ମଉଳା ଫୁଲ
ମଉଳା ଫୁଲ
"ମୁଁ ପାଠ ପଢ଼ିବି, ଆଗକୁ ବଢ଼ିବି, ମୋ ଭବିଷ୍ୟତ ମୁଁ ନିଜେ ଗଢ଼ିବି "ଏ ଉକ୍ତି ଟି ଥିଲା ସୋନାଲି ର ।
ହଳଦିଆ ରଙ୍ଗର ପେନ୍ଥା ପେନ୍ଥା ହୋଇ ଫୁଟିଥିବା କୃଷ୍ଣଚୂଡା ଗଛ ମୂଳରେ ସିମେଣ୍ଟ ଚଟାଣ ଉପରେ ବସିଥିଲେ ଦୁଇ ଜଣ ବନ୍ଧୁ । ଜଣଙ୍କର ନାମ ସୋନାଲି ଓ ଆଉ ଜଣଙ୍କ ନାମ ସୀମା । ଦୁଇଜଣ ପ୍ଳସ୍ ଥ୍ରୀ ପାଠ ପଢ଼ନ୍ତି । ଦୁଇ ଜଣ ପାଠପଢା କୁ ନେଇ ଚର୍ଚ୍ଚା କରୁଥାନ୍ତି ଆଉ ଭବିଷ୍ୟତରେ ମଧ୍ୟ କ'ଣ କରିବେ ସେ ବିଷୟରେ କଥାବାର୍ତ୍ତା ହେଉଥାନ୍ତି ।
ସୀମା - ମୋର ପ୍ଳସ୍ ଥ୍ରୀ ସରିଗଲେ ବାହା କରିଦେବେ ବୋଲି ଘରେ ମା ବାପା କହୁଛନ୍ତି । ମୁଁ ଯେ ପାଠ ପଢ଼ିବାକୁ ଚାହେଁ ଏକଥା ତାଙ୍କୁ ବୁଝାଇଲେ ମଧ୍ୟ ସେମାନେ ବୁଝୁ ନାହାନ୍ତି । ସେମାନେ କହୁଛନ୍ତି "ମଣିଷ ଜୀବନ ଦୁଇ ଦିନ, ଆଜି ଜୀବନ କାଲି କୁ ନାହିଁ । ଆମେ ବଞ୍ଚିଥାଉ ଥାଉ ତୋତେ ହାତ କୁ ଦି ହାତ କରିଦେଲେ ଆମର ମୁକ୍ତି ହେବ । ଆଜି ଆମେ ଅଛୁ କାଲିକୁ ନଥିବୁ ତୋର ଅବସ୍ଥା କ'ଣ ହେବ ? "
ମା ବାପା ଙ୍କ ଖୁସି ରେ ମୋର ଖୁସି । ତେଣୁ ମୁଁ ଭାବୁଛି ମୋର ଅନିଚ୍ଛା ସତ୍ତ୍ଵେ ମଧ୍ୟ ତାଙ୍କ କଥାରେ ରାଜି ହୋଇଯିବି ।
ସୋନାଲି - ସୀମା ତୁ ଯାହା କହିଲେ କହ ମୁଁ କିନ୍ତୁ ମୋ ଜିଦ୍ ରୁ ଓହରି ଯିବି ନାହିଁ । ମୁଁ ପାଠ ପଢ଼ିବି , ଆଗକୁ ବଢ଼ିବି,ମୋ ଭବିଷ୍ୟତ ମୁଁ ନିଜେ ଗଢ଼ିବି ।
ସେ ଦିନ ଏତିକିରେ କଥା ସରିଲା ।
ଏଠାରେ ସୋନାଲି ର ପରିଚୟ କହିରଖେ
ଘରେ ମା ବାପା , ଭାଇ ସୌରଭ ଆଉ ସୋନାଲି ଚାରି ପ୍ରାଣୀ ରୁହନ୍ତି । ମାଆ ଘର କାମ କରନ୍ତି ସୋନାଲି ମଧ୍ୟ କଲେଜ ରୁ ଫେରି ଘରେ ମାଆ କୁ ଘର କାମରେ ସାହାଯ୍ୟ କରେ । ବାପା ଚାରି ମାସ ହେଲାଣି ରୋଗ ଶଯ୍ୟା ରେ ପଡ଼ି ଛନ୍ତି । ବର୍ଷା ଅଭାବରୁ ଧାନ ଚାଷ ଜମି ଫାଟି କି ଆଁ କରିଛି ଯେ ଚାଷ ଭଲ ହେବ ନାହିଁ ବୋଲି ଭାଈ ସୌରଭ ବାହାର ରାଜ୍ୟ କୁ କାମ କରିବାକୁ ଯାଇଛି । କିଛି ଟଙ୍କା ରୋଜଗାର କଲେ ଘର ଚଲିବା ସହିତ ସୋନାଲି ର ପଢାପଢି ଖର୍ଚ୍ଚ ହେବ ବୋଲି ।
କେତେ ଦିନ ଗଲା ପରେ PG Entrance ପାଇଁ online ଆବେଦନ ଆରମ୍ଭ ହେଲା । ସୋନାଲି PG Entrance ପାଇଁ online ଆବେଦନ କଲା ଏବଂ ପ୍ରବେଶିକା ପରୀକ୍ଷା ପାଇଁ ଭଲ କି ପ୍ରସ୍ତୁତ ହେଲା । PG ପ୍ରବେଶିକା ପରୀକ୍ଷା ରେ ଭଲ ମାର୍କ ରଖି first selection ରେ select ହେଲା । ସୋନାଲି ର ଖୁସି କହିଲେ ନସରେ । ଘରେ ମାଆ ବାପା ଙ୍କୁ କହିଲା ଆଉ ସୌରଭ କୁ Select ହୋଇ ଥିବା କଥା ଜଣାଇଲା । ଖୁସି ରେ ପାଦ ତଲେ ଲାଗୁନଥାଏ । କେଉଁ କଲେଜରେ Select ହୋଇଛି ବୋଲି ଦେଖିଲା ବେଳକୁ ଦେଖି କି ଖୁସି ରେ ଫାଟି ପଡୁଥିବା ମନଟି ମଉଳି ଗଲା । କଲେଜ ଟି ର ନାମ ଦେଖି କି ସେ ଦୁଃଖ କରିନଥିଲା । ତା ମନ ଦୁଃଖର କାରଣ ଥିଲା କଲେଜ ଟିର Admission fees ପାଇଁ । କଲେଜ ଟିର Admission fees ଥିଲା ୨୧,୮୦୦ ଟଙ୍କା । ଏହା ଦେଖି କି ସୋନାଲି ର ଖୁସି କୁଆଡେ ଉଭାନ ହୋଇ ଗଲା । ଘରେ ଯେ ତା'ର ବାପା ରୋଗ ଶଯ୍ୟା ରେ ପଡ଼ିଛନ୍ତି । ସୋନାଲି ଭାବିଲା - "ବାପାଙ୍କ ପାଇଁ ଔଷଧ ପତ୍ର କରାଯିବ ନା ମୋ ନାମ ଲେଖା ପାଇଁ ଟଙ୍କା ଯୋଗାଡ କରାଯିବ ?"ଏକଥା ଭାବିଲା ବେଳକୁ ତା' ମୁଣ୍ଡ କ'ଣ ହୋଇଯାଉଥାଏ । ତାକୁ ଯେମିତି ଲାଗିଲା ସେ ସ୍ଥିର ଅଛି ଆଉ ଏ ଦୁନିଆ ତା' ଚାରିପଟେ ଘୂରିଯାଉଛି ଏସବୁ କ'ଣ ହେଉଛି ସେ ବୁଝିପାରୁ ନଥାଏ ସୋନାଲି ପଡିଯାଇଥାନ୍ତା କିନ୍ତୁ କାନ୍ଥ କୁ ଆଉଜି ଭଲ ସେ ଠିଆ ହେଲା । ଏହି ସମୟରେ ତା'ର ଆଉ ଜଣେ ବନ୍ଧୁ ଦୀପା ସହିତ ଦେଖା ହେଲା ।
ସୋନାଲି - ଆରେ ଦୀପା ତୁମେ PG Admission କରିବ କି ?
ଦୀପା- ମୁଁ ଆଉ ଉଚ୍ଚଶିକ୍ଷା ଲାଭ ର ଆଶା ରଖିବି ନାହିଁ ସୋନାଲି, କାରଣ ମୋ ପାଖରେ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ନାହିଁ ।
ସୋନାଲି - ଆମ ପରି ଆଉ କେତେ ଜଣ ଏପରି ଅର୍ଥ ବିହୁନେ ସର୍ବନାଶ ର ପରିସ୍ଥିତି ସାମ୍ନା କରୁଛନ୍ତି କିଏ ବା ହିସାବ ରଖିଛି ?
ଦୀପା - ମୋ ମତରେ ବର୍ତ୍ତମାନ ସମୟରେ ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଖାଲି ପାଠ ପଢ଼ିବେ ଆଉ ଆମ ମାନଙ୍କ ପରି ପୁଅ ଝିଅ ମାନଙ୍କ ପାଇଁ ଉଚ୍ଚଶିକ୍ଷା କେବଳ ବାମନ ହୋଇ ଚାନ୍ଦ କୁ ହାତ ବଢାଇବା ସଙ୍ଗେ ସମାନ ହେବ ।
ସେଦିନ କୃଷ୍ଣ ଚୂଡା ଗଛ ମୂଳରେ ବସି ସୀମା କୁ କହିଥିବା କଥା ମନେ ପକାଇ ସୋନାଲି ର ସଜ ପ୍ରସ୍ଫୁଟିତ କୃଷ୍ଣ ଚୂଡା ପରି ମନ ଟି ମଉଳି ଗଲା ।
