Balaram Barik

Tragedy Crime

4  

Balaram Barik

Tragedy Crime

ଓଭର୍ ଲୋଡିଙ୍ଗ

ଓଭର୍ ଲୋଡିଙ୍ଗ

5 mins
248



ସେଦିନ ପ୍ରଥମାଷ୍ଟମୀ ଥିଲା।ସଭିଙ୍କର ଅଲିଅଳ "ଡୁଗୁ" ଏହି ଦିନଟିକୁ ଯେମିତି ଅନେକ ଦିନରୁ ଅପେକ୍ଷା କରିଥିଲା।

ମାମୁଁ ଘରକୁ ଯିବ ସେଠି ପଢ଼ୁଆଁ ହେବ।ନୂଆ ଜାମା ପ୍ୟାଣ୍ଟ ପିନ୍ଧିବ।ଏଣ୍ଡୁରୀ ପିଠା ଖାଇବ। ସେ ଜାଣିଛି "ମିତୁ" ମାମୁଁ ହାଇଦ୍ରାବାଦରୁ ଆସିଛନ୍ତି ତା ପାଇଁ କେତେ କଣ ଖେଳନା ,ଗ୍ୟାଜେଟ୍ ନେଇ ଆସିଥିବେ।


ମିତୁ ମାମୁଁଙ୍କ ବାହାଘର ମଧ୍ୟ ଠିକ୍ ହେଇ ସାରିଛି।ତାକୁ କଣ ଏ କଥା ଅଛପା।ସେ ବାହାଘର ରୋଷଣୀରେ ପରା ଲୁଙ୍ଘି ଡ୍ୟାନ୍ସ କରିବ ବୋଲି ସ୍ଥିର କରିଛି।ଅଷ୍ଟମୀ ଓ ମାମୁଁଙ୍କ ବାହାଘର ଏ ଦୁଇଟି ପର୍ବ ଦୁଇଟି ଯେମିତି ତାର କୁନି ମନକୁ ପ୍ରଫୁଲିତ କରୁଥିଲା।ପାଦ ମାଟିରେ ଲାଗୁନଥିଲା।ସାଙ୍ଗ ମାନଙ୍କୁ ଫୋନ କରି ଡୁଗୁ କହିଛି ମୋ ମାମୁଁ ମୋ ପାଇଁ ହାଇଦ୍ରାବାଦରୁ ବହୁତ ଖେଳଣା ଆଣିଥିବେ।ସବୁ ବଢ଼ିଆ ହେଇଥିବ।ମୋ ମାମୁଁଙ୍କ ବାହାଘରରେ ମୁଁ ନାଚିବି ଯେ ,ତୁମେ ମାନେ ମୋ ସାଙ୍ଗରେ ଲୁଙ୍ଘି ଡ୍ୟାନ୍ସ ଗୀତରେ ନାଚିବ ନା !!

ଗେଟ୍ ପାଖକୁ ବାରମ୍ବାର ଦୌଡି ଯାଉଥାଏ ମାମୁଁ ଆସିଲେଣି କି ନାହିଁ ଦେଖିବାକୁ।


ପୁଣି ଆସି ପଚାରେ ମାମା ,ମାମୁଁ କେତେବେଳେ ଆସିବେ ଯେ ??

ତୁମେ ତ କହିଥିଲ ସକାଳେ ଆସିବେ ।ମୋତେ ନେଇଯିବେ ମୁଁ ,ମାମୁଁ ଘରେ ପଢ଼ୁଆଁ ହେବି ବୋଲି।

ହେଲେ ଦେଖୁନ.....!!!

ସକାଳ ୭ ଟା ବାଜିଲାଣି ।ମାମୁଁଙ୍କର ଦେଖା ଦର୍ଶନ ନାହିଁ।

ମାମା ସ୍ମିତ ହସିଦେଇ କହନ୍ତି।

ତୁ କହିଁକି ଏତେ ଅଧର୍ଯ୍ୟ ହେଉଛୁରେ ବାବୁ।ଏଇତ ୨୦ କି:ମି ଦୂରରେ ତୋ ମାମୁଁଘର।ମାମୁଁ ତାଙ୍କ ନୂଆ ବୁଲେଟରେ ଆସୁଥିବେ।ଆଜି ତ ଅଷ୍ଟମୀ ରାସ୍ତା ଭିଡ଼ ଥିବ ...ତା ଛଡା କୁହୁଡି ପଡୁଛି ମାମୁଁ ଧୀରେ ଧୀରେ ଆସୁଥିବେ।


ହେଲେ ଡୁଗୁ ମନ କଣ ସମ୍ଭାଳି ହେଉଛି !!!

ମଟର ସାଇକେଲ ଆବାଜ୍ ଶୁଣି ଗେଟ୍ ପାଖକୁ ଧାଉଁଛି।

ବାପାଙ୍କୁ ଯାଇ ପଚାରୁଛି !! 

ଜେଜେଙ୍କ ପାଖକୁ ଦୌଡ଼ି ଯାଉଛି ପଚାରିବା ପାଇଁ।

ସକାଳୁ ସେ ସଭିଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି ପିଲାଟା।

ଏ ମାମୁଁ କାହିଁକି ଏତେ ଡେରି କରୁଛନ୍ତି ଯେ !!! 

ମନ ମାରି ବସିଗଲା ଡୁଗୁ।

ଏଣେ ପାଦ ଚାପି ଚାପି ମିତୁ ମାମୁଁ ଆସି ଡୁଗୁର ଆଖି ବନ୍ଦ କରିଦେଲେ।

ମାମା ପଚାରିଲେ ,କିଏ ତୋର ଆଖି ଲୁଚାଇଛି କହିଲୁ ??

ଡୁଗୁ ତ ଭାରି ଚାଲାକ ସିଧା ମୁହଁକୁ ହାତ ମାରିଲା ଆଉ ଚଷମାକୁ ଧରି କହିଲା ...

ମାମୁଁ ..

ମାମୁଁ ...

ମାମୁଁ...

ସମସ୍ତେ ଆଶ୍ଚର୍ଯ୍ୟ !!

ମା ପରେ, ମା ପରି ଅଧିକ ସ୍ନେହବୋଳା ହାତ ତ ମାମୁଁଙ୍କର।

ମା... ମୁଁ ।ମାନେ ମୁଁ ବି ଏକ ପ୍ରକାର ମା।

ହସ ଉଲ୍ଲାସରେ ଫାଟି ପଡୁଥାଏ ସେଦିନ ଅଗଣା।

ଗୋଟିଏ ବୋଲି ଗେଲ୍ହା ଭଣଜା ଡୁଗୁକୁ ହୃଦୟରେ ଲଗାଇ ମାମୁଁ ଅସରନ୍ତି ସ୍ନେହ ଦେଇଗଲେ।

ବଡ଼ କିଟ୍ କାଟ୍ ଚକିଲେଟ୍ ଗୋଟିଏ ବଢାଇ ଦେଲେ।

ଡୁଗୁ:-ମାମୁଁ ଆଉ ମୋ ଖେଳଣା ସବୁ ?

ମାମୁଁ:-ହଁରେ ବାବା ତୋର ସବୁ ଖେଳନା ଅଛି।ତୁ ଆମ ଘରକୁ ଚାଲ୍।

ତୋତେ ଅଜା ,ଆଇ,ସାନ ମାଉସୀ ସମସ୍ତେ ଅପେକ୍ଷା କରିଛନ୍ତି ଯେ।


ସାମାନ୍ୟ ଜଳଖିଆ ଖାଇ ମାମୁଁ ଭଣଜା ବାହାରିଗଲେ।


ହଉ ଦିଦି ମୁଁ ଏଥର ଆସୁଛି ,ତେଣେ ବାପା ବୋଉ ଅନେଇ ବସିଛନ୍ତି।ମୁଁ ଆସିଲା ବେଳେ ଟିକେ ଡେରି ହେଇଗଲା।ମୋତେ ଜଲ୍ଦି ଯିବାକୁ ହେବ।

ମିତା:-ହଉ,ରାସ୍ତାଘାଟ ଦେଖିକି ଯିବ।

ପଛରୁ ବାପା ହାତ ହଲେଇ ବାଏ ବାଏ କଲେ..

ପାଞ୍ଚ ବର୍ଷର ଡୁଗୁ ମାମୁଁଙ୍କ ଅଣ୍ଟାକୁ ଗୋଟିଏ ହାତରେ ଧରି ଆଉ ଗୋଟିଏ ହାତରେ ଗେଟ ପାଖରେ ସମସ୍ତଙ୍କୁ ବାଏ ...ଓ ଫ୍ଲାଇଙ୍ଗ କିସ୍ ଗୋଟିଏ ଗୋଟିଏ କଲା।

ତା ପରେ ସମସ୍ତଙ୍କ ଧ୍ୟାନ ପରିସରରୁ ଉଭୟ ଉଭେଇ ଗଲେ.....

××××××

    ×××××××

         ××××××××

କୋଡିଏ ମିନଟ୍ ପରେ...

ରାଜୀବ ବାବୁଙ୍କ ମୋବାଇଲ ରିଙ୍ଗ ହେଲା।

ସେ ବ୍ରେକଫାଷ୍ଟ ଟେବୁଲରୁ ଉଠି ଫୋନ ଉଠାଇବାକୁ ଗଲେ।

ଆର ପଟୁ ଫୋନରେ କଣ ଶୁଣିଲେ କେଜାଣି ....ତାଙ୍କ ହାତରୁ ଫୋନ ଟା ଖସିଗଲା।

ଜୋରରେ ଚିଲ୍ଲେଇବାକୁ ଲାଗିଲେ।।

ଡୁଗୁ.....ଡୁଗୁ.....

ଡୁଗୁ.....

ନାଇଁ.... ଭଗବାନ ତୁମେ ଏତେ ନିଷ୍ଠୁର ହେଇ ପାରିବ ନାହିଁ।

କଣ ହେଇଗଲା ଏ ...

ମୋ ପୁଅ ...


ମିତା:-କଣ ହେଇଛି ।କଣ ହେଇଛି ଡୁଗୁର ?

ଜେଜେ :- ଡୁଗୁ ତ ତା ମାମୁଁ ସାଙ୍ଗରେ ଯାଇଛି ନା ରାଜୀବ??

ରାଜୀବ :ହଁ ବାପା କିଛି ବ୍ୟସ୍ତ ହେବାର ନାହିଁ।

ଜେଜେ :-ଆରେ କଣ ହେଇଛି ମୋତେ ଟିକେ ଖୋଲିକି କହ।ତୋ ଆଖିରେ ଲୁହ।ତୁ ନିଶ୍ଚୟ ମୋତେ କିଛି ଲୁଚାଇଛୁ।

ସବୁ କହିବି ବାପା ।।

ଡୁଗୁର ଜେଜେ ମା ପୂଜାଘରେ ପୂଜା କରୁଥିବା ସମୟରେ ଦୀପ ଲିଭିଗଲା ...ଦୌଡ଼ି ଆସି 

ରାଜୀବ କଣ ହେଲାରେ ...???

ମୁଁ ଫେରେ... ବୋଉ କିଛି ଅସୁବିଧା ହେଇନି।


ଜଲ୍ଦି ଚାଲ ମିତା...


ଦୁହେଁ ଜାତୀୟ ରାଜପଥ ଆଡକୁ ସ୍କୁଟିରେ ମାଡିଚାଲିଲେ।।

ଲୋକ ଗହଳି ଚିରି ଭିତରେ ପଶି ଯାହା ଦେଖିଲେ ସେମାନେ କେବେ ଜୀବନରେ ଭାବି ନଥିବେ।

ଡୁଗୁ ଆଉ ମିତୁର ରକ୍ତ ଜୁଡୁବୁଡୁ ଦେହ।

ଲୋକ ମାନେ କଥା ହେଉଥଲେ ହାଇୱା ପିଟି ଦେଇଥିବ।

ରାତି ଦିନ ତ ଟ୍ରେନ ଇଞ୍ଜିନ ପରି ତ ହାଇୱା ଚାଲିଛି ଏଁନ୍:ଏଚ ରେ ଟିକେ ଅସତର୍କ ହେଲେ ମଲ।

ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ଦୁହିଁଙ୍କ ଶରୀରକୁ ନେଇଗଲେ ରାଜୀବ ଓ ମିତୁ।

ସେଠି ଡାକ୍ତର ମନ ଦୁଃଖରେ ଘୋଷଣା କଲେ......

ଦୁହେଁ ଅନେକ ଆଗରୁ ପ୍ରାଣ ତ୍ୟାଗ କରିସାରିଛନ୍ତି।


ସାରା ପରିବାରରେ କାନ୍ଦ ବୋବାଳି ପଡିଗଲା।

କାହାରି ଆଖିରୁ ଲୁହ ଶୁଖିବାର ନାଁ ନେଉ ନଥାଏ।

ସମସ୍ତେ ଯେମିତି ଡୁଗୁ ଆଉ ମିତୁ ବିନା ଜୀବନ ଅସମ୍ପୂର୍ଣ୍ଣ ଭାବିନେଲେ।ଉଭୟ ପରିବାରର ଅଲିଅଳ ଆଉ ଏକମାତ୍ର ସନ୍ତାନ ଥିଲେ ଦୁହେଁ। ଦୁଇ ଜଣଙ୍କ ଅକାଳ ବିୟୋଗ ଦୁଇଟି ପରିବାରର ବଂଶ ବୁଡ଼େଇ ଦେଲା।

ମିତୁ କେବେ ବି ଖରାପ ଗାଡି ଚାଳନା କରେ ନାହିଁ।ରାଜୀବ ବାବୁ ଅନେକ ଥର ମିତୁ ବୁଲେଟରେ ବସି ଆସିଛନ୍ତି।ତା ଛଡା ସେ ନିଜ ଭଣଜାକୁ ଗାଡ଼ିରେ ବସାଇଛି।


           ସ୍ଥାନୀୟ ପୋଲିସ ହିଟ୍ ଏଣ୍ଡ ରନ୍ କେସ୍ ରଜୁ କରି କେସ୍ ରଫାଦଫା କରିବାକୁ ବସିଥିବା ବେଳେ ରାଜୀବ ବାବୁ ପୋଲିସ୍ ଉପରେ ଗର୍ଜି ଉଠିଲେ।

ହିଟ୍ ଏଣ୍ଡ ରନ୍ !!!!

ହାଉ ଇଟି ଇଜ୍ ପଶିବୁଲ୍ ?

ତା ମାନେ ରାଜପଥରେ କେହି ବି କାହା ସାଙ୍ଗରେ ଦୁର୍ଘଟଣା ଘଟାଇ ଚାଲିଯିବ ?

ଆପଣ ମାନେ ଏମିତି ଖିଆଲି ମନଭାବ କେମିତି ପୋଷଣ କରି ପାରିବେ ?


ରାଜୀବ ବାବୁ ଥାନାରେ ହାଇୱା ଡ୍ରାଇଭର ନାଁରେ ମର୍ଡର କେସ୍ ରୁଜୁକଲେ ଓ ପୋଲିସକୁ କହିଲେ ଆପଣ ସେ ଅପରାଧୀ ଡ୍ରାଇଭରକୁ ଦଣ୍ଡ ନଦେବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ରହି ପାରିବି ନାହିଁ।


କେତେ କୋମଳ ସେ ଶରୀର ଥିଲା।ଦୁହେଁ ମାମୁଁ ଭଣଜା କେଡେ ଆନନ୍ଦରେ ଅଷ୍ଟମୀ ପାଳିବାକୁ ଯାଉଥିଲେ।।


ରାଜୀବ ବାବୁ ଥାନାକୁ ପୁଣି ଆସିଲେ ଓ ତାଙ୍କ ଏଫ :ଆଇ :ଆର ବିଷୟରେ ପଚାରିଲେ।ହେଲେ ଥାନା ଅଧିକାରୀ ବିଗିଡି ଯାଇ କହିଲେ ତୁମେ କାହିଁକି ବାରମ୍ବାର ଥାନାକୁ ଆସୁଛ ? 

କହିଲି ପରା ଏହା ଏକ ହିଟ୍ ଏଣ୍ଡ ରନ୍ କେସ୍ ଜାତୀୟ ରାଜପଥରେ ଏମିତି କେତେ ହାଇୱା ଚାଲୁଛି କେଉଁ ଡ୍ରାଇଭର ଓ କେଉଁ ଗାଡି ଏ ଘଟଣା ଘଟାଇଥିବ କେମିତି ଜଣା ପଡିବ ? ଦୁର୍ଘଟଣା ସ୍ଥଳରେ ସିସି ଟିଭି କ୍ୟାମେରା ତ ନଥିଲା !!!


ତା ମାନେ ଯେଉଁଠି ସିସି ଟିଭି କ୍ୟାମେରା ନଥିବ ସେଇଠି ହତ୍ୟା ହେଲେ ବି ପୋଲିସ ନୀରବ ରହିବ !!!!

ଥାନା ବାବୁ ଟେନ୍ସନରେ ଆସିଯାଇ କହିଲେ ଆପଣ ଏଠୁ ଯାଇ ପାରନ୍ତି ।ଆମେ ଖୋଜୁଛୁ ଯଦି କିଛି ରେଜଲ୍ଟ ଆସିଲା କହିବୁ।


ରାଜୀବ ବାବୁ ଥାନା ଅଧିନାରୀଙ୍କ ବ୍ୟବହାରରୁ ଜାଣିଦେଲେ ତାଙ୍କର ଏହି କେସ୍ ପ୍ରତି ସମ୍ବେଦନଶୀଳତା।ସେ ଉପାୟଶୂନ୍ୟ ଥିଲେ କିନ୍ତୁ ତାଙ୍କର ଜିଦ୍ଦି ଥିଲା ସେ ଯେମିତି ହେଲେ ଦୁର୍ଘଟଣାର କାରଣ ଖୋଜି ବାହାର କରିବେ।


ଦୁଇ ତିନି ଥର ପୁନଶ୍ଚ ଥାନାକୁ ଆସି ବିଫଳ ହେଲେ...

ଥାନା ବାବୁ ବିରକ୍ତ ହେଇ କହିଲେ ଆମ ପାଖରେ ଅନେକ କାମ ପଡିଛି।ଆମେ ଯେଉଁଟା ଜରୁରୀ ସେଇଟା ଆଗେ କରୁଛୁ।ତା ଛଡା ଆମ ପାଖରେ ଷ୍ଟାଫ ଓ ଗାଡି ମଧ୍ୟ କମ୍।


ତାଛଲ୍ୟ କରି କହିଲେ...

ଆପଣ ଅପରାଧୀକୁ ନିଜେ ଖୋଜନ୍ତୁ ପାଇଲେ ଆମକୁ ଜଣାଇଦେବେ ଆମେ ଗିରଫ କରି ଆଣିବୁ।।


ରାଜୀବ ବାବୁଙ୍କ ଜିଦ୍ଦି ଆହୁରି ବଢ଼ିଲା ...

ସବୁବେଳେ ଆସି ରାଜପଥରେ ଠିଆ ହୋଇ ହାଇୱା ଗୁଡିକୁ ନିରୀକ୍ଷଣ କରନ୍ତି।କିଛି ଦିନ ଅନୁଧ୍ୟାନ ପରେ ସେ ଜାଣିଗଲେ ଏ ଗାଡି ଗୁଡିକ ନିକଟସ୍ଥ କାରଖାନାକୁ ନିର୍ମାଣକାମ ପାଇଁ ବଡ଼ ବଡ଼ ପଥର ନେଇ ଯାଉଛନ୍ତି।ସମସ୍ତ ଗତିବିଧି ଲକ୍ଷ କରୁଥାନ୍ତି ତନ ତନ କରି।


ଦିନେ ଯାଞ୍ଚକାରୀ ପୋଲିସର ଛଦ୍ମ ବେଶରେ ଲୋଡ଼ ଗାଡି ଗୁଡିକ ଓଜନ ହେଉଥିବା ଓଜନ କଣ୍ଟାରେ ପହଞ୍ଚିଲେ ଓ ସେଠିକାର ଦୁର୍ନୀତି ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ହାଇୱା ଗୁଡିକ ନିଜ ଆଦେଶ ଓଜନଠୁ ପାଞ୍ଚ ଟନ୍ ଅଧିକ ମାଲ ପରିବହନ କରୁଛନ୍ତି।ଡ୍ରାଇଭରକୁ ଦୁଇ ପଇସା ଅଧିକା ମିଳିଯାଏ। ଓଭର ଲୋଡିଙ୍ଗ ଲୋଭ ହିଁ ଗାଡିର ଭାରସାମ୍ୟ ଯିବାର ମୁଖ୍ୟ କାରଣ।ଏହି ଓଭର ଲୋଡିଙ୍ଗ ଦୁର୍ନୀତିରେ ସ୍ଥାନୀୟ ପୋଲିସ, କଣ୍ଟ୍ରାକ୍ଟର, ନେତା ସଭିଏଁ ସାମିଲ।

କଣ୍ଟାଘରର ମାଲିକ ତାଙ୍କୁ ଲାଞ୍ଚ ଯାଚି କହିଲା ଆଜ୍ଞା ଏମିତି ଚାଲେ।

ଆପଣ ନୂଆ ନୂଆ ଆସିଛନ୍ତି ଧୀରେ ଧୀରେ ବୁଝିଯିବେ।ତା ଛଡା ହାଇୱା ଗୁଡିକ ସ୍ଥାନୀୟ ବିଧାୟକଙ୍କର ଅଟେ।ସେ ଓଜନ ଅନୁସାରେ କମ୍ପାନୀଠୁ ଭଡା ପାଆନ୍ତି।ରାଜରାସ୍ତାରେ ଏମିତି ହୁଏ।ନହେଲେ ଦେଶର ଉନ୍ନତି କେମିତି ହେବ ଯେ ?

ଛଦ୍ମବେଶରେ ଥିବା ରାଜୀବ ବାବୁ ସେ ନିର୍ମାଣସ୍ଥଳୀକୁ ଯାଉଥିବା ସମସ୍ତ ଗାଡି ଓ ତାର ଚାଳକଙ୍କ ବିଷୟରେ ଅତି ଚତୁରତାର ସହ ତଥ୍ୟ ହାସଲ କରି ସେଠୁ ସେଦିନ ଚାଲି ଆସିଲେ।


ମନେ ମନେ ଭାବିଲେ ଏ ତଥ୍ୟ ସବୁ ଜିଲ୍ଲା ପୋଲିସ ବିଭାଗ ମୁଖ୍ୟଙ୍କୁ ଦେଇ, ହେଉଥିବା ମହାଦୁର୍ନୀତି ବିଷୟରେ ତାଙ୍କୁ ଜଣାଇବେ,

ଓ ତା ସଙ୍ଗେ ସଙ୍ଗେ ତାଙ୍କ ପୁତ୍ର ଡୁଗୁ ଓ ଶାଳକ ମିତୁର ହତ୍ୟା କରିଥିବା ବେପରୁଆ ଡ୍ରାଇଭରକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରି ସମସ୍ତଙ୍କୁ ଏହି କଳାକାରନାମା ବିଷୟରେ ଅବଗତ କରାଇବେ।


ସମାଜରେ ବିଷବୃକ୍ଷ ପରି ବଢିଚାଲିଥିବା ଏମିତି ଅନେକ ଦୁର୍ନୀତି କେଉଁଠି ନା କେଉଁଠି କାହାକୁ ଅପରାଧୀ ସଯାଉଛି ତ କେତେବେଳେ ନିରୀହ ନିର୍ଦୋଷଙ୍କ ପ୍ରାଣ ଯାଉଛି।

ଆମ ବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଏହି ଦୁର୍ନୀତି ହିଁ ଆମ ସମାଜକୁ ରସାତଳଗାମୀ କରିଚାଲିଛି।

ଆପଣ ମାନଙ୍କୁ କଣ ଲାଗୁଛି, ଜିଲ୍ଲା ପୋଲିସ ମୁଖ୍ୟଙ୍କ ଦ୍ଵାରା ରାଜୀବ ବାବୁ ନ୍ୟାୟ ପାଇବେ ନା ତାଙ୍କୁ ଆହୁରି ଉପରକୁ ଯିବାକୁ ପଡ଼ିବ ??

ମତାମତ ଅପେକ୍ଷାରେ........



Rate this content
Log in

Similar oriya story from Tragedy