ସୀମାନ୍ତରେ ଦୀପାବଳି
ସୀମାନ୍ତରେ ଦୀପାବଳି
ସମର କହିଯାଇଛି ଏଥର ଦୀପାବଳି ରେ ନିଶ୍ଚୟ ଘରକୁ ଆସିବ l ସେଇ ଆଶାରେ ଭାଇ ଶୁଭମ ଓ ମାଆ ଗଙ୍ଗୋତ୍ରୀ ଦେବୀ ଯେମିତି ଗୋଟିଏ ଗୋଟିଏ ଦିନ ଗଣୁଛନ୍ତି l ସମର ଛୋଟ ଥିଲାବେଳେ ହିଁ ବାପାଙ୍କ ଛତ୍ରଛାୟା ପିଲା ଦିଜଣଙ୍କ ଉପରୁ ଉଠିସାରିଥିଲା l ଏକ ଅଜଣା ରୋଗରେ ବାପା ତାଙ୍କର ଦୁନିଆରୁ ବିଦାୟ ନେଇଗଲେ ଖୁବ ଅଳ୍ପ ବୟସରେ l ତେଣୁ ସମର ଓ ଶୁଭମଙ୍କ ବାପା ଓ ମାଆ ଉଭୟେ ଥିଲେ ଗଙ୍ଗୋତ୍ରୀ ଦେବୀ ନିଜେ l ପିଲାଟି ଦିନରୁ ପୁଅର ମାତୃଭୂମି ପ୍ରତି ଥିବା ସ୍ନେହ ତାକୁ ଜଣେ ସିପାହୀ ହେବା ପାଇଁ ପ୍ରେରିତ କରିଥିଲା l ତାର ସେଇ ମନୋକାମନା କୁ ପୁରଣ କରିବାକୁ ଯାଇ ବହୁତ କଷ୍ଟ ହେଲେ ମଧ୍ୟ ସେ ଛାତିରେ ପଥର ରଖି ପୁଅକୁ ଦେଶର ସୁରକ୍ଷା ଓ ସେବା ପାଇଁ ଅନୁମତି ଦେଇଥିଲେ l ଘରେ ସାନପୁଅ ଶୁଭମର ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିଲେ ମଧ୍ଯ ତାଙ୍କ ମନ ସବୁବେଳେ ବଡ଼ପୁଅ ସମର ର ଶୁଭ ମନାସି ପରମେଶ୍ୱରଙ୍କ ପାଖରେ ତା ସୁରକ୍ଷା ପାଇଁ ବିଚଳିତ ହୁଏ l
ଭାଇ ଆସିବେ ବୋଲି ଶୁଭମର ବି ଗୋଡ଼ ଆଉ ତଳେ ଲାଗୁନି l ସାଙ୍ଗମାନଙ୍କୁ କହିରଖିଛି ଯେ ତା ଭାଇ ଆସିଲେ ସେ ସମସ୍ତଙ୍କୁ ତାଙ୍କ ଘରକୁ ଡ଼ାକିବ l ସମସ୍ତଙ୍କ ଆଗରେ ଟିକେ ବାହାଦୁରୀ ନେବ ତା ଭାଇଙ୍କ ସାହାସିକତା କଥା କହି l ସେମାନେ ସୀମା ରେ କେମିତି ଶତ୍ରୁଙ୍କ ଛାଉଣୀ ଉପରେ ଆକ୍ରମଣ କରନ୍ତି ସେ ବିଷୟରେ ସମସ୍ତେ ମିଶି ଭାଇଙ୍କ ମୁହଁରୁ ଶୁଣିବେ l ତାକୁ ଶ୍ରେଣୀ ରେ ଚିଡଉଥିବା ପିଲାଙ୍କୁ ଡାକି ଥରେ ତା ଭାଇଙ୍କ ସହିତ ଦେଖା କରେଇଦେଲେ, ସେମାନେ ଭାଇଙ୍କ ଭୟରେ ତାକୁ ବି ଡରିବେ l ଭାଇଙ୍କ ରହିବା କୋଠରୀ କୁ ସୁନ୍ଦର କରି ସଜେଇ ସେଠି ତାଙ୍କ ପିଲା ଦିନରୁ ଆଜିଯାଏଁ ସାଇତିଥିବା ଫୋଟୋ ଗୁଡିକୁ କୋଲାଜ କରି ବିଭିନ୍ନ ଶୈଳୀରେ ତାକୁ ସଜେଇଛି l
ସେପଟେ ମାଆ ମଧ୍ୟ ସମର କୁ ଭଲ ଲାଗୁଥିବା ରାଶିଲଡ଼ୁ, ପେଡା, ମୁଡୁକି ଆଦି ତିଆରି କରିବାରେ ଜୁଟିଯାଇଛନ୍ତି l ହାଟରୁ ତା ପସନ୍ଦ ମୁତାବକ ସବୁ ପରିବା ଆଣି ଫ୍ରିଜ ରେ ଭର୍ତ୍ତି କରିସାରିଲେଣି l ଏଥର ତାକୁ କୁଆଡେ ବାହାରକୁ ଛାଡ଼ିବେନି, ସେ ଖାଲି ରୋଷେଇ କରୁଥିବେ ଏବଂ ସମର ଘରେ ରହି ଖାଇପିଇ ଶୁଭମ ଓ ତାଙ୍କ ସହିତ କଥା ହଉଥିବ l ବିଚରା ଛୁଆଟା ଦିନ ଦିନ ସୀମାରେ ଅଖିଆ ଅପିଆ ରହି ଶୁଖି କଣ୍ଟା ହେଇଯାଇଥିବ କି କଣ? ଭାରତ -ପାକିସ୍ତାନ ସୀମାରକ୍ଷୀ ଙ୍କ କାମ ଖୁବ କଷ୍ଟ l ରାତି ରାତି ଅନିଦ୍ରା, ତା ଉପରେ ଶତ୍ରୁଙ୍କ ଭୟ l ସବୁବେଳେ ଜୀବନ ବାଜି ରେ ଲାଗିକି ଥାଏ l ମାଆ ପୁଣିଥରେ ସେଠିକାର କଥା ମନେ ପକେଇ ବ୍ୟସ୍ତ ବିବ୍ରତ ହୋଇଗଲେ l ତାଙ୍କୁ କେମିତି ଅଲଗା ଅନୁଭବ ହେଲା, ହଠାତ ମନକୁ ପାପ ଛୁଇଁଲା, କିଛି ଅସୁବିଧା ହୋଇନି ତ ସମର ର? ମାଆମନ, ରୋଷେଇଘର କାମ ଅଧା ଛାଡି ସେ ଦଉଡିଗଲେ ଠାକୁର ଘରକୁ l ଜୋଡହସ୍ତରେ ଠାକୁରଙ୍କ ଶରଣରେ ବସିପଡି ପୁଅ ଉପରେ ଯେମିତି କିଛି ବିପତ୍ତି ନ ଆସୁ, ଦୟାମୟଙ୍କ ପାଖରେ ଵିନତୀ କରିବାକୁ ଲାଗିଲେ l
ମାଆଙ୍କ ଆଶଙ୍କା ବୋଧେ ଠିକ ଥିଲା,ସାଙ୍ଗେ ସାଙ୍ଗେ ଫୋନ ବାଜିଉଠିଲା l ଗଙ୍ଗୋତ୍ରୀ ଦେବୀ ଗୋଟାପଣେ ଥରିବାକୁ ଲାଗିଲେ, ଘରେ ଶୁଭମ ବି ନାହିଁ, ସ୍କୁଲ ଯାଇଛି l କିଛି ଅଶୁଭ ଶୁଣିବାର ଧୈର୍ଯ୍ୟ ତାଙ୍କର ନ ଥିଲା, ସେଥିପାଇଁ ସେ ଫୋନ ଉଠେଇବାକୁ ଚାହୁଁ ନ ଥିଲେ l କିନ୍ତୁଫୋନ ନ ଉଠେଇବା ବ୍ୟତୀତ ତାଙ୍କ ପାଖରେ ଆଉ କଛି ବିକଳ୍ପ ମଧ୍ୟ ନ ଥିଲା l ଠାକୁର ଘରୁ ଫୋନ ପର୍ଯ୍ୟନ୍ତ ଆସି, ଫୋନ ଧରିବାକୁ ନିଜକୁ ଦମ୍ଭ ଦଉ ଦଉ ଫୋନଘଣ୍ଟି ବାଜିବା ବନ୍ଦ ହେଇଗଲା l ଟିକେ ଆଶ୍ୱସ୍ତ ହେଲେ ସେ, ହେଲେ ପରମୁହୂର୍ତ୍ତରେ ନିଜ ଭୀରୁପଣ କୁ ଶତଧିକ୍କାର କଲେ l ଗୋଟିଏ ବୀର ଯବାନ ର ମାଆ ହୋଇ ଏତେ ଡର ତାଙ୍କୁ କଣ ଶୋଭା ଦଉଛି? କାଳେ ସମର ଫୋନ କରିଥିବ କିଛି ଜରୁରୀ ବିଷୟ ନେଇ l ସେ ଏଡ଼େ ନିର୍ବୋଧ କେମିତି ହେଲେ ଯେ ଖବର ଟି ଶୁଣିବାକୁ ବି ତାଙ୍କର ସତସାହସ ହଉନି ! ଉଦାସ ମନରେ ପୁଣିଥରେ ରୋଷେଇ ଘରକୁ ଯିବାକୁ ବସିଲେ ସେ l ତାଙ୍କ ଅନ୍ୟମନସ୍କତା କୁ ଭଙ୍ଗ କରି ପୁଣିଥରେ ଗର୍ଜି ଉଠିଲା ଟେଲିଫୋନ l ନା.. ଏଥର ସେ ନିଶ୍ଚୟ ଫୋନ ଧରିବେ.. ଦୌଡ଼ିଯାଇ ଗୋଟିଏ ଝାମ୍ପରେ ରିସିଭର କୁ ମୁଠେଇ ଧରିଲେ ଗଙ୍ଗୋତ୍ରୀ l କାନ ପାଖରେ ରିସିଭର କୁ ଧରିଥିଲେ ମଧ୍ୟ ପାଟିରୁ ତାଙ୍କର 'ହାଲୋ' ଶବ୍ଦ ଟି ବାହାରିପାରୁ ନ ଥାଏ l କିଛି ସେକେଣ୍ଡ ର ନୀରବତା ପରେ ସେପଟୁ ସମର ର କଣ୍ଠ ଶୁଭିଲା l ଗଙ୍ଗୋତ୍ରୀ ଦେବୀଙ୍କ ଜୀବନରେ ଯେମିତି ଜୀବନ ଫେରିଆସିଲା l ନ ଚାହିଁଲେ ମଧ୍ୟ ଝଡ଼ ଭଳି ପଶିଆସୁଥିବା ଅଶୁଭ ଚିନ୍ତାଗୁଡିକର କିଛି ବାଡ଼ କି ବନ୍ଧ ଅଛି ! ସେମାନେ ତ ଧସେଇ ପଶିଆସନ୍ତି ଶତ୍ରୁପକ୍ଷର ସୂଚାନବିହୀନ ଗୁଳି ସଦୃଶ l
ସମର ଠିକ ଥିଲା, ତଥାପି ମାଆ ଦୁଃଖରେ ଅଧୀର ହୋଇ ବିନା କିଛି ବାକ୍ୟ ବ୍ୟୟରେ ଫୋନ ରିସିଭର କୁ ଥୋଇଦେଲେ l ଆଖିରୁ ଗଡିଯାଉଥାଏ ଦୁଇଧାର ଲୁହ l ଠିକ ସେତିକିବେଳେ ଶୁଭମ ଫେରିଲା ସ୍କୁଲରୁ l ମାଆଙ୍କ ଶୁଖିଲା ମୁହଁ ଓ ଆଖିର ଲୁହ ଦେଖି ତା ଭିତର ଟା କଣ ହୋଇଗଲା l ତାର ବି ସେଇ ଆଶଙ୍କା, ଭାଇ ଠିକ ଅଛନ୍ତି ତ ସେଇଠି? ଦୌଡ଼ିଗଲା ଶୁଭମ l ମାଆଙ୍କୁ ଭୟରେ ଜାବୁଡି ଧରି ପଚାରିଲା କଣ ହେଇଛି ? କାହିଁକି ସେ କାନ୍ଦୁଛନ୍ତି? କିଛି ସମୟର ନୀରବତା ପରେ ମାଆ କହିଲେ,ଯେ ପୁଣିଥରେ ଭାରତ -ପାକିସ୍ତାନ ଭିତରେ ଯୁଦ୍ଧର ଆଶଙ୍କା ରହିଛି l ସୀମାରେ ଶତ୍ରୁଙ୍କୁ କଡା ଜବାବ ଦେବାପାଇଁ ସମସ୍ତଙ୍କୁ ସତର୍କ ହୋଇରହିବାକୁ କୁହାଯାଇଛି l ଯୁଦ୍ଧ ପରିସ୍ଥିତି ର ଆଶଙ୍କା କରି ସମସ୍ତ ଯବାନମାନଙ୍କର ଛୁଟି ବାତିଲ କରିଦିଆଯାଇଛି l
ଶୁଭମ କୁ ବଡ଼ ଧକ୍କାଟିଏ ଲାଗିଲା l ଭାଇ ଆସିବେ ବୋଲି କେତେ ଖୁସି ଥିଲେ ମାଆ ଆଉ ସେ l କିନ୍ତୁ ପରିସ୍ଥିତି ବି ସେୟା l ଦେଶସେବା ପାଇଁ ଯିଏ ଥରେ ମନ ବଳାଏ ତା ଆଗରେ ହୋଲି, ଦୀପାବଳି ଭଳି ସବୁ ପର୍ବପର୍ବାଣୀ ମୂଲ୍ୟହୀନ l ସେମାନେ ନିଜ ଜୀବନକୁ ମରଣ ଯନ୍ତା କୁ ଠେଲି ବନ୍ଧୁକ ରୁ ଗୁଳି ବର୍ଷଣ କରୁଛନ୍ତି ବୋଲି ସାରାଦେଶ ଆଜି ସୁରକ୍ଷିତ ହୋଇ ଘରେ ଘରେ ପର୍ବପାଳନ କରିପାରୁଛି l ଭାଇଙ୍କ ଦେଶପ୍ରେମ କଥା ଭାବି ଶୁଭମ ଗର୍ବିତ ଅନୁଭବ କରୁଥିଲା l
ମାଆଙ୍କ ପାଖରେ ବସି ଶୁଭମ ମାଆଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲା l ମାଆଙ୍କ ଠାରୁ ବୟସରେ ବହୁତ କମ ଶୁଭମ ମାଆଙ୍କୁ ବୁଝାଉଥାଏ ମନ କଷ୍ଟ ନ କରିବାକୁ l ଭାଇ ଯେ ସୀମାରେ ଦୀପାବଳି ପାଳନ କରିବେ, ତା ଠାରୁ ଆଉ ଗର୍ବର ବିଷୟ କ'ଣ ହୋଇପାରେ ସେମାନଙ୍କ ପାଇଁ ! ଶତ୍ରୁଙ୍କୁ ପରାଜିତ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ଗୋଳାବାରୁଦ, ଗୁଳି, ବନ୍ଧୁକ, ବୋମା କ'ଣ ଦୀପାବଳି ମହୋତ୍ସବଠାରୁ କମ ଉତ୍ସାହ ଯୋଗେଇଦେଉଥିବ ସମର ଭାଇଙ୍କ ଭଳି ଦେଶର ପ୍ରତି ବୀର ଯବାନଙ୍କୁ ?
ମାଆ ବିସ୍ଫାରିତ ନୟନରେ ମୁଗ୍ଧହୋଇ ଚାହିଁରହିଥିଲେ ଶୁଭମ କୁ l ସେ କେମିତି ଜାଣିପାରିଲେ ନାହିଁ ତାଙ୍କ ଟିକି ଶୁଭମଟି ୟା ଭିତରେ ଏତେ ବଡ଼ ହୋଇଗଲାଣି !!