ପ୍ରକୃତି କନ୍ୟା
ପ୍ରକୃତି କନ୍ୟା
ଝିଅ ଲୋ ,ତୁ ବାହା ହୋଇଯିବା ପରେ ତୋ ମୋ ଭିତରେ ଅନେକ ଦୂରତା ,ମୁଁ ଯାହା କହିଲେ ତୁ ଆଉ ଶୁଣିପାରିବୁନି ,ନେଟ ରେ ହ୍ୱାଟ୍ସ ଆପରେ,ବା ମେସେଜ ବା ଫୋନ ରେ ଯେତେ କଥା ହେଲେ ବି ଅଧୁରା ସେ କଥା ,ସେଥିରେ ଭଲ ମନ୍ଦ ଟିକେ ପଚାରିଦେବା କଥା ,ହେଲେ ମନ କଥା କଣ କହିହୁଏ? ,ଯାହା ମନରେ ଫୁଟି ମନରେ ମରିଯାଏ ,ତୋ ଆଇ ମାନେ ମୋ ବୋଉ କହେ ଝିଅ ଆଗରେ ମନ କଥା ଖୋଲି କହି ହୁଏ ,ବୋହୁ କୁ ଯାହା କହିହୁଏନି ,ହେଲେ ମାଆ,ସେଇ ଆଇ ଆଜି ଅଜାଙ୍କୁ ହରାଇ ପାଗେଳୀ ,ତ ମୁଁ ବି ତାକୁ ଆଉ ମୋ ମନକଥା କହି ପାରୁନି ,କି ସେ ବି ମତେ ଚିହ୍ନୁନି କେବେ କେବେ ,ତ କାହାକୁ ମନ କଥା ଟିକେ କହିବି ବୋଲି ତୁ ଆସୁ ଆଗକୁ ଆଖିରେ ,ହେଲେ ତୁ ତୋ ସଂସାରରେ ,ତୋ ଜଞ୍ଜାଳରେ ତ ଦୁଃଖ ସୁଖ ,ଭଲ ମନ୍ଦ ଟିକେ ପଚାରିଦେବା ଛଡ଼ା ତତେ ଆଉ କ'ଣ କହିବି ?
ଝିଅ ଲୋ ବାପଘରେ ବିତେଇ ଥିବା ବୟସଠୁ ମୁଁ ମୋ ସଂସାରରେ ଅଧିକା ବା ଢେର ଅଧିକା ସମୟ ବିତେଇ ସାରିଲିଣି ମୋ ସଂସାରରେ ,ହେଲେ ଭୁଲିନି ମୋ ଅତୀତ ,ଭୁଲିନି ମୋ ବାପାମାଆଙ୍କୁ ,ଭୁଲିନି ସେଇ ଅତୀତକୁ ,ଯୋଉ ଅତୀତ ଆଜି ସ୍ମୃତି,ଆଜି ଯେତିକି ବି ସଫଳ ମୁଁ , ସେଇ ଅତୀତ ଦିନର ବାପା ମାଆଙ୍କଠୁ ପାଇଥିବା ଶିକ୍ଷା ,ସଂସ୍କୃତି , ସହନଶୀଳତା ,ଉଦାରତା ମାନବିକତା ତଥା ବୁଦ୍ଧିମତ୍ତା ଯୋଗୁଁ l
ତୁ ତ ଏଇ କିଛି ଦିନ ହେଲା ତୋ ସଂସାରକୁ ଯାଇଛୁ ,ସେଠିକାର ପରିବେଶରେ ନିଜକୁ ହଜାଇ ଦେ ମାଆ ,ଯେତେ ବି କଷ୍ଟ ହେଉ ,କହନା ଆମର ଏମିତି ହୁଏ ,ଆମର ସେମିତି ହୁଏନି ,ହୁଏତ କେତେଟା କଥା ଏଠାର ଭଲ ,କେତେଟା କଥା ବି ସେଠାରେ ଭଲ ଥିବ ନିଶ୍ଚୟ ,ଫେଣ୍ଟିଦେ ମାଆ ,ତା ଭିତରେ ସୁଖ ସାଉଁଟି ନେ ,ଦୁଃଖ ଚାପିନେ ମାଆ ,ଯୋଉ ଦୁଃଖ କ୍ଷଣିକ ,ଦିନେ ଦେଖିବୁ ମାଆ କେହି ନଥିବେ ,ସ୍ମୃତି ଛଡ଼ା ,ତ ଆସନ୍ତା ଦିନରେ ସ୍ମୃତି ପଖାଳକୁ ଏଵେ ଆଉ କାହିଁକି ତାର ଜୀବନ୍ତ ଅବସ୍ଥା ଭିତରେ ଥାଇ କି,ସେ ଖୁସି ସାଉଁଟି ନନେଇ ମନଦୁଃଖ କରିବା ?
ନିଜ ସ୍ୱାମୀ ,ଓ ସ୍ବାମୀଙ୍କ ପରିବାର ଭିତରେ ସମନ୍ୱୟ ରଖି ଚାଲେ ମାଆ ,ଯାହା ମତେ ଆଉ ତୋ ବାପାଙ୍କୁ ଖୁସି ଆଣିଦେଉଛି ,ଓ ଆଣିଦେଉଥିବ ,ଥିଲା ପର୍ଯ୍ୟନ୍ତ .ବହୁ ସମୟରେ ଛୋଟ ମୋଟ କଥା ସବୁ ମନେପଡେ ,ତୋ ଅନୁପସ୍ଥିତି ପାଇଁ ଅଧୁରା ଲାଗେ ,ଯୋଉ ଘର ପାଇଁ ,ଯେଉଁ ନିଜଲୋକମାନଙ୍କ ପାଇଁ ତୁ କେତେ ଭାବୁଥିଲୁ ,ସେମାନେ ଆଉ ତୋର ନୁହନ୍ତି ବରଂ ତୋ ପାଖରେ ଥିବା ତୋ ସ୍ୱାମୀ ,ଆଉ ଶାଶୁ ,ଶଶୁର ଓ ଅନ୍ୟ ପରିବାରର ଲୋକ ହିଁ ତୋର ମାଆ ,ଝିଅ ମାନଙ୍କୁ ସେକଥା ନିହାତି ବୁଝିଯିବା ଦରକାର ,ମୁଁ ବି ଭାବି ନେଇଛି ଏ ଘର ଏଣିକି କେବଳ ତୋ ଭାଉଜର, ସ୍ନେହ ଶ୍ରଦ୍ଧା ବିଶ୍ୱାସ ଭଲପାଇବା ,କର୍ତ୍ତବ୍ୟବୋଧତା ରୂପକ ଇଟା, ବାଲି, ସିମେଣ୍ଟରେ ଗଢ଼ା ଯାଇପାରିବ ଘର ମଜଭୁତ ହେବାକୁ l
ଆଉ ଗୋଟେ କଥା ମାଆ ,ଭୁଲ ହେଇଯାଏ ,ଜଣା ଅଜଣା ରେ ,କେବେ ଅନ୍ୟକୁ କଷ୍ଟ ଦେଇ କେବେ ନିଜେ କଷ୍ଟ ପାଇ ,ତ ସଚେତନ ହେବା ପାଇଁ ସୁନ୍ଦର ହୃଦୟ ଟିଏ ଲୋଡ଼ା ,ମୋ ଝିଅ ମୋଠୁ ଯେତେ ଦୂରରେ ରହିଲେବି ,ଏକଥା ବୁଝିଯାଇଛି ହୁଏତ ,ମୁଁ ଖାଲି ଭାବୁଛି,ଝିଅଟିଏ ଯେତିକି ଦିନ ବାପଘରେ ରହେ ତାକୁ ଅଲିଅଳି କରି ରଖିବା କଥା ,ଯାହା ସମେସ୍ତେ ଚାଁହାନ୍ତି ,ହେଲେ ମୃଦୁ ଶାସନ ବି ସାମାଜିକତା ଶିଖାଏ ନା ମାଆ, ନହେଲେ ଭଲ ଝିଅ ଓ ବୋହୁ ହେବାକୁ ଯୋଗ୍ୟତା କୋଉଠୁ ଆସିବ ,ତତେ କେତେ ଗାଳି ଦେଇଛି ,ଆକଟ କରିଛି ,ତୋର ସବୁ ଆଶା ଆକାଂକ୍ଷା ପୂରଣ କରିପାରିନି ସତ ହେଲେ ତୁ ଜଗତଜିତା ହେବାକୁ ପ୍ରୟାସ କରିଛି ,ଠାକୁରଙ୍କୁ ଡାକୁଛି ମୋ ଝିଅ ଜଗତଜିତା ହେଉ ଆଉ ତା ଝିଅକୁ କରୁ ଅପରାଜିତା, ସଂସ୍କୃତି ସମ୍ପର୍ଣ୍ଣତାରେ ମହକି ଉଠୁଥା ଆଶୀର୍ବାଦ ଦେଇ ରହୁଛି.ଆଶା ଚିଠିଟି ପଢ଼ିବୁ ନିଶ୍ଚୟ.ରହୁଛି, ତୋ ବୋଉ ।
