srutakirti Tripathy

Tragedy Inspirational

4.5  

srutakirti Tripathy

Tragedy Inspirational

ଶାଶୁଙ୍କ ମନୋକାମନା

ଶାଶୁଙ୍କ ମନୋକାମନା

4 mins
675



  ସୁଲତା ଓ ସୁଧୀର ଆଜି ମୁହଁ ଶୁଖେଇ ବସିଛନ୍ତି । ଘରେ ଘରେ କୁମାରପୂର୍ଣ୍ଣିମାର ଆୟୋଜନ । ଝିଅ ପିଲାଙ୍କ ହସଖେଳ, ଖୁସିମଜା, ଖିଲିଖିଲି ହସ ସାଙ୍ଗକୁ ଘରସାରା ପୂଜା ରେ କଣ କରିବେ, କଣ ପିନ୍ଧିବେ,କେମିତି  ସଜହେବେ, ପୁନେଇଁ ଗୀତ ବୋଲିବେ ତାରି ଚର୍ଚ୍ଚା । ସୁଧୀରଙ୍କ ଦୁଇ ଭଉଣୀ ସୀମା ଓ ଶୀଲା ବି ନିଜ ଝିଅ ପୁଅଙ୍କୁ ନେଇଆସିଛନ୍ତି ଦଶହରା ପୂଜା ଛୁଟିରେ । ଆଜି କୁମାର ପୂର୍ଣ୍ଣିମା ସାରି କାଲି ସକାଳେ ଯେ ଯାହା ଘରକୁ ବାହୁଡ଼ିଯିବେ । ସୀମାର ଦୁଇଝିଅ ଓ ଶୀଳାର ଗୋଟିଏ, ସମସ୍ତେ ଆଈଙ୍କୁ କହିରଖିଛନ୍ତି ଦିନକ ପୂର୍ବରୁ ସବୁ ସଜାଡି ରଖିଦେବାକୁ ଚାନ୍ଦପୂଜା ପାଇଁ । ଆଈ ବି ଖଇ, ଛେନା, କଷି କାକୁଡି, ଫୁଲ ସବୁ ସଜାଡିବାରେ ଲାଗିଛନ୍ତି ବଡି ସକାଳୁ । ଆଗ ଆଞ୍ଜୁଳା ଟେକା ହବ, ତିନିଜଣ ଯାକ ନୂଆଁଜାମା ପିନ୍ଧି, ଗୋଡ଼ରେ ଅଳତା, ମଥାରେ କୁଙ୍କୁମ ଲଗେଇ ଦେବୀ ପ୍ରତିମା ଭଳି ପ୍ରତୀତ ହଉଛନ୍ତି !


ସୀମା ଓ ଶୀଲା ମଧ୍ୟ ଝିଅମାନଙ୍କୁ କୁମାର ପୂର୍ଣ୍ଣିମା ପୂଜାର ଵିଧି ଏବଂ ତା ସହିତ ଜଡିତ କଥାସବୁ କହୁଥାନ୍ତି । ସମଗ୍ର ଘରେ ଖୁସି ଓ ଆନନ୍ଦର ବାତାବରଣ ଥିଲାବେଳେ ସୁଲତା ଓ ସୁଧୀରଙ୍କ ମନରେ ଟିକେ ହେଲେ ସୁଖ ନ ଥାଏ । ଶାଶୁ ଡାକିଲେ, 'ସୁଲତା, ମା ଆସେ ପିଲାମାନେ ମାଇଁ କୋଉଠି ବୋଲି ତୋତେ ଖୋଜୁଛନ୍ତି, ଯା ତାଙ୍କ ସହିତ ପୂଜା ପ୍ରସ୍ତୁତିରେ ସାହାଯ୍ୟ କର । ' 


ସୁଲତା ଅମନଯୋଗୀ ହୋଇ ରୁମରୁ ବାହାରିଲା । ଶାଶୁଙ୍କ କଥାକୁ ଅମାନ୍ୟ କରିପାରିବନି ବୋଲି ନିରସ ମନରେ ଯିବାକୁ ଉଦ୍ୟତ ହୁଅନ୍ତେ, ଶାଶୁ ପଛପଟୁ ଡାକି କହିଲେ, 'କଣ ପାଇଁ ମନଦୁଃଖ କରୁଛୁ ଝିଅ, ସବୁ ଭୁଲ ତ ତମ ଦୁଇ ଜଣଙ୍କର, ପୁଅ ହଉ କି ଝିଅ ଉଭୟେ ସମାନ । କେତେଥର କହିଲି ଭଗବାନ ଙ୍କ ଆଶୀର୍ବାଦ ଭାବି ସେମାନଙ୍କୁ ଗ୍ରହଣ କର, କିନ୍ତୁ ତମେ ଦୁଇଜଣ ମୋ କଥା ମାନିଲନାହିଁ । ଥରେ ନୁହେଁ ଦୁଇ ଦୁଇ ଥର ଝିଅ ଜନ୍ମହେବା ଆଗରୁ ହତ୍ୟା କଲ । ପୁରୁଣା ଯୁଗ ହୋଇଥିଲେ ଭିନ୍ନକଥା, ସେତେବେଳେ ସାନମାନେ ଗୁରୁଜନ ଙ୍କୁ ବୁଝେଇପାରୁନଥିଲେ, ଯାହା ସେମାନଙ୍କ ଇଚ୍ଛା ତାକୁ ମାନୁଥିଲେ, କିନ୍ତୁ ଏବେ ତ ଯୁଗ ବଦଳିଲାଣି । ପୁଅ ଝିଅ କେହି କାହାଠାରୁ କୌଣସି ଗୁଣରେ କମ ନୁହଁନ୍ତି । ତା ପରେ ବି ତୋ ଶ୍ୱଶୁର କି ମୁଁ କେବେ ପୁଅ ପାଇଁ ବାଧ୍ୟ କରିନୁ କି ବଂଶରକ୍ଷା ର ଦ୍ୱାହି ଦେଇ ତୋ  ଉପରେ କେବଳ ପୁଅଜନ୍ମ ପାଇଁ କିଛି ଚାପ ପ୍ରୟୋଗ କରିନାହୁଁ । ତୁମେ ଦୁଇଜଣ ଏତେ ଶିକ୍ଷିତ ହୋଇ ଏମିତି ନିଷ୍ପତ୍ତି ନେବ ବୋଲି ମୁଁ ବୁଢୀହେଲିଣି ମାତ୍ର ଆଜି ଯାଏଁ ବିଶ୍ୱାସ କରିପାରୁନି ରେ ମା !'


ସୁଲତାଙ୍କ ଆଖି ଲୁହରେ ଭର୍ତ୍ତି ହୋଇଗଲା । କିଛି କହିବାକୁ ଚାହିଁ ମଧ୍ଯ ସେ କହିପାରିଲେନି । ଶବ୍ଦତକ ଢ଼ୋକି ହେଇଯାଉଥିଲା । କୋରି ହୋଇଯାଉଥିଲା ତାଙ୍କ ମାଆ ମନ ଶାଶୁଙ୍କର ଅକାଟ୍ୟ ସତ୍ୟ ବଚନର ପ୍ରହାରରେ । କେମିତି ନିର୍ବୋଧଙ୍କ ଭଳି ସୁଧୀରଙ୍କ ହଁ ରେ ହଁ ମିଳେଇଚାଲିଥିଲା ସେ । ମାଆ ଭାବରେ ସେତିକି ପ୍ରତିରୋଧ ସେ କଣ କରିପାରିନ ଥାନ୍ତା ନିଜ ଶରୀରର ଅଂଶ କୁ ଜୀବନ ଦାନ ଦେବାପାଇଁ? ପୁତ୍ରମୋହରେ ଥରେ ନୁହେଁ ଦୁଇଥର ସେ ହାଣମୁହଁରେ ବଳି ପକେଇଦେଲା ତାର ଦୁଇ ଦୁଇଟି କୁନି କୁନି ନିରୀହ କଳିକା ଙ୍କୁ ! ସେହି ପାପ ର ପରିଣାମ ସ୍ୱରୂପ ଭଗବାନ ତାକୁ ଆଜି ସନ୍ତାନସୁଖରୁ ବଞ୍ଚିତ କରିଛନ୍ତି । ଦୁଇଥର ଅସ୍ତ୍ରୋପଚାର ଫଳରେ ହରେଇବସିଛି ସେ ମାଆହେବାର ସବୁ ସାମର୍ଥ୍ୟ ଓ ଅଧିକାର । ନିଜକୁ ନିଜେ ଅପରାଧୀ ମଣି କେତେ ଯେ ତିଳ ତିଳ ଜଳିଛି । ହେଲେ, ଏବେ ଆଉ କିଛି ବି ତା ହାତରେ ନାହିଁ । 


ନିଜ ପଣତରେ ଲୁହକୁ ପୋଛିଲା ସୁଲତା । ନଣନ୍ଦ ଓ ଭାଣିଜୀ ମାନଙ୍କ ସହ ଯୋଗଦେଲା ପୂର୍ଣ୍ଣମୀପୂଜା ପାଇଁ । ମାଇଁ ଆସିବାରୁ ଭାଣିଜୀ ତିନିଜଣ ଖୁସିରେ ନାଚି ଉଠିଲେ । କିଏ କୁଣ୍ଢେଇପକେଇଲା ତ କିଏ କାଖେଇନେଇ ଚାନ୍ଦ ଦେଖେଇବା ପାଇଁ ଅଳିକଲା । ସମସ୍ତଙ୍କ ସ୍ନେହ, ସୋହାଗ ପାଇ ସୁଲତା ର ଉଦାସୀ ମୁହଁଟି ଧୀରେ ଧୀରେ ଖୁସିରେ କୁରୁଳି ଉଠିଲା । ସେ ନିଜେ ସଭିଙ୍କୁ ବତେଇ ଦେଲା ପୂଜା ର ନିୟମ ଆଉ ଡାକିଲା, 'ଆସ ସମସ୍ତେ ମିଶି ପୁଚି ଖେଳିବା, ଯେମିତି ଆମେ ଆଗରୁ ଆମ ପିଲାଦିନେ ଖେଳୁଥିଲୁ, ତମକୁ ବି ସେମିତି ଶିଖେଇଦେବି !" 

ସୀମା, ଶୀଲା ଓ ଶାଶୁ ଟିକେ ଦୂରରେ ଛିଡାହେଇ ସବୁ ଦେଖୁଥିଲେ ଏବଂ ଆଶ୍ୱସ୍ତ ହେଉଥିଲେ, ଯେ ଯା ହଉ ପରିସ୍ଥିତି ଏବେ ସୁଧୁରିଗଲା ।


ସୀମା କହିଲା, 'ବୋଉ ତୁ କାହିଁକି ଜାଣିଶୁଣି ଆମକୁ କୁମାରପୂର୍ଣ୍ଣିମା ଦିନଯାଏଁ ରହିବାକୁ କହୁଛୁ କହିଲୁ? ଆମେ ତ ଯାଇ ଯେ ଯାହା ଘରେ ଚାନ୍ଦପୂଜା କରନ୍ତୁ । ବିଚରା ଭାଉଜ ଆଖି ଆଗରେ ଦେଖୁଛନ୍ତି ଝିଅଗୁଡା କେମିତି ହସଖୁସି ହୋଇ ପୂଜା କରୁଛନ୍ତି, ତାଙ୍କ ମନ କେତେ ଦୁଃଖ ହଉଥିବ କହିଲୁ?  ସେ ଏଇ ସବୁ ସୁଖରୁ ଯେ ବଞ୍ଚିତ, ତୋତେ କଣ ସବୁ ଅଛପା ଅଛି ! ତୁ କାହିଁକି ଆମକୁ ଏଠି ରଖି ତାଙ୍କ କଷ୍ଟ କୁ ବଢ଼େଇ ଦଉଛୁ? '


'ନା ରେ ଝିଅ , ମାଆ ମନକଥା ମୁଁ ବେଶ ଜାଣିଛି?  ବରଂ ଭାଣିଜୀ ମାନଙ୍କ ଭିତରେ ସେ ହରେଇଥିବା ତା ଝିଅମାନଙ୍କୁ ଖୋଜି ପାଉଛି । ମୁଁ ଜାଣିଶୁଣି ଆଜି ଦିନଟା ତମ ମାନଙ୍କୁ ରଖିଦିଏ, ଯେମିତି ଏହି ବାହାନାରେ ଟିକେ ହସଖୁସି ହୋଇ କିଛି ସମୟ ବିତେଇପାରିବ ସୁଲତା । ତା ସହିତ ନିଜେ କରିଥିବା ଭୁଲ ପାଇଁ ପଶ୍ଚାତାପ ବି କରିବ । 

 

  ସେ ନିଜ ଭୁଲ ବୁଝିସାରିଛି ବୋଲି ମୁଁ ଜାଣିସାରିଛି, ହେଲେ ଚାହୁଁଛି ନିଜେ ସୁଲତା ମୁହଁ ଖୋଲିକି ସୁଧୀର କୁ ବି ତା ଭୁଲ ବିଷୟରେ ଅବଗତ କରେଇଦେଉ । ଜଣେ ନାରୀ ଚାହିଁଲେ ଅତୀତରେ କରିଥିବା ଭୁଲ କୁ ପୁଣିଥରେ ସୁଧାରିପାରିବ । ସେଇଦିନକୁ ମୁଁ ଅପେକ୍ଷା କରିଛି ଯେଉଁଦିନ ସୁଲତା ନିଜେ ଯାଇ ସୁଧୀରକୁ ବାଧ୍ୟ କରିବ, ଗୋଟିଏ ଝିଅ ପାଇଁ । ନିଜେ ଜନ୍ମକରି ମାଆ ନ ହେଇପାରୁ ପଛକେ ପାଳନ କରି ମାଆ ହେବାର କ୍ଷମତା ତ ତାର ସବୁବେଳେ ଅଛି ବୋଲି ମୁଁ ଭାବୁଛି । ଦେଖାଯାଉ କେତେଦିନ ପର୍ଯ୍ୟନ୍ତ ସେ ନିଜକୁ ଏଇ ସ୍ନେହ ରୁ ଦୂରେଇ ରଖି ରହି ପାରୁଛି? ତମ ଦିଜଣ ଙ୍କୁ ମୋର ଅନୁରୋଧ ରେ ମାଆ, ଏମିତି ମଝି ମଝିରେ ଆସି ଦିନେଦୁଇ ଦିନ ରହି ସୁଲତା କୁ ମମତା ର ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରିବ । ତମ ଝିଅମାନଙ୍କୁ ଦେଖିଲେ ହିଁ ସେ ଜାଣି ପାରିବ, ଝିଅ ନ ଥିବାର ମହତ୍ତ୍ୱ ! 


  ସୁଲତା ଛେନା, ଖଇ, କଦଳୀ ର ଚାନ୍ଦ କୁ ପୂଜା କଲାପରେ ଭାଣିଜୀ ମାନଙ୍କୁ ଅତି ସରାଗରେ କୋଳରେ ବସେଇ ଚାନ୍ଦଭୋଗ ଖୁଏଇବା ଦେଖୁଥାନ୍ତି ଶାଶୁ । ତାଙ୍କ ମନୋକାମନା ପୂର୍ଣ୍ଣ ହେବାପାଇଁ ଆଉ ଯେ ଖୁବ ଅଳ୍ପ ସମୟ ବାକି ରହିଛି ତାହା ସେ ଅନୁଭବ କରିପାରୁଥିଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲେ ।



Rate this content
Log in

Similar oriya story from Tragedy