ABhimanyu Panda

Tragedy

3  

ABhimanyu Panda

Tragedy

ମୁଁ (ଅବନ୍ତୀ)ଜଣେ ନାରୀ -୧

ମୁଁ (ଅବନ୍ତୀ)ଜଣେ ନାରୀ -୧

5 mins
418



 ଜଣାପଡ଼ିଲାନି କେତେବେଳେ ବାଲ୍ୟକାଳ ବିତିଗଲା । କିଶୋରାବସ୍ଥା ବି କେବଳ ବର୍ତ୍ତମାନର ଶରତ କାଳ ଭଳି ଥାଇ ନଥିଲା ପରି କେବେ ଆସି କେବେ ଚାଲିଗଲା ମୋ ଅଜଣାତରେ ,ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସମୟ ବହୁତ ଜଲଦି ଜଲଦି ବିତିଗଲା । ସେ ସମୟ ବିତିଗଲା ପରେ ଲାଗିଲା ଯେମିତି ମୁଁ ସେ ସମୟକୁ ଠିକରେ ଉପଭୋଗ ଆଉ ଉପଯୋଗ କରିପାରିଲିନି । ଖୁବ କମ ବୟସରେ ସରକାରୀ ଚାକିରୀ ବି ମିଳିଗଲା । ପୁଣି ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ । ପୂର୍ବରୁ ନିଜ ଚାରିପାଖରେ ସହପାଠିନୀ ମାନଙ୍କର ମେଳ ରହୁଥିଲା କିଛି ପଢ଼ା ବହି ରହୁଥିଲା । ଏବେ ସହପାଠିନୀ ସହକର୍ମୀରେ ପରିବର୍ତ୍ତିତ ଆଉ ପଢ଼ା ବହିବଦଳରେ ମିଳିଛି ଫାଇଲର ଗଦା । ଏ ସବୁ ଭିତରେ ଯଦି ମୁଁ କିଛି ଭୁଲିଛି ତାହା ହେଲା ନିଜକୁ ନିଜ ବିଷୟରେ ଭୁଲିଯାଇଥିଲି ଯେ ମୁଁ ଗୋଟେ ଝିଅ ମୁଁ ଏକ ନାରୀ ! ନିଜେ ଗୋଟେ ନାରୀ ହବାର ଅନୁଭବ ସେତେବେଳେ ଆସିଛି ଯେତେବେଳେ ନିଜେ ନିଜର ସୁରକ୍ଷା କରିବାକୁ ପଡ଼ିଛି ଏ କାମାନ୍ଧ ସମାଜ ଆଖିରୁ । 

******

           ଏ ଭିତରେ ବାପାଙ୍କର ଅଲିଅଳୀ ଝିଅ କେତେବେଳେ  ନିଜ ବାପାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା , ଯାହାର ସ୍ଥାୟୀ ଉପଶମ କରିବାଲାଗି ମୋ ବାପା ସବୁ ବାପାଙ୍କ ଭଳି ମୋର ବାହାଘର ଖୋଜିବା ଆରମ୍ଭ କରିଦେଲେ । ମୁଁ (ଅବନ୍ତୀ) ବି ବିନା ବିରୋଧରେ ସାମାଜିକ ନିୟମ ଅନୁଯାୟୀ ଷୋଳଶୃଙ୍ଗାର କରି ବସିଯାଏ ପ୍ରତିପକ୍ଷରୁ ମତେ ପସନ୍ଦ କରିବାକୁ ଆସିଥିବା ଲୋକମାନଙ୍କ ସାମ୍ନାରେ । କେତେଗୁଡ଼ିଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ମୁଁ ମୋ ମନର ମଣିଷ ପାଇଲି । ବାପା ମୋ ପସନ୍ଦରେ ବହୁତ ଖୁସି ଥିଲେ । ନିଜ ସାମର୍ଥ୍ୟ ହିସାବରେ ଯାହା ଦବକଥା ସବୁ ଦେଇସାରି ମତେ ଜଣେ ଅପରିଚିତ ଲୋକଙ୍କ ହାତରେ ଟେକି ଦେଇଥିଲେ । 

******

          ମୁଁ ବି ଭାବନା ରାଇଜରେ ବୁଡ଼ି ଦେଖିଥିବା ରଙ୍ଗୀନ ସ୍ବପ୍ନ ଗୁଡ଼ିକୁ ସାକାର କରିବା ପାଇଁ ବ୍ୟଗ୍ର ଥିଲି । ଚାଲିଲି ଜୀବନ ଉପନ୍ୟାସରେ ପୂର୍ଣ୍ଣତାର ଅଧ୍ୟାୟ ଯୋଡିବାକୁ । ମୋ ସ୍ୱାମୀବି ଉଚ୍ଚ ଶିକ୍ଷିତ ସରକାରୀ ଚାକିରିଆ ଆଉ ଆଧୁନିକ ଚିନ୍ତା ଧାରାର ଥିଲେ । ହସ ଖୁସିରେ ଦୁଇ ମାସ , ଚାରିମାସ , ବର୍ଷେ ,ଦୁଇବର୍ଷ ଏମିତି ବିତିଗଲା କେବେଳ ଉଭୟ ଉଭୟଙ୍କର ଭୋଗରେ । ଉଭୟଙ୍କ ମନରେ ଲୁଚିରହିଥିବା ଅଦମିତ କାମନା ଲାଳସାର ତୃଷ୍ଣା ମେଣ୍ଟାଇବା ହିଁ ଆମ ଜୀବନର ଲକ୍ଷ୍ୟ ପାଲଟି ଯାଇଥିଲା । ମନ ଭରି ଶରୀର ଭୋଗରେ ବୁଡ଼ି ରହିଲୁ ନିଜକୁ ଅନ୍ୟର ଭିତରେ ଖୋଜିବାକୁ ଚେଷ୍ଟା କଲୁ କେବେ କେବେ ନିଜକୁ ଅନ୍ୟ ଭିତରେ ପାଇବାର ମିଛ କ୍ଷଣିକ ଉପଲବ୍ଧି ମଧ୍ୟ ପାଇଲୁ । ବହୁତ ସୁନ୍ଦର ଥିଲା ସେ ସମୟ । ବହୁତ କମ ସମୟପରେ ମୋ ଅନ୍ତରରେ ଭିନ୍ନତା ଓ ଶୂନ୍ୟତାକୁ ମୁଁ ଅନୁଭବ କଲି । ମୋ ସ୍ୱାମୀଙ୍କୁ ମଧ୍ୟ କଥା ଛଳରେ ଏ ବିଷୟରେ ବହୁତ ଥର ବୁଝେଇବାକୁ ଚେଷ୍ଟା କରିଛି । କିନ୍ତୁ ଶରୀର ଭୋଗର ନିଶାରେ ଆକଣ୍ଠ ବୁଡ଼ିଥିବା ମୋର ସ୍ୱାମୀଙ୍କ ଉପରେ ଏହାର କିଛିବି ପ୍ରଭାବ ପଡ଼େନି । ଆଉ ମୋ ସ୍ୱାମୀଙ୍କର ଭୋଗ କାମନାର ଉତ୍କଣ୍ଠା ସହିତ ଯୁଦ୍ଧ କରି ପ୍ରତିଥର ହାରିଯାଇ ମୁଁ ବାଧ୍ୟହେଇ ନିଜକୁ ସମର୍ପଣ କରିଦିଏ ତାଙ୍କ ପାଖରେ । ଦିନେ ନୁହେଁ ଏମିତି ବାରମ୍ବାର ଚାଲିଲା ପୁଣି ପ୍ରତିଦିନ ଚାଲିଲା । ଏ ଭିତରେ ସ୍ୱାମୀଙ୍କ କଥାରେ ମୁଁ କରିଥିବା ଚାକିରୀ ଖଣ୍ଡିକ ଛାଡ଼ି ସ୍ୱାମୀଙ୍କ ଭୋଗ ବସ୍ତୁରେ ପରିଣତ ହେଇଗଲି । 

*****

ଏ କଥା ନୁହେଁ ଯେ ମୋର କୌଣସି ଶାରୀରିକ ଅକ୍ଷମତା ଲାଗି ମୋ ମନରେ କାମନା ବିତୃଷ୍ଣା ପ୍ରବେଶ କଲା । ତାଙ୍କ ମନର ଏ ଉଦ୍ଦୀପନା ଲକ୍ଷ୍ୟ ହୀନ ଥିଲା ! କେବଳ ସେଇ ନିର୍ଦିଷ୍ଟ ସମୟରେ ହିଁ ମୁଁ ତାଙ୍କପାଇଁ ସ୍ତ୍ରୀ । ହୃଦୟର ଶୂନ୍ୟତା ଆଉ ନିଜ ଅକ୍ଷମତାକୁ ଦୁରେଇବା ଲାଗି ମମତାର ଆଶ୍ରୟ ନେବାକୁ ସ୍ଥିର କଲି । ନାରୀର ମମତାମୟୀ ରୂପ ସର୍ବତ୍ର ଆଉ ସର୍ବଜନ ପୂଜ୍ୟ । ଏ ବିଷୟରେ ସ୍ୱାମୀଙ୍କର ମତାମତ ବି ପଚାରିଲି । ବର୍ତ୍ତମାନ ସମୟରେ ତାଙ୍କ ଭଳି ଉଚ୍ଚ ଶିକ୍ଷିତ ମଣିଷ ଠାରୁ ଯେଉଁ ଉତ୍ତର ମିଳିଥିଲା ତାହା ମତେ ସ୍ତବ୍ଧ କରିଦେଇଥିଲା । ମୋ ଭିତରର ନାରୀତ୍ବ ଭାଙ୍ଗି ଖଣ୍ଡ ଖଣ୍ଡ ହେଇଯାଇଥିଲା । ତାଙ୍କର ଉତ୍ତର ଥିଲା, ମୁଁ ଏ ବିଷୟରେ ମୋ ମାଙ୍କ ସହିତ କଥା ହେଇ ଜଣେଇବି ! ଏ କି କଥା ? ଯଦି ତମ ମାଙ୍କର ବିନା ପରାମର୍ଶରେ ତମେ ବାପା ହବାକୁ ନ ଚାହୁଁଛ, ତାହେଲେ କଣ ନିଜର ଯୌନ ଲାଳସାର ଉପଶମ ଲାଗି ଗୋଟେ ନାରୀର ଆବଶ୍ୟକତା କରୁଥିଲ ? ମୁଁ କଣ ? ମୁଁ କିଏ ? ଏମିତି କେତେ କଥା କେତେ ପ୍ରଶ୍ନ ନିରନ୍ତର ମୋ ଭିତରଟାକୁ ବିଦାରି ଦେଉଥିଲା । 

****

       ମୋ ଶାଶୁମା ବଡ଼ ଧାର୍ମିକ ପ୍ରବୃତିର । ତାଙ୍କର ଧାର୍ମିକତାକୁ ମୁଁ ଯଥେଷ୍ଟ ସମ୍ମାନ ଜଣାଏ ମଧ୍ୟ । ତାଙ୍କର ପ୍ରତ୍ୟେକଟି ଧାର୍ମିକ କାର୍ଯ୍ୟରେ ମୁଁ ପୂର୍ଣ୍ଣ ଶ୍ରଦ୍ଧାର ସହିତ ସହଯୋଗ କରେ । ମୋ ଶାଶୁମା ତାଙ୍କ ବଂଶ ଲାଗି ଜଣେ ଚକ୍ରବର୍ତ୍ତୀ ନାତିର ଆଶା ରଖୁଥିଲେ କିନ୍ତୁ ନିଜ ପୁଅ ଭିତରେ ଥିବା ବିଭତ୍ସ କାମାନ୍ଧ ପ୍ରକୃତିକୁ ଦୂର କରିବା ପାଇଁ ସଂଯମତାର ଜ୍ଞାନ ଦେଇ ନଥିଲେ । ବିନା ସଂଯମତାରେ ଶାଶୁମା' ଆଶା କରୁଥିବା ଚକ୍ରବର୍ତ୍ତୀ ଆସିବା ଅସମ୍ଭବ । ପୁରାଣ ଶାସ୍ତ୍ରରେ ଏ ବିଷୟରେ ନିଖୁଣ ସରଳ ଭାଷାରେ ସହଜ ବୋଧ ବର୍ଣ୍ଣନ ହୋଇଛି । ସୂର୍ଯ୍ୟ ବଂଶର ସମ୍ରାଟ ଦଶରଥ ଆଉ ନନ୍ଦ ରାଜାଙ୍କ ଚରିତ୍ର ସାଂସାରିକ ସଂଯମତାର ଜ୍ୱଳନ୍ତ ଉଦାହରଣ । ଶାଶୁମା' ଜ୍ୟୋତିଶୀୟ ପରାମର୍ଶ କଲାପରେ ମତେ ତିଥି ବାର , ଦିନ ମାସ ସବୁ ଜଣାଇଦେଲେ ଚକ୍ରବର୍ତ୍ତୀ ନାତି ଜନ୍ମ ଲାଗି। 

*****

       ମୁଁ ସବୁଦିନ ହୃଦୟରୁ ଭଗବାନଙ୍କୁ ପ୍ରାର୍ଥନା କରି ତାଙ୍କ ଆଶୀର୍ବାଦ କାମନା କରି ମୋ ଭିତରେ ପଶରିଥିବା ଶୂନ୍ୟତା ଉପରେ ମମତାର ଶୀତଳ ଲେପ ଦବାକୁ ବ୍ୟଗ୍ର ଥିଲି । ଗୋପୀ ମନମୋହନ ସେଇ କଳାକାହ୍ନୁ ମୋ ଡାକ ଶୁଣିଲେ । ଶାଶୁମା'ଙ୍କ ନିର୍ଦ୍ଦେଶୀତ ନିର୍ଦିଷ୍ଟ ସମୟ ପୂର୍ବରୁ ସ୍ନାନ ପରର ଲଭ୍ୟାର୍ଥ ମିଳନରେ ମୋ ଆଶା ପୁରଣ ହେବାର ସୂଚନା ପାଇଲି ଡାକ୍ତରୀ ପରୀକ୍ଷା ପରେ । ଖୁସି ଖବର ଜାଣିସାରିଲା ପରେ ମୋ ପାଦ ଆଉ ତଳେ ଲାଗୁନଥିଲା । ମୋ ଭୋଗ୍ୟ ଶରୀରରେ ମମତାର ଡେଣା ଲାଗିଯାଇଥିଲା । ମୁଁ ଉଡ଼ି ବୁଲୁଥିଲି ଗୋଟିଏ ନୀଡ଼ରୁ ଆଉ ଗୋଟିଏ ନୀଡ଼କୁ ମୋ ଭିତରେ ଭରାଥିବା ମମତା କଳସରୁ ଶୀତଳତା ବିତରଣ କରିବା ଲାଗି ସାହାରା ନେଉଥିଲି ନିଜ ଭାବନାର । ମୋ ସ୍ୱାମୀ ଆଉ ଶାଶୁମା' ବି ଖୁସିଥିଲେ ଯାହା ତାଙ୍କ ହାବଭାବରୁ ଜଣା ପଡ଼ିଇଯାଉଥିଲା । ମୋ ଦିନଚର୍ଚାରେ ପୁରା ପରିବାର ପୂର୍ବ ଅପେକ୍ଷା ବେଶି ଯତ୍ନବାନ ଥିଲେ । 

*****

      ସେଦିନ ସକାଳୁ ଡାକ୍ତରୀ ପରୀକ୍ଷା କରିବାକୁ ଡାକ୍ତରଙ୍କ ପାଖକୁ ଯିବାର ଥାଏ । ମୋ ସ୍ୱାମୀ ଦୁଇଦିନ ଆଗରୁ ସହରର ପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖରେ ମୋର ପରୀକ୍ଷା କରେଇବାର ସମୟ ନେଇଥିଲେ । ସେଦିନ ମୁଁ ମୋର ସବୁ କାମ ସାରି ମୋ ସ୍ୱାମୀଙ୍କୁ ଅପେକ୍ଷା କରିଥାଏ । ସେ ମଦ ନିଶାରେ ଝୁଲି ଝୁଲି ଘରେ ପହଞ୍ଚିଲେ । ଘରୁ ମଟର ସାଇକେଲ ବାହାର କରି ମତେ ପଛରେ ବସିବାକୁ କହିଲେ । ପ୍ରଥମଥର ମୋର ଅବିଶ୍ୱାସ ଆସିଲା ମୋ ସ୍ୱାମୀଙ୍କ ଉପରେ ଭୟର ଅନ୍ଧକାର ବ୍ୟାପ୍ତ ହେଇଗଲା ମୋ ମନ ପ୍ରାଣରେ । ଦେହହାତ ଥରିବାକୁ ଲାଗିଲା । ସବିନୟ ଅନୁରୋଧ କରି ସ୍ୱାମୀଙ୍କୁ ନଯିବାକୁ କହିଲି । ମୁଁ ଏକା ଯାଇ ବି ସକୁଶଳ ଫେରିଆସିବି ତମେ ଚିନ୍ତା ନକରି ଯାଅ ଘରେ ଆରାମ କର । ସେ ମୋର କୌଣସି କଥା ନ ଶୁଣି ଜିଦିରେ ମତେ ମଟର ସାଇକେଲ ପଛରେ ବସେଇ ଗାଡ଼ି ଚଳେଇଲେ । କିଛିବାଟ ଗଲାପରେ ଗୋଟେ ଖାଲରେ ପଡ଼ି ଆମେ ଦୁର୍ଘଟଣାର ସମ୍ମୁଖୀନ ହେଲୁ । ଆଉ ମୋ ମମତାର ମାଟି କଳସୀ ଭାଙ୍ଗି ସେଇଠି ମାଟିରେ ମିଶିଗଲା । 

******

       କାନ୍ଦିଲି ,ଚିତ୍କାର କଲି ,ବିଳାପ କଲି , ମୋର ସମସ୍ତ ଶବ୍ଦ ଅଫେରନ୍ତା ଶୂନ୍ୟରେ ମିଳେଇଗଲା । ମତେ ବାଦ ଦେଲେ ମୋ ପରିବାରରେ କାହାର ସେମିତି କିଛି କ୍ଷତି ହେଇନଥିଲା । ସମସ୍ତେ ପୂର୍ବବତ ନିଜ ନିଜ କାମରେ ମଜ୍ଜିଗଲେ । ମୁଁ ଅନୁଭବ କଲି ଯେ ମୁଁ ଏକ ଚକ୍ରାନ୍ତର ଶିକାର ହେଇଛି । ଏ ପ୍ରଶ୍ନର ଉତ୍ତର ବି ମୋ ଲାଗି ଏବେ ବି ସନ୍ଦେହରେ ! ଏବେ ଭୋକିଲା ମାଂସ ଭକ୍ଷି ପାଖରେ ସଜ ମାଂସ ପିଣ୍ଡୁଳାଟେ ହେଇ ପଡ଼ିରହିଛି । ସମସ୍ତେ ନିଘୋଡ଼ ନିଦରେ ଶୋଇଗଲା ପରେ ବିଛଣାରେ ମୁଁ ମୋର କଳାକାହ୍ନୁକୁ ଅଣ୍ଡାଳି ମୋ ଭିତରେ ମରୁ ପ୍ରାୟ ମମତା ସିନ୍ଧୁକୁ ପୁନଃ ଲବାଲବ କରିବାର ଚେଷ୍ଟା ଚଳେଇଛି ।

        


Rate this content
Log in

Similar oriya story from Tragedy