Sachidananda Kar

Tragedy

3  

Sachidananda Kar

Tragedy

ପେଟ ଚାଖଣ୍ଡର ଗୀତ

ପେଟ ଚାଖଣ୍ଡର ଗୀତ

2 mins
276


     ସବୁଦିନେ ସକାଳେ ସେ ନିଶ୍ଚୟ ମୋ ଦୋକାନକୁ ଆସନ୍ତି। 

     ସେ ଆସିବାର କିଛି ସମୟ ଆଗରୁ ଦୋକାନ ଖୋଲିଥାଏ ମୁଁ।ଭିତରକୁ ପଶୁ ପଶୁ ସେ ଆରମ୍ଭ କରନ୍ତି - " ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ .." 

     କେବଳ ସେତିକି ଶଦ୍ଦ ହିଁ ମୋ କାନ ପାଖରେ ପହଞ୍ଚିଥାଏ।ଆଉ ସବୁ ହଜିଯାଏ କେଉଁଠି ଜାଣିପାରେନା। 

      ଖଣ୍ଡ ଖଣ୍ଡ ଶଦ୍ଦମାନଙ୍କୁ ଯୋଡି ଯାଡି ସେ ନିଜେ ତିଆରି ଥିବା ତାଙ୍କ ଶ୍ଳୋକ ଅସ୍ପଷ୍ଟ ସ୍ୱରରେ ଆବୃତ୍ତି କରୁଥାନ୍ତି ଯାହା ମୋ କାନ ପର୍ଯ୍ୟନ୍ତ ଆଦୌ ପହଞ୍ଚି ପାରୁ ନ ଥାଏ।କେବଳ ଆଖିରେ ଦେଖି ଦେଖି ତାହା ଅନୁମାନ କରୁଥାଏ ମୁଁ। 

      କେବଳ ଶନିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ସେ ପୀତବସ୍ତ୍ର ପିନ୍ଧିଥାନ୍ତି।ମଥାରେ ଚନ୍ଦନ ଲଗାଇଥାନ୍ତି।ବେଶପୋଷାକରୁ ଜଣେ ବିଦ୍ୱାନ ବ୍ରାହ୍ମଣ ପରି ଦିଶୁଥାନ୍ତି।ହାତରେ ଧରିଥାନ୍ତି ଫୁଲ, ତୁଳସୀ,ସିନ୍ଦୂର, ଚନ୍ଦନ ଇତ୍ୟାଦି ସଜା ହୋଇ ରହିଥିବା ଗୋଟେ ପିତ୍ତଳ ପୂଜା ଚାଙ୍ଗୁଡି। 

      ପ୍ରତ୍ୟେକ ଶନିବାର ଦିନ ତାଙ୍କ ବେଶ ଟିକେ ଅଲଗା ପ୍ରକାରର ହୋଇଥାଏ।ପୀତବସ୍ତ୍ର ବଦଳରେ କୃଷ୍ଣବସ୍ତ୍ର ପିନ୍ଧିଥାନ୍ତି ସେ।ମଥାରେ ଚନ୍ଦନ ବଦଳରେ କଳା ଟିକା ଲଗାଇଥାନ୍ତି।ପୂଜା ଚାଙ୍ଗୁଡିରେ କେତେଗୁଡିଏ ଲଙ୍କା, ଲେମ୍ବୁର ମାଳ ରହିଥାଏ। 

      କାହିଁକି କେଜାଣି କହି ପାରିବିନି,କିନ୍ତୁ ସବୁଦିନେ ସକାଳେ ସେ ମୋ ଦୋକାନ ଆଡ଼କୁ ଆସୁଥିବାର ଦେଖିଲେ ମନଟା ବହୁତ ଖୁସି ଓ ପବିତ୍ର ହୋଇଯାଏ। 

      ଦୋକାନ ଭିତରକୁ ନିଜର ଅଧିକାର ଥିବା ଭଳି ପଶିଆସନ୍ତି ସେ।ଯାଇ ଠିଆ ହୋଇଯାନ୍ତି ଠାକୁର, ଠାକୁରାଣୀଙ୍କ ଆସ୍ଥାନ ସମ୍ମୁଖରେ।ସେଠାରୁ ପୂଜା କାମ ସାରି ମୋ ପାଖକୁ ଆସନ୍ତି।ମୋତେ ଆଶୀର୍ବାଦ ଦିଅନ୍ତି।ମୋର ଉନ୍ନତି କାମନା କରି ମୋ ପାଖରେ ଠିଆ ହୋଇଯାନ୍ତି। 

      ତାଙ୍କ ନିରୀହ ଆଖି ଦୁଇଟିରେ ପାଇବାର ଆଶା ଝଟକୁଥାଏ।ମୁଁ ବେଶ୍ ଜାଣିପାରେ।ସଙ୍ଗେ ସଙ୍ଗେ ତାଙ୍କ ହାତକୁ ଖଣ୍ଡେ ଦଶଟଙ୍କିଆ ନୋଟ୍ ବଢାଇଦିଏ।ନିଜ ଇଚ୍ଛାରେ କିଛି ଆଶୀର୍ବାଦ ମାଗିନିଏ। 

      ବାରଟି ଯଦି ଶନିବାର ହୋଇଥାଏ,ତେବେ ମୋ ଦୋକାନରେ ଗୋଟିଏ ଲେମ୍ବୁ , ଲଙ୍କା ମାଳ ଝୁଲାଇ ଦେଇଯିବାକୁ ସେ ଆଦୌ ଭୁଲନ୍ତି ନାହିଁ। 

      ସେଦିନ ସକାଳୁ ସକାଳୁ ମୁଁ ସେଇ ମାତ୍ର ଦୋକାନ ଖୋଲିଥାଏ।ଜଣେ ଅଜଣା ବ୍ୟକ୍ତି ମୋ ଦୋକାନରୁ କିଛି ଜିନିଷ ନେବାପାଇଁ ଆସି ଠିଆ ହୋଇଥାନ୍ତି।ଏତିକିବେଳେ ତାଙ୍କୁ ଚିରାଚରିତ ଭଙ୍ଗୀରେ ମୋ ଦୋକାନ ଆଡ଼କୁ ଆସୁଥିବାର ଦେଖିପାରିଲି। 

      ଚାହିଁରହିଲି ତାଙ୍କ ଆଡେ।ମୋ ପଛେ ପଛେ ଅଜଣା ବ୍ୟକ୍ତି ଜଣକ ମଧ୍ୟ ତାଙ୍କ ଆଡେ ଚାହିଁଲେ। 

      - " କିଛି ଜଣାନାହିଁ।ବେଶ ଧରି ସ୍ୱା...ସ୍ୱା କରି ଖାଲି ଏ ଦୋକାନ ସେ ଦୋକାନ ବୁଲୁଛନ୍ତି।ଇଏ ଗୋଟେ ଭିନ୍ନ ଧରଣର ଭିକ୍ଷା ବୃତ୍ତି ,ଆଜ୍ଞା।କ'ଣ ଯେ କହିବ ଏମାନଙ୍କୁ!ପୁଣି ପୂଜା ପର୍ବରେ ଏମାନଙ୍କ ଭାଉ କ'ଣ କମ୍ କି!କିଛି କହିହୁଏନି କି ସହିହୁଏନି। " 

      ବ୍ୟକ୍ତି ଜଣକ ତାଙ୍କ ଉଦ୍ଦେଶ୍ୟରେ ଏତିକି ଓକାଳି ପକାଇଲେ।ମନେହେଲା ଏସବୁ ଯେମିତି ତାଙ୍କ ପେଟ ଭିତରେ କେଉଁ ଦିନରୁ ସାଇତା ହୋଇ ରହିଥିଲା। 

      - " ତଥାପି ତାଙ୍କ ଠାରୁ ଆଶୀର୍ବାଦ ନେବାକୁ ହୁଏ।ମୁଁ ଇଚ୍ଛା କରି ମାଗିନିଏ।ତାଙ୍କ ଜାଣିବା ନ ଜାଣିବାରୁ ମୋତେ କ'ଣ ମିଳିବ!ମୁଁ ତ କାନ ଡେରି ଶୁଣେ ତାଙ୍କ ପେଟ ଚାଖଣ୍ଡର ଗୀତ।ମୋର ମନେହୁଏ ସେସବୁ ଯେମିତି ଜଣେ ନିଃସ୍ପୃହ ମଣିଷର ଜୀବନ ସଙ୍ଗୀତ।ଏଥିରେ ତାଙ୍କର ଭୁଲ୍ ରହିଲା କେଉଁଠି?ଅନ୍ୟମାନଙ୍କ ପରି ସେ' ବି ଆଦରିଛନ୍ତି ଗୋଟେ ତାଙ୍କ ପସନ୍ଦର ଜୀବିକା।ଏଇ ପେଟ ଚାଖଣ୍ଡକ ପାଇଁ ଏଠି କିଏ କ'ଣ ନ କରୁଛି ଯେ! " 

      ମୁଁ ଏତିକି ମାତ୍ର କହିଲି।ଦେଖିଲି ମୋ କଥା ଶେଷରେ ସେଇ ବ୍ୟକ୍ତିଙ୍କର ମୁହଁଟା କେମିତି ଆମ୍ବିଳିଆ ଆମ୍ବିଳିଆ ଦିଶିଲା।ସେ ଆଉ କିଛି କହିଲେ ନାହିଁ। 

      - " ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ ....... " 

      ମୋ ଦୋକାନ ଭିତରକୁ ପ୍ରବେଶ କଲେ ସେ।ତାଙ୍କୁ ସେଦିନର ଦେବାକୁ ଥିବା ଦଶଟଙ୍କିଆ ନୋଟ୍ ପାଇଁ ମୁଁ ପକେଟ୍ ଅଣ୍ଡାଳିଲି।ପ୍ରତି ବଦଳରେ ତାଙ୍କ ଠାରୁ ଆଶୀର୍ବାଦ ମାଗିନେବାକୁ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଲି। 

      ଦୋକାନରୁ ଯେଉଁ ଜିନିଷ ନେବାର ଥିଲା ତାହାନେଇ ଚୁପଚାପ ଫେରିଗଲେ ସିଏ। 


      ପୂଜା ସାରି ମୋ ମଥାରେ ଆଶୀର୍ବାଦ ଅଜାଡି ଦେଇ ଇଏ ମଧ୍ୟ ତରତର ଭଙ୍ଗୀରେ ଫେରିଗଲେ। 

      ଅନ୍ୟର ପେଟ ଚାଖଣ୍ଡର ଗୀତ କିଏ ଶୁଣେ ହୋ ... ! 

      ଗୋଟିଏ ଦୀର୍ଘଶ୍ୱାସ ବାହାରକୁ ଦେଇ ଏବେ କେବଳ ନିଃଶଦ୍ଦରେ ଏତିକି ଉଚ୍ଚାରଣ କରୁଥିଲି ମୁଁ।ହଁ,ବାରମ୍ବାର ଉଚ୍ଚାରଣ କରୁଥିଲି। ...ବାରମ୍ବାର।



Rate this content
Log in

Similar oriya story from Tragedy