srutakirti Tripathy

Inspirational

3  

srutakirti Tripathy

Inspirational

ନାସ୍ତିକ

ନାସ୍ତିକ

3 mins
1.2K


ନିର୍ମଳା ଦେବୀଙ୍କର ସବୁବେଳେ ଗୋଟିଏ ଦୁଃଖ, ଯେ ତାଙ୍କ ସ୍ୱାମୀ ଜୟକୃଷ୍ଣ ବାବୁ ସବୁବେଳେ ମନ୍ଦିର, ଠାକୁର ଦର୍ଶନ, ପୂଜା ପାଠ ପାଇଁ ଅମନଯୋଗୀ । ଯେତେବେଳେ ଦିଅଁ ଦର୍ଶନ ପାଇଁ ଡାକିଲେ କି ବାଧ୍ୟ କଲେ କାର୍ଯ୍ୟ ବ୍ୟସ୍ତତା, ସମୟ ଅଭାବ ଭଳି ମିଛ ବାହାନା କରି କଥାଟିକୁ ଏଡାଇ ଯାଆନ୍ତି । ନାଁ ଟି ଶୁଣିଲେ ଲାଗିବ ଲୋକଟି ଭକ୍ତ ପ୍ରତିମ ହୋଇଥିବ, ହେଲେ ବର୍ଷ ବର୍ଷ ଧରି ବାବୁ ମନ୍ଦିର ଯିବା ତ ଦୂର କଥା ମନ୍ଦିର ଦୁଆର ମାଡିବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର । କିନ୍ତୁ ନିର୍ମଳା ଦେବୀ ତାଙ୍କ ନାଁ ଭଳି ନିର୍ମଳ ହୃଦୟର ଅଧିକାରିଣୀ । ଠାକୁର ସବୁବେଳେ ଯେମିତି ତାଙ୍କ ପରିବାରକୁ ନିଜ ଛତ୍ର ଛାୟା ତଳେ ରଖିବେ ତା ପାଇଁ ପୂଜା, ଅର୍ଚ୍ଚନା, ମାନସିକ ଆଦି କରିବାରେ ତିଳେ ହେଲେ ହେଳା କରନ୍ତି ନାହିଁ ।

କିନ୍ତୁ ସେଦିନ ଜୟକୃଷ୍ଣ ବାବୁ ଙ୍କୁ ବାଧ୍ୟ ହୋଇ ମନ୍ଦିର ଯିବାକୁ ପଡିଲା । କାରଣ ମଧ୍ୟ ସେମିତି ଗୁରୁତ୍ୱପୂର୍ଣ । ଏକମାତ୍ର ଅଳିଅଳି ଝିଅ ନିବେଦିତା ର ଥିଲା ସେଦିନ ପ୍ରଥମ ଜନ୍ମଦିନ । ନିର୍ମଳା ଦେବୀ ଙ୍କ ଏକାଜିଦ ଝିଅ ନୁଆଁ ଡ୍ରେସ ପିନ୍ଧି ସର୍ବ ପ୍ରଥମେ ଠାକୁର ଦର୍ଶନ କରିବ, ତାହା ପୁଣି ନିକଟସ୍ଥ ମହାଦେବ ମନ୍ଦିରରେ । ସେଇଠି ହିଁ ପାଦୁକ ପାଇଲା ପରେ ଆଉ ଯାହା ଜନ୍ମଦିନ ପାଳନର କାର୍ଯକ୍ରମ ନିର୍ଦ୍ଧାରଣ ହେବ । ପତ୍ନୀ ଙ୍କ ଭକ୍ତିପୂର୍ଣ୍ଣ ନିବେଦନ ରକ୍ଷା କରିବାକୁ ଯାଇ ଜୟକୃଷ୍ଣ ବାବୁ ବହୁତ କଷ୍ଟ ରେ ରାଜି ହେଲେ ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଝିଅ ଜନ୍ମଦିନ ସକାଳୁ ସକାଳୁ ବାଧ୍ୟ ବଧକତା ରେ ହଉ ପଛକେ ସପରିବାର ପହଂଚିଲେ ଯାଇ ଶିବ ମନ୍ଦିରରେ । ଯେଉଁ ପରମେଶ୍ୱର ଙ୍କୁ କର୍ମବ୍ୟସ୍ତ, ଜଞ୍ଜାଳମୟ ଜୀବନ ର ଦ୍ୱାହି ଦେଉଥିଲେ ତାଙ୍କରି କୃପା ରୁ ଆଜି ସଂଯୋଗ ଜୁଟିଗଲା ଦର୍ଶନ କରିବାର । ମନ୍ଦିର ପ୍ରାଙ୍ଗଣ ରେ ପାଦ ଦଉ ଦଉ ତାଙ୍କ ମନ କେମିତି ଆତ୍ମଗ୍ଲାନି ରେ ପୁରିଉଠିଲା । ନିଜକୁ ନିଜେ ଧିକ୍କାରି ହେଲେ କାହିଁକି ମିଛ ବାହାନା କରି ମନ୍ଦିର ଆସୁ ନ ଥିଲେ ବୋଲି । "ସତରେ କେତେ ଶାନ୍ତି ମିଳୁଛି ଏହି ଭାବମୟ ପରିବେଶ ରେ । " ମନ୍ଦିର କାନ୍ଥରେ ଖୋଦିତ ନିର୍ଜୀବ ମୂର୍ତ୍ତି ଓ ଚିତ୍ରପଟ ଭିତରେ ସତେକି ଜୟକୃଷ୍ଣ ବାବୁ ଦେଖିପାରିଲେ ଛଳ ଛଳ ଜୀବନ । ତାଙ୍କ ହୃଦୟ ର ପୁଞ୍ଜିଭୂତ ଭାବାବେଗ ମହମ ପରି ତରଳିବା ଆରମ୍ଭ କଲା ।

ମନରୁ ଗ୍ଲାନି ତକ ଦୂର କରିଦେଲେ ପାପ ମଧ୍ୟ ପୁଣ୍ୟ ପରି ଲାଗେ । ନିଜର ସମସ୍ତ ଗ୍ଲାନି, ଅଭିମାନ କୁ ତ୍ୟାଗ କରି ସମର୍ପଣ ର ମନୋଭାବ ରେ ଆଖି ବନ୍ଦ କଲେ ସେ । ପର ମୁହୂର୍ତ୍ତ ରେ ଅନୁଭବ କଲେ ପରମପିତା ତାଙ୍କୁ କ୍ଷମା ଦେଇଛନ୍ତି ଏବଂ ଏକ ଅଦ୍ଭୁତ ଆତ୍ମତୃପ୍ତି ରେ ତାଙ୍କ ମନ ଗଦଗଦ ହୋଇଉଠିଲା ।

ଜଗଦୀଶ୍ଵର ଙ୍କୁ ଭେଟିବା ସକାଶେ ମନ୍ଦିର ର ଗମ୍ଭୀରି ଭିତରକୁ ଅପାତତଃ ତାଙ୍କ ପାଦ କେତେବେଳେ ବଢିଗଲା, ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ । ଯନ୍ତ୍ରବତ ଯାଇ ଶିବଲିଙ୍ଗ ପାଖରେ ସେ ଶ୍ରଦ୍ଧା ର ସହିତ ନତମସ୍ତକ ହେଲେ । କିଛି ସମୟ ବିଲୀନ ହୋଇ ବସିଲେ ଓ ନିଜେ କରିଥିବା ଭୂଲ କୁ ମନେପକାଇ ବାରମ୍ବାର ବ୍ୟଥିତ ହେଲେ । ସେହି ଦର୍ଶନରେ କି ଭାବ ରହିଥିଲା ତାହା ତ ବର୍ଣ୍ଣନା କରିହବନାହିଁ, ହେଲେ ସେ ଅନୁଭବ କଲେ ତାଙ୍କ ଆଖିପତା ଦୁଇଟି ଓଦା ହୋଇଯାଇଛି ।

ନିର୍ମଳା ଦେବୀ ସ୍ୱାମୀ ଙ୍କୁ ପାଖରେ ନ ପାଇ ଖୋଜା ଖୋଜି କଲାବେଳକୁ ଦେଖିଲେ, ଜୟକୃଷ୍ଣ ବାବୁ ରୁମାଲ ରେ ଆଖି ପୋଛି ପୋଛି ମନ୍ଦିର ଭିତରୁ ବାହାରକୁ ଆସୁଛନ୍ତି । କଣ କହିବେ ବୋଲି ନିର୍ମଳା ଦେବୀ କହିଆସୁଥାନ୍ତି, ଦେଖିଲେ ସେ ନିବେଦିତା କୁ କାଖେଇ ତାକୁ ଦିଅଁ ଦର୍ଶନ କରେଇବା ପାଇଁ ଭିତରକୁ ନେଇଗଲେ । ତା ପରଠୁ ନିର୍ମଳା ଦେବୀ ସ୍ୱାମୀ ଙ୍କୁ ମନ୍ଦିର ଯିବା ପାଇଁ କେବେ ବାଧ୍ୟ କରନ୍ତିନି; କାରଣ ଜୟକୃଷ୍ଣ ବାବୁ ନିଜେ ପ୍ରତିଦିନ ଅଫିସ ଯିବା ପୂର୍ବରୁ ମନ୍ଦିର ରେ ନିଶ୍ଚୟ ମୁଣ୍ଡିଆ ଟେ ମାରି ଯାଆନ୍ତି ।

ସୃତକିର୍ତ୍ତୀ ତ୍ରିପାଠୀ


Rate this content
Log in

Similar oriya story from Inspirational