୀ ତୋଟା ମଧ୍ୟ ଦେଇ ପଖ ଗାଁ ହରିପୁରକୁ ଯାଇଥାଏ ଗୋଟିଏ ସର୍ପିଳ ପାଦ ଚଲା ରାସ୍ତା । ବାଟୁଆ ଓ ମୁଁ ରାଣୀ ତୋଟାରୁ ନିଇତି ଆମ୍ବ ଚୋରି କରୁ। ଅକସ୍ମାତ୍ ଆମେ ଦେଖିଲୁ ଗୁରୁଜୀ ତାଂକ ଜୌତୁକ ସାଇକେଲରେ ଗାଁ ମୁଣ୍ଡ ଆଡେ ମାଡି ଆସୁଛନ୍ତି । ତାଂକ ଆସିବାର ଦେଖି ଯେ ଯୋଉଠି ଥିଲୁ ସେହି ସ୍ଥାନରେ ଲୁଚିଗଲୁ । ଦୁର୍ଭାଗ୍ୟ ବଶତଃ ବାଟୁଆ ଯେଉଁଠି ଲୁଚିଥିଲା ସେ ଜାଗାରେ ରଂଗା ପିମ୍ପୁଡି ଭରା । ଯେତେବେଳେ ପୁମ୍ପୁଡି ବାଟୁଆ ଗୋଡକୁ କାମୁଡିବା ଆରମ୍ଭ କରନ୍ତି “ ଇଲୋ ବୋଉ ଲୋ କହି ଦୌଡିଲା ବେଳେ ବାଟୁଆ ଉପରେ ଗୁରୁଜୀଂକ ନଜର ପଡିଗଲା । ତାର ପରିଣତି ଆଜି ବାଟୁଆ ଭୋଗୁଛି । ଖାଇବା ଛୁଟି ହେଲା । ସବୁ ପିଲା ଖାଇବାକୁ ଗଲେ । ହେଲେ ବାଟୁଆ ସ୍କୁଲ ବାରଣ୍ଡାରେ ବସି ଆଇସ୍କ୍ରିମ ବାଲାକୁ ଏକ ଲୟରେ ଦେଖୁଥାଏ । ମୁଁ ପଚାରିଲି “ବାଟୁଆ ଖାଇବାକୁ ଯିବୁନି କି !” ନା ତୁ ଯା କହି ଆଇସ୍କ୍ରିମ ବାଲାକୁ ଦେଖି ବସି ରହିଲା । ମୁଁ ଜାଣି ପାରିଲି ବାଟୁଆ ଆଇସ୍କ୍ରିମ ଖାଇବାକୁ ଇଛା କରୁଛି ।ହେଲେ ଆଇସ୍କ୍ରିମ ପାଇଁ ପଇସା ବି ନାହିଁ ଭାବି ମନ ମାରି ରହିଲି । ଏମିତି କିଛି ଦିନ ଚାଲିଗଲା କିନ୍ତୁ ମନରେ ଅଛି ବାଟୁଆକୁ ଯେମିତି ହଉ ଆଇସ୍କ୍ରିମ ଖୁଆଇବି । ଅଫିସ ଛୁଟିରେ ସହରରୁ ମୋ ବାପା ଘରକୁ ଆସିଥିଲେ । ସାଇକେଲ ଆଗରେ ମୋତେ ବସେଇ ଗାଁଆ ବଜାରକୁ ବୁଲେଇ ନେଇଥିଲେ। ଆଇସ୍କ୍ରିମ ବି ଖାଇବାକୁ ଦେଲେ । ମୁଁ ଆଇସ୍କ୍ରିମ ଖାଇ ଖାଇ ବାପାଂକୁ ଦେଖିଲି , ବାପା ଜାଣିପାରି ପଚାରିଲେ “ ଆଉ କ’ଣ ଖାଇବୁ ? “ ନାଇଁ ବାପା କହୁଥିଲି କଣ କି ମୋ ସାଂଗ ବାଟୁଆ ,ସେ ତଳ ସହି ମାଗୁଣି କକା ପୁଅ ବା’, ତାର ଆଇସ୍କ୍ରିମ ଖାଇବାକୁ ଭରି ଇଛା , ହେଲେ ତାଂକର ତ ପଇସା ନାହିଁ ତୁମେ ଜାଣିଛ । ସେଥି ପାଇଁ ଯଦି ମୋତେ ୨ ପଇସା ଦିଅନ୍ତ ତାହେଲେ କାଲି ସ୍କୁଲରେ ତାକୁ ଆଇସ୍କ୍ରିମ ଖାଇବାକୁ ଦିଅନ୍ତି। ବାପା ବି ମୋ କଥା ଶୁଣି ମୋତେ ଗେଲ କରିଦେଇ ୪ ପଇସା ଦେଲେ ଆଉ କହିଲେ ଦୁଇ ସାଂଗ ଏକାଠି ଖାଇବ । ପଇସା ପାଇଲା ପରେ ମନ କହୁଥିଲା କେତେ ଶୀଘ୍ର କାଲି ସ୍କୁଲକୁ ଯାଇ ବାଟୁଆର ଇଛା ପୁରଣ କରିଦେବି । ସକାଳ ହେଲା ।ସ୍କୁଲ ଗଲି। ଦେଖିଲି ବାଟୁଆ ମନ ଦୁଃଖରେ ବସିଛି, “ କିରେ କ’ଣ ପାଇଁ ହାଣ୍ଡି ପରି ମୁହଁ କରି ବସିଛୁ “ । ଏତିକି କହୁ କହୁ ବାଟୁଆ କାନ୍ଦ କାନ୍ଦ ସ୍ୱ
ରରେ କହିଲା “ ସାଂଗ ମୋ ମାଆର ଦେହ ବହୁତ ଖରାପ, ମାଆ ଔଷଧ ପାଇଁ ଘରେ ଯାହା ପଇସା ଥିଲା ଝାଡିଝୁଡି ଦେଲା । ମୁଁ ଔଷଧ ଦୋକାନରେ ଯାଇ ବୁଝେ ତ ଆଉ ୪ ପଇସା ଲୋଡା । ହେଲେ ବାକି ଦେବାକୁ ଦୋକାନୀ ମନା କରି କହିଲା “ ଯା’ରେ ତୋ ମଦୁଆ ବାପାକୁ ଯିଏ ବାକି ଦେବ ତା ପଇସା ବୁଡିବ ।“ ଏବେ କ’ଣ କରିବି କିଛି ଜାଣିପାରୁନି । ହଉ ଏଇ କଥା ତ ଚିନ୍ତା କରେନି , ଏ ନେ ୪ ପଇସା ଆଉ ଯାଇ କି ଔଷଧ ଅଣି ମାଆକୁ ଦେ । ବାଟୁଆ କହିଲା “ହେଲେ ତୋ ପଖରେ ପଇସା କୁଆଡୁ ଅସିଲା “! ମୁଁ କହିଲି “ସାଂଗ ବାପା ଆମ ଦୁହିଂକୁ ଆଇସ୍କ୍ରିମ ଖାଇବ ପାଇଁ ଦେଇଥିଲେ। ଆଜି ଆଇସ୍କ୍ରିମ ନ ଖାଇଲେ କ’ଣ ହେଲା ଆଉ କେବେ ଖାଇବା । ମୋ ମୁହଁ ଦେଖି ତା ଆଖି ଲୁହ ପୋଛିଦେଲା ଆଉ ଟିକିଏ ହସିଦେଇ ବଜାରକୁ ଦୌଡିଲା । ଏ ଭିତରେ କିଛି ଦିନ ଚାଲି ଯାଇଥାଏ । ବାଟୁଆ ମାଆ ବି ସୁସ୍ଥ ହୋଇ ଯାଇଥିଲେ । ବାଟୁଆ ସ୍କୁଲକୁ ଆସିଲା ବେଲେ ତା ମାଆ ତା ହାତରେ ମୁଁ ଦେଇଥିବା ୪ ପଇସା ମୋତେ ଫେରେଇବାକୁ ଦେଲେ ଆଉ କହିଲେ ତୁମ ଆଇସ୍କ୍ରିମ ପଇସା ନେଇ ଆଇସ୍କ୍ରିମ ଖାଇଦେବ । ବାଟୁଆ ବି ଭାରି ଖୁସି । ଆଜି ସେ ଆଇସ୍କ୍ରିମ ଖାଇବ । ହେଲେ ସେଦିନ ମୋର ଦେହରେ ପ୍ରବଳ ଜ୍ଵର । ଖଇ ଫୁଟିଲା ପରି ତାତି । ଜ୍ୱର କାରଣରୁ ସ୍କୁଲ ବି ଯାଇ ପାରିଲିନି । ବାଟୁଆ ମୋ ବାଟକୁ ଦେଖି ଦେଖି ଖାଇବା ଛୁଟି ହେଲା ।ହାତରେ ପଇସା ଓ ବହୁ ଦିନର ଆଇସ୍କ୍ରିମ ଖାଇବାର ଆଶା ମନକୁ ଅଣାୟତ କରିଦେଲା। ହେଲେ ମୋତେ ନ ପାଇ ବାଟୁଆ ଆଇସ୍କ୍ରିମ ବାଲା ପାଖକୁ ଗଲା । ୨ ପଇସା ଦେଇ ଗୋଟିଏ ଆଇସ୍କ୍ରିମ ଆଣିଲା ଆମ ସାହି ରାସ୍ତାକୁ ଦେଖି କହିଲା ସାଂଗ ତୋ ପାଇଁ ୨ ପଇସା ସାଇତି ରଖିଛି। କାଲି ଆସିଲେ ଦେବି । ଏତିକି କହି ବାଟୁଆ ଆଇସ୍କ୍ରିମ ଖାଇ ଚାଲିଲା । ମନରେ ଖୁସିର ସିମା ନଥିଲା ।
ମୋ ନିଦ ଭଂଗିଲା ବେଳକୁ ସକାଳ ହୋଇ ଯାଇଥିଲା । ଦେହ ବି ଭଲ ହୋଇ ଯାଇଥାଏ । ସବୁ କାମ ସାରି ସ୍କୁଲ ଗଲି । ସ୍କୁଲରେ ପ୍ରାର୍ଥନା ହେଲା । ପ୍ରାର୍ଥନା ସରିବା ପରେ ପ୍ରଧାନ ଗୁରୁଜୀ ସବୁ ପିଲାଂକୁ ୧ ମିନିଟ ମୌନ ବ୍ରତ କରିବାକୁ ନିର୍ଦେଶ ଦେଲେ ।ଗତ କାଲି ଆଇସ୍କ୍ରିମ ଖାଇ ଏଭଳି ଦୁର୍ଘଟଣା ହୋଇଛି, ଆଉ ୫ ଜଣ ପିଲାଂକ ନା କହି ତାଂକ ଆତ୍ମାର ସଦ୍ଗତି ହେଉ କହିଲେ । ସେ ନା ଭିତରୁ ୫ମ ନା ବାଟୁଆର ଥିଲା । ମୋର ମନେ ଅଛି ମୁଁ ଏତିକି କହି ଅଚେତ ହୋଇଗଲି “... ଆଇସ୍କ୍ରିମ.. ଆଇସ୍କ୍ରିମ.. ଆଇସ୍କ୍ରିମ.....” ।
ଶ୍ରୀୟାକାନ୍ତ ପଟ୍ଟନାୟକ
sriya009@gmail.com M:9937433739