Siddhartha Tripathy

Tragedy

3  

Siddhartha Tripathy

Tragedy

ପୋଡା ଚାଉଳ

ପୋଡା ଚାଉଳ

4 mins
171



    ଷ୍ଟିଲ ସିଟି ରୁପେ ଖ୍ୟାତ ରାଉରକେଲାର ସୁନ୍ଦର, ଅତ୍ୟାଧୁନିକ ପାର୍କରେ ବସିଛନ୍ତି ଷ୍ଟିଲସିଟି କୁମାରୀ ସୁଲେଖିକା ପ୍ରଜ୍ଞା ସହ ଶିଲ୍କସିଟି (ବ୍ରହ୍ମପୁର) କୁମାର ନରେଶ । ପ୍ରଜ୍ଞାର ଅଭିଯୋଗ ତମେ ଅନ୍ୟମାନଙ୍କ କାହାଣୀ ପଢୁଛ ଅଥଚ ତମ ପ୍ରାଣପ୍ରିୟା ପ୍ରେମିକାର କାହାଣୀ ପଢୁନାହଁ । ହସିହସି ନରେଶ କହିଲା ନା ନା ସେମିତି ନୁହଁ, ମୋର ସମୟ ଅଭାବରୁ କମ୍ ପଢିବାର ସୁଯୋଗ ପାଏ । ଏଇ ତ ଗତକାଲି ଗୋଟିଏ ଗଳ୍ପ ପଢୁଥିଲି, ତାକୁ କିଛି ପାଠକ, ପାଠିକା ସୁନ୍ଦର କବିତା ଲେଖି ମତାମତ ଦେଇଛନ୍ତି, ନ ପଢି ମତାମତ ଦେବାର ମାନେ କଣ ଥାଏ ? ତାହା ତ ଲେଖକ/ଲେଖିକାର ଅପମାନ । ମୁଁ ତ ସେମିତି କରେନାହିଁ ନା । 


  ତା ଛଡା ଆଜିକାଲି ଓଡିଆ ଗଳ୍ପର ଚାହିଦା କାହିଁ ? ତମେ ଜାଣିଛ ଆଜିକାଲି ପୁଅଝିଅଙ୍କ ନାମକରଣ ପାଇଁ ନାଆଁ ନପାଇ ଲୋକ ହଜାରେ ଶବ୍ଦର ପୁସ୍ତକ କ୍ରୟ କରି ଛୁଆଙ୍କ ନାମକରଣ ଆରମ୍ଭ କଲେଣି । ଠିକ୍ ସେମିତି ଓଡିଆ ଗଳ୍ପର ନାମକରଣ ଦ୍ୱନ୍ଦ୍ୱରେ ଲେଖକମାନେ ଇଂରାଜୀ ନାମକରଣକୁ ଆପଣେଇ ନେଲେଣି । ପଢିବି କଣ, ମୁଁ ଭାବୁଛି ମୁଁ ବି ଲେଖିବା ଆରମ୍ଭ କରିଦେବି । 

ବୁଝୋଉଥିଲା ପ୍ରଜ୍ଞା, ଆରେ କୋଉଠି ଲେଖା ଅଛି ଓଡିଆ ଗଳ୍ପରେ ଇଂରାଜୀ ନାମକରଣ ହୋଇପାରିବ ନାହିଁ । ଯୁକ୍ତି କରି ପାର୍କର ସୁନ୍ଦର ବାତାବରଣକୁ ଗମ୍ଭୀରତାର ରୂପ ଦେବାକୁ ଚାହୁଁନଥିଲା ନରେଶ । ହଉ, ହେଲା ସାହିତ୍ୟିକା ମହୋଦୟା ତମେ ହିଁ ଠିକ୍ କହିଲା ନରେଶ, କାରଣ ନରେଶ ଜାଣେ ପ୍ରଜ୍ଞା ବଦ୍ ରାଗି ।



  କଥା ବଦଳାଇ ନରେଶ ଆରମ୍ଭ କଲା, ଆଚ୍ଛା ପ୍ରଜ୍ଞା, ତମେ ହେଲ କୋଟିପତି କନ୍ୟା, ଆଉ ମୋର ସମ୍ପତ୍ତି ଚାଳଛପର ଘର ଯେଉଁଠି ସୂର୍ଯ୍ୟଙ୍କ ପ୍ରଖର କିରଣ, ଚନ୍ଦ୍ରଙ୍କ ଶୀତଳ ଜ୍ୟୋତ୍ସ୍ନା, ମୂଷଳଧାରାର ବର୍ଷାର ଅବାଧ ପ୍ରବେଶ । ଏମିତିରେ ଆମ ପ୍ରେମ ସ୍ୱୀକୃତିପ୍ରାପ୍ତ ହେବ ତ? 


  ହସିଉଠି ପ୍ରଜ୍ଞା କହିଲା, ହେ ମୋର ପାଗଳ ପ୍ରେମିକ, ଏଇ ଗୋଟିଏ କଥା ମନେରଖ ଇତିହାସ ପୃଷ୍ଠା, ବିଖ୍ୟାତ ଲେଖକଙ୍କ ଲେଖନୀରୁ ନିଃସୃତ ପ୍ରେମ ଗଳ୍ପ ଓ ପ୍ରକୃତ ଧରାପୃଷ୍ଠର ଜୀବନ୍ତ ପ୍ରେମ କାଳ୍ପନିକ ନୁହଁ ସତ୍ୟ ଅଟେ । ମୋର କହିବାର ତାତ୍ପର୍ଯ୍ୟ ପୁସ୍ତକରେ ଲେଖାଅଛି ପ୍ରେମ କେଉଁଠି, କେତେବେଳେ, କେମିତି ହୋଇଯାଏ ଜାଣି ହୁଏନାହିଁ । ପ୍ରେମ ଧର୍ମ, ବର୍ଣ୍ଣ, ଜାତି, ଧନସମ୍ପଦ ଦେଖେ ନାହିଁ । ଏସବୁ ଅନୁଶୀଳନ କରନ୍ତି ଆମ ସମାଜର କିଛି ବଡପଣ୍ଡା । ଜୀବନଚକ୍ର ଓ ପୁସ୍ତକବର୍ଣ୍ଣିତ ପ୍ରେମ ସମାନ ଓ ସତ୍ୟ । ତେଣୁ ଆମ ପ୍ରେମରେ କିଛି ଭୁଲ ନାହିଁ । 

   ପ୍ରେମର ସଫଳତା, ଅସଫଳ, ମିଳନ ବିଚ୍ଛେଦ ନିର୍ଭର କରେ ପ୍ରେମିକ, ପ୍ରେମିକାର ପ୍ରେମର ଗଭୀରତା, ଦୃଢ ସଙ୍କଳ୍ପ ଉପରେ । ତେଣୁ ଆମକୁ କୌଣସି ଶକ୍ତି ବି ଅଲଗା କରିପାରିବ ନାହିଁ କାରଣ ଆମ ପ୍ରେମ ଅନାବିଳ, ଅନାସକ୍ତ, ସ୍ୱାର୍ଥରହିତ । ହଉ ଠିକ୍ ଅଛି ଦେଖାଯାଉ କଣ ହେଉଛି କହିଲା ନରେଶ ।


କିଛି ଦିନପରେ............

ଖୁସିରେ ହସିହସି ପହଞ୍ଚି କହିଲା ପ୍ରଜ୍ଞା, ଜାଣିଛ ନରେଶ, ଆଜି ପାପା, ମାମାଙ୍କୁ ଆମ ଭଲପାଇବା କଥା କହିଲି । ତମର ଯୋଗ୍ୟତା କଥା ଶୁଣି ପାପା, ମାମା ତମକୁ ଘରକୁ ଡାକିଛନ୍ତି କଥାବାର୍ତ୍ତା କରିବା ପାଇଁ, ଚାଲ ଯିବା । ଭୟ ଓ ସଙ୍କୋଚରେ ହଁ ଭରି ପ୍ରଜ୍ଞା ସହ ବାହାରିଗଲା ନରେଶ । 



  ପ୍ରଜ୍ଞାର ଘର ସାରା ବଲବଲ କରି ଅନେଇ ରହିଥିଲା ନରେଶ । ଗାଡିଘୋଡା, ଚାକରବାକରରେ ଭରପୁର ଅଟ୍ଟାଳିକା । ପ୍ରଜ୍ଞାର ପାପା ମାମା କହିଲେ, ଝିଅ ସବୁ କହିସାରିଛି ତମ ବିଷୟରେ । କେଉଁ ବାପାମାଆ ଚାହେଁନି ଝିଅର ଖୁସି, ଯୋଗ୍ୟ ବରପାତ୍ର । ଆମର ଅରାଜି ହେବାର କିଛି ନାହିଁ । ଖୁସିରେ ଆଖି ଦୁଇଟି ଜଳିଉଠିଲା ନରେଶର । ପୁଣି ଆରମ୍ଭ କଲେ ପ୍ରଜ୍ଞାର ପାପା, ଆମର ସାମାନ୍ୟ କେତୋଟି ସର୍ତ୍ତ ଅଛି । ନରେଶ ଖୁସିରେ କହିଲା ପ୍ରଜ୍ଞା ପାଇଁ ସବୁ ସର୍ତ୍ତ ମାନିନେବାକୁ ମୁଁ ପ୍ରସ୍ତୁତ।



   ପ୍ରଜ୍ଞାର ପାପା କହିଲେ ପ୍ରଥମ ସର୍ତ୍ତ : ତମର ଚାକିରୀ ପରେ ଦୁହିଁଙ୍କ ବାହାଘର । ଦ୍ୱିତୀୟ ସର୍ତ୍ତ: ସମସ୍ତ ଖର୍ଚ୍ଚ ଆମେ ବହନ କରିବୁ । ତୃତୀୟ ସର୍ତ୍ତ: ଝିଅ ଅନୁସାରେ ଘର ଚାଲିବ । 

ତମ ବିଧବା ମାଆ ପରଘରେ କାମକରି ତମକୁ ମଣିଷ କରିଛନ୍ତି, ତାଙ୍କର ମତାମତ ନେଇ ଆମକୁ ଜଣାଇବ । ଖୁସିରେ ନରେଶ କହିଲା, ମାଆ ମୂର୍ଖ, ଆପଣ ଗୁଣୀ, ଜ୍ଞାନୀ, ଧନୀଲୋକ ଠିକ୍ ହିଁ କହିଛନ୍ତି, ମାଆକୁ ମୁଁ ରାଜି କରାଇଦେବି । ଖୁସିରେ ହସୁଥିଲେ ସମସ୍ତେ । 


  ନରେଶ ମିଠା ପକେଟଟିଏ ନେଇ ଘରେ ପହଞ୍ଚି ମାଆକୁ ସବୁକଥା କହିଲା । ପଚାରିଲା ମାଆ ତୋର ମତାମତ କଣ ? ମାଆ କହିଲା ପୁଅରେ ତୋ ଖୁସିରେ ମୋ ଖୁସି । ମୁଁ ତ ପାଚିଲା ପତର । ତମ ଖୁସିରେ ମୋର ଖୁସି । ଚାକିରି କଲା ନରେଶ । ସର୍ତ୍ତ ଅନୁସାରେ ବାହାଘର ବି ସରିଗଲା । ଶାଶୁ କହିଲେ ଝିଅଲୋ, ମୋର ଗୋଟିଏ ମାତ୍ର ସର୍ତ୍ତ । ତୋ ଶ୍ୱଶୁରଙ୍କ ଇଚ୍ଛା ଥିଲା, ଘରେ ଚାକରାଣୀ ରହିବ ନାହିଁ, ଘରର ରୋଷେଇ ବୋହୁ କରିବ । ତା ଛଡା ମତେ ଭଲରେ ଦେଖାଯାଉନାହିଁ । ହଁ ଭରିଲା ପ୍ରଜ୍ଞା । କହିଲା, ବୋଉ! ପାପା କହୁଥିଲେ ବଡଘରଟିଏ ଦେବେ, ଆମେ ସେଠାକୁ ଚାଲିଯିବା । ଶାଶୁ ବାରଣ କରି କହିଲେ ତୋ ଶ୍ୱଶୁରଙ୍କ ଭିଟାମାଟି ଛାଡି ଅନ୍ୟ କେଉଁଠିକି ଯାଇହେବନାହିଁ । ଗରଗର ହୋଇ ପାଦକଚାଡି ଚାଲିଗଲା ପ୍ରଜ୍ଞା । 

  ପ୍ରଜ୍ଞା ପ୍ରତିଦିନ ଘରର କାମ ଶାଶୁ ଦ୍ୱାରା କରେଇନେଉଥିଲା । ପୋଡାଭାତ ଓ ପିଆଜ ଦୁଇଟା ରସଥାଳିରେ ପରଶି ଦେଉଥିଲା । ତା ପାଇଁ ଓ ନରେଶ ପାଇଁ ହୋଟେଲରୁ ମଗାଇ ଦେଉଥିଲା । ନରେଶ ପ୍ରଜ୍ଞାର ସେବାରେ ଆଦୌ ଅବହେଳା କରୁନଥିଲା । ସବୁ ଦେଖୁଥିଲେ ଓ ପୋଡାଚାଉଳ ଭାତ, ପିଆଜ ଖାଇ ଚୁପ୍ ରହୁଥିଲେ କାରଣ ପୁଅବୋହୁର ସଂସାର ସୁନ୍ଦର ଥିଲା । ସେ ପରା ମାଆ ! ଭାବୁଥିଲେ ପରଘରେ କାମ କରି ପୁଅ ପାଇଁ କିଛି ବି କରିପାରିନଥିଲି ଯାହାହେଉ ଧନୀଘରର ବୋହୁ ଆସିଲା ପରେ ପୁଅ ତା ଜୀବନର ସ୍ଵାଦ ପାଇଲା । ପୋଡା ଚାଉଳରେ ଖୁସିଥିଲେ ମାଆ । ହୋଟେଲ ବିରିୟାନିରେ ଖୁସିଥିଲେ ପୁଅ ବୋହୁ । ଏଇ ତ ସଂସାର।।


  ସାରମର୍ମ :: ମାଆ ତୁମେ ମମତାର ସୀମାହୀନ ସାଗର, 

ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର!!

କେତେ ଦୂର ଯଥାର୍ଥ କରୁଛନ୍ତି ଏହି ଉକ୍ତିକୁ ଆଜିକାଲିର ନରେଶ ଓ ପ୍ରଜ୍ଞାଗଣ ଅନୁଶୀଳନ କରନ୍ତୁ । 


ପରିଶେଷରେ :: ସବୁ କାହାଣୀର ସୁଖଦ ଅନ୍ତ ହେବ ସେମିତି କିଛି ମାନେ ନାହିଁ । ଆମପରି ନରେଶମାନେ ସଚେତନ ହେଲେ ଲେଖକର ଲେଖନୀ ବି ଲେଖିଦେବ କାହାଣୀର ସୁଖଦ ଅନ୍ତ । ।



రచనకు రేటింగ్ ఇవ్వండి
లాగిన్

Similar oriya story from Tragedy