STORYMIRROR

Madhabi Patel

Tragedy

4  

Madhabi Patel

Tragedy

ମୋହ

ମୋହ

3 mins
618


ସୁରମା ଆଉ ସନାତନ ଏବେ ସହରରେ ଏକା ରୁହନ୍ତି।ପୁଅ ଝିଅମାନେ ବାହାରେ ବିଦେଶରେ ଚାକିରି କରନ୍ତି।ବର୍ଷେ ଦୁଇ ବର୍ଷେରେ ଥରେ ଗୃହ ମୁହାଁ ହୁଅନ୍ତି।ସେମାନେ ଆସିଲେ ଘରଟା କଳରବରେ ଭରିଉଠେ।ନହେଲେ ବାକିଦିନ ମଶାଣୀର ନିସ୍ତବ୍ଧତା ଛାଇଥାଏ।ବରିଷ୍ଠ ନାଗରିକ ଗୋଷ୍ଠିରେ ସାମିଲ ହେଲାଣି ଦୁଇଜଣକ ନାମ।ଏବେ ଆଗପରି ଖାଇବା ପିଇବା ହୁଏନି କି ଯିବା ଆସିବା ହୁଏନି।ଖିଚିଡି ଟିକେ କରି ଖାଇ ଦିଅନ୍ତି।ରାତିରେ ରୁଟି ଦୁଇପଟ ଲେଖାଏଁ କଲେ କେବେ ସନ୍ତୁଲା ଟେ କି ଡାଲମା କରି ଚଳାଇ ନିଅନ୍ତି।

ଏବେ ନାଁ ହଜମ କରିବାର ଆଉ କ୍ଷମତା ଅଛି ,ନାଁ ବେଶି କିଛି ଖାଦ୍ୟ ବନେଇବାର ବଳ।

ଅନେକ ରୋଗ ଏବେ ଚିରସାଥୀ ହେଇ ଆସ୍ଥାନ ମାଡି ଗଲାଣି ଶରୀର ଭିତରେ।ଜୀବନର ମୋହ ମରି ମରି ଆସିଲାଣି।କାହାପାଇଁ ଆଉ ଏତେ ଦଉଡି କୁଦି କମେଇବେ।ଯାହା ପାଇଁ ଖଟୁଥିଲେ ସମସ୍ତେତ ବାହାରେ।ନିଜ ନିଜ ଜାଗାରେ ପ୍ରତିଷ୍ଠିତ ହେଇ ସାରିଛନ୍ତି।ମନରେ ଏବେ ଆଗପରି ସରାଗ ନାହିଁ।ରୁଟିନ ଜୀବନ ବଞ୍ଚିବାକୁ ପଡୁଛି।ବାହାରକୁ ଯିବା ଆସିବା ବନ୍ଦ ହେଇ ଯାଇଛି।ବନ୍ଧୁ ବାନ୍ଧବ ବି କରୋନା ହେଲା ଦିନରୁ ପାଖ ମାଡୁ ନାହାଁନ୍ତି।ସୁରମା କିଛି ଲେଖା ପଢା କରି ସମୟ କଟାଏ। ସନାତନ ପ୍ରାୟ ସମୟ ଟିଭିରେ କ୍ରିକେଟ କି ନିଉଜ ଦେଖନ୍ତି।ଘରଟା ତାଙ୍କର ଏବେ ନିସ୍ପ୍ରାଣ ସ୍ପନ୍ଦନ ହିନ ଜଣାପଡେ।ଦିନେ ଏଇଘରେ ତିନିଟା ଛୁଆଙ୍କ 

ପାଟିତୁଣ୍ଡ ଶୁଭୁଥିଲା।ମାଡ ପିଟ,ହେଉଥିଲେ କେତେବେଳେ,ପୁଣି ମିଶି ଯାଉଥିଲେ ଏକାଠି।

ଯାହା କିଣା ହେଇ ଆସୁଥିଲା ସମାନ ଭାଗ ହେଉଥିଲା।ତ୍ୟାଗ ବଳିଦାନ କରିବାକୁ ପରସ୍ପର ତତ୍ପର ଥିଲେ।ମଧୁମୟ ପରିବାର ଟେ ଥିଲା ତାଙ୍କର ।


ପିଲାଏ ଧିରେ ଧିରେ ବଡ ହେବାକୁ ଲାଗିଲେ।ଅଭାବ ଓ ସମସ୍ୟା ବଢିବାକୁ ଲାଗିଥାଏ।ତଥାପି ପ୍ରତିକୂଳ ପରିବେଶ ଭିତରେ ସେ କେବେ ହାରି ନଥିଲେ।ପିଲାଙ୍କୁ କୌଣସି ମତେ ଉଚ୍ଚ ଶିକ୍ଷିତ କଲେ।

ଭଲ ପଢୁଥିଲେ ପିଲାମାନେ।କେବେ ନିରାଶ କରିନାହାଁନ୍ତି ତାଙ୍କୁ।ସବୁ ପରୀକ୍ଷାରେ ଉତ୍ତମ ସ୍ଥାନ ରଖି ପାସ କରୁଥିଲେ।ପିଲାଙ୍କ ଉନ୍ନତିରେ ଆତ୍ମହରା ହେଉ ଥିଲେ ମାଆ ବାପା ଦୁହେଁ।

ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଉ ଥିଲେ।

ଏମିତି ସୁଦୟା ରଖିଥିବାରୁ।ପିଲାଏ ପର ଲାଗିବା ପରେ ଉଡିଗଲେ ନିଜର ଦକ୍ଷତା ଅନୁଯାୟୀ।

ଘରେ ଏକ୍ଲା ରହିଗଲେ ବାପା ମାଆ।ଶୁନ୍ୟ ଗୃହ ଏବେ ଖାଇ ଗୋଡାଏ।ଏତେବଡ ଘର ର ଯତ୍ନ ନେବାକୁ ସଫା ସୁନ୍ଦର ରଖିବାକୁ ଆଉ ବଳ କି ସଉକ ଆଉ ନାହିଁ।ଖାଁ ଖାଁ ନିସ୍ତବ୍ଧତା ଭିତରେ ବେଳେବେଳେ ଛୋଟ ପିଲାଙ୍କର ପାଟିତୁଣ୍ଡ ଶୁଣାଯାଏ।ହେଲେ ସେସବୁ ମନର ଭ୍ରମ ଥାଏ।ଯେତେ ବେଳେ ନାତି ନାତୁଣୀ ମାନେ ଆସନ୍ତି, ଦୁଇ ଦିନ ପାଇଁ ତାଙ୍କ ମୋହରେ ପଡିଯାନ୍ତି।ତାଙ୍କ ସହ ପିଲାହେଇଯାନ୍ତି। ନିଉଜ, ସିରିଏଲ ବଦଳରେ କାଟୁନ ଚେନାଲ୍ ଲାଗେ ଟିଭିରେ।ଭଲଭଲ ଖାଦ୍ୟ ତିଆରି ହୁଏ।ନାନା ଜିନିଷ ମାର୍କେଟିଙ୍ଗ ହେଇ ଆସେ ଘରକୁ।ପ୍ରତିଦିନ ଏକ ପର୍ବ ପରିଲାଗେ ସେ କେତେଦିନ।ଛୁଟି ସରିଲେ ପୁଣି ଚାଲି ଯାଆନ୍ତି ଆପଣା କର୍ମ କ୍ଷେତ୍ରକୁ।ମୋହରେ ପଡିଥିବା ହୃଦୟ ଦୁଇଟି କିଛି ଦିନପାଇଁ ଛଟପଟ ହୁଏ।

ସହଜ ହେବାକୁ କିଛି ଦିନ ଲାଗିଯାଏ।ପୁଣି ନାତି ନାତୁଣୀକ ଖେଳୁଥିବା ଜିନିଷ ଆଲମାରିରେ ସାଇତି କରି ରଖିଦିଆ ଯାଏ ଆଉ ତା ସାଙ୍ଗରେ ନିଜର ଆବେଗ ଓ ସଂବେଦନାସମୁହକୁ ବି ଘୋଡେଇ ରଖାଯାଏ ହୃଦୟ ଭିତରେ।

ପୁଣି ଚାଲେ ଏକ୍ଲାପଣର ରାଜୁତି।


ଆଜି ଦୀପାବଳି ଥିଲା।ଏତେବଡ ଘରଟା ଖାଲିଖାଲି ଲାଗୁଥିଲା।ଅନ୍ୟ ଘର ମାନଙ୍କରେ ଲିଚୁବଲ୍ ସବୁ ଜଗମଗ କରୁଥିଲେ।ଘରମାନଙ୍କରୁ ମିଠା,ହାଲୁଆ ତିଆରିର ମହମହ ବାସ୍ନା ଭାସି ଆସୁଥିଲା ପବନରେ।ସୁରମା ଓ ସନାତନ ମିଶି ଘରର ଅନ୍ଧାର ଦୂର କରିବାର ଚେଷ୍ଟା କରୁଥିଲେ।ମାଟି ଦୀପ କେତେଟା ଜଳେଇ ବାକୁ ଚେଷ୍ଟା କରୁଥିଲେ।ବାଉଣ୍ଡ୍ରି ଉପରେ ନେଇ ଥୋଇବାର ବଳ ନ ଥିଲା ତାଙ୍କର।ସୁରମା ସଳିତା ଓ ତେଲ ସଜାଉ ଥିଲେ।ସନାତନ ନେଇ ବାଉଣ୍ଡ୍ରିରେ ଥୋଇବାର ଉପକ୍ରମ କରୁଥିଲେ।ସେତେବେଳେ ପଛଆଡୁ କେହି ଜଣେ ଆସି ଦୀପତକ ହାତରୁ ନେଇ ଠିକ୍ ଜାଗାରେ ସଜାଇ ଦେଲା।ଗୋଟେ ଗୋଟେ କରି ସବୁ ଦୀପକୁ ବାଉଣ୍ଡ୍ରି ସାରା ସଜାଇଦେଲା।ଘରଟା ଏବେ ଦୀପ ସମୂହରେ ଝଲମଲ କଲା।ଦୀପ ସଜିଲ ହେଲା ବେଳକୁ ଉପର ଘରୁ ଓହ୍ଲେଇ ଆସିଲେ ଚାରିଜଣ।ନୂଆଁ ଭଡା ରହିଥିବ ସୋମେନର ମାଆ ପାର୍ବତୀ ଦେବୀ, ପତ୍ନୀ ଦୀତି,ଝିଅ ରୀମା,ଓ ପୁଅ ସୋନୁ।

ହାତରେ ମିଠାଇର ଥାଳି ପୁରି ତରକାରି ବଡା ଓ ଆଉ କେତେ କଣ ଧରି।ପିଲାମାନେ ଫୁଲଝରି ଓ କିଛି ବାଣ ଧରିଥିଲେ ହାତରେ।


ଖାଇବା ଜିନିଷ ସବୁ ସୁରମା ହାତକୁ ବଢେଇ ଦେଇ ହେପି ଦୀପାବଳି କହି ଶୁଭକାମନା ଜଣାଇଲେ।ତାପରେ ପିଲାମାନେ ଫୁଲଝରି ଫଟାକା ସବୁ ଫୁଟାଇବା ଆରମ୍ଭ କଲେ।ସୁରମା ଓ ସନାତନ ହାତରେ ବି ଫୁଲଝରି ଗୋଟେ ଗୋଟେ ଆଣି ଧରେଇ ଦେଲେ।ଅନେକ ବର୍ଷ ପରେ ସେମେନେ ଏମିତି ଦୀପାବଳି ପୁଣି ମନେଇଲେ ତାଙ୍କ ସାଙ୍ଗରେ।ସେ ପିଲାଙ୍କ ଭିତରେ ସେମାନେ ନିଜ ନାତି ନାତୁଣୀକୁ ଆବିସ୍କାର କରିଥିଲେ ଓ ସୋମେନ ଓ ଦୀତି ନିଜର ପୁଅ ବୋହୁ ପରି ଲାଗୁଥିଲେ।ପୁଣି ଧିରେ ଧିରେ ମୋହଗ୍ରସ୍ତ ହେଉଥିଲେ ଦୁଇଜଣ ଦିନେ ଆଗରୁ ପହଞ୍ଚି ଥିବା ନୂଆ ଭଡାଟିଆଙ୍କ ସହିତ। ଲାଗୁଥିଲା ଯେମିତି କିଏ ଜଣେ ନିଜର ଲୋକ ଘରକୁ ଫେରି ଆସିଛି।



Rate this content
Log in

Similar oriya story from Tragedy