ମୁଠାଏ ଦରଭଙ୍ଗା କୋହ
ମୁଠାଏ ଦରଭଙ୍ଗା କୋହ


ସତରେ କୋହକୁ ଚାପିବା କ'ଣ ସହଜସାପେକ୍ଷ !ତଥାପି ଏତେ କଷ୍ଟ ବି ନୁହେଁ ବୋଧେ ! ମୁଁ ଦେଖିଛି ଆଉ ବାରମ୍ବାର ଦେଖୁଛି ପରିବର୍ତ୍ତନର ଧାରାରେ, ଦୁଇଟା ମଣିଷଙ୍କୁ ;ଯିଏ ଜୀବନ ତ ବଞ୍ଚିଛନ୍ତି ନିଶ୍ଚେ କିନ୍ତୁ ମୁଠା ମୁଠା ମହଣ ମହଣ ଦରଭଙ୍ଗା କୋହ ସବୁକୁ ଛାତିରେ କବର ଦେଇ। କେଜାଣି କେବେ ଲୁଚେଇ ଲୁଚେଇ ବେଳ ଅବେଳରେ ସେସବୁର ଦରଜା ଫିଟେଇ ସେଇ ଅନ୍ଧ ଗଳିରେ କେବେ କେମିତି ଟିକେ ହଜୁଥିବେ କି ନା !
ହଜିଲେ ବି କି ଲାଭ ! କିନ୍ତୁ ନହଜିବି କ'ଣ ରହିହଉଥିବ ! ସେମାନେ ପା' ବାପା'ମା !
ପ୍ରଥମ ଜୀବନରେ ହେଇଥିବା କେତେଗୁଡାଏ ଭୁଲ୍, ଧରାବନ୍ଧା ଯୋଗାଡି ପାରିନଥିବା ଜୀବନ ଗତିପଥର ଅଧା ପନ୍ତୁରିଆ ଚିଠା, କେବେ ଭାବ ପୁଣି କେବେ ଭୁଲ୍ ପରର ଅଭାବର ଜୁଆର, ଅସରନ୍ତି ଦୁଃଖର ଛିଣ୍ଡା ଚାଦର ,ଅମାପ ଦୂରତାବୋଧ, ଭବିଷ୍ୟତକୁ କାଗଜଡଙ୍ଗା ହେଇ ଆଖି ଆଗରେ ଭାସିଯିବାର ଦୃଶ୍ୟ ସବୁ ଗୋଟାପଣେ ଅନିଭୋଗ କରିନେଇଥିଲେ ପରା !ଆଉ ତା'ସାଥେ କେତେ କ'ଣ କିନ୍ତୁ ଜୀବନ ତା'ଙ୍କୁ ଦେଲା କ'ଣ !
ହେଲେ ଦେଇନି ବି କ'ଣ ଯେ !
ଅତୀତର ଦରଭଙ୍ଗା ଉଜୁଡାପଣ ଭର୍ତ୍ତି ମୂଳଦୁଆଟା ତ ବର୍ଷ କେତେଟାର ବ୍ୟାପ୍ତି ଏଡେଇ ଆସି ଅଧା ଗଢା ଘରଟେ ପାଖେ ପହଞ୍ଚି ଗଲାଣି ଭାବିଦେଲେ ଛାଁ ଜାଣି ହେଇଯାଉଛି । କିଛି ଦିନ ଗଲେ ଛାତଟା ବି ପଡିଯିବ ଦୁଃଖେସୁଖେ।
କିନ୍ତୁ କୋହ ସବୁ !
ସେମିତି ଦରଭଙ୍ଗା ହେଇ ମନତଳେ ରହି ମୁହୁର୍ମୁହୁଃ ଖାଇ ଗୋଡୋଉଥିବ। ଆଉ ସେଦିନ ବଞ୍ଚିବାର ଇଚ୍ଛା ଟିକକ ବାରବାର ବଳି ପଡୁଥିବ ଆଉ ଭାତଥାଳି ବାଡିପଟେ ଚିତ୍ ମାରୁଥିବ। ଲୁହ ଜୁଡୁବୁଡୁ ଯନ୍ତ୍ରଣା ଶେଯରୁ ସକାଳୁ ଉଠିଲେ ପୁଣି ଏଇନେ ଏଇନେର ଦାୟିତ୍ଵ ଵୋଧ ମନେପଡିଯିବ ଆଉ ଓଜନିଆ ଆଖିପତାକୁ ଜବରଦସ୍ତି ଟେକି ଧରି ବଞ୍ଚିବା ପାଇଁ ଦାନା ଟିକେ ଯୋଗାଡି ଆଗକୁ ଆଗକୁ ପାଦ ଛାଁ ବଢିଯିବ।
କୋହ ଆଉ ଦୁଃଖ ସବୁ ଅଲିଭା ,ଯାହା ଅନିଭୋଗ କଲେ ସେ ଦୁହେଁ।ଆଉ ଦିଟା ରକ୍ତ ମାଂସଧାରୀ ପ୍ରାଣୀ ବି ବଳିପଡିଗଲେ ଏଇ ଧାରାରେ। କେଜାଣି ଆକାଶକୁ ଯାଇ କୋଉଠି ଥିବେ ଏବେ !ଚାରି ପାଞ୍ଚଟା ବର୍ଷର ଆୟୁ ଭୋଗି କେତେ ବି ପାପ ପୂଣ୍ୟ କରିଥିବେ ଯେ । ଆଜିଯାଏଁ ହିସାବ ନିକାଶ ହେଉଥିବ !ମୁକ୍ତି ପାଇ କୁଆଡେ ମିଳେଇ ଜିବେଣି ବୋଧେ, ଧରାବନ୍ଧା ଗ୍ରୀଷ୍ମ ବର୍ଷା ଶୀତର ସୁଅରେ !କି କଷ୍ଟ ପାଇ କୋଉ ପୂଣ୍ୟୋତ୍ପଳା ବୋଲୋଉଥିବା ତୀର୍ଥ ର ନଈ-ପୋଖରୀ ରେ ବାଲିଗରଡା ହେଇଥିବେ ! କିନ୍ତୁ ତା'ଠୁଁ ତ ବେଶୀ କଷ୍ଟ ସେଇ ଚାଲିଯିବା ସମୟରେ ସେ ଦୁହେଁ ଆଉ ଚାଲିଗଲା ପରେ ଏ ଦୁହେଁ ପାଉଛନ୍ତି ବୋଧେ।
ସେମାନଙ୍କ କଷ୍ଟ ଆଉ ଦରଭଙ୍ଗା କୋହ ମୁଠାଏର ମୂଳଦୁଆ ଉପରେ ଆଉ ତିନିଟା ପ୍ରାଣୀ ଠିଆ ଏବେ; ଯୋଉମାନଙ୍କୁ ନେଇ ଛାତ ଗଢାକାମ ଚାଲିଛି ସେବେଠୁଁ।ଏବେ ଏବେ ତିନି ରୁ ପାଞ୍ଚ , କିଛି ବର୍ଷ ଭିତରେ ସଂଖ୍ୟା ଗୋଟାକ ୧୦ ପାଖାପାଖିରେ ବି ପହଞ୍ଚିଯାଇପାରେ।
କିନ୍ତୁ ବଳିଦାନ ଭୋଗୁଥିବା ଲୋକସଂଖ୍ୟା ସବୁଦିନେ ୪ କୁ ଚାରି ।