ଭାବ ବିନୋଦିଆ
ଭାବ ବିନୋଦିଆ
ଜୀବନର ନାନାଦି ବ୍ୟସ୍ତତା ଭିତରେ ସିପ୍ରା ସବୁବେଳେ ଭୁଲିବାକୁ ଇଚ୍ଛା କରି ବି ସଫଳ ହୁଏନି ଯେ ,ବାହାଘରର ବେଶ୍ କିଛି ବର୍ଷ ପରେ ବି ତା' କୋଳ ଶୂନ୍ୟତାରେ ଆଚ୍ଛାଦିତ । ମରୁ ମରୀଚିକାରେ ସମ୍ମୋହିତ ହେଲା ଭଳି ବେଳ ଅବେଳରେ ପାଟିରୁ ତା'ର ଭାସି ଆସେ କେଇପଦ ଲୋରୀ ।ସତେ ଯେମିତି କୋଉ କୋମଳମତୀଟିଏ ଶୋଇପଡୁଛି ତା'ର ସେଇ ମିଠା ଗୀତର ରାଗିଣୀ ଛନ୍ଦେ ଛନ୍ଦେ।
ପିଲାଟି ଦିନରୁ ତା' ଈଶ୍ୱର ବିଶ୍ଵାସୀ ମନ ସଂସାର ପାଇଁ ଅନାଥ ହେଇକି ବି , ନିଜକୁ ଅନାଥ ମଣିନି । କାରଣ ସବୁବେଳେ ସେଇ ଗୋଟାଏ ଭାବନାର ଆଢୁଆଳରେ ରହି ନିଜକୁ ଖୁସି କରିନେଇଛି ସେ କି ତା' ପଛରେ ତା' କାଳିଆ ଅଛି । ଆଉ ତା'ର କ'ଣ ବା ଲୋଡ଼ା । ସୁନ୍ଦର ଫୁଲଟିଏ ବିକଶିତ ହେଇ ଆଖପାଖର ଖଣ୍ଡ ମଣ୍ଡଳକୁ ମହକାଇଲା ପରି ଅନାଥାଶ୍ରମର ପରିବେଶଟା ଦିନେ ମହକିତ ହେଉଥିଲା ତା'ରି ପାଇଁ। ଆଶ୍ରମର ଅନ୍ତେବାସୀ ଆଉ ପ୍ରତିଟି ଚ଼ିହ୍ନା ଅଚିହ୍ନା ଚେହେରା ପାଇଁ ସେ ଥିଲା ରୀତିମତ୍ ହସର ଖୋରାକଟିଏ।
ଆଶ୍ରମର କିଛି ଗୋଟାଏ ଫଙ୍କସନରେ ଯୁବ ଅତିଥି ଥିଲେ ବିନୋଦ'।ସେଇଠି ମୁହାଁମୁହିଁ ହେଇଥିଲା ସେ ତାଙ୍କ ସହ । ଅଳ୍ପ କିଛି ଆଳାପ ,ପରେ କେତେଥରର ପ୍ରେମ ପୂର୍ଣ୍ଣ ଦେଖାସାକ୍ଷାତରେ ପରସ୍ପର ପରସ୍ପର ପ୍ରତି ଆକୃଷ୍ଟ ହୋଇ ଈଶ୍ୱରଙ୍କୁ ସାକ୍ଷୀ ରଖି ସେମାନେ ହୋଇଗଲେ ସାରା ଜୀବନ ପାଇଁ ସାଥୀ। ବେଶ୍ ହସ ଖୁସିରେ ଚାଲୁଥିଲା ଦିନ ଗୁଡ଼ା । ଠାକୁରଙ୍କ ଦିଆ ସବୁ ଥିଲା ତାଙ୍କ ପାଖେ,ନଥିଲା ତ କେବଳ କୁଆଁ କୁଆଁ ଡ଼ାକ ଟିକେ।
ଦୁଃଖୀ ହେଇ ବି ଜାହିର୍ କରନ୍ତିନି ଦୁଃଖ ବିନୋଦ,ଅଭିନୟ କରିଥାନ୍ତି ସିପ୍ରା ପାଖେ, କିନ୍ତୁ ସିପ୍ରାକୁ ଦେଖି ସହି ବି ପାରନ୍ତିନି ସେ । ଟାଣୁଆ ପୁରୁଷର ମନଟା ବଳିପଡେ ଲୁହ ପାଖେ , କିନ୍ତୁ ସିପ୍ରା ଆଖି ଆଢୁଆଳରେ ।
ଆଖି ମିଶିଗଲେ କିଛି ହେଲେ କହି ଭୁଲେଇ ଦିଅନ୍ତି ତା'କୁ। ଏମିତି ହେଇ ହେଇ ବେଶ୍ କିଛି ବର୍ଷ ବିତିଗଲାଣି । ସବୁ ଥର ସିପ୍ରାକୁ ବୋଧ ଦେଇ କହନ୍ତି ଆମ ପରସ୍ପରର ଭଲପାଇବା ଆଉ ଈଶ୍ଵରଙ୍କ ଆଶୀର୍ବାଦ ଅଛି ଆମ ସାଥେ । ଆଉ କିଛି ଦରକାର ନାହିଁ , କାହିଁ ବେଳ ଅବେଳରେ ଭାଙ୍ଗି ପଡୁଛ । ଦେଖିବ ସିଏ ସବୁ ଠିକ୍ କରିଦେବେ।
କେତେ ଥର କହିଲାଣି ବିନୋଦଙ୍କୁ ପିଲାଟିଏ ଅନାଥ ଆଶ୍ରମରୁ ଆଣି ତା' କୋଳରେ ଦେବା ପାଇଁ । ହେଲେ ପ୍ରତି ଥର ତାଙ୍କ ନାସ୍ତି ବାଣୀ ସାମ୍ନାରେ ହାର୍ ମାନିଯାଏ । ପୁଣି ବିତିଯାଏ ଦିନ ପରେ ଦିନ ଲୁହରେ ସାଇତା ଆଶା ସବୁକୁ ନେଇ । ଭାବି ପାରେନି କାଇଁ ମନା କରନ୍ତି ବିନୋଦ ତା'କୁ । କହନ୍ତି ଚିନ୍ତା କରନି ,ତୁମ ଠାକୁରଙ୍କ ଉପରେ ଭରସା ରଖ,ସେ ସବୁ ଠିକ୍ କରିଦେବେ। ଇଚ୍ଛା ହୁଏ କହି ପକେଇବାକୁ,ସେ ବି ତ ପୁଣି ଅନାଥ ଟିଏ , ତାଙ୍କ ଗଳା ମାଳି ହେଇଛି।
ଜୀବନର ତାଳେ ତାଳେ କିଛି ନଥାଇ ବି ହସି ହସଉଥିବା ସିପ୍ରା' ଏବେ ଯେମିତି ଏକରକମର ସ୍ଥାଣୁ ପାଲଟି ଯାଇଛି, ଅପେକ୍ଷା କରି ରହିଛି ତ କାହାର କଅଁଳିଆ ଉଷୁମ୍ ଛୁଆଁ ଟିକେ,ଯାହା ତା' ଧୂ ଧୂ ରସହୀନ ଜୀବନକୁ ରସାଣିତ କରି ତୋଳିବ । ସବୁ ଦୁଃଖ ଯେମିତି ଛୁ ମନ୍ତର୍ ହେଇଯିବ ।
ସେଦିନ ରଥଯାତ୍ରା ପାଇଁ ବିନୋଦ କହିଯାଇଥିଲେ ଶୀଘ୍ର ଫେରିଆସିବେ ଅଫିସ୍ ରୁ, ପ୍ରସ୍ତୁତ ହେଇ ରହିବାକୁ । ଠିକ୍ ସମୟ ରେ ଆସି ପହଁଚିଲେ ସିନା କିନ୍ତୁ ଆସି ସିପ୍ରା କୁ ପାଇଲେ ଡାକ୍ତରଖାନାରେ ,ଆଉ ଦେଖିବାକୁ ପାଇଲେ ହାତରେ ତା'ର ଗୋଟାଏ ଖୁସି ଖବରର ଚିଠା। ନିଜକୁ ସମ୍ଭାଳି ନପାରି କୁଣ୍ଢେଇ ପକାଇଲେ ସିପ୍ରାକୁ ଆଉ କହି ପକେଇଲେ ,"ଦେଖିଲ ସେ ଭାବ ବିନୋଦିଆ ପରା ଆମ ଘରକୁ ଲୀଳା ଖେଳା ପାଇଁ ଆସୁଛନ୍ତି,ଆମେ ଆଉ କାହିଁ ସେଠିକୁ ଯିବା ଯେ ..!"