ନିଶିଭାଇ
ନିଶିଭାଇ


ସେଦିନ ଅଫିସରେ ବିଶେଷ କିଛି କାମ ନଥିଲା । ନିର୍ଲିପ୍ତା କିଛି ପୁରୁଣା ପ୍ରୋଜେକ୍ଟ ରିପୋର୍ଟକୁ ପଢୁଥିଲା । ଏହି ସମୟରେ ମୋବାଇଲ ରିଂ ହେଲା । ସ୍କୁଲ ସାଙ୍ଗ ନନ୍ଦିତା କରିଥିଲା । ନନ୍ଦିତା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକରେ କାର୍ଯ୍ୟରତ ଏକ NGO ରେ କାର୍ଯ୍ୟକ୍ରମ ସଂଯୋଜିକାଭାବେ କାମ କରେ । ନିର୍ଲିପ୍ତା ମଧ୍ୟ ଚାରିବର୍ଷ ତଳେ ସେହି ସଂଗଠନରେ କାମ କରୁଥିଲା । ସେତେବେଳେ ସେ କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତର ଉତ୍ପତିସ୍ଥଳ ବାଟଡିହୀ (ଉପରକାଦକଳା) ଗାଁରେ ରହୁଥିଲା । ସେଠାରେ ଥିବା ସମୟରେ ଏହି ସଂଗଠନର ମୂଖ୍ୟ ଏକ କ୍ଷେତ୍ରପରିଦର୍ଶନ ସମୟରେ ତାର କାର୍ଯ୍ୟ ଦକ୍ଷତାରେ ଖୁସି ହୋଇ ତାଙ୍କ ସଂଗଠନରେ ରାଜ୍ୟ ସଂଯୋଜିକାଭାବେ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିଦିନ ଠାରୁ ସେ ଭୁବନେଶ୍ବରରେ ଅବସ୍ଥାନ କରୁଛି । ମଝିରେ ମଝିରେ କିନ୍ତୁ ସେହି ଅଂଚଳସବୁକୁ କାର୍ଯ୍ୟକ୍ରମ ତଦାରଖରେ ଯାଏ ।
ଫୋନ୍ ଉଠାଇବାପରେ ନନ୍ଦିତା କହିଲା ଆବେ ତୁ କଣ ଅଫିସରେ ଅଛୁ । ତୋର ଅଫିସଟା କଣ ଫରଚୁନ୍ ଟାୱାର ପାଖରେ କି ? ନିର୍ଲିପ୍ତା ହସିକରି କହିଲା ହଁ ବାବା ତୁପା ଆଗରୁ ଥରେ ଆମ NGO ର ଅଫିସକୁ ଆସିଥିଲୁ । ତୁ କଣ ଭୁବନେଶ୍ବର ଆସିଛୁକି । ସେପଟରୁ ନନ୍ଦିତା ହଁ କହିଲା ଏବଂ କହିଲା ଅଳ୍ପ ସମୟମଧ୍ୟରେ ମୁଁ ଅଫିସରେ ପହଂଚୁଛି । ତୁ ଲଂଚ କରିନଥିବୁ । ସାଙ୍ଗହୋଇ ତୁମ ଅଫିସ କ୍ୟାଣ୍ଟିନରେ ଲଂଚ କରିବା । ନିର୍ଲିପ୍ତା ହସିକରି କହିଲା ଆରେ ତୁ ପହଂଚ ମୁଁ ଖାଇବା ଆଣିଛି । ତାକୁ ଆମେ ଦୁଇଜଣ ଖାଇନେବା । ଯଦି ଦରକାର ହୁଏ ତ ତେବେ କ୍ୟାଣ୍ଟିନରୁ ମଗାଇ ଦେବା । କିଛି ସମୟ ପରେ ନନ୍ଦିତା ଆସି ତା ଅଫିସରେ ପହଂଚିଗଲା । ଉଭୟ ସାଙ୍ଗ ହୋଇ ନିର୍ଲିପ୍ତା ଆଣିଥିବା ଖାଦ୍ୟକୁ ଖାଇସାରିବା ପରେ ନିର୍ଲିପ୍ତା ପଚାରିଲା କଣ ନନ୍ଦିତା ଆଉ କଣ କ୍ୟାଣ୍ଟିନରୁ କିଛି ମଗାଇବି । ନା ନା ଆଉ ଦରକାର ନାହିଁ । ଏତିକିହିଁ ଠିକ ହୋଇଗଲା । କିଛି ସମୟ ଦୁଇବାନ୍ଧବୀ କଥା ହେବାପରେ ନିର୍ଲିପ୍ତା ନନ୍ଦିତାକୁ ପଚାରିଲା ତୁ ଆଜି ମୋ ସଙ୍ଗରେ ମୋ ଘରକୁ ଯିବୁତ । ନନ୍ଦିତାର ସମ୍ମତି ଜଣାଇବାପରେ ତାକୁ ଅଫିସର ଗେଷ୍ଟରୁମରେ ବସାଇ ସେ କିଛି ଇମେଲର ରିପ୍ଲାଇ ଦେବାପରେ ସହଳ ସହଳ ନନ୍ଦିତାକୁ ଧରି ଅଫିସରୁ ବାହାରି ଆସିଲା ଘରକୁ ।
ସ୍ବାମୀ ଅନିକେତ ,ଶାଶୁ ନିହାରିକା ,ଶଶୁର ଦୟାନିଧି ବାବୁ ଓ ପୁଅ ରାଜାକୁ ନେଇ ତାର ଛୋଟିଆ ପରିବାରଟିଏ । ସ୍ବାମୀ ଅନିକେତ ଜାତୀୟ ପରିସଂଖ୍ୟାନ ନିର୍ଦେଶାଳୟରେ ଇନସ୍ପେକ୍ଟର ଭାବେ କାର୍ଯରତ । ମାସରେ ଅଧିକାଂଶ ଦିନ ଟୁରରେ ରହୁଥିବାରୁ ଘରେ ଶାଶୁ ଶଶୁର ଓ ପୁଅକୁ ମିଶାଇ ଘରେ ଚାରିଜଣ ଲୋକ । ଦୁଇଜଣ ଘରେ ପହଂଚି ଚା ଜଳଖିଆ ଖାଇ ଗପରେ ମଜ୍ଜିଗଲେ । ବନ୍ଧୁମାନଙ୍କ କଥା ଓ ବାଂଶପାଳର ବିଭିନ୍ନ ଗାଁ କଥା ଆଲୋଚନା କରିବା ମଧ୍ୟରେ ନିର୍ଲ୍ଲିପ୍ତାର ବାଟଡିହୀ ଗାଁର ପାହୁଡୀ ଭୂୟାଁ ସମ୍ପ୍ରଦାୟର ନିଶି ଦେହୁରୀ କଥା ମନେ ପଡିଗଲା । ବିଧବା ମା , ସ୍ତ୍ରୀ ,ଦୁଇ ପୁଅଙ୍କୁ ନେଇ ଛୋଟିଆ ପରିବାରଟିଏ ନିଶିଭାଇଙ୍କର । ବାଟଡିହୀ ଗଲେ ତାଙ୍କରି ଘରେ ହିଁ ସେ ରହୁଥିଲା । ନିଶିଭାଇ ଚାଷ କରିବା ସହିତ ମିସ୍ତ୍ରୀ କାମ ମଧ୍ୟ କରେ । ବହୁତ ମେଳାପୀ ଓ ପରୋପକାରୀ ନିଶିଭାଇର କେହି ଶତ୍ରୁ ଥିବାର ସେ ଜାଣିନି । ଥରେ ସେ ଭାଉଜଙ୍କୁ ଜ୍ବର ହୋଇଥିଲା । ସେହିଦିନ କଣ ଗୋଟେ କାମରେ ସେ ଗାଁକୁ ଯାଇଥିଲା । ଭାଉଜଙ୍କୁ ଜ୍ବର ହୋଇଥିବାର ଦେଖି ସେ ରୋଷେଇ କାମରେ ଲାଗିପଡିଲା । ଏହି ସମୟରେ ନିଶିଭାଇ ପହଂଚି ଗଲେ ।ତାକୁ ରୋଷାଇ କରୁଥିବାର ଦେଖି ସେତ ଭାଉଜଙ୍କୁ ଗାଳି କଲେ । କହିଲେ ତମେ କଣ ଦିଦିଙ୍କୁ ରୋଷାଇ କରଉଛ । ସେ ଆସି ତାଙ୍କୁ ଭାଉଜଙ୍କ ଦେହ ଖରାପ ହୋଇଥିବାର କଥା କହିବା ପରେ ସେ ଶାନ୍ତ ପଡି କହିଲେ ହଉ ଦିଦି ତମେ ବସ ମୁଁ ରୋଷାଇ କରିଦେଉଛି । ସେ ତାଙ୍କୁ ଭାଉଜଙ୍କୁ ମେଡିକାଲ ନେବାକୁ କହିବାରୁ ଠୋଠୋ କରି ହସି ଉଠିଲା ନିଶିଭାଇ । କହିଲା ଦିଦି ଏଟା କଟକ ଭୁବନେଶ୍ବର ନୁହେଁ । ଏଇଟା ଗାଁଟା । ଏଠି ଶାଗଖିଆକୁ ପେଜଖିଆ ସହିପାରେନି । ଗାଁରେ ବିବାଦି ଲୋକ କିଏ ଗୋଟେ ପାଙ୍ଗି ଦେଇଥିବ(ଗୁଣି ଗାରେଡୀକୁ ଭୂୟାଁମାନେ ପାଙ୍ଗୀ ଦେବା କହନ୍ତି)। ଗୁଣିଆଁ ଡାକି କୁକୁଡା ବଳୀ ଦେବୀଙ୍କ ପାଖରେ ଦେଇଦେଲେ ଭାଉଜ ତମର ପୁରା ଠିକ ହୋଇଯିବ । ଏହା କହି ନିଶିଭାଇ. ରାଉଡିଆ(ଗୁଣିଆଁ)କୁ ଡାକିବାକୁ ଚାଲିଗଲା ।
ଘଣ୍ଟାଏ ମଧ୍ୟରେ ରାଉଡିଆକୁ ଧରି ପହଂଚିଗଲା ନିଶିଭାଇ । ଭାଉଜଙ୍କୁ ଗୋଟେ ଆସନରେ ବସାଇ ରାଉଡିଆ ତାର ପୂଜା ଆରମ୍ଭ କଲା । ବେତକୁ ତଳେ ବାଡେଇ ଗୁଣୁଗୁଣୁ ହୋଇ କଣ ସବୁ ପଢୁଥିଲା ତାକୁ ବୁଝିପାରିନଥିଲା ସେ । ପୂଜା ମଝିରେ ନିଶିଭାଇ ଆଣିଥିବା ଗୋଟିଏ କୁକୁଡା (ଗଂଜା)ର ବେକକୁ ମୋଡି ତାର ରକ୍ତକୁ ନେଇ କିଛି ଚାଉଳ ସହ ମିଶାଇ ଘରର ଚାରିଦିଗକୁ ଫୋପାଡିବାପରେ ରକ୍ତମିଶା ଚାଉଳ ଓ ଭୋଗସହ ଧଳା ବଟିକା ପରି ଦେଖାଯାଉଥିବା କଣଗୋଟେ ଆଣି ଭାଉଜଙ୍କୁ ଖାଇବାକୁ ଦେଲା । ନିର୍ଲିପ୍ତା ଗୁଣିଆଁର ଏ ସବୁ ନାଟକ ଦେଖି ସମ୍ଭାଳି ପାରିଲାନି । ଉଠିଯାଇ ରାଉଡିଆର ବ୍ୟାଗଟାକୁ ତାଠାରୁ ଛଡାଇ ଆଣିଲା । ବ୍ୟାଗଭିତରେ କିଛି ଆଜେବାଜେ ଜିନିଷ ସହ କୁଇନାଇନ୍(ମ୍ୟାଲେରିଆ ଔଷଧ) ସ୍ଟିପ କିଛି ଥିଲା । ରାଗରେ ସେ ରାଉଡିଆକୁ ବହୁତ ଗାଳି କରିବା ସହ ନିଶିଭାଇକୁ ମଧ୍ୟ ସେ ବଟିକା ସବୁ ଦେଖାଇଲା । ଗୁଣିଆଁ ତାର କାରସାଦି ଧରାପଡିଯିବାର ଦେଖି ଆଣିଥିବା ବେତକୁ ତଳେ ପିଟି ତୋର ବଂଶ ବୁଡିଯିବ ,ମା ତୋତେ କଂଚା ଚୋବାଇ ଖାଇଯିବେ କହିକହି ବଳି ଦିଆଯାଇଥିବା କୁକୁଡାଟିକୁ ଧରି ତା ଘରକୁ ପଳାଇଲା । ସେ ନିଶିଭାଇର ମୁହଁକୁ ଚାହିଁଲା । ନିଶିଭାଇ ତାକୁ ହାତ ଯୋଡି ପକାଇ କହିଲା ଦିଦି ଏହା ଆମ୍ଭମାନଙ୍କର ବିଶ୍ବାସର କଥା । ଆମେ ଆଦିବାସୀ ଲୋକମାନେ ସବୁ ଜିନିଷକୁ ଆପଣମାନଙ୍କ ଭଳି ସହରୀଲୋକଙ୍କ ଭଳି ସନ୍ଦେହ ଓ ତାର ପରିକ୍ଷା ନିରିକ୍ଷା କରୁନା । ତାଙ୍କ କଥାରେ ସେ ଆଘାତ ପାଇଲେ ମଧ୍ୟ କିଛି ନକହି ଭାଉଜଙ୍କୁ ବାଂଶପାଳ ମେଡିକାଲ ନେବାର ବନ୍ଦୋବସ୍ଥ କଲା । ନିଶିଭାଇ ମଧ୍ୟ ଏଥିରେ ଆପତ୍ତି କରିନଥିଲା । ସେ ମଧ୍ୟ ମେଡିକାଲ ତା ସହ ଯାଇଥିଲା । ଡାକ୍ତରୀ ଚିକିଛା ପରେ ଭାଉଜ ଭଲହୋଇ ଘରକୁ ଆସିଲେ ।
ତାର କିଛିଦିନ ପରର କଥା । ନିର୍ଲିପ୍ତା ନିଶିଭାଇ ଘରେ ବସି ଲ୍ୟାପଟପରେ କଣ ଗୋଟେ ରିପୋର୍ଟଟେ କରୁଥାଏ । ଜଣେ ସ୍ତ୍ରୀ ଲୋକଟିଏ କାନ୍ଦିକାନ୍ଦି ଆସି ତା ପାଦତଳେ ପଡିଗଲା ଓ କହିଲା ଦିଦି ମୋ ସ୍ବାମୀକୁ ବଂଚାଅ । ହତଚକିତ ହୋଇ ନିର୍ଲିପ୍ତା ସ୍ତ୍ରୀ ଲୋକଟିକୁ ତା ପାଖରେ ବସାଇ ଆଶ୍ବସନା ଦେବାସହ ପଚାରିଲା ଭାଉଜ କଣ ହେଇଛି କୁହ । ମୁଁ ନିଶ୍ଚୟ ସାହାର୍ଯ୍ୟ କରିବି । ସ୍ତ୍ରୀ ଲୋକଟି କଥା ଆରମ୍ଭ କରି କହିଲା ଦିଦି ମୁଁ ରାଉଡିଆ ବୋଇତାଳୁ ଦଣ୍ଡୁଆସୀର ସ୍ତୀ । ତାଙ୍କୁ ବହୁତ ଜର । ଚେତା ବୁଡିଗଲାଣି । ଗାଁର ଲୋକମାନେ ଗାଡି ଡାକିସାରିଲେଣି । ଆପଣଟିକେ ଆମସହ ଆସନ୍ତେନି । ଆମେତ ମୁର୍ଖଲୋକ । ଡେରିନକରି ସେ ସେମାନଙ୍କ ସହ କେନ୍ଦୁଝର ମେଡିକାଲ୍ ବାହାରିଗଲା ।
କେନ୍ଦୁଝର ମେଡିକାଲରେ ପନ୍ଦର ଦିନ ରହି ଡାକ୍ତରୀ ଓୌଷଧ ଖାଇବାପରେ ରାଉଡିଆ ବୋଇତାଳୁ ଦଣ୍ଡୁଆସୀ ଠିକ ହୋଇ ଘରକୁ ଆସିବା ପରେ ତା ଘରେ ରୋଗୀମାନଙ୍କ ଭିଡ ଜମିଲାନି । ତା ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଲା । ସେ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବାରେ ସାହାର୍ଯ୍ୟ କରିବାକୁ ଲାଗିଲା । ଗାଁ ଲୋକମାନେ ମଧ୍ୟ ତାର ଏପରି ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହୋଇଥିଲେ । କିଛିଦିନପରେ ନିର୍ଲିପ୍ତାର ପ୍ରମୋସନସହ ଭୂବନେଶ୍ବର ବଦଳି ହୋଇଗଲା । ମଝିରେ ମଝିରେ ବାଂଶପାଳକୁ ଅଫିସ କାମରେ ଗଲେ କିଛି ଲୋକଙ୍କ ସହ ଦେଖାହେଲେ ସେ ସମସ୍ତଙ୍କ କଥା ପଚାରି ବୁଝେ । ହଠାତ ନନ୍ଦିତାର ଡାକରେ ସେ ଚମକି ପଡିଲା ନିର୍ଲିପ୍ତା । ଆବେ ମୁଁ କେତେ କଥା କହିଗଲିଣି । ତୁ କେଉଁ ଦୁନିଆଁକୁ ପଳାଇଲୁକି । କଣ ଭାଇଙ୍କ କଥା ଭାବୁଥିଲୁକି ? ଆରେ ନା ମୁଁ ନିଶି ଭାଇ ଓ ବାଟଡିହୀର ରାଉଡିଆଙ୍କ କଥା ଭାବୁଥିଲି ।
ନିର୍ଲିପ୍ତାକୁ ଚମକେଇ ଦେଲାପରି କଥା ଆରମ୍ଭ କରି ନନ୍ଦିତା କହିଲା ଆରେ ହଁ ମୁଁ କହିବାକୁ ଭୁଲିଯାଇଥିଲି ମାସେତଳେ ନିଶିଭାଇଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । କଣ କହୁଛୁତୁ । କିପରି ଦୁର୍ଘଟଣା ହେଲା ଓ କେଉଁଠାରେ ହେଲା ନନ୍ଦିତା ବୋଲି ତାକୁ ନିର୍ଲିପ୍ତା ପଚାରିଲା । ଆରେ ନିଶିଭାଇ ତାଙ୍କ ବାଇକରେ କାଦକଳାରୁ ବାଂଶପାଳ ବ୍ଲକକୁ ଯାଉଥିବା ସମୟରେ ନୟାକୋଟ ଛକନିକଟରେ ବିପରୀତ ଦୀଗୁରୁ ଗାଡିଚଳାଇ ଆସୁଥିବା ଦୁଇଜଣ ମଦ୍ୟପ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଦୁଇଟି ଗାଡିର ମୁହାଁମୁହିଁ ଧକ୍କାହେଲାଓ ସେହିଠାରେହିଁ ତିନିଜଣ ଯାକ ମୃତ୍ୟୁବରଣ କଲେ । ଏ ଭଳି ଦୁଃଖଦ ଖବର ନିର୍ଲିପ୍ତାକୁ ହତଚକିତ କରିଦେଇଥିଲା । ଦୁଇହାତରେ ଆଖିରୁ ଲୁହ ପୋଛୁପୋଛୁ ନନ୍ଦିତାକୁ କହିଲା ବୁଝିଲୁ ମୃତ୍ୟୁର ସୌଦାଗର ଏ ମଦ ପାଇଁ ସେ ଅଂଚଳରେ ମହିଳାମାନଙ୍କୁ ସଂଗଠିତ କରି ମଦର (ହାଣ୍ଡିଆ ଓ ମହୁଲି) ବ୍ୟବହାର ତଥା ହାଟମାନଙ୍କରେ ଏହାର ବିକ୍ରୟର ବିରୋଧ କରିବା ପାଇଁ ମହିଳାମାନଙ୍କୁ ନେଇ ଯୋଜନା ପ୍ରସ୍ତୁତି କରିବାର ଅଛି । ତୁ କାଲି ବାଂଶପାଳ ଫେରିଯା ମୁଁ ଦୁଇଦିନ ମଧ୍ୟରେ କାଦକଳାରେ ପହଂଚିବି । ମୁଁ ଯିବା ଖବରଟା ନିଶି ଭାଇଙ୍କ ସ୍ତ୍ରୀ( ଭାଉଜ)ଙ୍କୁ ଜଣାଇ ଦେବୁ । କାନ୍ଥଘଣ୍ଟାରେ ଢଂଢଂ ବାଜି ଉଠି ରାତି ବାରଟାର ସୁଚନା ଦେଲା । ନିର୍ଲିପ୍ତା ଏକ ଭାରାକ୍ରନ୍ତ ମନ ନେଇ ବେଡରୁମକୁ ଯାଉଯାଉ କହିଲା ନନ୍ଦିତା ଚାଲ ରେଷ୍ଟ ନେବା ତତେ ପୁଣି କାଲି କେନ୍ଦୁଝର ଫେରିବାକୁ ହେବ ।