ମୁଆଁ ଟୋକେଇରେ ଜୀବନ
ମୁଆଁ ଟୋକେଇରେ ଜୀବନ


- ମୁଆଁ ରଖିବ ମୁଆଁ।ମୁଢି ମୁଆଁ ---- ଚୂଡା ମୁଆଁ ---- ଖଇ ମୁଆଁ।ମୁଆଁ ରଖିବ ମୁଆଁ।
ଗ୍ରୀଷ୍ମର ଏକ ତପ୍ତ ମଧ୍ୟାହ୍ନ। ଡାକି ଡାକି ଯାଉଥିଲା ସ୍ତ୍ରୀ ଲୋକ ଜଣେ।
ଥଣ୍ଡା ଘର ଭିତରେ ଥାଇ ବି ତା'ର ଏଇ ଡାକ ଶୁଣି ପାରିଲା ଅରିନ୍ଦମ।ହଠାତ୍ କେମିତି ଦିଶିଗଲା ତାକୁ ତା' ବୋଉର ମୁହଁ।
ମନେପଡିଲା ବୋଉ।ପିଲାଦିନେ ତା' ହାତ ତିଆରି ମୁଆଁ ଖାଇବାକୁ ବହୁତ ଭଲ ପାଉଥିଲା ସେ।
ଖାସ୍ ତା'ରି ପାଇଁ ଗୁଡ ପାଗରେ ଜାତି ଜାତି ମୁଆଁ ତିଆରି କରି ଘରେ ରଖୁଥିଲା ତା'ର ବୋଉ।ଯେତେବେଳେ ତା'ର ଇଚ୍ଛା ହେଉଥିଲା ମୁଆଁ ଡବା ପାଖକୁ ଆସି ସେଥିରୁ ଗୋଟିଏ ଦୁଇଟି ନେଇ ଖାଇ ଦେଉଥିଲା ସେ।ଖୁସି ହେଉଥିଲା।
ଆଜି ଆଉ ସେ ସମୟ ନାହିଁ।ସହରକୁ ଆସିବା ପରେ ସେକଥା କେବେଠାରୁ ଭୁଲି ଗଲାଣି ସେ।
ସମୟ ସହିତ ମଣିଷର ଇଚ୍ଛା ବଦଳିବା ସ୍ବାଭାବିକ।
- ମୁଆଁ ରଖିବ ମୁଆଁ।ବାବୁ ଘର କବାଟ ଖୋଲିବ।ସବୁ ପ୍ରକାର ମୁଆଁ ଆଣିଛି।ମୁଢି - ଚୂଡା - ଖଇ।ଯାହା ଖୋଜିବ ତାହା ପାଇବ।ମୁଆଁ ରଖିବ ମୁଆଁ।
ପ୍ରଚଣ୍ଡ ଗ୍ରୀଷ୍ମ।ନିର୍ଜନ ରାସ୍ତା।କିଏ ସେ ଡାକୁଛି ସତେ ! କାହାର ଏ ଆକୁଳତା ! - ଅରିନ୍ଦମ ଅନ୍ୟମନସ୍କ ହେଲା।
ଏତିକିବେଳେ ମନସ୍ବିନୀ ପାଖରେ ପହଞ୍ଚି କହିଲା - " ମୁଆଁ - - ମୁଆଁ। "
- " ବାପା ! ମୁଁ ମୁଆଁ ଖାଇବି। " ପାଞ୍ଚ ବର୍ଷର ପୁଅ ରିତେଶ ଧାଇଁ ଆସି କହିଲା।
- " ଦେଖ ତ ଟିକେ।ରିତେଶ ମୁଆଁ ଖାଇବାକୁ କହିଲାଣି। " ଅରିନ୍ଦମ କହିଲା।
ମନସ୍ବିନୀ ଆସିଲା ବାଲକୋନୀକୁ।ଦେଖିଲା - ମୁଣ୍ଡରେ ଟୋକେଇଟେ ଧରି ସ୍ତ୍ରୀ ଲୋକ ଜଣେ ଚାଲିଛି।ପାଦରେ ଚଟି ନାହିଁ। - " ମାଉସୀ ! ଦୁଆରକୁ ଆସ।ଆମେ ମୁଆଁ ରଖିବୁ। " ସେ ଡାକି କହିଲା।
କବାଟ ଖୋଲି ବାହାରକୁ ଆସିଲା ଅରିନ୍ଦମ।କହିଲା - " ଏ ମାଉସୀ ! ଏ ଆଡେ ଆ' ତ।ମୁଆଁ ଗୋଟିକୁ କେତେ ? "
- " ଗୋଟି ଦୁଇ ଟଙ୍କା, ବାବୁ। " କହିଲା ସେ।ମୁଣ୍ଡରୁ ଟୋକେଇ ଓହ୍ଲାଇ ରଖିଲା।
ଏତିକିବେଳେ ତା' ମୁହଁ ଉପରେ ଅରିନ୍ଦମର ଆଖି ପଡିଲା। ସେ ଚମକିଗଲା।ଧୀରେ କହିଲା - " ବୋଉ ! ତୁ ଏଠି ? "
ପଛରେ ଥିଲା ମନସ୍ବିନୀ।ତାକୁ ହଠାତ୍ ଘର ଭିତରକୁ ଘୋଷାଡି ନେଇ କବାଟ ବନ୍ଦ କରିଦେଲା।ପାଟି କରି କହିଲା - " କେହି ମୁଆଁ ଖାଇବା ଦରକାର ନାହିଁ।ସ୍ତ୍ରୀ ଲୋକଟା ଭାରି ଅସନା ଦିଶୁଛି।ତା' ହାତରୁ ଖାଇଲେ ରୋଗ ହେବ। "
- " ଯାହାହେଉ, ଖରାବେଳଟା ! କେହି ଦେଖିନାହାନ୍ତି।ବଞ୍ଚିଗଲା ମଣିଷ। " ମନେମନେ କହିଲା ଅରିନ୍ଦମ।
ନା କିଛି ଶୁଣି ପାରିଥିଲା, ନା କିଛି ବୁଝି ପାରିଥିଲା ସ୍ତ୍ରୀ ଲୋକଟି।ଆଶା କରି କେତେ ସମୟ ଦୁଆରେ ବସି ରହିଲା।ପରେ ନିରାଶରେ ସେଇଠୁ ଫେରିଗଲା।
ମୁଆଁ ରଖିବ ମୁଆଁ।ମୁଢି ମୁଆଁ ----- ଚୂଡା ମୁଆଁ -----ଖଇ ମୁଆଁ। ମୁଆଁ ରଖିବ ମୁଆଁ। - ଡାକି ଡାକି ଚାଲିଗଲା।
ମୁଆଁ ଟୋକେଇ ନୁହେଁ, ସତେ ଯେପରି ନିଜ ଜୀବନର ବୋଝକୁ ନିଜେ ବୋହି ବୋହି ତତଲା ରାସ୍ତାରେ ଖାଲି ପାଦରେ ଚାଲି ଚାଲି ଯାଉଥିଲା ସେ।