ନୂଆବର୍ଷର ଗୀତ
ନୂଆବର୍ଷର ଗୀତ


ଏବେ ଏମିତି ହୋଇଛି କାହାର ସୁଖ ଦୁଃଖ ଠିକ୍ ଭାବରେ ଆକଳନ କରିବା ସହଜ ହେଉନାହିଁ।
ଏଇନା ଦେଖିବ ତ ସୁଖୀ ସମସ୍ତେ, ପର ମୁହୂର୍ତ୍ତରେ ଦୁଃଖି।
ଗାଆଁଟା ଯେମିତି ଥିଲା ସେମିତି।ସହରଟା ବି।ଜୀବନ,ଦିନ ରାତି ଏଠି ବିତୁଛି ସହଜରେ ସମସ୍ତଙ୍କର।
ସମସ୍ତେ ନିଜ ନିଜ ଅଭିନୟରେ ବ୍ୟସ୍ତ।ନାହିଁ ରଙ୍ଗ ମାଖିବାର ଆବଶ୍ୟକତା, ନାହିଁ ପ୍ରତିଯୋଗିତା, ନାହିଁ ବି କିଛି ହରେଇ ଦେବାର ଭୟ।
କିଏ କୁଆଡ଼େ ଯାଏ, କିଏ କାହା ସହିତ ବନ୍ଧୁତା ବାନ୍ଧେ,କେଉଁ ନାରୀର ଇଜ୍ଜତ ଯାଏ,କିଏ ଭୋକରେ ଆଉଟୁ ପାଉଟୁ ହୁଏ, କାହା ଛୁଆ ଲଙ୍ଗଳା ହୋଇ ବୁଲେ,କିଏ ମାଟି କାଦୁଅରେ ଲଟର ପଟର ହେଉଥାଏ - କେହି କିଛି ବୁଝନ୍ତିନି।
ଇଚ୍ଛାକୁ ନେଇ କେତେ କ'ଣ ଘଟୁଥାଏ ଏଠି।ଅନିଚ୍ଛାକୁ ନେଇ ବି।ସ୍ବପ୍ନ କାହା ପାଖକୁ ଆସେ ତ କାହା ପାଖକୁ ଆସେ ନାହିଁ।ବଡ କଥା ହେଲା ସମୟର ଦୀର୍ଘକାୟ ପାଟି ଭିତରେ ସବୁ ହଜିଯାଏ।
କରୁଣ ଦୃଶ୍ୟଟିଏ ଉଭା ହୋଇଯାଏ ବେଳେବେଳେ ଆଖି ସାମ୍ନାରେ, ହେଲେ ତାହା କରୁଣ ପରି ଲାଗେନା।ରହସ୍ୟମୟ ଘଟଣା ଘଟୁଥାଏ ବାରମ୍ବାର, ହେଲେ ଭେଦି ହୁଏନା ସେଇ ରହସ୍ୟର ପୃଥିବୀକୁ।କେତେବେଳେ କାହାର କ'ଣ ହୋଇଯାଏ, ଭାବିଲେ କେମିତି କେମିତି ଲାଗେ।ହେଲେ ଏତେ ସବୁ କଥା ଦେଖିବାକୁ,ବୁଝିବାକୁ କାହାରି ପାଖରେ ସମୟ ନଥାଏ।
ଗାଆଁ ମଣିଷ ଓ ସହର ମଣିଷ - କେହି କାହାଠାରୁ ଅଲଗା ଜଣା ପଡନ୍ତିନି। ଜୀବନ ଜୀଇଁବା ପାଇଁ ସମସ୍ତେ ବ୍ୟସ୍ତ।କିଏ କିପରି ବଞ୍ଚୁଛି କହିବା କଷ୍ଟ।କିଏ ଏଠି ବ୍ରେକ୍ ଫାଷ୍ଟ ବୁଝେନାହିଁ ତ କିଏ ଜାଣେନାହିଁ ଲଞ୍ଚ୍ କ'ଣ।ଡିନର୍ ର ମାନେଟା ବି କାହାକୁ କାହାକୁ ଜଣା ନଥାଏ।
ସ୍ବାସ୍ଥ୍ୟ କଥା କାହାକୁ କିଏ ପଚାରୁଛି ଯେ ଏଠି ! ଯଦି ବା କିଏ ପଚାରିଲା ଉତ୍ତର ଆସିବ - ଭଲ ଅଛି।ବାଃ ! ସମସ୍ତେ ଏଠି ଭଲରେ ଅଛନ୍ତି।କି ସୁନ୍ଦର ଦୁନିଆ ଇଏ ! ହଁ,କିଏ ଏହାକୁ ଅସୁନ୍ଦର ବୋଲି କହେ କି !
ଏଠି ଜୟ ପାଇଁ ପ୍ରସ୍ତୁତ ସମସ୍ତେ।ପରାଜୟ ପାଇଁ ବି।ଅନ୍ୟ ପାଇଁ ଖାତିର୍ ଯେତିକି ବେଖାତିର୍ ବି ସେତିକି।କି ଯେ ଦୁନିଆ ଇଏ !ଟିକେ ଗଭୀର ଭାବରେ ଭାବିଲେ ବୁଡ଼ି ମରିବାକୁ ଇଚ୍ଛା ହୁଏ ପରା।
ଏଠି ମଣିଷ କେଉଁ ପୁରୁଣା କାରଖାନାର ଦଦରା ମେସିନ୍ ର ଜୀବନ ବଞ୍ଚୁଥାଏ।ଥରେ ଅସଜ ହୋଇଗଲେ ସଜାଡିବା ମୁସ୍କିଲ।ମଣିଷ ମେସିନ୍ ସଜାଡେ।ମଣିଷକୁ ବା ସଜାଡିବ କିଏ ! କିଏ ଏଠି ଅଛି ସେମିତି !
ତେବେ ନୂଆବର୍ଷ ! ତୁମେ କାହିଁକି ଆସିଛ ? ତୁମ ଆସିବାଟା ସଂପୂର୍ଣ୍ଣ ଅର୍ଥହୀନ।କିଏ ଏଠି ନୂଆ ହେବ ଯେ ! ବଦଳିବ କିଏ !
ହେଲେ ତୁମେ କ'ଣ ଜାଣିଛ ଏକଥା ? .........ବୁଝିଛ ?
ମଣିଷ କିନ୍ତୁ ଜାଣିଛି ତୁମକୁ।ବୁଝିଛି ବି।ନହେଲେ ସିଏ କି ଗାଉଥାନ୍ତା ' ନୂଆବର୍ଷର ଗୀତ ' !!!