Gangadhar Nanda

Tragedy Fantasy Thriller horror crime

3  

Gangadhar Nanda

Tragedy Fantasy Thriller horror crime

ପ୍ରେତର ପ୍ରତିଶୋଧ ଭାଗ ୨

ପ୍ରେତର ପ୍ରତିଶୋଧ ଭାଗ ୨

4 mins
38


    ଏ କାହାଣୀଟିରେ ପୋଲିସ ତଦନ୍ତର ସଂପୂର୍ଣ୍ଣ ବିବରଣୀ ପ୍ରଦାନର ବିଶେଷ ପ୍ରାସଙ୍ଗିକତା ନଥିବାରୁ ,ସେସବୁକୁ ଯଥାସମ୍ଭବ ବାଦ ଦେଇ ଆମେ ମୂଳ କାହାଣୀକୁ ଫେରିବା ।ପୂର୍ବକଥିତ ମର୍ଡର କେସଟି ଏକ ସୁଚିନ୍ତିତ ହତ୍ୟା ହୋଇଥିଲେ ମଧ୍ଯ ତାହାକୁ ପ୍ରମାଣ କରିବା କଷ୍ଟକର ଥିଲା । ଯୁବକଟିର ପିତା ସେ ସମୟରେ ଗ୍ରାମରେ ଉପସ୍ଥିତ ନଥିଲେ ।ଘଟଣାଟି ଘଟିବାର ଦୁଇ ଦିନ ପୂର୍ବରୁ ସେ ନିଜ ଗ୍ରାମକୁ ଯାଇ ଏପର୍ଯ୍ୟନ୍ତ ଫେରି ନଥିଲେ । ଅବଶ୍ୟ ତାଙ୍କ ପାଖକୁ ଖବର ପଠାଯାଇଥିଲା । ସେ ଫେରିବାମାତ୍ରେ ମୋତେ ଦେଖା ହେବାକୁ ଗ୍ରାମରକ୍ଷୀକୁ କହିଥିଲି ।

          ଏହାମଧ୍ୟରେ ଆଉ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଥିଲା । ଯୁବକଟି ଅବିବାହିତ ଓ ଉଚ୍ଚଶିକ୍ଷିତ ଥିବା ସହିତ ସହରରେ କୌଣସି ଏକ ପ୍ରାଇଭେଟ କଂପାନୀରେ ଚାକିରୀ କରୁଥିଲା । ଏଥିସହିତ ଗ୍ରାମର ସରପଞ୍ଚଙ୍କ ଝିଅ ସହ ଆଫେଆର ଚାଲିଥିଲା । ଉକ୍ତ ପ୍ରେମ ସଂପର୍କକୁ କେନ୍ଦ୍ର କରି ଗ୍ରାମରେ ପୂର୍ବରୁ ଦୁଇଥର ପଞ୍ଚାୟତ ମଧ୍ୟ ବସି ସାରିଥିଲା । ସରପଞ୍ଚ ଓ ତାଙ୍କର ପରିବାର ଏସବୁର କଡ଼ା ବିରୋଧ କରୁଥିଲେ । 

           ପରଦିନ ଅପରାହ୍ନରେ ନିଜ କ୍ଵାଟର ସଂଲଗ୍ନ ବାରଣ୍ଡାରେ ବସି ଚା ପିଉଛି, ଗ୍ରାମରକ୍ଷୀ ଉକ୍ତ ଯୁବକଟିର ପିତା ଅର୍ଥାତ ପଣ୍ଡିତଙ୍କୁ ସଙ୍ଗରେ ଆଣି ମୋ ପାଖକୁ ଆସିଲା । ବୟସ ପଚାଶରୁ ପଞ୍ଚାବନ ଭିତରେ ହେବ ।ଶରୀର ଦୀର୍ଘକାୟ ଓ ଗୌରବର୍ଣ୍ଣ । ପ୍ରଶସ୍ତ କପାଳରେ ଚନ୍ଦନର ତିନିରେଖା ମଧ୍ୟରେ ଭୟ ଉଦ୍ରେକକାରୀ ରକ୍ତ ସିନ୍ଦୁରର ଏକ ଟୋପା । ଧୋତି ଓ ପଞ୍ଜାବୀ ପରିହିତ ଉକ୍ତ ବୃଦ୍ଧଙ୍କୁ ଦେଖିଲେ ମନରେ ଶ୍ରଦ୍ଧା ଓ ଭକ୍ତି ଭାବ ସୃଷ୍ଟି ହେଉଥିଲା । ଆଉ ଗୋଟିଏ ଚଉକିର ବ୍ୟବସ୍ଥା କରି ଭଦ୍ର ଲୋକଙ୍କୁ ବସିବାକୁ କହିଲି ।

          ପୁତ୍ର ବିୟୋଗର ଗଭୀର ପ୍ରଭାବ ପଡ଼ିଥିଲା ଭଳି ମନେ ହେଉଥିଲା । ତଥାପି ଭଦ୍ରବ୍ୟକ୍ତି ସଂଯତ ରହି ମୋ ପ୍ରଶ୍ରର ଉତ୍ତର ଦେଉଥିଲେ । ଦୁଇଟି ନୂତନ ତଥ୍ୟ ବ୍ୟତିତ ଆଉ ସବୁ ପୁରୁଣା କଥାର ପୁନରାବୃତ୍ତି ଥିଲା । ତଥ୍ୟ ଦୁଇଟି ହେଉଛି ,

୧-ସରପଞ୍ଚ ଓ ତାଙ୍କ ପରିବାର ତରଫରୁ ବାରମ୍ଵାର ହତ୍ୟା ଧମକ ମିଳିବା ,

୨-ପୁଅର ଆତ୍ମହତ୍ୟା କଲାଭଳି ମାନସିକତା ନ ଥିବା ।

ଅନ୍ୟ ଅର୍ଥରେ ଯୁବକ ଜଣକ ମାନସିକ ସ୍ତରରେ ବେଶ ଦୃଢ ଥିଲେ । ପଣ୍ଡିତେ ଅତ୍ୟନ୍ତ ଚିନ୍ତିତ ଥିଲେ ତଥା ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବାକୁ ଓ ଦଣ୍ଡର ବ୍ୟବସ୍ଥା କରିବାକୁ ମୋତେ ବାରମ୍ଵାର ଅନୁରୋଧ କରୁଥିଲେ । ତାଙ୍କୁ ଯଥା ସମ୍ଭବ ଆଶ୍ୱାସନା ଦେଇ ବିଦାୟ ଦେଲି ।

         ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ଵିକ ପ୍ରମାଣକୁ ନେଇ ମର୍ଡର କେସ ୠଜୁ ହେଲା ଓ ତଦନ୍ତ ଚାଲୁ ରହିଲା । ସରପଞ୍ଚ ଓ ତାଙ୍କର ଦୁଇପୁଅ ତଥା ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ନାମରେ ସେକସନ ଲଗାଯାଇ ଚାର୍ଯସିଟ ପ୍ରୋସିଡ ହେଲା । ମୋଟିଭ କ୍କିୟର ଥିଲେ ମଧ୍ୟ ଆହୁରି ପ୍ରମାଣର ଆବଶ୍ୟକତା ଥିଲା ।ଅପରାଧିମାନଙ୍କୁ ପୋଲିସ କଷ୍ଟୋଡିକୁ ଆଣିବା ପରେ ମଧ୍ୟ ରାଜନୈତିକ ପ୍ରେସର ହେତୁ ବିଶେଷ କିଛି ଲାଭ ହେଲା ନାହିଁ ।

         ଏହା ମଧ୍ଯରେ ମୁଁ ଗୋଟିଏ ଛୋଟିଆ ଗୁଜବ ଶୁଣିବାକୁ ପାଇଲି । ସେହି ଗ୍ରାମର ଗୋଟିଏ ଝିଅ ଦେହରେ ପଣ୍ଡିତଙ୍କର ପୁଅର ଭୂତ ସବାର ହୋଇଛି ଓ ତା ନିଜ ମୃତ୍ୟୁ ବିଷୟରେ ବହୁତ କଥା ଗପୁଛି I ଏ ସବୁଥିରେ ମୋର ବିଶ୍ଵାସ ନଥିଲେ ମଧ୍ୟ ଘଟଣାଟି ଉପରେ ନଜର ରଖିବାକୁ ଗ୍ରାମରକ୍ଷୀକୁ ନିର୍ଦ୍ଦେଶ ଦେଲି । ଏହାପରର ଘଟଣାଟି ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ପଣ୍ଡିତଙ୍କର ତନ୍ତ୍ରବିଦ୍ୟାରେ ଭଲ ଦଖଲ ଥିଲା ଓ ଆଖପାଖ ଅଞ୍ଚଳରେ ଜଣେ ଗୁଣିଆ ଭାବରେ ତାଙ୍କର ପରିଚୟ ମଧ୍ୟ ଥିଲା ।ଅତଏବ ପଣ୍ଡିତେ ଭୂତ ଛଡେଇବା ପାଇଁ ସେଠାକୁ ଗଲେ । ଗ୍ରାମରକ୍ଷୀର କହିବା ଅନୁଯାୟୀ ପ୍ରେତାକ୍ରାନ୍ତ ଝିଅଟି ପଣ୍ଡିତଙ୍କୁ ଦେଖିବା ମାତ୍ରେ ନନା ନନା ଡାକି ଗୋଡତଳେ ପଡ଼ିଯାଇ କାନ୍ଦିଲା । (ବ୍ରାହ୍ମଣ ଘରେ ବାପାଙ୍କୁ ନନା ଡାକନ୍ତି) ଏଥି ସହିତ ମର୍ଡରରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ମାନଙ୍କର ନାମ ମଧ୍ୟ କହିଲା । ଏଥର କିନ୍ତୁ ପଣ୍ଡିତେ ପ୍ରେତ ଛଡାଇବା ପାଇଁ କୌଣସି ଅନୁଷ୍ଠାନ ନ କରି ସେଠାରୁ ଫେରି ଆସିଲେ ।

        ଏହାପରଠାରୁ ଘଟଣା ଏକ ଭିନ୍ନ ମୋଡ ନେବାର ଜଣାଗଲା । ଏହାମଧ୍ୟରେ ସମସ୍ତ ଅପରାଧିମାନେ ଜାମିନରେ ଗାଁକୁ ଆସିଯାଇଥିଲେ । ପରଦିନ ସକାଳୁ ପଣ୍ଡିତ ଗଣନାଥ ଶର୍ମା ମୋତେ ସାକ୍ଷାତ କରିବାଲାଗି ଥାନାରେ ପହଞ୍ଚିଗଲେ । ଯଦିଓ ଅଫିସିଆଲି ତାଙ୍କ ପାଖରେ ମୋର କିଛି କାମ ନଥିଲା , ସୌଜନ୍ୟ ଦୃଷ୍ଟିରୁ ତାଙ୍କୁ ସାକ୍ଷାତ କରିବାଲାଗି ସ୍ଥିର କଲି । କିଛି ରୁଟିନ କାମ ସାରି ଦେଇ ତାଙ୍କୁ ଡକାଇଲି । ସେ ମୋ ଟେବୁଲ ସମ୍ମୁଖସ୍ଥ ଚଉକିରେ ଆସି ନିରଵରେ ବସିଲେ । ଦୁଇ ତିନି ଦିନ ହେଲା ଭଲରେ ଖାଇନଥିବା ଓ ଶୋଇନଥିବା ଭଳି ଲାଗୁଥିଲେ । ତାଙ୍କୁ ଦେଖି ଦୁଃଖ ବି ଲାଗୁଥିଲା । ସାଙ୍ଗରେ ଡାକି ନେଇ କ୍ଵାଟରକୁ ଗଲି । ଉଦ୍ଦେଶ୍ୟ ଥିଲା ବୁଢାକୁ ଖାଇବାକୁ ଦେବା । ସାମାନ୍ୟ ଜଳଖିଆ ଖାଇସାରି ଟିକିଏ ସାଷ୍ଟାଙ୍ଗ ହୋଇ ମୋତେ ଦେଖା କରିବାର ଉଦ୍ଦେଶ୍ୟ କହିଲେ । ତାଙ୍କର କହିବା କଥା ଥିଲା ସରପଞ୍ଚ ଓ ତାଙ୍କ ପୁଅ ଜାମିନରେ ଆସି ଧମକ ଦେଉଛନ୍ତି । ମୁଁ ସେକଥା ବୁଝିବି ବୋଲି ତାଙ୍କୁ ଆଶ୍ୱାସନା ଦେଲି । ସେ କିନ୍ତୁ ମୋ ଆଶ୍ଵାସନାରେ ସନ୍ତୁଷ୍ଟ ହେଲା ଭଳି ମନେ ହେଲାନାହିଁ ।

          ପଣ୍ଡିତେ ନିରବ ହୋଇ ମଝିରେ ମଝିରେ ଶୂନ୍ୟକୁ ଚାହିଁ ଦୀର୍ଘନିଶ୍ଵାସ ମାରୁଥିଲେ । ଏମିତି କିଛି ସମୟ ବିତିଗଲା । ପରିସ୍ଥିତିକୁ ହାଲକା କରିବାଲାଗି ଭିତରକୁ ଯାଇ ଦୁଇକପ ଚା ଆଣି ତାଙ୍କୁ ଗୋଟିଏ କପ ବଢାଇ ଦେଇ ନିଜେ ପିଇଲି ।

' ଆପଣ ଭୂତ ପ୍ରେତଙ୍କୁ ବିଶ୍ଵାସ କରନ୍ତି '? ପଣ୍ଡିତେ ଅନ୍ୟମନସ୍କ ଭାବେ ମୋତେ ପଚାରୁଥିଲେ ।

' ନାଁ ; ମୁଁ ବିଶ୍ଵାସ କରେନି । ମୁଁ ଉତ୍ତର ଦେଲି ।

'ନିଜ ଆଖିରେ ଦେଖିବା ପରେ ମଧ୍ଯ ବିଶ୍ଵାସ କରିବେନି '?

'ହଁ କରିବି । କିନ୍ତୁ ଏଭଳି କଥା କାହିଁକି ପଚାରୁଛନ୍ତି '?

' କାଲି ମୁଁ ମୋ ପୁଅକୁ ଦେଖିଲି । ସେ ଝିଅଟି ଭିତରେ ରହି ମୋ ପୁଅ ହିଁ ମୋ ସାଙ୍ଗେ କଥା ହେଉଥିଲା 'l ପଣ୍ଡିତଙ୍କର ସ୍ଵର ଭାରି ଶୁଭୁଥିଲା ।' କେବଳ ସେତିକି ନୁହେଁ , ସେ ମୋତେ ଏପରି କିଛି କହିଲା , ଯାହା ତା ମୋ ବ୍ୟତୀତ ତୃତୀୟ ଲୋକ କେହି ଜାଣି ନଥିଲେ 'I 

       ଏ ସବୁ କଥାର ଗୁରୁତ୍ କେସ ପାଇଁ କିଛି ନଥିଲେ ମଧ୍ଯ କେଜାଣି କାହିଁକି ମୁଁ କିନ୍ତୁ ଭିନ୍ନ ଏକ କୌତୁହଳ ନେଇ ପଣ୍ଡିତଙ୍କ କଥା ଶୁଣୁଥିଲି ।


*** କ୍ରମଶଃ ***       


Rate this content
Log in

Similar oriya story from Tragedy