ଶିଶିର ସାହୁ ମନୋଜ

Comedy

2  

ଶିଶିର ସାହୁ ମନୋଜ

Comedy

ମୁଣ୍ଡନ

ମୁଣ୍ଡନ

4 mins
503


କୌଣସି ଏକ ଦେଶର ସଂସଦରେ ଦିନେ ଭୀଷଣ ଗୋଳ ହୋଇଗଲା । ଗୋଳର କାରଣ କୌଣସି ରାଜନୈତିକ ବିଷୟ ନଥିଲା ବରଂ ଜଣେ ମନ୍ତ୍ରୀଙ୍କର ହଟାତ୍ ମୁଣ୍ଡନ ହୋଇଯାଇଥିଲା ।


ହେଇ କାଲି ଯାଏଁ ତାଙ୍କ ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ ଠିକ୍ କଅଁଳିଆ ଦୁବଘାସ ପରି ଶୋଭାପାଉଥିଲା କିନ୍ତୁ ରାତିରେ ଜଣାନାହିଁ ତାଙ୍କର ମୁଣ୍ଡନ ହୋଇଯାଇଥିଲା ।


ସଦସ୍ୟମାନେ ପରସ୍ପରରେ କୁହାକୁହି ହେଉଥାନ୍ତି

ହାୟ ! ଏଡ଼େ ବଡ଼ ନେତାଙ୍କୁ କ’ଣ ହେଇଗଲା ? କିଏ କେତେ ଅନୁମାନ କଲେ !

ଜଣେ କହିଲା― ବୋଧହୁଏ ମୁଣ୍ଡରେ ଉକୁଣୀ ହେଇଯାଇଥିଲେ ।

ଆଉ ଜଣେ କହିଲା― ବହୁତ ସମ୍ଭବ ମନରେ ଵିଚାର ବୃଦ୍ଧି ହେତୁରୁ କେଶର ଏହି ପରଦା ଅଲଗା କରିଦେଇଛନ୍ତି !

ଆଉ ଜଣେ କହିଲା― ନାହିଁ ହୋ ନାହିଁ ! ତାଙ୍କ ପରିବାରର କେହି ସ୍ଵର୍ଗବାସୀ ହୋଇଯାଇଥିବେ ସେଇଥିପାଇଁ ଲଣ୍ଡା ହୋଇଯାଇଛନ୍ତି ! କିନ୍ତୁ ସେ ତ ପୂର୍ବପରି ପ୍ରସନ୍ନ ଦେଖାଯାଉଥାନ୍ତି

ଶେଷକୁ ଜଣେ ସଦସ୍ୟ ସଂସଦରେ ମତ ରଖିଲା -

ଅଧ୍ୟକ୍ଷ ମହୋଦୟ ! ମୁଁ ଜାଣିପାରେ କି ଯେ ମାନନୀୟ ମନ୍ତ୍ରୀ ମହୋଦୟଙ୍କ ପରିବାରରେ କ’ଣ କାହାର ଅଵସାନ ଘଟିଅଛି କି ? 

ମନ୍ତ୍ରୀ ଉତ୍ତରରେ କହିଲେ-ନାହିଁ


ସଦସ୍ୟ ମାନେ ପୁଣି ଅନୁମାନ କରିବାକୁ ଲାଗିଲେ


ଆଉ କ’ଣ ମନ୍ତ୍ରୀଙ୍କ କାମ କମ୍ କଥା ବେଶୀ ଗୁଣ ଯୋଗୁଁ ଲୋକେ ମିଳିମିଶି ଆଙ୍କେତିକି ଲଣ୍ଡା କରିଦେଇନାହାନ୍ତି ତ ?


ଆଉ ଜଣେ ସଦସ୍ୟ ପଚାରିଲା-ଅଧ୍ୟକ୍ଷ ମହୋଦୟ ! କ’ଣ ମନ୍ତ୍ରୀ ମହୋଦୟ ଜାଣିଛନ୍ତି କି ଯେ ତାଙ୍କର ଇତିମଧ୍ୟରେ ମୁଣ୍ଡନ ହୋଇଯାଇଛି ? ଯଦି ହଁ , ତେବେ ସେ ଏଠାରେ ଉତ୍ତର ଦେବେ କି ଯେ ତାଙ୍କର ମୁଣ୍ଡନ କିଏ କରିଦେଇଛି ?


ମନ୍ତ୍ରୀ ସାମାନ୍ୟ ଗମ୍ଭୀର ହୋଇ ଉତ୍ତର ରଖିଲେ-

ମୁଁ ଜାଣିନାହିଁ ମୋର ମୁଣ୍ଡନ ହେଇଛି କି ନାହିଁ

କେତେକ ସଦସ୍ୟ ଚିଲ୍ଲେଇକି କହିଲେ 

ହେଇଛି ହେଇଛି ସମିତିକି ଦିଶୁଛି


ମନ୍ତ୍ରୀ କହିଲେ-ସମସ୍ତଙ୍କୁ ଦିଶିଲେ ଵି କିଛି ହେବ ନାହିଁ ! ସରକାରକୁ ଦେଖାଯିବାର ଅଛି । ସରକାର ଏ ବାଵଦରେ ଯାଞ୍ଚ କରିବ କି ପ୍ରକୃତରେ ମୋର ମୁଣ୍ଡନ ହୋଇଛି କି ନାହିଁ ।

 

ଜଣେ ସଦସ୍ୟ କହିଲା-ଏବେ ଯାଂଚ୍ ହେଇଯିବ । ମନ୍ତ୍ରୀ ମହୋଦୟ ନିଜ ହାତକୁ ମୁଣ୍ଡ ଉପରେ ଥରେ ବୁଲେଇ ଆଣନ୍ତୁ ।


ମନ୍ତ୍ରୀ ଉତ୍ତର ଦେଲେ- ମୁଁ ସେମିତି ଆଦୌ କରିବି ନାହିଁ ! ସରକାର ଏ ବାଵଦରେ ତନ୍ଦରା ହେବା କଥା ନୁହେଁ । 

କିନ୍ତୁ ମୁଁ ଆପଣ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଅଛି ଯେ ମୋ ସରକାର ଏ ବାଵଦରେ ଵିସ୍ତୃତ ଅନୁସନ୍ଧାନ କରି ସମସ୍ତ ତଥ୍ୟ ସଦନ ସମ୍ମୁଖରେ ଉପସ୍ଥାପନ କରିବ !  


ସଦସ୍ୟ ଚିଲ୍ଲେଇଲେ-ଜାଂଚ୍ କରିବା କଣ୍ ଦରକାର ? ମୁଣ୍ଡ ଆପଣଙ୍କର ହାତ ଵି ଆପଣଙ୍କର । ନିଜ ହାତଟାକୁ ଆପଣା ମୁଣ୍ଡ ଉପରେ ବୁଲେଇ ଆଣିବାକୁ ମନ୍ତ୍ରୀ ମହୋଦୟ ଅମଙ୍ଗ କାହିଁକି ? 

ମନ୍ତ୍ରୀ କହିଲେ-ମୁଁ ସଦସ୍ୟଙ୍କ ସହିତ ସହମତ ଯେ ଏ ମୁଣ୍ଡ ମୋର ଆଉ ହାତଟାବି ମୋର କିନ୍ତୁ ଆମର ଏ ହାତ ମାନ ପରମ୍ପରା ଓ ନୀତି ଦ୍ଵାରା ବନ୍ଧନଯୁକ୍ତ ହୋଇରହିଛି । ମୁଁ ନିଜ ମୁଣ୍ଡରେ ଆପଣା ହାତ ବୁଲେଇ ଆଣିବାକୁ ସ୍ଵତନ୍ତ୍ର ନୁହଁ ! ସରକାର ର ଗୋଟାଏ ନିୟମିତ କାର୍ଯ୍ୟପ୍ରଣାଳୀ ରହିଛି । ଵିରୋଧୀ ସଦସ୍ୟଙ୍କ ଚାପରେ ସେହି ପ୍ରଣାଳୀ କୁ ମୁଁ ଭଙ୍ଗ କରିପାରିବି ନାହିଁ । ମୁଁ ସଦନରେ ଏ ଵାଵଦରେ ଏକ ଵକ୍ତଵ୍ୟ ଦେବି । 



ସଂଧ୍ୟାରେ ମନ୍ତ୍ରୀ ମହୋଦୟ ସଦନରେ ଭାଷଣ ଦେବା ଆରମ୍ଭ କଲେ--

ଅଧ୍ୟକ୍ଷ ମହୋଦୟ ! ସଦନରେ ପ୍ରଶ୍ନ ଉଠାଯାଇଥିଲା ଯେ 

ମୋର ମୁଣ୍ଡନ ହୋଇଛି କି ନାହିଁ ?

ଯଦି ହୋଇଛି ତାହେଲେ ତାହା କିଏ କରିଛି ?

ଏ ପ୍ରଶ୍ନ ଗୁଡି଼କର ଉତ୍ତର ବର୍ତ୍ତମାନ ପାଇଁ ବହୁତ ଜଟିଳ ଏବଂ ଏ ବିଷୟରେ ସରକାର କାକୁର୍ତ୍ତି ହୋଇ କୌଣସି ନିର୍ଣ୍ଣୟ ନେଇ ପାରିବନି ।

ମୁଁ କହିପାରିବିନି ଯେ ମୋର ମୁଣ୍ଡନ ହେଇଚି କି ନାହିଁ । ଯେତେଦିନ ଯାଏ ଯାଞ୍ଚ୍ ନହୋଇଛି ସେତେଦିନ ଯାଏଁ ସରକାର ଏ ସମ୍ବନ୍ଧରେ କିଛି କହିପାରିବନି । ଆମ ସରକାର ତିନି ବ୍ଯକ୍ତି ବିଶିଷ୍ଟ ଏକ ଯାଂଚ୍ ସମିତି ଗଠନ କରିବ ଏବଂ ସେହି ସମିତି ଏ ବିଷୟରେ ସମସ୍ତ ତଥ୍ୟ ଅନ୍ଵେଷଣ ପୂର୍ବକ ରିପୋର୍ଟ ପ୍ରସ୍ତୁତ କରି ସରକାରକୁ ପ୍ରଦାନ କରିବ । ଆଉ ସେତେବେଳେ ମୁଁ ଉକ୍ତ ସମିତିର ରିପୋର୍ଟ ସଦନରେ ଉପସ୍ଥାପନ କରିବି ।


ସଦସ୍ୟ ମାନେ କହିଲେ-ଏ ମାମଲା ଟା କୁତୁଵ୍ ମିନାର୍ କି ତାଜମହଲ୍ ର ନୁହେଁ ଯେ ଦଶନ୍ଧି ଯାଏଁ ଏ ବାବଦରେ ଯାଂଚ୍ କରୁଥିବେ ।

ଏହା ଆପଣଙ୍କ କେଶ ସମ୍ଵନ୍ଧୀୟ ମାମଲାଟା ଆଉ କେଶ ତ ଜୀଵନଯାକ ବଢୁଥାଏ - କଟୁଥାଏ ।ଏ ବିଷୟରେ ନିର୍ଣ୍ଣୟ ବେଗାବେଗି ହୋଇଯିବା କଥା ।


ମନ୍ତ୍ରୀ ଜଵାବ ଦେଲେ-କୁତୁଵ୍ ମିନାର୍ ଓ ତାଜମହଲ୍ ସହିତ ମୋ କେଶର ତୁଳନା କରିବାକୁ ଯାଇ ସେହି ଅମୂଲ୍ୟ କାରୁକାର୍ଯ୍ୟମୟ ଭାସ୍କର୍ଯ୍ଯର ଅପମାନ କରିବା ଅଧିକାର ସଦସ୍ୟଙ୍କର ନାହିଁ । ଆଉ ରହିଲା ମୂଳ ସମସ୍ୟା କଥା,ସରକାର ଯାଞ୍ଚ୍ ପୂର୍ବରୁ ଏ ବିଷୟରେ କିଛି ବି କହିପାରିବ ନାହିଁ । 

ଯାଞ୍ଚ୍ ସମିତି ଗୁଡା଼ଏ ଵର୍ଷ ଯାଞ୍ଚ୍ କଲା । ଏପଟେ ମନ୍ତ୍ରୀଙ୍କ ମସ୍ତକରେ କେଶ ବଢି଼ ବଢି଼ ଗଲା । 

ଦିନେ ମନ୍ତ୍ରୀ ମହୋଦୟ ଯାଞ୍ଚ୍ ସମିତିର ରିପୋର୍ଟ ସଦନରେ ଉପସ୍ଥାପନ କଲେ । 

ଯାଞ୍ଚ୍ ରିପୋର୍ଟରେ ଲେଖା ଥିଲା

-ମନ୍ତ୍ରୀଙ୍କ ମୁଣ୍ଡନ ହୋଇନଥିଲା । 

ସତ୍ତାଧାରୀ ଦଳର ସଦସ୍ୟମାନେ ଏହାର ସ୍ଵାଗତ ହର୍ଷୋଲ୍ଲାସର ଧ୍ଵନି ସହିତ କଲେ । ସଦନର ଅନ୍ୟ ଦିଗରୁ “ଲଜ୍ଯା ଲଜ୍ଯା” ର ଧ୍ଵନି ଶୁଣାଗଲା ।


ବିରୋଧୀମାନେ କହିବାକୁ ଲାଗିଲେ-ପୁରା ଡାହା ମିଛ ! ମନ୍ତ୍ରୀ ଙ୍କ ମୁଣ୍ଡନ ହୋଇଥିଲା । ମନ୍ତ୍ରୀ ସବୁଦିନ ଭଳି ସ୍ମିତହାସ୍ୟ ବଦନରେ ଉଠିପଡି଼ କହିଲେ 

ଏମିତି ଆପଣ ମାନେ ଭାବୁଥାଇ ପାରନ୍ତି କିନ୍ତୁ ପ୍ରମାଣ କାଇଁ ? ଏଵେ ଵି ଯଦି ଆପଣମାନେ ପ୍ରମାଣ ଦେଇ ଦିଅନ୍ତି ତେବେ ମୁଁ ଆପଣ ମାନଙ୍କ କଥା ମାନିଯାନ୍ତି । ଏତିକି କହି ମନ୍ତ୍ରୀ ନିଜ ଲମ୍ବା ଲମ୍ବା ବାଳ ଉପରେ ଥରେ ହାତ ବୁଲେଇ ଆଣି ସଦନର ଅନ୍ୟ ମାମଲା ବୁଝିବାରେ ଵ୍ୟସ୍ତ ହୋଇଗଲେ । 


ବି:ଦ୍ର― ବ୍ଯଙ୍ଗସମ୍ରାଟ ଶ୍ରୀ ହରିଶଙ୍କର ପରସାଇଙ୍କ ଏକ ହିନ୍ଦୀ ଵ୍ୟଙ୍ଗକଥା मुंडन ର ଓଡ଼ିଆ ଭାବାନୁବାଦ । ଏଠାରେ କହିରଖେ ଯେଉଁ ସମୟରେ ଏହି ବ୍ଯଙ୍ଗଟି ଲେଖା ହୋଇଥିଲା ସେତେବେଳେ ଆଜି ଭଳି ଟିଭି ଓ ମୋବାଇଲ ତଥା କ୍ୟାମେରା ଆଦି ସରକାରୀ ତନ୍ତ୍ର ମାନଙ୍କରେ ସ୍ଥାନ ପାଇନଥିଲା । ଆଜି ଯେମିତି ସଦନର ପ୍ରଶ୍ନକାଳର ଦୂରଦର୍ଶନରେ ଜୀବନ୍ତ ପ୍ରସାରଣ ହେଉଅଛି ନବ୍ବେ ଦଶକ ପୂର୍ବରୁ ସେମନ୍ତ କିଛି ହେଉନଥିଲା ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସଦନର ଵିରୋଧୀ ସଦସ୍ୟ ମାନେ ମନ୍ତ୍ରୀ ଙ୍କୁ ତାଙ୍କ ମୁଣ୍ଡନ ସମୟର ଫୋଟୋ କି ଭିଡ଼ିଓ ପ୍ରମାଣ ସ୍ଵରୂପ ଦେଇପାରିନଥିଲେ


Rate this content
Log in

Similar oriya story from Comedy