ନକଲି ସୁନାର ଅସଲି ପ୍ରଭାବ
ନକଲି ସୁନାର ଅସଲି ପ୍ରଭାବ
ଓଃ କି ଗରମ ! ସବୁରି ତୁଣ୍ଡରେ ସେଇ ଗୋଟିଏ କଥା ସେଦିନ ରାମଚନ୍ଦ୍ର ବାବୁ ବି ଏମିତି ଗରମରେ ଡହଳବିକଳ ହୋଇ ପାହାନ୍ତା ପ୍ରହରକୁ ତାଙ୍କ ଆଖି ଟିକିଏ ଲାଗିଛି କି ନାହିଁ, ହଠାତ୍ ଫୋନ୍ ର ଘଣ୍ଟି ଶବ୍ଦ ରେ ଚମକି ଉଠି ପଡିଲେ । ଫୋନ୍ ରେ ତାଙ୍କ ପୁଅ ଉତ୍ତମ - ବାପା, ବାପା ବୋଉ ଦେହ ଭାରି ଖରାପ ତୁମେ ଶୀଘ୍ର ଘରକୁ ଆସ। ପୁଅର କଥା ଶୁଣି ବ୍ଯସ୍ତ ହୋଇ ପଡିଲେ ରାମଚନ୍ଦ୍ର। ଆଉ କିଛି ନ ପଚାରି ଦରଖାସ୍ତ ଟିଏ ଲେଖିଦେଇ ବନ୍ଧୁ ଙ୍କ ହାତରେ ଦେଇ ବାହାରିଲେ ଗାଁ ଅଭିମୁଖେ। ବସ୍ ଯୋଗେ ଗାଁ ରେ ପହଞ୍ଚିବାକୁ ୪ଘଣ୍ଟା ସମୟ ଲାଗେ ।
ସେ ଥିଲେ ଜଣେ କିରାଣୀ । ପୁଅ ଉତ୍ତମ ଦଶମ ଶ୍ରେଣୀ ରେ ପଢୁଥାଏ। ପଢାରେ ଅସୁବିଧା ହେବ ଭାବି ପରିବାର କୁ ସାଙ୍ଗ ରେ ନ ନେଇ ଏକୁଟିଆ ଘରଭଡା ନେଇ ରହୁଥାନ୍ତି । ବସ୍ ରେ ଯାତ୍ରା ସମୟରେ ତାଙ୍କ ମନରେ ଅନେକ ପ୍ରଶ୍ନ କ'ଣ ହୋଇଛି କ'ଣ ନାହିଁ ଏମିତି ଭାବୁ ଭାବୁ ବ୍ଯସ୍ତ ବିହ୍ବଳିତ ମନରେ ନିଜ ଗାଁ ରେ ପହଞ୍ଚିଲେ । ସେଠି ପହଞ୍ଚି ଯାହା ଦେଖିଲେ ତାହା ତାଙ୍କର ବିଶ୍ବାସ ହେଲା ନାହିଁ।ସ୍ତ୍ରୀ ତାଙ୍କର ଇହଧାମ ତ୍ଯାଗ କରିସାରିଲେଣି । ଅଧର୍ଯ୍ଯ ଓ ଆଶ୍ଚର୍ଯ୍ୟ ହୋଇ ପୁଅକୁ ପଚାରିଲେ କ'ଣ ହେଲା- ତୋ ବୋଉ ର ଏଇ ୮ ଦିନ ହେବ ମୁ ଗାଁ ରୁ ଯାଇଥିଲି ସେତେବେଳେ ତ ତୋ ବୋଉ ବହୁତ ସୁସ୍ଥ ଥିଲା ମଝିରେ ଫୋନ୍ ବି କରିଥିଲି। ତୁ ତ କିଛି କହିନଥିଲୁ ପୁଅ କହିଲା ବାପା, ବୋଉ ମନା କରିଥିଲା ତା ଦେହ ଖରାପ କଥା ତୁମକୁ କହିବାକୁ। ଏଇ କିଛି ଦିନ ପୂର୍ବ ରୁ ବୋଉ ସର୍ବଦା କୌଣସି ଚିନ୍ତା ରେ ବୁଡି ରହୁଥିଲା । ଖିଆ ପିଆ କରୁନଥିଲା ବିଛଣା ରେ ପଡିରହି ବେଳେବେଳେ ଚିତ୍କାର ବି କରୁଥିଲା ଧର ଧର ତାକୁ ମୋର ସର୍ବସ୍ବ ଲୁଟି ମୋତେ ସର୍ବସ୍ବାନ୍ତ କରିଦେଲା , ପ୍ରଳାପ କରୁ କରୁ ଅଚେତ ହୋଇପଡୁଥିଲା। ବୋଉ ର ଅବସ୍ଥା ଶୋଚନୀୟ ହେବାରୁ ମୁଁ ପଡୋଶୀ ମାଉସୀ ଙ୍କ ସହାୟତା ରେ ବୋଉକୁ ଡାକ୍ତରଖାନା ନେଇଥିଲି। ଡାକ୍ତର କ'ଣ ସବୁ ପରୀକ୍ଷା କରି ଔଷଧ ଲେଖିଦେଲେ। ବୋଉ କୁ କ'ଣ ହୋଇଛି ବୋଲି ପଚାରିବାରୁ ଡାକ୍ତର କହିଲେ ମେଣ୍ଟାଲ ଡିସ ଅର୍ଡର ।
ଔଷଧ ସେବନରେ ମଧ୍ଯ ବୋଉ ର ସ୍ବାସ୍ଥ୍ଯ ରେ କୌଣସି ସୁଧାର ଆସିଲା ନାହିଁ ଏଣେ ବୋଉ ମୋତେ ମନା କରୁଥାଏ ତୁମକୁ କହିବାକୁ । ଏମିତି ବାପ ପୁଅ ଙ୍କ କଥୋପକଥନ ସମୟରେ ଘରକୁ ଆସନ୍ତି ପ୍ରତିମା ଦେବୀ ଯିଏ ଉତ୍ତମକୁ ସାହାଯ୍ୟ କରିଥିଲେ। ପ୍ରତିମା ଦେବୀ ଦଉଡିଯାଇ ନିଜ ସାଙ୍ଗ ର ଶବକୁ କୁଣ୍ଢାଇ ବାହୁନି ବାହୁନି କାନ୍ଦିବାରେ ଲାଗିଲେ କିଛି କ୍ଷଣ ପରେ ସେ କ୍ଷୁବ୍ଧ ହୋଇ କହିଲେ ନିଆଁ ଲଗା ଚୋର ମୋ ସାଙ୍ଗ ର ସୁନା ତକ ନେଲା ନାହିଁ ଯେ ମୋ ସାଙ୍ଗ କୁ ମୋ ଠୁ ଛଡାଇ ନେଲା
।ତାଙ୍କ ମୁହଁ ରୁ ଏଇ କଥା ଶୁଣି ବାପ ପୁଅ ଆଶ୍ଚର୍ଯ୍ଯ ହୋଇ ପ୍ରତିମା ଦେବୀ ଙ୍କୁ ପଚାରିଲେ ଘଟଣା ଚୋର, ସୁନା ଏସବୁ କ'ଣ କହି ଯାଉଛ । କ'ଣ ହୋଇଥିଲା ଆମକୁ କୁହ !
ପ୍ରତିମା ଦେବୀ - ଆମେ ଦୁଇ ସାଙ୍ଗ ପ୍ରତିଦିନ ପ୍ରାତଃ ଭ୍ରମଣ ରେ ଯାଉ । ସେଦିନ ବି ବ୍ରାହ୍ମ ମୂହୁର୍ତ୍ତରୁ ଆମେ ୨ ସାଙ୍ଗ ପ୍ରାତଃଭ୍ରମଣରେ ଯାଇଥିଲୁ।ଝାପ୍ସା ଅନ୍ଧାରରେ ନିର୍ଜନ ରାସ୍ତା ରେ ଯାଉ ଯାଉ ହଠାତ୍ ଆମ ରାସ୍ତା ଅଟକାଇଲେ ୨ଜଣ ଚୋର ଆମକୁ ଛୁରୀ ଦେଖାଇ କହିଲେ ତୁମ ପାଖରେ ଯାହା ଅଛି ଶୀଘ୍ର କାଢି ଆମ ହାତରେ ଦିଅ ନହେଲେ ତୁମ ପ୍ରାଣ ଗଲା ବୋଲି ଜାଣ। ଭୟରେ ଆମ ପାଖରେ ଯାହା ଥିଲା ଆମେ ସବୁ ଚୋରମାନଙ୍କ ହାତକୁ ବଢେଇଦେଲୁ । ମୁଁ ଭରିଏ କି ଦି ଭରି ପିନ୍ଧିଥିଲି କିନ୍ତୁ ସ୍ନେହା ୧୫ କି ୧୭ ଭରି ସୁନା ପିନ୍ଧିଥିଲା ମୋତେ କେତେ ଖୁସିରେ କହୁଥିଲା ଆପଣ ସେ ସବୁ ତାପାଇଁ ଆଣିଛନ୍ତି ବୋଲି କିନ୍ତୁ ସେ ଖୁସି ତାର ରହିଲାନି। ପ୍ରତିମା ଦେବୀ ଙ୍କ ମୁହଁ ରୁ ଏକଥା ଶୁଣି ରାମଚନ୍ଦ୍ର ଙ୍କ ମୁହଁ ରୁ କଥା ବାହାରୁ ନଥାଏ ।
ବିଗତ ଦିନର ସ୍ମୁତି କୁ ନିଜର ଭାବନା ଭିତରେ ସାଉଁଟୁଥାନ୍ତି ସେ । ଦିନକର କଥା ବନ୍ଧୁ ମାନଙ୍କ ସହିତ ମେଳା ରେ ବୁଲୁବୁଲୁ ସମସ୍ତ ଙ୍କ ଦୁଷ୍ଟି ପଡେ ନକଲି ସୁନାର ଅସ୍ଥାୟୀ ଦୋକାନ ଉପରେ। ସମସ୍ତେ କିଛି ନା କିଛି କିଣିଲେ ରାମଚନ୍ଦ୍ର ଙ୍କୁ ମଧ୍ଯ ବାଧ୍ଯ କଲେ କିଛି ନେବା ପାଇଁ। ତାଙ୍କର ଇଛା ନଥାଏ। ସେ କହିଲେ ନକଲି ସୁନା ନେଇ କ'ଣ କରିବି । ଅନ୍ୟ ବନ୍ଧୁ ମାନେ କହିଲେ ଆରେ ବାବୁ ଆଜିକାଲି ତ ସବୁ ନକଲି ପୁଣି ଅସଲି ସୁନା ର ଯେଉଁ ମୂଲ୍ଯ କିଣିବା ଆମ ପକ୍ଷେ କଷ୍ଟସାଧ୍ଯ ଆଉ ଯଦି ବା କଣିଲେ ସମାଜର ଯେଉଁ ପରିସ୍ଥିତି ତାକୁ ସ୍ବାଧୀନ ଭାବେ ବ୍ଯବହାର କରିବା ସମ୍ଭବ ନୁହଁ। କଥାଟା ରାମଚନ୍ଦ୍ର ଙ୍କ ମନକୁ ଛୁଇଲା। ସେ ମଧ୍ଯ ୪ ହଜାର ଟଙ୍କା ର ନକଲି ଗହଣା କିଣି ନିଜ ସ୍ତ୍ରୀ କୁ ଦେଇଥିଲେ ଗହଣା ଦେଖି ସ୍ନେହଲତା ଙ୍କ ମନର ଖୁସି ତାଙ୍କ ମନରେ ଉଦ୍ ଭାଷିତ ହେଉଥିଲା।
ନିଜ ସ୍ତ୍ରୀ ର ଖୁସି କୁ ଦେଖି ନକଲି ସୁନା ବୋଲି ଜଣାଇ ତାଙ୍କ ଖୁସିକୁ ନଷ୍ଟ କରିବାକୁ ଚାହିଁଲେନି ରାମଚନ୍ଦ୍ର ବରଂ ଭାବିଲେ ଅସଲି ସୁନା ର ଉପହାର ଦେଇ ମୁଁ ମୋ ସ୍ନେହାର ଇଛା କୁ ପୁରଣ କରିବାକୁ ଚେଷ୍ଟା କରିବି। ପୁଅ ର କ୍ରନ୍ଦନ ଧ୍ବନି ରେ ଜାଗ୍ରତ ହେଲେ ରାମଚନ୍ଦ୍ର ନିଜ କପାଳ ରେ ହାତ ପିଟି କହୁଥିଲେ ହାଏରେ ବିଧାତା ଏ କ'ଣ କଲୁ ମାତ୍ର କେଇ ହଜାର ଟଙ୍କା ର ନକଲି ସୁନା ଆଜି ମୋ ପୁଅକୁ ମା ଛେଉଣ୍ଡ କରିଦେଲା। ରାମଚନ୍ଦ୍ର ଙ୍କ ମୁହଁ ରୁ ଏକଥା ଶୁଣି ସମସ୍ତଙ୍କ ମୁହଁରେ ଗୋଟିଏ କଥା ନକଲି ସୁନା ର କି ଅସଲି ପ୍ରଭାବ ।