STORYMIRROR

ayiswarya maharana

Inspirational

3  

ayiswarya maharana

Inspirational

ନୂଆ ଅତିଥି

ନୂଆ ଅତିଥି

3 mins
300

ମାତୃଗର୍ଭରେ ଥିବା ଜୀବ ସତ୍ତା ଟି ନିଜର କୁନି କୁନି ପାଦ ଦୁଇଟିରେ ପଦାଘାତ କରି ନିଜର ଉପସ୍ଥିତିକୁ ଜାହିର କରୁଥିଲା।ମା ଟି ଗର୍ଭ ଉପରେ ଧିରେ ଅତି ସ୍ନେହରେ ହାତ ରଖି ଅଜନ୍ମା ଶିଶୁଟିକୁ ଅନୁଭବ କରୁଥିଲେ।ଶିଶୁଟି ଗର୍ଭ ଭିତରେ ରହି ଯେମିତି କହୁଥିଲା,"ମା!! ମୁଁ କେଉଁଠି ଅଛି?ଏ ଭିତରେ ତ ଖାଲି ଅନ୍ଧାର। ଭାରି ଭୟ ଲାଗୁଛି। ତୁମ ପାଟି ଶୁଣି ମୁଁ ବୁଝେ ତୁମେ ମୋ ପାଖରେ ଅଛ। ସେଥିପାଇଁ ତ ମୁଁ ଖୁସି ହୋଇ ପଦାଘାତ କରି ମୋ ଉପସ୍ଥିତି ଜଣାଇ ଦିଏ। ତାପରେ ଯେବେ ତୁମ ସ୍ନେହଭରା ସ୍ପର୍ଶ ର ଛିଟା ଦିଅ ମୁଁ ଆହୁରି ଖୁସି ହୋଇଯାଏ। ମାଆ , କେହି କହୁଥିବାର ମୁଁ ଶୁଣିଛି କୁଆଡେ ମୁଁ ବହୁତ୍ ଶୀଘ୍ର ବାହାରକୁ ଯିବି। ତୁମ ସେ ଅମୃତମୟୀ ସୁନ୍ଦର ମୁହଁଟି ଦେଖିବି।

ମାଆ!!! ଜାଣିଛ ମୁଁ ମଧ୍ୟ ତୁମ ପରି ଝିଅଟିଏ।ତୁମେ ବହୁତ୍ ଖୁସି ନା ମାଆ? ମୁଁ ଜାଣେ ତୁମେ ମାତେ ବହୁତ୍ ଭଲ ପାଅ। ମୋ ସୁସ୍ଥ ଶରୀର ପାଇଁ ତୁମେ ନିଜର ରୁଚି ନହେଲେ ମଧ୍ୟ ହିତକର ଖାଦ୍ୟ ଖାଉଛ।ନିରୋଳା ରେ ମୋ ସହ କେତେ ଗପିଯାଅ। ସତରେ ମାଆ ତୁମ ସ୍ୱର କେତେ..... ମିଠା। ତୁମେ ଖୁସି ହେଲେ ମୁଁ ମଧ୍ୟ ଖୁସି ହୋଇଯାଏ। ତୁମେ କାନ୍ଦିଲେ ମୋତେ ଭାରି ଦୁଃଖ ଲାଗେ। ବ୍ୟସ୍ତ ହୁଅନି ମାଆ। ମୁଁ ବାହରକୁ ଗଲେ ତୁମର ମୋର ସାଙ୍ଗ ହେବା।ତୁମର ସବୁ ସୁଖ ଦୁଃଖରେ ମୁଁ ସହଭାଗିନି ହେବି।ମୋ ପାଇଁ ତୁମେ କୁନି କୁନି ପୋଷାକ ଆଣିଦେବ, କଣ୍ଢେଇପରି ସଜେଇଦେବ। ମୋ କୁନିପାଦରେ ଘୁଙ୍ଗୁର ପାଉଁଜି ପିନ୍ଧି ଅଗଣା ସାରା ଛମ୍ ଛମ୍ କରି ଘୁରି ବୁଲିବି।କୁନି ପାଟିରେ ଖନେଇ ଖନେଇ କଥା ହେବି। ପାପା ଙ୍କ କାନ୍ଧରେ ଲାଉ ହେବି।ଜେଜେ ବାପା ଙ୍କ ପାଖେ ଗେହ୍ଲା ହେବି। ଜେଜେ ମାଙ୍କ ଠାରୁ ଗପ ଶୁଣିବି। ମୁଁ ସତ କହୁଛି ନା ମାଆ।

ମାଆ ମୁଁ ଆଉ ଏଇ ଅନ୍ଧାର ଭିତରେ ରହିପାରୁନି। ଜାଗା ମଧ୍ୟ କମ୍ ହେବାରେ ଲାଗିଲାଣି। ଭାବୁଛି ମୁଁ ଏବେ ବାହରକୁ ଯିବି। ତୁମକୁ ବହୁତ୍ କଷ୍ଟ ହେଉଛି ନା ମାଆ। ମୋତେ ମଧ୍ୟ ଏହି ସଂକୀର୍ଣ୍ଣ ପଥରେ ଯିବାକୁ କଷ୍ଟ ହେଉଛି। କିନ୍ତୁ ଯିବାକୁ ତ ହେବ, ଟିକିଏ ଧୈର୍ଯ୍ୟ ରଖ ମାଆ। ମୁଁ ଜାଣେ ତୁମେ ମତେ ଦେଖିଲେ , ସବୁ କଷ୍ଟକୁ ଭୁଲିଯାଇ ମୋତେ ଗ୍ରହଣ କରିବ।

ମୋତେ ଏହି ସୁନ୍ଦର ଦୁନିଆଟିକୁ ଆଣିଥିବାରୁ ତୁମକୁ ଧନ୍ୟବାଦ୍ ମାଆ। ହେଲେ ତୁମଠାରୁ ବିଚ୍ଛିନ୍ନ ହେବାପରେ ବହୁତ୍ ଥଣ୍ଡା ଲାଗୁଛି ମାଆ, ମୋତେ ତୁମ ଛାତିରେ ଧରିନିଅ, ମୁଁ ତୁମ ଦେହର ଉଷ୍ମତା କୁ ଖୋଜୁଛି। କେତେ କାନ୍ଦୁଛି, ଏମାନେ ପୁଣି କିଏ ଯେ, ଏତେ ସମୟ ମୋତେ ପାଖରେ ରଖିଛନ୍ତି।

ସେମାନେ ଆସି ଏବେ ତୁମକୁ କହିଗଲେ ମୁଁ ଗୋଟିଏ ଝିଅ।ତୁମ ଓଠରେ ଏକ ଆତ୍ମତୃପ୍ତିର ହସ ସହ ଆଖିରେ ଲୁହ ଦେଖି ମୁଁ ବୁଝିଗଲି ତୁମେ ମୋତେ ପାଇ ବହୁତ୍ ଖୁସି ।ମାଆ ସତରେ ତୁମ ପାଖରେ ଆସି ମୋ ସ୍ବର୍ଗ ପାଇଯାଇଛି। ଦେଖ ମାଆ ମୁଁ କିପରି ତୁମ ଆଙ୍ଗୁଠିକୁ ମୋ କୁନି ହାତରେ ଧରିଛି, ମୁଁ ଜାଣେ ତୁମେ ଏହି ମୁହୂର୍ତ୍ତକୁ ମନେ ରଖିବ। ତୁମେ ମତେ ଛାଡ଼ି ଯୁଆଡେ ଗଲେ ମଧ୍ୟ ମୁଁ ଜାଣିପାରିବି ଯେ,ତୁମ ଦେହର ବାସ୍ନା ସହ ଯେ ମୁଁ ଭଲ ଭାବରେ ପରିଚିତ।

ମାଆ, କେହି ଜଣେ ଆମ ପାଖକୁ ହସି ହସି ଆସୁଛନ୍ତି ।ସେ ବୋଧ ହୁଏ ମୋ ବାପା।ହେଲେ ସେ ମୋତେ ତୁମଠାରୁ କାହିଁକି ନେଇଯାଉଛନ୍ତି। ସେ କ'ଣ ମୋତେ ତୁମଠାରୁ ଅଲଗା କରି ନେବେ। ବାପା କେତେ ଅଜବ ଲୋକ। ମୁଁ ମାଆ କୁ ଛାଡ଼ି ଆସିବିନି ବୋଲି ଏତେ କାନ୍ଦୁଛି। ଅଥଚ ସେ ପୂର୍ବ ଭଳି ହସି ହସି ମୋତେ ତୁନି କରିବାକୁ ଚେଷ୍ଟା କରି ବାହାରକୁ ଆଣୁଛନ୍ତି। ସେ ଜଣେ ସ୍ତ୍ରୀ ଲୋକଙ୍କ ସହ କଥା ହୋଇ କହୁଛନ୍ତି,"ମ୍ୟାଡାମ୍,ମୋ ଝିଅ କୁ ମୁଁ ଆପଣଙ୍କ ଭଳି ଡାକ୍ତର ଟିଏ କରିବି"।ଏତିକି ଶୁଣି ମୁଁ ଏବେ ନିଶ୍ଚିତ ହେଲି।ସତରେ ବାପା ମୁଁ କେତେ ଭାଗ୍ୟବତୀ। ଏଥର ମୁଁ କାନ୍ଦ ବନ୍ଦ କରି ବାପାଙ୍କୁ ଦେଖି ଟିକିଏ ହସିଦେଲି।ବାପା ମୋ ହସ ଦେଖି ଟିକିଏ ଗେଲ କରିଦେଲେ।

ମାଆ ଆଜି କ'ଣ କି ଆମ ଘରେ ଏତେ ଗହଳି। ସମସ୍ତେ ଆସି ମୋତେ ଏତେ ସ୍ନେହ ଦେଉଛନ୍ତି।ତମେ ମୋତେ ଏତେ ସଜେଇ ଦେଇଛ। ତୁମେ ମଧ୍ୟ ଆଜି ଖୁବ୍ ସୁନ୍ଦର ଦିଶୁଛ। ଜେଜେମା ମୋତେ ନେଇ ଏ କେଉଁ ପୂଜା ରେ ବସିଲେ।ପୂଜା ଜାଗାଟି ଖୁବ୍ ସାଜ ସଜ୍ଜା ହୋଇଛି।ଏକ ସୁଗନ୍ଧିତ ବାତାବରଣ। ଆଚ୍ଛା ତାହେଲେ ଆଜି ମୋର ନାମକରଣ ଉତ୍ସବ। ସମସ୍ତେ ମୋ ନାମ ରଖିଲେ "ସଂପୂର୍ଣ୍ଣା"।

ସତରେ ମାଆ ମୁଁ ଏହିଭଳି ଏକ ପରିବାର ପାଇ ସଂପୂର୍ଣ୍ଣା ହୋଇଛି। ଝିଅ ଟିଏ ପାଇଁ ଆଉ କ'ଣ ଲୋଡା।ସାଦରେ ଗ୍ରହଣ କରିପାରୁଥିବା ପରିବାର ଟିଏ ହିଁ ଯଥେଷ୍ଟ।ହେଲେ ମାଆ , ମୁଁ କୁନି ଅତିଥି ନୁହେଁ କୁନି ସଦସ୍ୟ ଟିଏ ହେବାକୁ ଚାହୁଁଛି।

ଜେଜେମା କହୁଥିଲେ ମୁଁ ତାଙ୍କ ଘରକୁ ଲକ୍ଷ୍ମୀ ହୋଇ ଆସିଛି। ସେଥିପାଇଁ ସଫେଦ୍ କପଡ଼ାରେ ମୋ ଅଳତା ଭିଜା ଦୁଇ କୁନି ପାଦ ଚିହ୍ନ କୁ ସାଇତି ରଖିଛନ୍ତି।ମୁଁ ବହୁତ୍ ଭାଗ୍ୟବତୀ। ସବୁ ଝିଅଙ୍କୁ ତାଙ୍କ ପରିବାର ଲକ୍ଷ୍ମୀ ଠାକୁରାଣୀ ଭାବେ ଗ୍ରହଣ କରନ୍ତୁ...... ବିଶ୍ୱ ସ୍ରଷ୍ଟା ଙ୍କ ନିକଟରେ ମୋର ଏତିକି ଅଳି।

ଝିଅ ବୋଝ ନୁହେଁ। ଝିଅ ହିଁ ଘରକୁ ସୁଖ ,ସମୃଦ୍ଧି ,ସମ୍ମାନ ଆଣିଥାଏ। ଝିଅ ହିଁ ସମାଜକୁ ସଂସ୍କାର ଦେଇ ସୁସ୍ଥ ସମାଜ ଗଠନ କରେ। ମମତାର ସୂତ୍ରରେ ପର ଆପଣା ସଭିଙ୍କୁ ବାନ୍ଧି ରଖେ। ତେଣୁ ସେ ଯୁଗେ ଯୁଗେ ଚିର ବନ୍ଦନୀୟା।



Rate this content
Log in

Similar oriya story from Inspirational