ବାତ୍ୟା -ବେପାର
ବାତ୍ୟା -ବେପାର
ଦନେଇ ସାହୁର ହଠାତ ସାହି ଲୋକଙ୍କ ପ୍ରତି ସୁହାନୁଭୂତି ଜାଗ୍ରତ ହୋଇଉଠିଛି l ସମସ୍ତଙ୍କୁ ଏକତ୍ରିତ କରି ବୁଝାଉଛି ; ' 'ଆମେ ପାଖପଡୋଶୀ ଭାବରେ ବିପଦ ଆପଦରେ ପରସ୍ପରକୁ ସାହା ହେବାନି ତ କଣ ବାହାରୁ କିଏ ଆସି ଆମକୁ ସାହାଯ୍ୟ କରିବେ? '
' ଚିନ୍ତା କରନି ଆମେ ମିଳିମିଶି ଏହି ପରିସ୍ଥିତିର ମୁକାବିଲା କରିବା l ଏଭଳି ଅସୁବିଧା ସମୟରେ ମୁଁ ଆପଣ ମାନଙ୍କୁ ରିହାତିରେ ସବୁ ସଉଦାପତ୍ର ଯୋଗେଇ ଦେବି l ଶୁଣିଛି ଦୋକାନୀମାନେ ସବୁ ଜିନିଷର ଦାମ କିଲୋ ପ୍ରତି ୨0- ୨୫ ଟଙ୍କା ବୃଦ୍ଧିକରି ଲୋକଙ୍କୁ ଏକପ୍ରକାର ଲୁଟି ଚାଲିଛନ୍ତି l ସେମାନେ ବି ଅଭାବ ଓ ଭୋକ ବିକଳରେ ସେସବୁ କିଣିବାକୁ ବାଧ୍ୟ l ମଣିଷପଣିଆ ଆଉ ଦୁନିଆରେ ନାହିଁ ବୋଲି କହିଲେ ହବ, ଏପରି ବିଷମ ପରିସ୍ଥିତିରେ ଲୋକଙ୍କ ସହିତ ଏଭଳି କଲେ ଧର୍ମ ସହିବ ଟି? ଛି, ଛି.... ମାନବିକତା ମରିଗଲାଣି ଲୋକଙ୍କର l '
ଅଜ୍ଞାନ ଲୋକଗୁଡା ଦନେଇ ସାହୁର କଥାକୁ ଅତି ସହଜରେ ବିଶ୍ୱାସ କରିଗଲେ l ଆସନ୍ତା କାଲି ଯାହାର ଯାହା ସଉଦା ଦରକାର, ସମସ୍ତେ ଗୋଟିଏ ଗୋଟିଏ ଚିଠା ପ୍ରସ୍ତୁତ କରି ନେଇଆସିବା ପାଇଁ ଦନେଇ ଅନୁରୋଧ କଲା l ଆସିଲାବେଳେ ସମସ୍ତଙ୍କୁ ନିଜ ନିଜ ରାସନ କାର୍ଡଟିକୁ ସାଥିରେ ନେଇଆସିବା ପାଇଁ ମଧ୍ୟ କହିରଖିଲା l ବାତ୍ୟାଜନିତ ଅଭାବକୁ ଦୂରେଇ ଦେବାପାଇଁ ଦନେଇର ଏହି ସାହାଯ୍ୟ ଭରା ପଦକ୍ଷେପକୁ ସାହି ବାସିନ୍ଦା ଧନ୍ୟ ଧନ୍ୟ କରି ଘରକୁ ଫେରିଲେ l
ଦୋକାନ ଭିତରେ ବସିକି ସବୁ ଶୁଣୁଥିବା ରାଧୁ, ଯିଏ କି ଦନେଇ ସାହୁକୁ ଦୋକାନ ସମ୍ଭାଳିବାରେ ସାହାଯ୍ୟ କରେ, ସମସ୍
ତେ ଗଲାପରେ କାନମୁଣ୍ଡା ଆଉଁସି ଆଉଁସି ଆସି ପଚାରିଲା, ' ବାବୁ ଏହି ସମୟରେ ବେପାରଟି ଜମିଯାଇଥାନ୍ତା ;ଅଧିକ ମୂଲ୍ୟରେ ସଉଦା ବିକ୍ରି କରି ଟିକେ ଲାଭବାନ ହେବା ବଦଳରେ ଆପଣ କଣ ଏମାନଙ୍କୁ ରିହାତି ଦେବା କଥା କହିଲେଣି? '
" ନଇଁଥିବା ବେଳେ ବିଧାଏ " ଦେଇ କିଛି ଅଧିକ ଉପାର୍ଜନ କରିବାର ଉପାୟଟା ଆପଣଙ୍କୁ ବେଶ ଜଣାଥିବ ବୋଲି ମୋର ଧାରଣା ଥିଲା, ହେଲେ ଆପଣ ତ ସାକ୍ଷାତ 'ଦାନୀ ହରିଶଚନ୍ଦ୍ର ' ମୁଁ ଦେଖୁଛି l '
ଦୋକାନରେ ତାଲା ପକଉ ପକଉ ଧୀରେ ରାଧୁ କାନରେ ଦନେଇ ସାହୁ କହିଗଲା ଅସଲି ରହସ୍ୟଟି l 'ଜାଣିଛୁ ରେ ରାଧୁ !ସରକାର ବାତ୍ୟାପୀଡିତ ରାସନକାର୍ଡ ଧାରୀଙ୍କ ଆଶୁ ସହଯୋଗ ପାଇଁ ଏକ ଯୋଜନାର ବ୍ୟବସ୍ଥା କରିଛନ୍ତି l ଜଣ ପିଛା ୫0 କିଲୋ ଚାଉଳ ଓ ୨୫00 ନଗଦ ଟଙ୍କା ସେମାନଙ୍କୁ ମିଳିବ l ହେଲେ ଏହି ମୂର୍ଖଲୋକ ଗୁଡା ଏସବୁ ବିଷୟରେ ଟେର ପାଇବା ପୂର୍ବରୁ ମୁଁ ଏମାନଙ୍କ କାର୍ଡ ଦେଖେଇ ସରକାରଙ୍କ ଠାରୁ ସବୁ ହାତେଇ ଆଣିବି l ବଦଳରେ ରିହାତି ଦରରେ କିଛି ସଉଦାପତ୍ର ଯୋଗେଇ ଦେବି, ମୋର ଯାହା ଲାଭ ତାହା ତ ଆସି ସାରିଥିବ ! ଆଉ ଏମାନେ ତ ଖାଇକି ସବୁ ସଉଦା ଚଳୁ କରିସାରିଥିବେ l ପରେ ଜାଣିଲେ ବି ଆଉ କଣ ବାକି ଥିବ ଯେ ଆସି ମୋ ପାଖରେ ଫେରାଦ ହେବେ?
"ଚିଙ୍ଗୁଡ଼ି ପକେଇ ଶେଉଳ ଟାଣିବା "ର ସମୟ ଇଏ, ତୁ..... ବୁଝିପାରିବୁନି, ଏଇଟା ନୂଆ ବେପାର ଷ୍ଟାଇଲ !
ଆସନ୍ତା କାଲିର ଲାଭ ହିସାବ କରୁ କରୁ ଦନେଇ ସାହୁ ମନରେ ଗୋଟିଏ ଛୋଟ 'ଫୋନି ' ସୃଷ୍ଟି ହେବାକୁ ଆରମ୍ଭ କରୁଥିଲା l