ନାରୀ
ନାରୀ
ଅନିତା ସକାଳୁ ସକାଳୁ ପୋଖରୀ ପାଣି ଯାଇଥାଏ, ଗାଁ ମୁଣ୍ଡରେ ଥିବା ଜୋର କୂଳକୁ। ଜୋର ମୁଣ୍ଡରେ କଲମ ଆଉ କିଆ କେତକୀର ଅରମା। ଗୋଟେ ଲଙ୍କା ମାରିଚ ଗଛକୁ ଧରି ଗଡାନିଆ ଅତଡିରେ ବସି ଝାଡା ଫେରୁଥାଏ। କିଆ ଗୋହିରୀ ଭିତରୁ ଶୁଭିଲା କଅଁଳା ଶିଶୁର କାନ୍ଦ। ଚମକି ପଡି ଦେଖିଲା, ନବଜାତ ଶିଶୁ କନ୍ୟାକୁ କିଏ ଫିଙ୍ଗି ଦେଇ ଯାଇଛି। କଣ କରିବ କଣ ନ କରିବ ଭାବିବାକୁ ଲାଗିଲା। ଅଭାବ ଅନଟନରେ ନିଜେ ଦୁଇ ଗଣ୍ଡା ଖାଇବାକୁ ପାଉନି, ତଥାପି ମୁହଁ ଫେରେଇ ପାରିଲାନି। ନେଇ ଆସିଲା ସାଙ୍ଗରେ। ଆଉ ମନେ ମନେ ଭାବୁଥିଲା...
ଝିଅଟିର କି ଭାଗ୍ୟ? କିଏ ତାକୁ ପେଟରୁ ମାରିଦିଏ ତ କିଏ ତାକୁ ବର୍ଜ୍ୟବସ୍ତୁ ଭାବି ବାହାରେ ଫିଙ୍ଗିଦିଏ। କାରଣ ଝିଅ ନିଜର ହୋଇ ବି ନିଜର ନୁହେଁ, ଦିନେ ତାକୁ ଯିବାକୁ ପଡିବ ପର ଘରକୁ। ସେ ଜନ୍ମ ହେବା ପରେ କିଏ ଖାଇବା ଛାଡ଼ି ଦିଏ ତ କିଏ ଲୁଚି ଲୁଚି କାନ୍ଦେ। କାରଣ ଭବିଷ୍ୟତ ପାଇଁ ସେ ବୋଝ। ଦୋଷ ସେମାନଙ୍କର ନୁହେଁ, ଦୋଷ ତାର କାରଣ ସିଏ ଝିଅ, ସେ ନାରୀ, ସେ ଅବଳା ଏବଂ ସେ ଦୁର୍ବଳା।
କିନ୍ତୁ ଏ ପିଲାଟିକୁ ମୁଁ ମରିବାକୁ ଦେଇ ପାରିବିନି। ଯାହା ବି ହେଉ।
★★★★
ସରିତା ପଢା ସରିବା ପରେ ନିଜେ ନିଜ ଗୋଡ଼ରେ ଛିଡା ହେବା ପାଇଁ ବହୁତ ସ୍ୱପ୍ନ ଦେଖୁଥାଏ। ଶେଷରେ ଗୋଟେ ଘରୋଇ ସଂସ୍ଥାରେ ଚାକିରୀଟିଏ ମିଳିଲା। କିନ୍ତୁ ଘର ଲୋକମାନେ ବିରୋଧ କଲେ। ଝିଅ ପିଲାଟା ଚାକିରି କଣ କରିବୁ? ଗାଁ ଗଣ୍ଡାରେ ଲୋକେ କଣ କହିବେ? ବଡ଼ ଭାଇ ସବୁଠୁ ବେଶୀ ବିରୋଧ କଲେ। ସରିତାର ସବୁ ସ୍ୱପ୍ନ ଭାଙ୍ଗିଗଲା। ସେ ନୀରବରେ ଭାବୁଥିଲା...
ଭାଇ ହେଉଛି କୂଳନନ୍ଦନ, କୁଳ ଦୀପ। କୂଳକୁ ଉଜ୍ଜଳ କରିବ। ସହରରେ ଚାକିରୀ କରିବ, ବାପ ଆଜାଙ୍କ ନାଁକୁ ସାର୍ଥକ କରିବ, କିନ୍ତୁ ମୁଁ ଘରୁ ଗୋଡ଼ କାଢ଼ିଲେ ଲୋକେ କେତେ କଣ କହିବେ? ଭାଇ ପଢିବ ଭଲ ସ୍କୁଲରେ, ଭାଇ ପିନ୍ଧିବ ଭଲ ଡ୍ରେସ, ଏମିତି ଅନେକ କିଛି। ନିଜ ପିତା ମାତା ବି କରି ପାରନ୍ତି ପାତର ଅନ୍ତର? ହଁ ଦୋଷ ମୋର, କାରଣ ମୁଁ ଝିଅ।
★★★★★
କାଜଲର କଲେଜରେ ନୂଆ ନୂଆ ଚାକିରୀ। ଅବିବାହିତ ସେ। ବୟସ ଅତି ବେଶୀରେ ୨୬ କି୨୭ ହେବ। ଘରୁ ବାହାରିବା ଠୁଁ ଆରମ୍ଭ କରି କଲେଜର ପୁରୁଷ ସହକର୍ମୀ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ନଜରରେ ଦେଖନ୍ତି। ଟିକିଏ ସୁଜଗ ମିଳିଲେ ପାଖକୁ ଆସିବାକୁ ସମସ୍ତଙ୍କ ଚେଷ୍ଟା। ସହକର୍ମୀ ସଞ୍ଜୟ ବିଳମ୍ବ ରାତିରେ କିଛି ଆପତ୍ତି ଜଣକ ସନ୍ଦେଶ କାଜଲ ମୋବାଇଲକୁ ପଠାଇ ଥିଲେ। ନିଜର ଭୁଲ ଘୋଡେଇ ବାକୁ ଯାଇ କହିଲେ, ଭୁଲରେ ତୁମ ପାଖକୁ ଚାଲି ଯାଇଛି। କାଜଲ ବି ତାର କଡା ଜବାବ ଦେଇ ଅନେକ ଅପମାନ କରିଥିଲେ ସମସ୍ତଙ୍କ ସାମ୍ନାରେ। କିନ୍ତୁ ମନଟା ତାଙ୍କର ଭାଙ୍ଗି ଯାଇଥିଲା। କଣ ବା କରିପାରିବେ ସେ? କେବଳ ଚିନ୍ତା କରୁଥିଲେ....
ନାରୀ ଯୌବନରେ ଚାରିଆଡେ ଅସୁରକ୍ଷିତ। ଏପରିକି ରାଜରାସ୍ତାରୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ କେଉଁଠି ବି ସୁରକ୍ଷିତ ନୁହେଁ। ଜୀବନର ପ୍ରତିଟି ପାହାଚ ତାର ଅସ୍ତବ୍ୟସ୍ତ।ଶହ ଶହ ଛବିରାଣୀ, ତା ସହିତ ବେବିନାର କରୁଣ କାହାଣୀ। ପ୍ରତିଟି ପାଦରେ ବଞ୍ଚି ରହେ ସେ ଡରି ମରି। ଦୋଷ କାହାର?, ବୋଧେ ତା ଭାଗ୍ୟର କାରଣ ସେ ଝିଅ।
★★★★★
ରଣଜିତ ମହାପାତ୍ର ଓରଫ ରଞ୍ଜୁ ଭାଇ ଜଣେ ପୋଲିସ ଅଧିକାରୀ। ପୋଲିସ ତ ନୁହେଁ, ପୋଲିସ ପୋଷାକରେ ଜଣେ ଅସାମାଜିକ, ଚରିତ୍ରହୀନ ଏବଂ ଜଣେ ରାକ୍ଷସ ପ୍ରକୃତିର ମଣିଷ। କିନ୍ତୁ ତାଙ୍କର ସ୍ତ୍ରୀ ଜଣେ ଆଦର୍ଶ ଏବଂ ସରଳ ମହିଳା। ପେଶାରେ ସେ ଜଣେ ସରକାରୀ କର୍ମଚାରୀ। ରୂପ ଯେମିତି ଗୁଣ ବି ସେମିତି କିନ୍ତୁ ଭାଗ୍ୟର ବିଡମ୍ବନା, ରଞ୍ଜୁର ନିର୍ଯ୍ୟାତନାରେ ସେ ନିର୍ଯ୍ୟାତିତ ସଦା ସର୍ବଦା। ଦରମାର ସବୁ ଟଙ୍କା ଦେଇ ସାରିବା ପରେ ବି ଜଲ୍ଲାଦର ମନ ଶାନ୍ତ ହୁଏ ନାହିଁ। ବିନା କାରଣରେ ନିସ୍ତୁକ ମାଡ଼ ଦିଏ, ବେଳେବେଳେ ମାଡ଼ ଖାଇ ଖାଇ ବିଚାରୀ ଅଚେତ ହୋଇ ପଡେ। କଣ ଵା କରିପାରିବ ସେ? ଏ ଦୁନିଆରେ ବଡ଼ ଦୁଃଖିନୀଟିଏ ସେ।
ପିଲାଟି ଦିନରୁ ବାପ ମା' ଚାଲିଗଲେ ଆରପାରିକୁ। ଭାଇଟିଏ ବି ନାହିଁ। ମାମୁଁ ମାଇଁଙ୍କ ପାଖରେ ରହି ଛୋଟରୁ ବଡ଼ ହୋଇଛି। ପିଲାଟି ଦିନରୁ ସେ ଖୁବ ମେଧାବୀ। ନିଜର ଯୋଗ୍ୟତା ପାଇଁ ବହୁ ସହଜରେ ଚାକିରି ଖଣ୍ଡେ ପାଇ ଥିଲା। ମାମୁଁ ମାଇଁଙ୍କର ସ୍ୱପ୍ନ ଥିଲା ବାହାଘର ପରେ ବହୁତ ଖୁସିରେ ରହିବ। କିନ୍ତୁ ସ୍ୱପ୍ନ ସବୁ ଭାଙ୍ଗିଗଲା ରାତି ଆସିବା ପୂର୍ବରୁ।
କିଛିଦିନ ହେବ ରଞ୍ଜୁ ଭାଇ ସ୍ତ୍ରୀଙ୍କୁ ବାଧ୍ୟ କରୁଛନ୍ତି ଚାକିରୀ ଛାଡିବା ପାଇଁ। ଏଥିପାଇଁ ଉଭୟଙ୍କ ମଧ୍ୟରେ ମନାନ୍ତର। ଚାକିରୀ ନ ଛାଡିବାରୁ ସେ, ଦୁଇ ତିନି ଥର ମାଡ଼ ବି ଖାଇ ସାରିଲେଣି। ଆଜି ସକାଳୁ ସକାଳୁ ରଞ୍ଜୁ ଭାଇ ସ୍ତ୍ରୀଙ୍କ ଅଫିସକୁ ଆସି କଦର୍ଯ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ସମସ୍ତଙ୍କ ଆଗରେ ହାତ ଉଠାଇ ମାରିଲେ। ପେଷାରେ ଜଣେ ପୋଲିସ ହୋଇଥିବାରୁ ଡରି ମରି ସମସ୍ତେ ଚୁପ ରହିଲେ। ଲାଞ୍ଚିତ ଅପମାନିତ ହୋଇ ଘରକୁ ଫେରି ଆତ୍ମହତ୍ୟା କରିବା ପାଇଁ ବିଚାର କରୁଥିଲେ କିନ୍ତୁ ନିଜର ଛୋଟ ପିଲାଟିକୁ ସେ କିପରି ଛାଡି ପାରିବେ ନର ରାକ୍ଷସ ପାଖରେ। ସେ କେବଳ ଦୁଃଖରେ ଭାବୁଥିଲେ...
ଏଇ କଣ ମୋର ଭାଗ୍ୟ। ବିବାହ ପରେ ମୋର ନିଜର କିଛି ବି ସ୍ୱପ୍ନ ନାହିଁ, ଇଚ୍ଛା ନାହିଁ, ଆତ୍ମ ସମ୍ମାନ ନାହିଁ। ମତେ ବିନା ଭୁଲରେ କୁହାଯାଏ ବାପ ଭାଇଙ୍କର ଅବସ୍ଥା ଏବଂ ଶିକ୍ଷ୍ୟା ସଂସ୍କାର। ସମସ୍ତଙ୍କୁ ନିଜର କରିବା ମୋର କର୍ତ୍ତବ୍ୟ କିନ୍ତୁ ମୁଁ କାହାର ନିଜର ନୁହେଁ, ମୁଁ ସାତ ପର। କେଉଁଠି ବି ନାହିଁ ମୋର ଆଦର। ହେଲେ କାହିଁକି?
★★★★★
ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଆମେ କେତେ ବଦଳିଛେ। ଆମ ମାନସିକତା କେତେ ବଦଳିଛି। ନାରୀ ସଶକ୍ତିକରଣ କେତେ ସଫଳ। ମୋର ଗୋଟେ ପ୍ରଶ୍ନ "ନାରୀର ଜନ୍ମ କଣ ଜଳି ଜାଳି ମାରିବା ପାଇଁ, ତାର କଣ ଖୁସିରେ ବଞ୍ଚିବାର ଅଧିକାର ନାହିଁ"?