Pramod Kumar Jena

Tragedy Others

3  

Pramod Kumar Jena

Tragedy Others

ନିମନ୍ତ୍ରଣ

ନିମନ୍ତ୍ରଣ

2 mins
581



       ସବୁ କଥାକୁ ଅତି ସହଜରେ କହିବାର ଶୈଳୀ ଲିଲିର ବାପାଙ୍କ ଠାରୁ ଶିଖିବାର ଅଛି । ଯେମିତି ହେଲେ ସେ ହସାଇ ଦେବେ । ସେଥିପାଇଁ ଘରେ ସବୁବେଳେ ହସର ରୋଳ ଲାଗି ରହିଥାଏ । ଅବଶ୍ୟ କେତେବେଳେ କେମିତି ରାଗି ବି ଯାଆନ୍ତି । କିନ୍ତୁ ଖୁବ୍ କମ୍ ସମୟ ପାଇଁ । ଅଫିସରୁ ଘରେ ପହଞ୍ଚୁ ପହଞ୍ଚୁ ଦେଖିଲେ କିଏ ଜଣେ ସ୍ତ୍ରୀ ଲୋକ ତାଙ୍କ ଘରୁ ବାହାରିଗଲେ । କାହିଁ ତାଙ୍କୁ ଚିହ୍ନା ଚିହ୍ନା ତ ଲାଗିଲାନି । ତାଙ୍କ ଘରୁ ବାହାରିଲେ, ଅଥଚ ତାଙ୍କୁ କିଛି କହିଲେନି । ଭାବିଲେ ବୋଧେ ଘରବାଲାଙ୍କ ପରିଚିତ ହୋଇଥିବେ, ଆଉ ଭୁଲ ବଶତଃ ତାଙ୍କ ଘରକୁ ପଶି ଆସିଛନ୍ତି । ପ୍ରଭାତ ବାବୁ ମାନେ ଲିଲିର ବାପା ଏବେ ବଦଳି ହୋଇ ଆସି ଭଡା ଘରେ ରହୁଛନ୍ତି । ଲିଲି ବୋଉଙ୍କୁ ପଚାରିଲେ ସେ କିଏ ଆସିଥିଲେ ? ଲିଲି ବୋଉ କହିଲେ ସେ ପଟ ଲାଇନରେ ରହୁଛନ୍ତି । ଲେଙ୍କା ବାବୁଙ୍କ ସ୍ତ୍ରୀ । ତାଙ୍କ ପୁଅର ବାହାଘର । ନିମନ୍ତ୍ରଣ ପତ୍ର ଦେଇ ଗଲେ । ଏଇ ନିମନ୍ତ୍ରଣ ପତ୍ରରୁ ତାଙ୍କର ନାମ ଜାଣିଲି । ଘର ମାଲିକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ, ଆମକୁ ବି ନିମନ୍ତ୍ରଣ କଲେ । ବଢିଆ ହେଲା । ମାଉଁସ ଭାତ ଖାଇବାର ଗୋଟେ ମଉକା ମିଳିଗଲା । ଭୋଜି କେବେ ? ହସି ହସି ପଚାରିଲେ ସେ । ଲିଲି ପାଖ ଘରୁ ଜବାବ ଦେଲା କାଲି ସନ୍ଧ୍ୟା ସାତଟା । ନିଜ ଚିରା ଚରିତ ଢଙ୍ଗରେ କହିଲେ ପ୍ରଭାତ ବାବୁ, “ମୁଁ ଆଜି ଖାଇବି ନାହିଁ । କାଲି ଭୋଜି ଅଛି । ” ସବୁଦିନ ଭଳି ହସର ଲହରି ଘର ସାରା ଖେଳିଗଲା । ଉପହାର କ’ଣ ଦିଆଯିବ ?

 

        ଲିଲି ବୋଉ କହିଲେ, ବଡ ହୋଟେଲରେ ଆୟୋଜନ କରିଛନ୍ତି ଯେତେବେଳେ ଅତି କମରେ ହଜାରେ ଟଙ୍କା ନ ହେଲେ କ’ଣ ଦେଖା ଯିବ ? ଶେଷରେ ଭାବିଲେ ଖାମରେ ଭରି ଦେଇ ଦେବେ । ସମୟ କାହିଁ ବଜାର ଯାଇ ଉପହାର କିଣିବା ପାଇଁ ?


         ତା’ ପର ଦିନ ସନ୍ଧ୍ୟା ବେଳକୁ ଲିଲି ଆଉ ତା’ ବୋଉକୁ ନେଇ ପହଞ୍ଚିଲେ ସେଇ ତାରକା ହୋଟେଲରେ । ଗେଟ୍ ସାମ୍ନାରେ କେହି ଜଣେ କୋଟ୍ ସୁଟ୍ ପିନ୍ଧି ଅତିଥିମାନଙ୍କୁ ପାଛୋଟି ନେଉଥାନ୍ତି । ଭାବିଲେ, ଇଏ ବୋଧେ ଲେଙ୍କା ବାବୁ । ହାତ ଯୋଡି ତାଙ୍କୁ ନିଜ ସହଜ ଢଙ୍ଗରେ ନମସ୍କାର ଜଣେଇଲେ, ପରେ ପରେ ଲିଲିର ବୋଉ ଓ ଲିଲି ମଧ୍ୟ ନମସ୍କାର କଲେ । କିନ୍ତୁ ଇଏ କ’ଣ ? ପ୍ରତିନମସ୍କାର ଜଣାଇବା ବଦଳରେ ଭ୍ରୂକୁଞ୍ଚନ କରି ଲେଙ୍କା ବାବୁ ଇସାରା କଲେ ତାଙ୍କ ଶ୍ରୀମତିଙ୍କ ଆଡେ, ଏମାନେ କିଏ ? ଶ୍ରୀମତି ଲେଙ୍କା ମଧ୍ୟ ଇସାରାରେ ଜଣେଇ ଦେଲେ, ଯିବାକୁ ଦିଅ । ଏତେ ଅପମାନ ବୋଧେ ଜୀବନରେ କେବେ ହୋଇ ନ ଥିଲା, ସେ ପୁଣି ସାରା ପରିବାର ସହ । କାହା ମୁହଁରେ କିଛି ଭାଷା ନ ଥିଲା । ଖାମଟା ନବ ବିବାହିତା ବଧୂକୁ ଧରେଇ ଦେଇ ଫେରିଲେ । କେହି ତାଙ୍କୁ ନା ପଚାରିଲେ ଖାଇଲେଣି ନା ପଚାରିଲେ ନ ଖାଇ କାହିଁକି ଚାଲି ଯାଉଛନ୍ତି ? ବାଟ ସାରା ସେ ଭାବୁଥିଲେ , ଏମାନେ ଯଦି ଆମକୁ ଚିହ୍ନି ନାହାନ୍ତି, ତେବେ ନିମନ୍ତ୍ରଣ କରୁଥିଲେ କାହିଁକି ? ଯଦି ନିମନ୍ତ୍ରଣ କଲେ, ତେବେ ଖର୍ଚ୍ଚର ହିସାବ ମନେ ମନେ କରି ଆମକୁ ଅପଦସ୍ତ କାହିଁକି କଲେ ? କେଉଁ ଅଧିକାରରେ ? ଆମେ ଆମ ଘରେ ମହାରାଜା । ଏଠି କ’ଣ ଆମେ କାଙ୍ଗାଳୀ ଭୋଜନ କରିବାକୁ ଆସିଥିଲୁ ? ହଜାରେ ଟଙ୍କାର ମାଂସ ଆଣିଥିଲେ, ତାଙ୍କ ପରିବାର ଗୋଟେ ସପ୍ତାହ ଆରାମରେ ଖାଇଥାନ୍ତେ ।


ବାପାଙ୍କ ଢଙ୍ଗରେ ପରିସ୍ଥିତିକୁ ସହଜ କରିବାକୁ ଲିଲି ପଚାରିଲା, କାଲି ଠାରୁ ଭୋକିଲା ଥିଲ, ପେଟ ପୁରିଲା ନା ଆଉ କିଛି ବାକି ଅଛି ?



Rate this content
Log in

Similar oriya story from Tragedy