Soumya Priyadarshi

Abstract Drama Others

4  

Soumya Priyadarshi

Abstract Drama Others

ପାଗଳୀ

ପାଗଳୀ

4 mins
23.2K


ସଂଧ୍ୟା ଆସିଗଲାଣି। ବୋଉ ଅନେକବେଳୁ ସନ୍ଧ୍ୟା ଦେଲାଣି। ମୁହଁ ଦେଖାଯାଉନି। ମୁଁ ବସି ବର୍ଣ୍ଣବୋଧ ପଢୁଥାଏ। ଗାଁ ମୁଣ୍ଡ ଭାଗବତ ଟୁଙ୍ଗିରେ ଭାଗବତ ପଢା ହଉଥାଏ। ଆମ ଦାଣ୍ଡକୁ ଶୁଭେ। ସେପଟେ ଶିବମନ୍ଦିର ପିଣ୍ଡିରେ ଦଳେଲୋକ ଅନ୍ଧାରଟାରେ ବସି ଖଞ୍ଜଣୀ ଟେ ଧରି ବିକଟ ଚିତ୍କାର କରୁଥାନ୍ତି। ନିଆଁପୁଡ଼ାଟେ ଦିକେ ଦିଶିଯାଇ ପୁଣି ଲିଭିଯାଉଥାଏ। ବୋଉ ରୋଷେଇଘରେ ଛେଇ ଛେଇ କରି ଭାଜୁଥାଏ କଣ ଗୋଟେ। ହଠାତ ସବୁ ଏକାସାହିତ ଚୁପ ହେଇ ଗଲେ, କିଏ ଯିମିତି ରାଣ ଦେଇଦେଲା। ଖଞ୍ଜଣୀ, ବୋଉ ଆଉ ବର୍ଣ୍ଣବୋଧ। ତା ଆରଦିନ ଲୋକେ ଟୁପୁରୁ ଟାପୁରୁ ହେଲେ। ଗାଁକୁ ପାଗଳିଟାଏ ଆଇଚି। ଯଦି ଏକା ଅସିଥାନ୍ତା କେହି କିଛି କହିନଥାନ୍ତେ। ସାଙ୍ଗରେ ଆଇଚି ଝିଅଟେ। କଅଁଳା ନୁହଁମ, ଏଇ ଚାରି କି ପାଞ୍ଚ ହବ। କେହି କହିପାରୁନି ଏଇ ଆସିଲା କଉଠୁ। ଯା ହଉ ଗାଁ ମଝି ଛକ ଦୋକାନ ପିଣ୍ଡାରେ ବସି ଚାହିଁଛି ସଭିଙ୍କୁ ଡବ ଡବ କରି। ତା ଝିଅଟା ନାକରୁ ସିଂଘାଣି କାଢି ଫ୍ରକରେ ପୋଛୁଥାଏ । ଆମ ଭାଉଜ କହିଲେ ଦେଖିଲା ଖୁଡି ବୟଷ ବେଶୀ ହବନି ବୋଧେ ନିହାତି ଭଲ ଘରର ବୋହୂଟେ ଥିଲା। ମୁଁ ଆଶ୍ଚର୍ଯ୍ୟ ହେଲି। ଭାଉଜ କେମିତି ଜାଣିଲେ ପାଗଳୀ ବାହା ହେଇଛିବୋଲି? ଏବେତ ଆଇଚି।


 ସବୁଲୋକ ତାକୁ ଏମିତି ଦେଖୁଥାନ୍ତି ଯେମିତି ଚିଡ଼ିଆଖାନାର ଜୀବଟିଏ। ପାଗଳୀ ସେମିତି ଦେଖୁଚି ସମସ୍ତଙ୍କୁ। କଥା ନାଇଁ। ଛୁଅଟାକୁ ଭୋକ ହେଲାଣି ବୋଧେ। କାନ୍ଦି କାନ୍ଦି ଦାଣ୍ଡଧୂଳିରେ ଗଡୁଛି। ଦୋକାନୀକୁ ଟିକେ ଦୟା ହେଲା କି କଣ, ଗୋଟେ ଲୁଣିଆ ବିସ୍କୁଟ ପାକେଟ ଆଣି ଛୁଆଟା ହାତରେ ଦେଲା। ଦୋକାନୀ ଫେରିଯାଉଥିଲା, ହଠାତ ପାଗଳୀ ତା ବ୍ଲାଉଜ ଭିତରୁ ୧୦ଟଙ୍କିଆ ନୋଟଟେ କାଢି ବଢ଼େଇଦେଲା। ସମସ୍ତେ ନିର୍ବାକ। ଦୋକାନୀ ଟିକେହସି ନେଇଗଲା। ଟୋକାଗୁଡା ଆମ୍ବଗଛମୂଳେ ବସି ପାଗଳିକୁ ଆଙ୍ଗୁଳି ଦେଖେଇ କଣ ହସାହସି ହଉଥିଲେ। ଆମ ଜେଜେ ତାଙ୍କ ମନକଥା ବୁଝିଗଲେ ବୋଧେ କହିଲେ ‘ଶଃ! ଗାଁରେ ତା ତମେହିଁ ମର୍ଦପିଲା ଅଛରେ, ଗରିବ, ପାଗଳ, ଛୁଆ କାହାରିକୁ ଛାଡିବନି। ଭାଗ ଏଠୁ।‘ ଟୋକାଗୁଡା ଟିକେ ଡ଼ରିଗଲେକି କଣ, ସେଠୁ ଉଠି ଚାଲିଗଲେ। ପାଗଳୀ କିଛି କହିଲାନି।

ଆଜକୁ ସପ୍ତାହେ ହବ ପାଗଳୀ ଏଇଠି ଅଛି। ରାତିରେ ମନ୍ଦିର ପିଣ୍ଡାରେ ଶୁଏ। ଦିନବେଳେ ମନ୍ଦିର ଓଳାଏ। ପାଣି ଆଣେ। ଭକ୍ତ ମାନେ କିଏ ଟଙ୍କେ ଦୁଇଟଙ୍କା ଦିଅନ୍ତି। ଭୋଗରୋଷେଇ ହେଲେ ପୁରୋହିତେ ତାକୁ ଡାକପକାନ୍ତି ‘ମା, ଆ ଖାଇଦେବୁ ଆ। ପୁତୁଲୁ କୁଆଡେ ଗଲା? ମୁଁ ଘରକୁ ଯିବି। ସନ୍ଧ୍ୟାରେ ପୁଣି ହାଟ। ଡେରିକରେନା ଚାଲିଆ।‘ ପାଗଳୀ ଯାଏ। କଦଳୀପତ୍ରରେ ଭୋଗ ଖାଇଦେଇ ସେଇ ପିଣ୍ଡାରେ ବସିଥାଏ। ତା ଝିଅ ପୁତୁଲୁ ମନଇଚ୍ଛା ଗାଁ ସାରା ବୁଲେ। ମନହେଲେ ଦିନରେ ଆସେ, ନହେଲେ ରାତିରେ।


 ସେଦିନ ଆମେ ପଡିଆରେ ଖେଳୁଛୁ। ପାଖରେ ଟୋକାଗୁଡାକ ଗାମୁଛାପାରି ବସି ଆମ ଖେଳ ଦେଖୁଥାନ୍ତି। ସେତିକିବେଳେ ପୁତୁଲୁ କୁଆଡୁ ଆସି ପହଁଚିଲା। କହିଲା ମୁଁ ବି ଖେଳିବି। ବାସ ମିଶିଗଲା ଖେଳିଲା। ଟୋକାଙ୍କ ଭିତରୁ କିଏଗୋଟେ କହିଲା ‘ସେଇ ଛୁଆଟା ଖେଳିବନାଇଁ ଯଉ ଛୁଆ ର ବାପ ନାଇଁ। ଏଇ ଛୁଆ, ଚାଲ ଭାଗ ଏଠୁ।’ ଆଉ ଜଣେ କିଏ କହିଲା,’ କିନ୍ତୁ ଯାହା କହ, ବଡହେଲେ ଭଲ ଗଛଟେ ହବ। ତା ମା କୁ ହିଁ ଦେଖ, ପାଗଳୀଟା ସିନା, ହେଲେ ଏବେବି କିଛି କଥା ଅଛି।‘ ସବୁଗୁଡ଼ା ହସାହସି ହେଲେ। ପୁତୁଲୁ ଚୁପଚାପ ଠିଆ ହୋଇ ଲୁହ ଗଡାଉ ଥିଲା। ଦଉଡିପଳାଇ ଗଲା । ଆମେ କିଛି ବୁଝି ପାରିଲୁନି। ସନ୍ଧ୍ୟାରେ ମନ୍ଦିରରେ ଧୂପ ଦେଲାବେଳେ ଦେଖିଲି, ପୁତୁଲୁ ଏଯାଏଁ କାନ୍ଦୁଚି। ମୁଁ ନାନୀ କୁ ପଚାରିଲି ‘ନାନୀ, ପାଗଳୀ କଣକେବେ କଥା କହେନି?’ ନାନୀ ମୋତେ କୋଳେଇନେଇ ଛାତିରେ ଛେପଟିକେ ପକେଇଦେଲା।


 ଗାଁ ରେ କାହାର ଭୋଜିଭାତ ହେଲେ ପାଗଳୀ ସେଠି ହାଜର ହେଇ ଯାଏ। ଅଇଁଠା ପତର ଉଠାଏ। ଯିଏ ଯାହା ପଇସା ଦେଲା ଚୁପଚାପ ନିଏ। କେବେ ମାଗେନି। ପଇସା ନେଇ ହୁଣ୍ଡିରେ ଦିଏ। କିଛି ଲୋକ ୟାର ଫାଇଦା ଉଠାନ୍ତି। କିନ୍ତୁ ତାକୁ କେବେ ଫରକ ପଡ଼େନା। ଆମ ବାପ ଗାଁ ସ୍କୁଲରେ ମାଷ୍ଟ୍ର। ହେଡସାରଙ୍କୁ କହି ସେ ପୁତୁଲୁର ନାଁ ଲେଖେଇଦେଲେ। ପାଗଳୀ ଭାରି ଖୁସି ହେଲା। ଗାଁ ଲୋକେ ନାନା କଥା କହିଲେ। ସେଇଦିନଠାରୁ ପାଗଳୀ ବେଳେବେଳେ ଆମ ଘରକୁ ଆସେ। ବୋଉ ତାକୁ ଦେଖିଲେ ମୋତେ ବାହାରକୁ ଛାଡେନା। ତାକୁ ପଖାଳ ଦିଏ, ଗୋଟେ ପୁରୁଣା ଅଧାକଟା ଆଲୁମିନିଉମ ଡବାରେ। ପିଆଜ ସହିତ। ମୁଁ କବାଟ ଫାଙ୍କରୁ ଦେଖୁଥାଏ। ସେ ବିନା ଦିରୁକ୍ତିରେ ଖାଇଯାଏ, ଗନ୍ଧ ଛାଡୁଥିବା ଗତକାଲିର ଭାତ।

ଗାଁ ରେ ମକର ମେଳା ଲାଗିଛି। ତିନିଦିନ ଧରି ଯାତ୍ରା ଚାଲିବ ପୁରା ଜାକଜମକରେ। ଗାଁ ଟା ଖାଲି ଉଠୁଛି ଆଉ ପଡୁଛି। ଦିନରେ ପାଲା, ଦାସକାଠିଆ, ଆଉ ଘୁମୁରା। ରାତିକୁ ଅପେରା। ଗାଁ ଟୋକା ଗୁଡାକ ଅପେରା କରୁଛନ୍ତି। ଯାତ୍ରା ଦେଖିବାକୁ ପୁରା ଗାଁ ଟା ଏକାଠି ହେଇଚି। ଦ୍ୱିତୀୟଦିନ ରାତିରେ ମୁଁ ନାନୀ ଆଉ ବୋଉ ସହିତ ବସି ଦେଖୁଥାଏ। ଅମେ ବି ସଭିଙ୍କ ପରି ଖଣ୍ଡେ ଖଣ୍ଡେ ଅଖାପାରି ଚାଦରଟେ ଘୋଡ଼ି ହେଇ ମଜା ନଉ ଥାଉ। ଏତିକିବେଳେ ପଛରୁ ପାଟିସୁଭିଲା ଏହେ ଏଇ ଏଠି କୁଆଡେ? ଦୂର ଦୂର, ମାତ୍ର ମାତ୍ର ଏମିତି କେତେ କଣ।


 ପେଣ୍ଡାଲ ଝଲସୁଛି ନାଲିନେଳି ଆଲୁଅରେ। ଉପରେ ଠିଆ ହେଇଚି ପାଗଳୀ। ଶାଢ଼ୀ ତାର ତଳେ ଲୋଟୁଛି। ଦେହରେ ବ୍ଲାଉଜ ନାହିଁ। ମୁହଁ ଟା ବହୁତ ଠେ ଖଣ୍ଡିଆ ହେଇ ରକ୍ତ ବାହାରୁଚି। ପୁତୁଲୁଟା କଉଠି ଅଛି କେଜାଣି। କହିଲା, ‘ସବୁଠି ସେଇ ନିଶା, ସବୁଠି ସେଇ ପାଗଳାମି। ସବୁଠି ସେଇ ଦୁର୍ଗନ୍ଧ, ସବୁଠି ନର୍କ।‘ ଆଉକିଛି ନକହି କ୍ଷଣଟେ ଠିଆ ହୋଇ ରହିଲା। ତା ମୁହଁ ରେ କିଛି ଭାବ ନଥିଲା। ଦେଖିଲେ ଲାଗୁଥିଲା ଧଳା କାଗଜ ଫରଦଟେ। ତା ପରେ ପେଣ୍ଡାଲରୁ ଧୀରେ ଉତୁରି ଭିଡରେ ପଶି ଅନ୍ଧାରରେ କୁଆଡେ ଯେମିତି ଅପସରି ଗଲା। ଅପେରା କିଛି ସମୟ ପାଇଁ ବନ୍ଦ ହେଲା। ମୁଁ ଆଉ ନାନୀକୋଳରେ ବସିନପାରି ଧାଇଁଲି। ଧାଇଁଲି ସେ ଅନ୍ଧାର ଆଉ ହେମାଳ କୁହୁଡି ଭିତରେ ପାଦ ଯୁଆଡେ ଟାଣିନେଲା। ମୁଁ କାନ୍ଦୁଥିଲି ଆଉ ଧାଉଁଥିଲି। ଦେଖିଲି ଆଗରେ ପାଗଳୀ ଯାଉଛି। ମୁହଁ ବୁଲେଇ ଚାହିଁଲା। ମୋତେ ପାଖକୁ ଡାକି ଲୁହ ପୋଛିଦେଲା। ତା ଦେହରୁ ଗୋଟେ ଉଜ୍ଜଳ ଆଲୁଅ ବାହାରିଲା। ମୁଁ ଅଚେତ ହେଇ ଗଲି।


 ଆଖି ଖୋଲିଲା ବେଳକୁ ଲାଗିଲା ମୁଁ ଅଣନିଶ୍ୱାସୀ ହେଇ ଯାଉଛି ଉତ୍କଟ ଝୁଣା ଆଉ ଧୂପ ଧୂଆଁରେ। ଦେହସାରା ମୋର ହଳଦୀ ଆଉ ସିନ୍ଦୁର। ମୁଣ୍ଡ ପାଖରେ ହନୁମାନ ଫୋଟୋ। ବାହାରୁ ବୋଉ ର କାନ୍ଦ ଶୁଭୁଚି। କିଏ ଗୋଟେ କହିଲା ,’ଏ ଶାଳୀ ଡାହାଣୀଟା ଗାଁ ଛଡିଲାଯେ, ଏଡ଼େ ସୁନ୍ଦର ଛୁଆ ଟାକୁ ସାଙ୍ଗରେ ନବାକୁ ବସିଥିଲା। ଲୁହାମଳର ଡେଉଁରିଆ ଟା ପିନ୍ଧିଥିଲା ବୋଲି ବଞ୍ଚି ଗଲାନା ଆଉ।‘ ମତେ ରାଗ ଚଢିଲା। ଘରକୋଣରୁ ଛୋଟ ଶାବଳଟା ଉଠେଇ ଧାଇଁଲି ମାରିବାକୁ। ବାହାରର ସବୁଲୋକଙ୍କୁ। 


Rate this content
Log in

More oriya story from Soumya Priyadarshi

Similar oriya story from Abstract