Sachidananda Kar

Tragedy

4  

Sachidananda Kar

Tragedy

ପାଗଳୀ ଝିଅ

ପାଗଳୀ ଝିଅ

3 mins
565



           ଯେଉଁ ପୃଥିବୀରେ ସେ ବଞ୍ଚେ ସେ ପୃଥିବୀ ତାକୁ ଆଦୌ ଭଲ ଲାଗେନାହିଁ।ତେଣୁ ସେ ସବୁବେଳେ ଖୋଜୁଥାଏ ଆଉ ଏକ ପୃଥିବୀ। 

           ସେ ମଧ୍ୟ ଖୋଜୁଥାଏ ନଦୀ ବାହାରେ ନଦୀ,ସମୁଦ୍ର ବାହାରେ ସମୁଦ୍ର।ହେଲେ ବହି ଯାଉ ନ ଥିବା ନଦୀ,ଜୁଆର ଉଠୁ ନ ଥିବା ସମୁଦ୍ର ସେ ଖୋଜି ପାଏ ନାହିଁ କୋଉଠି। 

           ଖୋଜାଖୋଜିରେ ତା'ର ସାରାଦିନ ବିତୁଥାଏ।ଯେତେବେଳେ ତା' ମନକୁ ଯାହା ଆସେ ସେ ତାହା ଖୋଜିବାକୁ ଆରମ୍ଭ କରିଦିଏ।ଖୋଜି ଖୋଜି ବୁଲେ। 

            ସେ ରାସ୍ତାରେ ବୁଲେ।ରାସ୍ତା ପାରି ହେଉଥିବା ବେଳେ ପୁରୁଷ ଲୋକଗୁଡା ଅପଲକ ତା' ଖୋଲା ଦେହ ଆଡେ ଚାହିଁ ରହନ୍ତି।ପାଗଳୀ ପାଗଳୀ କହି ପାଟିକରନ୍ତି। 

            ତା'ର ବୟସ କୋଡିଏରୁ ପଚିଶ ଭିତରେ ହେବ।ତାକୁ ଦେଖିଲେ ଗୋଟେ ସୁନ୍ଦରୀ ଝିଅ ପରି ଦିଶେ ସେ।ତା'ର ବୟସର ବି ଗୋଟେ ଆବେଦନ ଥାଏ।ତେଣୁ ତା' ଉପରେ ଅନେକ ପୁରୁଷଙ୍କର ଲୋଭପୂର୍ଣ୍ଣ ଆଖି ପହଁରୁଥାଏ ସବୁବେଳେ।

            ବିବାହ ବେଳକୁ ତା'ର ସାମାନ୍ୟ ମସ୍ତିଷ୍କ ବିକୃତି ଥିଲା।ବିବାହ ପରେ ମାନସିକ ସୁସ୍ଥତା ଫେରି ପାଇପାରେ ସେ,ଭାବିଥିଲେ ତା'ର ବାପା।ହେଲେ ସେପରି ହୋଇ ନ ଥିଲା।ବାହାଘରର ତିନି ମାସ ପରେ ତା'ର ସ୍ବାମୀ ତାକୁ ଘରୁ ବାହାର କରି ଦେଇଥିଲେ। 

            ଦାମ୍ପତ୍ୟ ପାଇଁ ଶାରୀରିକ ସହିତ ମାନସିକ ସୁସ୍ଥତା ଥିବା ଝିଅଟିଏ ଲୋଡା ପଡୁଥାଏ ସବୁବେଳେ।ତା' ନ ହେଲେ ସ୍ଥାୟୀ ହୋଇ ପାରେନାହିଁ ଦାମ୍ପତ୍ୟ।ତାହା ହିଁ ହୋଇଥିଲା। 

            ଶାଶୂଘରୁ ବାହାରି ଆସିଲା ପରେ ତା'ର ମସ୍ତିଷ୍କ ବିକୃତି ଆହୁରି ବଢିଗଲା।ତା' ପରେ ପରେ ସେ ବଳେ ବଳେ ବାହାରି ଆସିଲା ରାସ୍ତା ଉପରକୁ।ଲୋକେ ତାକୁ ଦେଖିଲେ ଓ ଖୋଲାଖୋଲି ପାଗଳୀ କହିବାକୁ ଆରମ୍ଭ କରିଦେଲେ। 

            ଅସୁସ୍ଥ ମନ ଘଟଣା ଘଟାଏ।ଏବେ ସେ ପାଗଳୀ ଝିଅ ପ୍ରତିଦିନ ନୂଆ ନୂଆ ଘଟଣାକୁ ଜନ୍ମ ଦେଲା।ଘଟଣା ଘଟିଲେ ଲୋକମାନେ ତାକୁ ନେଇ ଚର୍ଚ୍ଚାରେ ବ୍ୟସ୍ତ ରହନ୍ତି।ପାଗଳୀ ଏମିତି ପାଗଳୀ ସେମିତି, ପାଗଳୀ ଏୟା କରୁଛି ପାଗଳୀ ସେୟା କରୁଛି - ଚର୍ଚ୍ଚା ଚାଲିଥିଲା। 

           କିଛି ଲୋକ ଏବେ ଫୁଲ ଆଖପାଖରେ ଭଅଁର ଉଡି ବୁଲିବା ପରି ତା' ଆଖପାଖରେ ଉଡି ବୁଲିଲେ।ସେ' ତ ଥିଲା ଫୁଲଟିଏ।ତା' ନରମ, ମଖମଲି ପାଖୁଡ଼ାକୁ ଲୋଭ କଲେ।ସେଥିରୁ ଭରପୂର ମଜା ଓ ଆନନ୍ଦ ଉଠାଇବାକୁ ଚାହିଁଲେ। ସବୁକିଛି ସହି ନେଲା ସେ।ଅନ୍ୟ ଚାରା ନ ଥିଲା। 


         ଅସହାୟତା ଗୋଟେ ଝିଅର ବିଭବ।ଏହା ସବୁକାଳେ ରହିଥାଏ ତା' ସହିତ।ତା'ର ମୂଲ୍ୟ,ଗୁରୁତ୍ୱ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥାଏ।ତା' ସହିତ ବି ଥିଲା ତା'ର ଅସହାୟତା।ତା'ର ମୂଲ୍ୟ,ଗୁରୁତ୍ୱ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। 

           ଏବେ ସବୁଦିନେ ଭଲ ଭଲ ରାତି,ଭଲ ଭଲ ଦିନ, ଭଲ ଭଲ ଲୋକମାନଙ୍କୁ ଏଇ ପୃଥିବୀରୁ ଅନ୍ୟ ପୃଥିବୀ ପାଇଁ ବହନ କରୁଥିଲା ସେ ପାଗଳୀ ଝିଅ।ପ୍ରତିବଦଳ କିଛି ବି ଚାହୁଁ ନ ଥିଲା।ଅନ୍ୟ ପୃଥିବୀରେ ଅବତରଣ କରିବା ପରେ ସମସ୍ତେ ଯେଝା ବାଟରେ ଯେଝା ଭଦ୍ରଲୋକଙ୍କ ପରି ଚାଲି ଯାଉଥିଲେ। 

            ତା'ର ଏଇ ଦିନମାନଙ୍କରେ ସେ ଏତେ ବ୍ୟସ୍ତ ରହୁଥିଲା ଯେ ନ କହିବା ଭଲ।ଖୁବ୍ ଭଲ ଭଲ ଲୋକମାନେ ମଧ୍ୟ ତା' ପଛରେ ପଡି ଯାଇଥିଲେ।ଦିନେ ନିଜର ସ୍ବାମୀ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହୋଇଥିବା ସେ ପାଗଳୀ ଝିଅ ଏବେ ଅନ୍ୟ ପୁରୁଷଙ୍କ ପାଇଁ ଖୁବ୍ ଯୋଗ୍ୟ ସାବ୍ୟସ୍ତ ହୋଇଥିଲା। 

           ତାକୁ କେନ୍ଦ୍ର କରି ସବୁଦିନେ ସୃଷ୍ଟି ହେଉଥିଲା ଦୁଇଟି ଭିନ୍ନ ଭିନ୍ନ ପୃଥିବୀ।ତା' ମଝିରେ ଥିଲା ଗୋଟିଏ କବାଟ।ଏ ପୃଥିବୀର ଲୋକ ସେ ପୃଥିବୀର ଲୋକଙ୍କୁ ଦେଖି ପାରୁ ନ ଥିଲେ କି ସେ ପୃଥିବୀର ଲୋକ ଏ ପୃଥିବୀର ଲୋକଙ୍କୁ ଦେଖି ପାରୁ ନ ଥିଲେ।ସେଇ ଦୁଇ ପୃଥିବୀର ମଝିରେ ଠିଆ ହୋଇଥିଲା ସେ ପାଗଳୀ ଝିଅ।ହେଲେ ଭଲ ଭଲ ଲୋକମାନେ ଏହା ନ ଜାଣି ତା' ପଛରେ ପଡି ଯାଇଥିଲେ। 

           ଦିନ କେତେଟା ଭିତରେ ସେ ଅନ୍ତଃସତ୍ତ୍ବା ହେଲା ଏବଂ ପରେ ସମୟ ହେଲାରୁ ଏକ ନଈ ପୋଲ ତଳେ ସେ ଗୋଟେ ଛୁଆକୁ ଜନ୍ମ ଦେଲା - ଏଇ ତା'ର ଫଳ। 

           ଆହା!ତା'ର ଏଇ ଛୁଆଟି ତା'ର ସ୍ବାମୀଠାରୁ ତା'ର ଶାଶୂଘରେ ହୋଇଥାନ୍ତା ଯଦି! 

           ଏବେ ତା' ବିଷୟରେ ଲୋକମାନଙ୍କ ଅପେକ୍ଷା ସମୟ ବେଶୀ କିଛି କହୁଥିଲା।ସେ ପାଗଳୀ ହେଲେ କ'ଣ ହେଲା, ତା' ଠାରେ ଗୋଟେ ଝିଅର ମହନୀୟତା ଫୁଟି ଉଠୁଥିଲା।କୁହୁଡିର ପର୍ଦ୍ଦା ଆରପାଖେ ଥିବା ପୁରୁଷମାନେ ବି ଏବେ କହିବାକୁ ପଛଘୁଞ୍ଚା ଦେଉ ନ ଥିଲେ - " ଝିଅଟା ପାଗଳୀ ହେଲେ କ'ଣ ହେଲା କାହାର ନା କାହାର ଝିଅଟିଏ ତ ସେ! " 

           ଝିଅଟିଏ ପ୍ରତି ପୁରୁଷର ଏଭଳି କଦର୍ଯ୍ୟ ମାନସିକତା ଆଉ କେତେଦିନ?କେବେ ଏହାର ପୂର୍ଣ୍ଣଛେଦ ପଡିବ ଯେ!କେବେ ?


Rate this content
Log in

Similar oriya story from Tragedy