Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sachidananda Kar

Tragedy

4.7  

Sachidananda Kar

Tragedy

ନିଆଁ ଲାଗିଛି

ନିଆଁ ଲାଗିଛି

2 mins
36



         କେଉଁଠି ନିଆଁ ଲାଗିଛି ନା କ'ଣ ?


         ସକାଳୁ ଉଠି ଆକାଶକୁ ଚାହିଁଲା ବେଳକୁ ଅବସ୍ଥା ପ୍ରାୟ ସେହିପରି।ସାରା ଆକାଶ ଧୂଆଁରେ ଭର୍ତ୍ତି।


        ବହୁତ ଚୁଲି ଜଳୁଛି ବୋଧହୁଏ।ହଁ,ଜଳୁଥିବ।ଏଠି ଭୋକଟା ତ ସବୁଦିନିଆ।ରୋଷେଇ ବି ସବୁଦିନିଆ।


         ଆକାଶକୁ ଚାହିଁଦେଇ ନିଜ ସହ ନିଜେ କଥାବାର୍ତ୍ତା ହେଲି।


         ଅସ୍ପଷ୍ଟ ଦିଶୁଥିଲା ସୁଖ, ଶାନ୍ତି, ସଂପର୍କ ଓ ସୌହାର୍ଦ୍ଦ୍ୟର ମୋ ପ୍ରିୟ ଆକାଶ।କିଛି ବୁଝି ହେଉ ନ ଥିଲା।ଆଶ୍ଚର୍ଯ୍ୟ ହେଲି।


         ଆଉ ତା' ପରେପରେ ଧୂଆଁରେ କିଛି ଗୋଟେ ଗନ୍ଧ ଭାସି ଆସି ନାକରେ ବାଜିଲା।କ'ଣ ଇଏ ?ନିଜକୁ ପଚାରିଲା ବେଳକୁ ପତ୍ନୀ କହିଲେ - " ପଶାୟତ ଘର ବୋହୂ ଚାଲିଗଲା।ଯୌତୁକ ଲୋଭୀ ରାକ୍ଷସମାନେ ତାକୁ ମାରିଦେଲେ। "


         ଗୋଟିଏ ଦୀର୍ଘଶ୍ବାସ ବାହାରକୁ ଦେଲି।ଦୁଃଖୀ ହେଲି।ଘର ଭିତରକୁ ଫେରି ଖବରକାଗଜଟା ହାତକୁ ଆଣିଲି।ହଠାତ୍ ପୁଣି କିଛି ଗୋଟିଏ ଗନ୍ଧ ଧୂଆଁରେ ଭାସି ଆସିଲା।


         - " ଶ୍ବଶୁରକୁ ବିବାହ କଲେ ଘରକୁ ଫେରିବ ବୋହୂ। "


         ପଢୁ ପଢୁ ଏଇଠି ଅଟକି ଗଲି।ପଢି ଜାଣିଲି - ପୁଅ ମଲାପରେ ପୁଅର ଚାକିରିଟି ବୋହୂକୁ ମିଳିଥିଲା।ତା' ପରେ ତା'ର କ'ଣ ହେଲା କେଜାଣି ସେ ବାପଘରେ ଥିଲା।ସେ ଘରକୁ ଫେରୁ,ଶ୍ବଶୁର ଜିଦି କଲେ।ଏଥିପାଇଁ ଗୋଟିଏ ସଭା ବସିଥିଲା।ସଭାରେ ବୋହୂ ରୋକଠୋକ କହିଲା, ଶ୍ବଶୁରଙ୍କ ସହିତ ତା'ର ବିବାହ କରିଦେଲେ ସେ ଘରକୁ ଫେରିବ।


         କାହିଁକି ଏମିତି କହିଲା ବୋହୂ ? ଏଇଟା ତା' ଶ୍ବଶୁରର ଇଚ୍ଛା ନୁହେଁ ତ ?ମୋ ପ୍ରଶ୍ନ ମୋତେ ଆକ୍ତାମାକ୍ତା କଲା।


         ଖବରକାଗଜ ଥୋଇଦେଇ ବାହାରକୁ ଆସିଲି।ହଠାତ୍ ପୁଣି ମେଞ୍ଚାଏ ଧୂଆଁ ମୋ ନାକ ପର୍ଯ୍ୟନ୍ତ ଆସିଗଲା।ଓଃ ! କି ତୀବ୍ର ଗନ୍ଧ ସେ ଧୂଆଁର !


         ସତୁରୀ ବର୍ଷ ବୟସର ଗୋଟେ ବୁଢାକୁ କିଛି ଲୋକ କ୍ରୋଧରେ ବିଧା,ଗୋଇଠା ମାରି ଲହୁଲୁହାଣ କରୁଥିଲେ।ଦୋଷ - ସାତ ବର୍ଷର ଗୋଟେ ଝିଅ ପ୍ରତି ପାଶବିକତା।ମୋ ହୃଦୟ ଜଳିଯିବା ପରି ମୋତେ ମନେହେଲା।ଗୋଟିଏ ଦୀର୍ଘଶ୍ବାସ ବାହାରକୁ ଦେଇ ଧୀରେଧୀରେ ନିଜକୁ ସହଜ କରିନେବାକୁ ଚେଷ୍ଟା କଲି।


         ନିତ୍ୟକର୍ମ ସାରି ବଜାରକୁ ପରିବା ଆଣିବାକୁ ବାହାରିଲି।ବାଟରେ ପୁଣି କିଛି ଗନ୍ଧ ଧୂଆଁରେ ଭାସି ଆସି ମୋ ନାକରେ ବାଜିଲା।ଅଟକିଗଲି।ବେଶ୍ କିଛି ଲୋକ ଏକାଠି ହୋଇଥାନ୍ତି ସେଇଠି।ଦେଖିଲି ପୁଅ ଝିଅ ଦୁଇ ଜଣ ଗୋଟେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଶୁଣିଲି ପରିବାରର ସ୍ବୀକୃତି ନ ମିଳିବାରୁ ସେମାନେ କୁଆଡେ ଶେଷରେ ଏଇ ରାସ୍ତାକୁ ବାଛି ନେଇଛନ୍ତି।


        ଏହାପରେ ମୋର ଖାଲି ଦୀର୍ଘଶ୍ବାସ ଆଉ ଦୀର୍ଘଶ୍ବାସ।


        ନିଆଁ ନ ଥିଲେ ଏଠି ଏତେ ଧୂଆଁ ଆସନ୍ତା କୁଆଡୁ !ଏବେ ବୁଝି ପାରୁଥିଲି ସବୁଦିନେ ସକାଳୁ ସକାଳୁ ଆକାଶଟା କାହିଁକି ଧୂଆଁରେ ଭର୍ତ୍ତି ହୋଇ ଯାଉଛି।ଆଉ ଆଶ୍ଚର୍ଯ୍ୟ ହେଉ ନ ଥିଲି।


         ତେବେ କାହିଁକି ଏତେ ଭୋକ ? କାହିଁକି ଏତେ ନିଆଁ ?


         ଏବେ ଭାବୁଥିଲି ଏମିତି କ'ଣ ଗୋଟିଏ ଦିନ ଆସିବନି,ଯେଉଁଦିନ ଭୋକ ନ ଥିବ ! ନିଆଁ ନ ଥିବ କି ଧୂଆଁ ବି ନ ଥିବ ! ବରଂ ସୁଖ, ଶାନ୍ତି, ସଂପର୍କ ଓ ସୌହାର୍ଦ୍ଦ୍ୟର ଆକାଶ ପରିଷ୍କାର ଦିଶୁଥିବ !


         ମୋ ନିରୀହ, କଅଁଳ ମନଟି କ୍ଷତବିକ୍ଷତ ହେଉଥିଲା।ଧୂଆଁ ଭର୍ତ୍ତି ଆକାଶ ଆଡେ ଆଉ ଚାହିଁ ପାରୁ ନ ଥିଲି ମୁଁ। ନା,ଚାହିଁ ପାରୁ ନ ଥିଲି।


Rate this content
Log in

More oriya story from Sachidananda Kar

Similar oriya story from Tragedy