ଗାନ୍ଧିଙ୍କ ହସ
ଗାନ୍ଧିଙ୍କ ହସ
ସାରଙ୍କ ଅନୁରୋଧରକ୍ଷାକରି ଆଜି ସମୟ ପୂର୍ବରୁ କ୍ଲାସ ଚାଲିଆସିଥିଲା ସୁଜୟ । ଗତକାଲି ସାର ତାକୁ ମହାତ୍ମାଗାନ୍ଧିଙ୍କ ୧୫o ତମ ଜନ୍ମଦିବସ ଉପରେ କିଛି କହିବା ପାଇଁ ପ୍ରସ୍ତୁତ ହୋଇଆସିବାକୁ କହିଥିଲେ । କାଲି ପୁରା ସନ୍ଧ୍ୟା ଓରାତି ବାରଟା ଯାଏ ସେ ଗାନ୍ଧିଜୀ ଙ୍କ ଉପରେ ଲିଖିତ କିଛି ପୁସ୍ତକ ପଢି ତାକୁ କ୍ରମରେ ସଜେଇ ଗୋଟିଏ କାଗଜରେ ଲେଖିକି ଆଣିଥିଲା ବକୃତା ଦେବା ପୂର୍ବରୁ ସାରଙ୍କୁ ଦେଖେଇବା ପାଇଁ । ସେ ଠିକ ସମୟରେ ଆସି ପହଞ୍ଚିଗଲା ହେଲେ ସାରଙ୍କ ଆସିବାରେ ବିଳମ୍ବ ଦେଖି ଚୁପଚାପ କାଗଜରେ ଲେଖିଥିବା ସବୁ ବିଷୟ ଉପରେ ଟିକେ ଆଖି ପକାଉଥାଏ । ପଢିବାରେ ଏତେ ନିମଗ୍ନ ଥାଏ ଯେ ପଛଧାଡିରେ କ୍ଲାସର କିଛି ଦୁଷ୍ଟ ପିଲା ଆସିବସିବା କଥାକୁ ତାର ଜମା ଲକ୍ଷ୍ୟ ନ ଥାଏ ।
ସୁଜୟ ଭଲ ପଢାପଢି କରିବା ସହିତ ଅତ୍ୟନ୍ତ ମିଷ୍ଟଭାଷୀ ଓ ଶାନ୍ତ ସ୍ଵଭାଵର ପିଲା । ଶିକ୍ଷକମାନେ ତାର ଭଲ ବ୍ୟବହାରରେ ଖୁସି ହୋଇ ତାକୁ ବହୁତ ସ୍ନେହ କରନ୍ତି ଏବଂ ବିଦ୍ୟାଳୟର ସବୁ କାର୍ଯ୍ୟକ୍ରମରେ ବକୃତା କିମ୍ବା କୌଣସି ବିଷୟ ଉପରେ ବିବରଣୀ ପ୍ରଦାନ କରିବାକୁ ତାକୁ ହିଁ ଖୋଜନ୍ତି । ହେଲେ କିଛି ପିଲାଙ୍କ ଦେହରେ ଏସବୁ ଯାଏନି । କାହିଁକି ସବୁବେଳେ ସେ ଏସବୁ ସୁଯୋଗ ପାଉଛି ବୋଲି କେତେଜଣଙ୍କ ମନରେ ଭାରିରାଗ ଆସେ ଓ ସେମାନେ ଇର୍ଷାରେ ସୁଜୟ କୁ ଶିକ୍ଷକ ମାନଙ୍କର 'ଚାମଚା 'ର ଆଖ୍ୟା ଦିଅନ୍ତି ।
ସେହି ପିଲାମାନେ ଆଜି ତାକୁ ପାନେ ଦେବେ ବୋଲି ଭାବି ଆସି ସୁଜୟ ବସିଥିବା ପଛ ବେଞ୍ଚରେ ବସି ତାର ଗତିବିଧିକୁ ଲକ୍ଷ୍ୟ କରୁଥାନ୍ତି । ସାର ପିଅନ ହାତରେ ଖବର ପଠେଇଲେ ଯେ ତାଙ୍କର ଆସିବାରେ ଆହୁରି ଘଣ୍ଟାଏ ଡେରି ହବ, ତେଣୁ ସେ ଯାଇକି ଲାଇବ୍ରେରୀରେ ବସି ଆଜି ସଭାରେ ପରିବେଷଣ କରିବାକୁ ଥିବା ବକ୍ତୃତାର ଅଭ୍ୟାସ କରୁଥାଉ । ପିଅନ ଖବର ଦେଇ ଚାଲିଗଲା ପରେ ସୁଜୟ ଉଠିବାକୁ ଉଦ୍ୟତ ହୁଅନ୍ତେ, ପଛରେ ବସିଥିବା ପିଲା ଚାରିଜଣ ତାକୁ ଘେରିଗଲେ । ସେଭିତରୁ ଜଣେ ଯାଇକି କୋଠରୀର କବାଟ ଟିକୁ ଭିତରପଟୁ ବନ୍ଦ କରିଦେଲା । ହଠାତ କଣ ଘଟିଯାଉଛି ସୁଜୟ ଜାଣିପାରିଲାନାହିଁ । ସେ ଆଶ୍ଚର୍ଯ୍ୟ ହୋଇ କଣ ହୋଇଛି ପଚାରିବା ପୂର୍ବରୁ ଆଉ ଜଣେ ତା ହାତରୁ କାଗଜ ଟିକୁ ଛଡେଇ ନେଇ ଟିକିଟିକି କରି ଚିରି ପବନରେ ଉଡେଇଦେଲା ।
' ଭାଷଣ ଦେବୁ ନାଇଁ, ସବୁବେଳେ ତୁ ଆଉ ତୁ, ଆଉ ତ କେହି ନାହାନ୍ତି ଆମ କ୍ଳାସରେ? ପାଠ, ଶାଠ ସବୁଥିରେ ତୁ ଏକ ନମ୍ବର । ସାର ମାନଙ୍କର ଚାମଚା ହେଇଛୁ ନାଇଁ,ରହ ଆଜି ତୋର ଚାମଚାଗିରି ବାହାରକରିଦେଉଛୁ । ଆଜି ଦେଖିବା କେମିତି ଭାଷଣ ଦେବୁ, ଯାହା ତ ଲେଖିକି ଆଣିଥିଲୁ ସବୁ ହେଇ, ଟିକିଟିକି ହେଇ ଉଡ଼ୁଛି । 'ଏତକ କହି ଜଣେ ଆସି ତାକୁ ପଛକୁ ଠେଲିବାକୁ ଚେଷ୍ଟା କଲା ।
ସୁଜୟ ବିରୋଧ କରି କହିଲା, ' ଭାଇମାନେ ତୁମର ଯଦି ବକ୍ତୃତା ଦେବାକୁ ଇଚ୍ଛା, ସାରଙ୍କୁ କହୁନ ସେ ତମମାନଙ୍କୁ ମଧ୍ୟ ସୁଯୋଗ ଦେବେ ! ତମେସବୁ ନ ଜଣେଇଲେ ସାର ଜାଣିବେ କେମିତି ତମେମାନେ ବି କହିପାରିବ, କଣ ଠିକ କହୁଛି ନାଁ ନାହିଁ? "
'ଯା ଯା ମ ଆସିଲା ଭାରି ଆମକୁ ସୁଯୋଗ ଦେଲାବାଲା, ଆଜି ପରେ ତୋତେ ଆଉ କହିବାକୁ ଇଚ୍ଛା ହିଁ ହବନି, କହିବୁ କଣ !' ଏତକ କହି ଜଣେ ପଛସାର୍ଟରେ ଲୁଚେଇରଖିଥିବା ଗୋଟିଏ ହକିବାଡ଼ି ବାହାର କଲା, ଏବଂ ଏହା ପୂର୍ବରୁ ସୁଜୟ ସେମାନଙ୍କୁ କିଛି ବୁଝାନ୍ତା କି କୁହନ୍ତା ଅତର୍କିତ ଭାବରେ ତା ଉପରେ ପ୍ରହାର କରିବାକୁ ଲାଗିଲା । ସୁଜୟର ମୁଣ୍ଡଫାଟିରକ୍ତବାହାରିବା ଦେଖି ସେମାନେ ଭୟରେ ଝରକା ଡେଇଁ ପଳେଇବାକୁ ଚେଷ୍ଟାକଲେ ଏବଂ ସଫଳ ମଧ୍ଯ ହେଲେ ।
ସେପଟେ ସୁଜୟ କୁ ଲାଇବ୍ରେରୀରେ ନ ପାଇ ସାର ଆସି କବାଟ ବାଡେ଼ଇଲେ । ଭିତରୁ ସୁଜୟ କବାଟ ଖୋଲିଲା ପରେ ସାର ତାର ଅବସ୍ଥା ଦେଖି ଚିନ୍ତିତ ହୋଇଗଲେ । 'କ ଣ ହେଲା, କିଏ ତମ ସହିତ ଏସବୁ କଲା? ଆମେ ତାଙ୍କ ନାଁରେ ଅଭିଯୋଗ କରିବା !'
' ମୁଁ ଜାଣିଛି ଏସବୁ କାମ କାହାର? ସେଇ ଚାରୋଟି ପିଲାଙ୍କ ଦଳ ନିଶ୍ଚୟ । ବହୁତ ଦିନରୁ ମୁଁ ସେମାନଙ୍କୁ ଲକ୍ଷ୍ୟ କରୁଛି, ହେଲେ କିଛି ପ୍ରମାଣ ନ ଥିଲା ମୋ ପାଖରେ, ଆଜି ପୁରା ମୁଁ ନିଶ୍ଚିତ ଯେ ସେମାନେ ହିଁ ଏସବୁ ପଛରେ । ଆଜି ତମେ ସାକ୍ଷୀ ଦେଲେ ସେ ଚାରିଜଣ ଏହି ସ୍କୁଲରୁ ସବୁଦିନ ପାଇଁ ବିଦାହେବେ । ଚାଲ, ଆମେ ପ୍ରଧାନଶିକ୍ଷକ ଙ୍କ ପାଖକୁ ଯିବା । ଓଃ ! କିରକ୍ତ, ଆଗେ ଚାଲ ତମର ମୁଣ୍ଡରେ ଔଷଧ ଲଗେଇ ପଟିବାନ୍ଧିଦେବା । ତାପରେ ତମେ ଘରକୁ ଯାଇ ବିଶ୍ରାମ ନବ, ଆଜି ଆଉ ବକ୍ତୃତା ଦେବାର ଆବଶ୍ୟକତା ନାହିଁ । '
'ମୁଁ ଠିକ ଅଛି ସାର, ମୋର କିଛି ହେଇନି । ଆଉ ହଁ ମୋତେ କେହି କ୍ଷତି ପହଁଚେଇନାହାନ୍ତି, ବରଂ ମୁଁ ନିଜେ ଦଉଡି କି ଯାଉଥିଲି, ଅନ୍ୟମନସ୍କତାରେ ଝୁଣ୍ଟିପଡିଲି ଓ ବେଞ୍ଚର ଧାରରେ ମୁଣ୍ଡ ବାଜି ଖଣ୍ଡିଆ ହୋଇରକ୍ତ ବାହାରୁଛି ।'
'ସୁଜୟ ସେହି ଦୁଷ୍ଟ ପିଲାଙ୍କୁ ବଞ୍ଚେଇବା ପାଇଁ ତୁମ ଭଳି ମେଧାବୀ ଓ ଗୁଣୀ ପିଲା ପୁଣି ମିଛ କହୁଛି, ମୋତେ ବିଶ୍ୱାସ ହେଉନି । ତୁମେ କାହିଁକି ସେମାନଙ୍କୁ ଦୋଷୀ ପ୍ରମାଣିତ କରିବାକୁ ମନାକରୁଛ? ସେଭଳି ପିଲା ସ୍କୁଲରେରହିଲେ ସ୍କୁଲର ନାଁ ଖରାପ ହବ ।'
'ସାର, ଦୟାକରି ଆପଣ ଆଉ କଥାଟିକୁ ବଢ଼ାନ୍ତୁନାହିଁ । ମୁଁ ଜାଣିଛି ସେମାନଙ୍କ ନାଁରେ ଅଭିଯୋଗ ହେଲା ମାତ୍ରେ ପ୍ରଧାନଶିକ୍ଷକ ମହାଶୟ ତାଙ୍କୁ ସାଙ୍ଗେସାଙ୍ଗେ ବାହାର କରିଦେବେ, ହେଲେ ଏବେ ବର୍ଷ ଅଧାରୁ ସେମାନଙ୍କୁ କୌଣସି ବିଦ୍ୟାଳୟରେ ପଢିବା ପାଇଁ ଅନୁମତି ମିଳିବ ନାହିଁ, ଏବଂ ସେମାନଙ୍କର ଗୋଟିଏ ବର୍ଷ ପୁରା ନଷ୍ଟ ହୋଇଯିବ ।'
'ଆଜି ଗାନ୍ଧିଜୟନ୍ତୀ ନାଁ ସାର, ତ ଆଜି ବାପୁଙ୍କ ଚଲାପଥରେ ଅନୁପ୍ରାଣିତ ହୋଇ ଆମେ ତାଙ୍କୁ କ୍ଷମାକରିଦେବା । ହିଂସାତ୍ମକ ପନ୍ଥା ଅବଲମ୍ବନ ନ କରି ଅହିଂସାର ବାଟ କୁ ଆପଣେଇନେବା । ଗୋଟିଏଥର ତାଙ୍କୁ ନିଜ ଭୁଲକୁ ବୁଝି, ଭୁଲ ସୁଧାରିବାକୁ ଚେଷ୍ଟା କରିବାକୁ କହିବା । ଯଦି ସେମାନେ ନିଜ କଲାକାମ ପାଇଁ ଲଜ୍ଜିତ କି ମର୍ମାହତ ହେଲେ, ତା ହେଲେ ଆମକୁ ଲାଗିବ ଯେ ବାପୁଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ବାପୁଙ୍କ ଜନ୍ମ ଦିନରେ ୟା ଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ଆଉ ଆମ ତରଫରୁ କଣ ହୋଇପାରେ ସାର କହିଲେ? '
ସୁଜୟର କଥାରେ ଗାନ୍ଧିଙ୍କ ନିତୀର ପ୍ରତିଫଳନ ଦେଖି ସାର ଆନନ୍ଦିତ ଓ ଗର୍ବିତ ଅନୁଭବ କଲେ । ଯଥାସମୟରେ ସଭାଆରମ୍ଭ ହେଲା । ପ୍ରସ୍ତୁତିପାଇଁ ଆଣିଥିବା କାଗଜ ଆଉ ସୁଜୟ ହାତରେ ନ ଥିଲେ ବି ତା ମୁଖନିସୃତ ଗାନ୍ଧିବାଦୀ ଚିନ୍ତାଧାରା ଶୁଣି ଉପସ୍ଥିତ ଶିକ୍ଷକଗଣ, ମୂଖ୍ୟଅତିଥି ମଣ୍ଡଳୀ, ସମସ୍ତ ସହପାଠୀଗଣ ଏବଂ ସର୍ବୋପରି ସେହି ଚାରିଜଣ ବନ୍ଧୁ ଆତ୍ମବିଭୋର ହେଲେ । ଗାନ୍ଧିଙ୍କ ଆଦର୍ଶ ଯେମିତି ତାର କୋଣଅନୁକୋଣକୁ କୁ ପ୍ଲାବିତ କରି, ବୈତରଣୀସମ ବାକ୍ୟରରୂପନେଇ ଚତୁର୍ଦିଗକୁ ପ୍ରସାରିତ ହୋଇଯାଉଥିଲା ।
ସଭା ଶେଷହେବା ପରେ ଚାରିବନ୍ଧୁ ଆସି ସୁଜୟ କୁ କ୍ଷମା ମାଗିଲେ ଏବଂ ତାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ ହେବାରୁରକ୍ଷା କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଲେ । ସୁଜୟ ଗାନ୍ଧିଜୀଙ୍କ ଫୋଟୋ ଆଡ଼କୁ ଏକଲୟରେ ଅନେଇଥାଏ । ତାକୁ ଲାଗୁଥାଏ ଯେମିତି ଆଜି ଗାନ୍ଧିଜୀ ତା ଉପରେ ବହୁତ ଖୁସି ହୋଇ ମୁରୁକି ମୁରୁକି ହସୁଛନ୍ତି ।