ଫୁଲକୁମାରୀର ଭାଗ୍ୟ
ଫୁଲକୁମାରୀର ଭାଗ୍ୟ
ବାମନର ହାତ ଆକାଶକୁ ପାଏନାହିଁ ।
ହେଲେ ଗରିବ ସହଦେବ ଘରେ ଯେଉଁଦିନ ଝିଅଟିଏ ଜନ୍ମ ନେଲା ଲୋକ ତାକୁ କହିଲେ - " ତୋ ହାତ ତ ଏବେ ଆକାଶକୁ ପାଇଗଲାରେ, ସହଦେବ । ରଜା ପୁଅ ଆସି ଘୋଡ଼ାରେ ବସେଇ ତୋ ଝିଅକୁ ନେଇଯିବରେ । "
ଜନ୍ମରୁ ଝିଅଟିର ଚେହେରାରେ ବେଶ୍ ଚମକ ଥିଲା । ତେଣୁ ଲୋକଙ୍କର ସେପରି କହିବାରେ ଆଦୌ ଅସ୍ବାଭାବିକତା ନ ଥିଲା । କିଏ ତାକୁ ଫୁଲ ଡାକିଲା ତ କିଏ ଡାକିଲା ତାରା । ତ କିଏ ପୁଣି ଫୁଲକୁମାରୀ ବୋଲି ଡାକିଲା ।
ପଙ୍କରୁ ପଦ୍ମ ଫୁଟେ । ଶାମୁକା ଗର୍ଭରେ ମୋତି ଥାଏ । ରାତିର ଗାଢ ଅନ୍ଧାରରେ ତାରା ଝିଲିମିଲି କରନ୍ତି । ଗରିବ ସହଦେବର କ୍ଷେତ୍ରରେ ଠିକ୍ ତାହା ହିଁ ହୋଇଥିଲା ।
ଧୀରେଧୀରେ ବଡ ହେଲା ଝିଅ । ତା' ଦେହରୁ ଗୋଲାପ ଫୁଲର ମହକ ବାହାରିଲା । କେବେ କେବେ ରଜନୀଗନ୍ଧାର ବାସ୍ନା ବି ଛୁଟିଲା ତା' ଦେହରୁ । ଫୁଲର କୋମଳତା ଆଉ ରଙ୍ଗଠୁ ବଳି ତା' ଚେହେରା ଚମକିଲା । ତା'ର ଗାଢ କଳା କେଶ ସତେ କି କଳା ଭଅଁର । ସେଥିରେ ପୁଣି କସ୍ତୁରୀର ଗନ୍ଧ । ଦାନ୍ତ ଗୁଡ଼ିକ ଡାଳିମ୍ବ ମଞ୍ଜି ପରି ଦିଶୁଥିଲା । ନିଃଶ୍ୱାସରେ କେଶରର ବାସ୍ନା । ଆଖି ଦୁଇଟି ସତେ କି ଚମକୁଥିବା ତାରା । ବିଧାତା କ'ଣ ଭାବି ତାକୁ ଗଢିଥିଲେ କେଜାଣି !
ନାଆଁ ଯେମିତି, ଚେହେରା ବି ସେମିତି । ତା' ମୁହଁକୁ ଚାହିଁ ବାପା ମା' ସବୁ ଦୁଃଖ, ଅଭାବ ଭୁଲି ଯାଉଥିଲେ ।
ଅଭାବ ଲାଗି ରହିଥିଲା । ତଥାପି ଝିଅକୁ ଆଦର ଯତ୍ନରେ ପାଳି - ପୋଷି ବଡ କରୁଥିଲା ସହଦେବ ।
ଝିଅର ଦିନଗୁଡିକ ବିଜୁଳିର ଚମକ ପରି ବିତୁଥିଲା । ଖାସ୍ ତା'ରି ପାଇଁ ସହଦେବର ଗରିବ କୁଡିଆରେ ସ୍ଵର୍ଗ ସୁଖ ଥିଲା କହିଲେ ଚଳେ ।
ସବୁଦିନ ତ ସମାନ ଯାଏନି । ଦିନେ ହଠାତ୍ ସହଦେବର ସ୍ତ୍ରୀର ଦେହ ବିଗିଡିଗଲା । କୌଣସି ଔଷଧ କାମ ଦେଲାନି । କ'ଣ ହେଲା ଯେ ତା'ର, ଶେଯରେ ପଡି ଛଟପଟ ହେଲା ସେ ।
ବ୍ୟସ୍ତ ହେଲା ସହଦେବ । ହେଲେ ସେତେବେଳେ ତା'ର ସ୍ତ୍ରୀ ତାକୁ କହିଲା - " ମୋର ଶେଷ ବେଳ ଆସିଗଲା । ମୋ ଶେଷ କଥା ଶୁଣ ଆଉ ପାଳନ କରିବ ବୋଲି କଥା ଦିଅ । ତା' ହେଲେ ମୁଁ ଶାନ୍ତିରେ ମରିପାରିବି । "
- "କ'ଣ କହିବ କୁହ ତେବେ । ପାଳନ ନ କରିବି କାହିଁକି ? ତୁମକୁ ମୁଁ କେତେ ଭଲପାଏ ।" ସହଦେବ କାନ୍ଦ କାନ୍ଦ ହୋଇ କହିଲା ।
ତା'ର ସ୍ତ୍ରୀ କହିଲା - "ଦେଖ, ତୁମ ବୟସ ଅଧିକ ହୋଇନି । ହେଲେ ତୁମେ ଆଉ ଥରେ ବିବାହ କରିବନି । ଝିଅ ମୋର ଦୁଃଖ ପାଇବ । ଭଲ ବର, ଭଲ ଘର ଦେଖି ତାକୁ ବାହା ଦେବ ।"
ସ୍ତ୍ରୀର ହାତ ଧରି ପକାଇଲା ସହଦେବ । କହିଲା - "ମୁଁ ମରିଗଲେ ବି ଆଉ ଥରେ ବାହା ହେବିନି । ଝିଅକୁ ଭଲ ଘର ,ଭଲ ବର ଦେଖି ବାହା ଦେବି । ତୁମକୁ କଥା ଦେଉଛି ।"
ସହଦେବର ପ୍ରତିଜ୍ଞା ଶୁଣିବା ପରେ ତା'ର ସ୍ତ୍ରୀର ଶେଷନିଃଶ୍ୱାସ ବାହାରିଗଲା । ଏବେ ତା'ର ମଲା ଦେହ ଉପରେ ବାପ,ଝିଅ ଦୁହେଁ ମୁଣ୍ଡକୋଡି କାନ୍ଦିବାକୁ ଲାଗିଲେ ।
ସ୍ତ୍ରୀର କ୍ରିୟାକର୍ମ ସରିଲା । କିଛି ଦିନ ବିତିଗଲା । ଦିନ ବିତିବା ସହିତ ସହଦେବର ମନ ବି ବଦଳିଗଲା । ଏବେ ତା' ଭିତରେ କ'ଣ ଗୋଟେ ଖାଲି ଖାଲି ଲାଗିଲା । ସ୍ତ୍ରୀ ସୁଖର ଆବଶ୍ୟକତା ତାକୁ ଛଟପଟ କଲା । ରାତିରେ ତା' ଆଖିରୁ ନିଦ ହଜିଗଲା । ରାତିସାରା ଖାଲି ଏକଡ ସେକଡ ହୋଇ କଲବଲ ହେଲା ସେ ।
ଏହାପରେ ନିଜର ସ୍ତ୍ରୀ ପାଖରେ କରିଥିବା ପ୍ରତିଜ୍ଞାକୁ ସେ ଆଉ ପରବାୟ କଲାନି । ଦିନେ ସେ ଝିଅକୁ ଲୁଚେଇ ଚିହ୍ନା ପରିଚିତଙ୍କ ସାହାଯ୍ୟରେ ଗୋଟେ ଦରବୁଢ଼ୀ ଝିଅକୁ ବାହା ହୋଇ ଘରକୁ ନେଇ ଆସିଲା ।
ଆଗ ସ୍ତ୍ରୀକୁ ଭୁଲି ସାରିଥିଲା ସେ । ପଛ ସ୍ତ୍ରୀର କାନକୁହା କଥା ଶୁଣି ଶୁଣି ଧୀରେ ଧୀରେ ଫୁଲକୁମାରୀ ପରି ଝିଅକୁ ବି ଏବେ ସେ ଅଣଦେଖା କରିବାକୁ ଲାଗିଲା ।
ହାୟ ! କ'ଣ ହେଲା ଏ ଫୁଲକୁମାରୀର ! କି ପାପ କଲା ସେ !
ସାବତ ମା' ଯାଉଣୁଆସୁଣୁ ଦେଖେଇ ଦେଖେଇ ତାକୁ କେତେ କଥା କହିଲା । ଧୀରେ ଧୀରେ ମରିଗଲା ତା' ମନର ସବୁ ସୁଖ ଓ ଶାନ୍ତି । ଏପରିକି ତା' ନିଜର ଯୌବନ ବି ତା' ପାଇଁ ଶତ୍ରୁ ପାଲଟିଗଲା । ଚିନ୍ତାରେ ଚିନ୍ତାରେ ଅଲୋଡ଼ା, ମଉଳା ଫୁଲ ହେବାକୁ ବସିଲା ସେ ।
ଏଇ ସ୍ତ୍ରୀ ସୁଖଟା ଏମିତି କ'ଣ ଯେ ,ଯାହା ପାଇଁ ନିଜର ପ୍ରତିଜ୍ଞା ଭୁଲି ବଦଳି ଯାଉଥିବା ସମୟ ଓ ପରିସ୍ଥିତି ସହିତ ବୁଝାମଣା କରିନିଏ ଜଣେ ପୁରୁଷ !
ଫୁଲକୁମାରୀର ଭାଗ୍ୟ ! ! !