STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଫଗୁଣର ଚିହ୍ନ

ଫଗୁଣର ଚିହ୍ନ

2 mins
143

ନଈ .... ହଁ ନଈ ।

ଯମୁନା କି ? ନା ନ ହେଉ ଏବେ ତା 'ନାଁ ଯମୁନା ।

ଦ୍ରୁମଟେ .......

ନ ହେଉ ଏବେ କଦମ୍ବ ,ହେଲେ ମହକେ ତା 'ଫୁଲ ।

ବଣ .....ହେଲେ କୁନ୍ଜ ନୁହେଁ ।ସେଇ ଆମ୍ବକଷି, ସେଇ ଦୋଳଓହଳ,ସେଇ ଫଗୁ, ସେଇ ଭାଙ୍ଗପଣା, କଉଡି/ ବାଗୁଡି ଖେଳ ସବୁ ମହମହ ।

ସିଏ ଆସୁଥିଲା ।ପ୍ରତି ଖରାଛୁଟିରେ.... ଆସୁଥିଲା ଆମ ଗାଁକୁ ,ତା' ବୋଉ ସହ ।ତା' ବୋଉ ଆମ ଗାଁ ଝିଅ ।ଏଇଟା ତାର ମାମୁଁ ଘର ଗାଁ । ମୁଁ ତାର କେହି ନୁହେଁ, କିଛି ନୁହେଁ ।ତା' ମାମୁଁ ଘର ଗାଁ ର ଘରପାଖ ଚିହ୍ନା ଜଣା ମାମୁଁ ପୁଅ ଭାଇ କହିପାର...... ସିଏ.ଡାକେ ବି ସ୍ବର ଲମ୍ବେଇ " ସୁରାଇ " ।ଶୁଭେ " ସୁରେଇ " ଯୋଉଥିରେ ପାଣି ଶିତଳ ରହେ .....ଲମ୍ବ ବକବେକିଆ ମାଟି ବାସନ , ସେଇ ? ତା ସ୍ବରର ଶିତଳତା ମୋ ଭିତରକୁ ଓହ୍ଲାଇ ଆସେ ଯେମିତି ।

ସିଏ ମୋ ସହ ଖେଳେନି ।ଘରେ କଣ ଛଡନ୍ତେ ! ଗାଁରେ କଣ ଝୁଅଝୁଆଣି ଭୁଆଷୁଣି ସବୁ ଫଗୁ ଖେଳନ୍ତି ! ହେଃ ନା ।ଗାମୁଛା ଉଡେଇ ଆକାଶର ରଙ୍ଗ ବଦଳାଇ ଦାଣ୍ଡ ଦୁଲୁକେଇ ଚାଲୁ ଆମେ ।ପୁରୁଷ ପିଲା ଯେତେ ।ଆଗରୁ ସିଏ ପିଲାଟିଏ ଥିଲା ।ମୋ ଠୁ ଉଣାଅଧିକେ ହେଇ ହେଇ ଦି ଚାରିବରଷରେ ସାନ ହବ କି କଣ ! ଗାଁ ଦାଣ୍ଡରେ ଡେଉଁଥିଲା ।ଟାକରା ଫୁଟେଇ ତେନ୍ତୁଳି ଚାଟୁଥିଲା । ଚକି (ଗୁଡି) ଲାଖିଗଲେ ଗଛରେ ମଝି ପୋଖରୀରୁ କଇଁ ତୋଳିଆକୁ କି ଶଗଡ ଦୋଳି ଖେଳିବାକୁ ଜିଦ୍ଦି କରେ ଅଡି ବସେ । 

ଆର ସାଲ ଯେବେ ଗରମ ପଡିଲା ଆଉ ସିଏ ଗାଁକୁ ଆସିଲା ତାକୁ ଫଗୁଣର କେତୋଟି ରଙ୍ଗ ଛୁଇଁ ସାରିଥିଲେ ।ସିଏ ଦିଶୁଥିଲା ମହୁମାଛି ପରି ।ବସନ୍ତ ତା' କବରୀ ସଜେଇ ଦେଉଥିଲା ସତେ । ଗୋଲାପି ଓଢଣୀ ତାର ଆଃ ....... ଶବ୍ଦ କାହିଁ !

ଫଗୁ ଖେଳ ବେଳେ ମନ ଭାରି ଭିଡିହେଲା ତା' ଗାଲରେ ଟିପେ ରଙ୍ଗ ଛୁଏଁଇ ଆସିବାକୁ ।ତାଙ୍କ ଦାଣ୍ଡ ବାଟେ ମେଲଣ ପଡିଆକୁ ବିମାନ ପଛେ ପଛେ ଘଣ୍ଟ ପିଟି ଗଲା ବେଳେ ଝରକା ସନ୍ଧିରୁ ତା କଳାଘୁମୁର ଆଖି ମନ ଟାଣି ନେଲା । ରଙ୍ଗ ନ ନାଇ ଗୋରା ଗାଲ ତାର ଫଗୁଆ ଲାଲି ଦିଶୁଥାଏ ଆରକ୍ତା ଲଜ୍ଜାରୁଣା ଲତା କୋଳେ ନବ ପଲ୍ଲବିତ ପତ୍ର ପରି .... ସକାଳର ଉଆଁ କିରଣ ପରି ।ଦାଉ ଦାଉ । 

ଟିକେ ପଛକୁ ପାଦ ଟାଣିହେଲା ।ଠାକୁର ଗହଳି ଆଗକୁ ମୋଡଣୀ ନେଲା ।ରହିଗଲି ।ବାରିପଟେ ତାକୁ ଦେଖି ।ଥାଳିଏ ନାଲି ହଳଦୀ ମିଶା ଫଗୁ ଉଡେଇ ଦେଲି ସେଇପଟକୁ ।ପବନ ତା କାମ କଲା ।

ଆମେ ଦିଶୁଥିବା ଯାଏ ସିଏ ଛାତରେ ସେମିତି ଠିଆ ହେଇଥିଲା ।

*****

ଏଥର .... ଖରାଛୁଟି ଅଧା ହବାକୁ ବସିଲାଣି ।ଦୋଳଗୋବିନ୍ଦ ରାଇକିଶୋରୀ ସଙ୍ଗେ ବୃନ୍ଦାବନେ ରାସ ରଚିଲେଣି ।ରଙ୍ଗମୟ ବର୍ଣ୍ଣବିଭା ମଣ୍ଡିଗଲାଣି ଆକାଶୁ ଯେ ଆକାଶ ଯାଏ ।

ହେଲେ .......

ମାଟିବାଟରେ ସେ ଗାଁର ଶଗଡ ଚକା କାଇଁ ଆସି ଘସିହେଇନି ।

ଖବର ଆସିଛି ତାର ବାହାଚିତା ଶୁଭ କାନ୍ଥରେ ଅଙ୍କା ସରୁଛି ।ଏଇ ଫଗୁଣ ତିଥିରେ ସିଏ କାଳେ ସବାରୀ ରେ ହସି ବସୁଛି ।ଚାହାଚିନିରେ ରଙ୍ଗେଇ କୁଟେଇଛି ହାତରେ ଆଉ କାହା ନାଁ ।ମୁଆଁ ଉଖୁଡା ଖୁଡୁମ ଗଢା ଚାଲିଛି ।

ସାଙ୍ଗପିଲାଏ ଧାଉଡି ଧଉଡି ରଙ୍ଗ ଉଡଉଛନ୍ତି ।ଥରକୁ ଥର ଡାକୁଛନ୍ତି ଆ ,ଆରେ ! ଆ ।ଛାଡ୍ ..... ଭୁଲି ଯା ।

ନଈ .... ହଁ ନଈ ।

ଯମୁନା କି ? ନା ନୁହେଁ ତ ।

ବଣ .....ହେଲେ କୁନ୍ଜ ନୁହେଁ ।

ସେଇ ଆମ୍ବକଷି, ସେଇ ଦୋଳଓହଳ,ସେଇ ଫଗୁ, ଏଇ ଭାଙ୍ଗପଣା, କଉଡି/ ବାଗୁଡି ଖେଳ ସବୁ ଖେଳେଇ ହେଇ ଥାଇ ବି କିଛି ନୁହେଁ ।

ହଁ ହଁ କିଛି ନୁହେଁ ତା' ବିନା ।

ଫଗୁଣ ସରିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action