SIPRA NAMTA

Inspirational Romance

3  

SIPRA NAMTA

Inspirational Romance

ମୋ ସନ୍ଦେହୀ ପ୍ରିୟା

ମୋ ସନ୍ଦେହୀ ପ୍ରିୟା

7 mins
7.6K


ମୋ ସନ୍ଦେହୀ ପ୍ରିୟା

--------–----–----------

ସିପ୍ରା ନାମତା ,ନମ୍ରତା

ଦରବାନ ଗେଟ ଖୋଲିଲା । ଚାରିଚକିଆ ଗାଡିଟେ ପଶିଆସିଲା ଭିତରକୁ । ଗାଡିରୁ ଓଲ୍ହାଇ ଘରକୁ ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା ।ମୁହଁ ଲାଲ ଦେଖାଯାଉଥିଲା । "କୋଉଠି ଥିଲ ଏତେବେଳଯାଏ ,ଏଇଟା ଘର ନା ଆଉ କିଛି ? ତମର ଯେବେ ଇଛା ହେବ ଆସିବ ଆଉ ଯିବ ?ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ ? ପିନ୍ଧିଥିବା ସାର୍ଟ କୁ ଖୋଲି ଦେଇ ସ୍ମିତା କୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ।ସ୍ମିତା ସେମିତି ଵିରକ୍ତ ହେଉଥିବା ବେଳେ କହିଲା ---"ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ଼ ।"

ସ୍ମିତା ଅବାକ ହୋଇ ଚାହିଁ ରହିଥିଲା ।କି ଅଦ୍ଭୁତ ମଣିଷ ଇୟେ ?ଏତେ ଵିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି ? ନା ,ଆଜି ଯାହା ବି ହେଉ ପଛେ ଏହାର କିଛି

ଗୋଟେ ସମାଧାନ କରିବାକୁ ପଡିବ । ସବୁବେଳେ ଏମିତି ବିଳମ୍ବ ରେ ଘରକୁ ଆସିବା ଚଳିବ ନାହିଁ ।ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।

"କାହିଁକି ଏମିତି ବେକାର ଟାରେ ପାଟି କରୁଛ କହିଲ ? କାହିଁକି ମୋତେ ଜଗିଛ ? ମୁଁ ତ ତମର କିଛି କାମର ଲୋକ ନୁହଁ ନା ......ଦିଅ ........ଦିଅ ଖାଇବାକୁ ଦିଅ .....

ଆଜି ନଟୀ ଆସିନି ନା କଣ ?" ଚାରିଆଡକୁ ଚାହିଁ ...."ଓଃ ସେଥିପାଇଁ ମାଡମ ଙ୍କ ରାଗ ଟା ପଞ୍ଚମ ରେ ।"ୟା ଭିତରେ

ଡାଇନିଂ ଟେବୁଲ ର ଚେଆର ରେ ବସି ଟେବୁଲ ରେ ସଜା ହୋଇଥିବା ପ୍ଲେଟ ଗୁଡିକୁ ସିଧା ରଖୁଥାଏ ପ୍ରଶାନ୍ତ ।

ସ୍ମିତାକୁ ସେମିତି ଠିଆ ହୋଇ ରହିବାର ଦେଖି କହିଲା "କଣ ଠିଆ ହୋଇ ରହିଲ ଯେ, " । ଏହି ସମୟରେ ସ୍ମିତାର ମାଉସୀ ଝିଅ ଭଉଣୀ ,ତା'ଠାରୁ ବଡ, ଶାନ୍ତିଅପା ସ୍ମିତାକୁ ଡାକି ଡାକି ଘର ଭିତରକୁ ପଶିଆସିଲେ । ଘର ଭିତରର ପରିସ୍ଥିତି ଦେଖି ଅଡୁଆ ସମୟରେ ଆସିଥିବାରୁ କାଇଲା ଲାଗିଲା ତାଙ୍କୁ ।ପ୍ରଶାନ୍ତ ସମ୍ବନ୍ଧରେ ହିଁ ସୂଚନା ଦେବାକୁ ସେ ଆସିଥିଲେ ସ୍ମିତା ପାଖକୁ ।ସଙ୍ଗେ ସଙ୍ଗେ ବୁଦ୍ଧି ଖଟାଇ କହିଲେ --"ଆଜି କଣ ଖାଇ ନ ଥିଲ କି ପ୍ରଶାନ୍ତ ? ସ୍ମିତା ଦଉନୁ ଖାଇବାକୁ ,"କହି ଏକରକମ ପେଲିପେଲି ନେଇଗଲେ ରୋଷେଇ ଘରଭିତରକୁ।

ତରକାରୀ ବାସ୍ନା ରେ ବିଭୋର ପ୍ରଶାନ୍ତ ପାଟିକୁ ଖାଦ୍ୟ ନେଉଥିବା ବେଳେ ଶାନ୍ତି ପଚାରିଲେ "ଆଜି ହସ୍ପିଟାଲ କାହିଁକି ଯାଇଥିଲ ?ତମେ ଠିକ୍ ଅଛ ତ ?"

ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତ କହିଲା"ତୁମେ କେମିତି ଜାଣିଲ ?ଯାଇଥିଲ କି ? କାହାର କିଛି ଅସୁବିଧା ହେଇଛି କି ? "

"ଆରେ ନା ନା ,ଘରେ ସବୁ ଠିକ୍। ମୋର ଟିକେ ଡ଼ଃ ରାଉତଙ୍କ ପାଖରେ କାମ ଥିଲା ତ !ସେଥିପାଇଁ ଯାଇଥିଲି ।

କିନ୍ତୁ ତୁମେ କିଛି କହିଲନି ଯେ " କହିଲେ ଶାନ୍ତି ।

ପ୍ରଶାନ୍ତ ନୀରବରେ ଖାଇବାକୁ ଲାଗିଲା ଖାଇସାରି ହାତ ଧୋଉ ଧୋଉ କହିଲା "ସମାଜ ସେବା ପାଇଁ " ।

"-ତମେ କଣ ୟା ଭିତରେ ତମ ଅଫିସ ବଦଳେଇ ଦେଇଛ । ଆଜି ତ କଣ ନୂଆ ଶୁଣିଲା ପରି ଲାଗୁଛି "ପ୍ରଶାନ୍ତ କଥା ଛଡେଇ ନେଇ ଶାନ୍ତି ଉଦ୍ଦେଶ୍ୟରେ ସ୍ମିତାକୁ ଦେଖେଇ କହିଲା "ସେ କଥା ତମ ପରି ଲୋକ ବୁଝିପାରିବେନି "କହି ତା'କୋଠରୀ ଆଡକୁମୁହାଁଇଲା ।

ପ୍ରଶାନ୍ତର ଯିବା ବାଟ କୁ ଚାହିଁ ଶାନ୍ତି କହିଲେ"ସେଇଥିପାଇଁ ମୁଁ କହୁଥିଲି କୋଳକୁ ଗୋଟେ ଜୀଅନ୍ତା କଣ୍ଢେଇ ଆସୁ ,ସଂସାର ବଢିଲେ ଜଞ୍ଜାଳ ବଢିବ ତେଣିକି ଆପେ ଘରମୁହାଁ ହେଇଯିବ ।କିନ୍ତୁ ନାଇଁ . .. ପ୍ଲାନିଂ କରିଛ .....ହଉ......ଏବେ ଦେଖୁଛୁ ତ କେମିତି ଘରଛାଡି ବାହାର ମୁହାଁ ହେଲାଣି ।" ଦୂରଦୃଷ୍ଟିସମ୍ପନ୍ନ ହିତକାରୀ ମଣିଷଟି ପରି ଶାନ୍ତିର ଏଇକଥା ଶୁଣି ସ୍ମିତାର ମୁହଁ ଅଜ୍ଞାତ ଆଶଙ୍କାରେ ଶିହରି ଗଲା ବେଳକୁ ଆଖି ଦୁଇଟି ଛଳ ଛଳ ହୋଇଗଲା ।ଅସହାୟ ହୋଇ ବସିପଡିଲା ଚେଆର ଉପରେ ।ଏବେ ଆଉ ନୀରବ ହୋଇ ବୋହିଲାନି ତା ଲୁହ ଧାର ,କଇଁ କଇଁ ହୋଇ ଚାପା କ୍ରନ୍ଦନର ଧ୍ୱନୀ ନିର୍ଗତ ହେଲା ତା କଣ୍ଠ ରୁ ।ଶାଢୀ ଅଞ୍ଚଳରେ ଆଖି ପୋଛୁ ପୋଛୁ କାନ୍ଦିବା ସ୍ୱର କହିବାକୁ ଲାଗିଲା -"ଏବେ କଣ ହେବ ଅପା ?କାହାକୁ

ଦେଖିଲ କି ତାଙ୍କ ସାଙ୍ଗ ରେ ......ମୋତେ ଖୋଲି କରି କୁହ ।"

--"ଆରେ ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ ?ମୋ କହିବା ଉଦ୍ଦେଶ୍ୟ ଠିକ୍ ସେଇୟା ନୁହଁ ଯେ, ପୁରୁଷ ପିଲା ତ ବାହାରେ ଅଧିକାଂଶ ସମୟ ରହୁଛନ୍ତି ।ନିଜେ ଭଲ ହେଲେ ବି କେତେ ଜଣ ସେ ଭଲଟାକୁ ଦେଖିପାରନ୍ତି, ନା ସହିପାରନ୍ତି ?ମଉସା କି ମାଉସୀ କେହି ବଞ୍ଚିଥିଲେ ତୋତେ ବୁଦ୍ଧି ଦେଇଥାନ୍ତେ ତେଣୁ ମୋ କହିବା କଥା, ମୂଳ ରୁ ଅଡୁଆ ଛିଡି ଗଲେ ଯାଏ ।ତା ପରେ ଯାହା ହେଉଛି ହେଉଥାଉ ।କୋଳ ରେ ଛୁଆ ଟିଏ ଆସିଲେ ତୋର ବି ସମୟ କଟିଯାଅନ୍ତା ,ଆଉ ସେ ବି ବାହାର କୁ ଯିବା କମେଇ ଦିଅନ୍ତା ।

ହଉ ଶୁଣ ,ସେ ଯେତେବେଳେ ଭଲ ମନ ରେ ଥିବ ସେତିକିବେଳେ ଟିକେ ହୁସିଆର ହେଇ କଥା ଟା ପକେଇବୁ ।ମୁଁ ଚାଲିଲି ତେଣେ ତୋ ଭିଣୋଇ ପୁଣି ଆକାଶ ତୋରା ଦେଖେଇଦେବେ ।ହଁ ,ବେଶୀ ରାଗିବୁନି ତା'ଉପରେ ।ହେଲା .....ମୁଁ ଏଥର ଆସେ ରେ "।କହି ଚାଲିଗଲେ ଶାନ୍ତି

କିଛି ଶାନ୍ତି ଓ ଅଶାନ୍ତି ର ବୀଜ ସ୍ମିତା ମୁଣ୍ଡ ରେ ଗଜୁରିବା ପାଇଁ ଛାଡିଦେଇ ।

ସେଇଦିନ ରାତିରେ ପ୍ରଶାନ୍ତ ର ବିଳମ୍ବରେ ଆସିବାକୁ କ୍ଷଣକୋପୀ ସ୍ମିତା ଯଦିଓ ସହି ପାରୁ ନ ଥିଲା ହେଲେ ଶାନ୍ତି ଅପାର ଉପଦେଶ ଅନୁସାରେ ନୀରବ ରହିବାକୁ ବାଧ୍ୟ ହୋଇଛି । କିନ୍ତୁ ଭରସି କରି କିଛି କଥା କହି ବି ପାରୁନି ସେ ପ୍ରଶାନ୍ତ କୁ ।ରାତ୍ରୀ ଭୋଜନରେ ସୁସ୍ୱାଦୁ ବ୍ୟଞ୍ଜନ ପରଶି ଦେଇ

ସ୍ମିତା ବାଧ୍ୟ ଛାତ୍ରୀ ଟି ପରି ଠିଆ ହୋଇ ଆନୁଗତ୍ୟ ପ୍ରଦର୍ଶନ କରୁଛି ।

--"ତମେ ଖାଇଛ ?"

ମୁଣ୍ଡ ହଲେଇ ମନା କଲା ସ୍ମିତା ।

- "ତମ ଆଗରୁ ମୁଁ କେବେ ଖାଇଛି ?"

ଦିନରେ ସେ ଯାହା ଖାଇଥାନ୍ତା ,ଶାନ୍ତି ଅପାର କଥାରେ ଖାଇବାର ସ୍ପୃହା ମରିଯାଇ ଥିଲା ସ୍ମିତାର । ଗୋଟେ ଅନାଗତ ଆଶଙ୍କା ଓ ଭୟ ରେ ତା'ର ସମଗ୍ର ଶରୀର ରେ ନିଷ୍କମ୍ପତା ଅନୁଭୂତ ହେଉଥିଲା ।ବେନିନୟନ ଶ୍ରାବଣ ର ଛାୟା ରେ ଢଳ ଢଳ ହେଉଥିଲା .....ପ୍ରଶାନ୍ତ ର କୋଉ ଅନ୍ୟ ନାରୀ ସହ ସମ୍ପର୍କ ଥାଇପାରେ ??? ଛିଃ ,କେମିତି ଭାବନା ଗୁଡାକ ଠେଲି ପେଲି ହୋଇ ମୁଣ୍ଡଟା କୁ ଖରାପ କରିଦେଉଛନ୍ତି ।

_"କଣ ଏତେ ଭାବୁଛ ?ଆସ... ସାଙ୍ଗରେ ଖାଇନେବା ।"

ପ୍ରଶାନ୍ତର ଆଗ୍ରହରେ ସ୍ମିତା ତା ସହ ବସି ଖାଇଲା ।ଏମିତି ଅନେକ ସମୟରେ ସେମାନେ ସାଥୀରେ ବସି ଖାଆନ୍ତି ।

ସହର ଭିତରେ ଥିଲେ, କେବେ କେବେ ବି ଫୋନ ରେ ଡେରି ହେବା କଥା କହିଦେଇଥାନ୍ତି ।ତଥାପି କେମିତି ଗୋଟେ ଖାମଖିଆଲି ଭାଵ ଥାଏ ବୋଲି ଅନୁଭବ କରେ ସ୍ମିତା ।ଖାଇସାରିବା ପରେ ପ୍ରଶାନ୍ତ କହିଲା ---"ସତ ରେ ସ୍ମିତା ତମ ହାତ ରେ ଯାଦୁ ଅଛି । ଚମତ୍କାର ରାନ୍ଧି ପାର ତମେ ।ସେଇଥିପାଇଁ ଯେତେ ବିଳମ୍ବ ହେଲେ ମଧ୍ୟ ବାହାରେ ଖାଇବାକୁ ଇଛା ହୁଏ ନାହିଁ ।"

ଦୁହେଁ ଶୟନ କକ୍ଷ କୁ ଯାଇ ଶଯ୍ୟା ର ଆଶ୍ରୟ ନେଲେ ।ପ୍ରଶାନ୍ତ ଆଡକୁ ପଛ କରି କଡେଇ ଶୋଇଲା ସ୍ମିତା ।ପ୍ରଶାନ୍ତ, କାନ୍ଥ ରେ ଝୁଲୁଥିବା ବାୟଳିଶ ଇଞ୍ଚ ର ଏଚ. ଡି. ସ୍ମାର୍ଟ ଏଲ ଇ ଡି ଟି. ଭି .ର ସ୍କ୍ରିନ ଉପରେ ଗୋଟେ ପରେ ଗୋଟେ ଚ୍ୟାନେଲ ଖେଳାଇ ମନ ପସନ୍ଦ ର କିଛି ପ୍ରୋଗ୍ରାମ ନ ପାଇ ଟି ଭିବନ୍ଦକରି ଦେଇ ମୋବାଇଲରେ ଆସିଥିବା ମେସେଜ ଗୁଡିକ ଚେକକଲା। ନଜର ପଡିଲା ଗୋଟେ ନଂ ରେ ଜି. ଭାର୍ଗବୀ .......ଠିକ୍ ସେଇ ସମୟରେ ଏକ ଚାପା କ୍ରନ୍ଦନ ର ସ୍ୱର ତା' କର୍ଣ୍ଣଗୋଚର ହେବା କ୍ଷଣି ସେ ସ୍ମିତା ଆଡକୁ ଚାହିଁଲା ।ଅନୁସନ୍ଧିତ୍ସୁ ମନ ନେଇ ଝୁଙ୍କି ପଡିଲା ପତ୍ନୀ ଉପରକୁ ।ଅଶ୍ରୁଶିକ୍ତା ସ୍ମିତା ର ମୁଖମଣ୍ଡଳ କୁ ଚାହିଁ ଆଶ୍ଚର୍ଯ୍ୟ ର ସୀମା ରହିଲାନି ଆଉ ଖୁବ୍ ବ୍ୟସ୍ତ ଲାଗିଲା ତାକୁ ।ମୁହୂର୍ତ୍ତକ ରେ ସେଇ ଅଶ୍ରୁସ୍ନାତା ମୁହଁ

ର କମନିୟତା ,ଓ ସୁନ୍ଦରତା ଅତୀବ ରମଣୀୟ ମନେ ହେଲା ତାକୁ ।ସୌନ୍ଦର୍ଯ୍ୟ ର ଅପରୁପା ମୂର୍ତ୍ତି ଟିକୁ ସେ ଏଇ କିଛିଦିନ ହେବ ବେଶ ଅବହେଳା କରିଆସିଛି ବୋଲି ଭାବି ତାକୁ ନିଜକୁ ଦୁଃଖ ଲାଗିଲା ।କିନ୍ତୁ ସ୍ମିତା କ୍ରନ୍ଦନ ର ରହସ୍ୟ ତା' ମୁହଁ ରୁ ଶୁଣିବା ପରେ ଠୋ ଠୋ ହୋଇ ହସିଉଠିଲା ପ୍ରଶାନ୍ତ ।--"ତୁମ ପରି ଜଣେ ବିଶିଷ୍ଟ କଳାକାର ପାଖରୁ ଏମିତି ଭାବନା ମୁଁ ଆଶା କରୁ ନ ଥିଲି ସ୍ମିତା ।

ମନେଅଛି ,........ବିବାହ ର ଠିକ୍ ପରେ ପରେ ତୁମକୁ ଏ ବିଷୟରେ କହିଥିଲି ଆଉ ତୁମ ନୃତ୍ୟ କଳାକୁ ବି କଣ୍ଟିନ୍ୟୁ କରିବା ପାଇଁ ତୁମ ଇଛା ଜଣାଇବା ପାଇଁ କହିଥିଲି ।କିନ୍ତୁ ତୁମେ ନୀରବ ତ ରହିଲ ଆଉ ତା ସହିତ ସେ କଥା ଭୁଲିଯାଇଛ ବୋଲି ବର୍ତ୍ତମାନ ମୁଁ ଜାଣୁଛି ।ପାଞ୍ଚ ବର୍ଷ ରୁ ଅଧିକ ହେବ ମୁଁ ସେମାନଙ୍କ ସହ ରହିଛି ।"

ଅବାକ ହୋଇ ଚାହିଁ ରହିଥିବା ସ୍ମିତା କୁ କୋଳେଇ ନେଇ ପ୍ରଶାନ୍ତ ତା'ର କାର୍ଯ୍ୟ ବ୍ୟସ୍ତତାର ସମସ୍ତ ରହସ୍ୟ ଉନ୍ମୋଚନ କରିବା ପାଇଁ ମୋବାଇଲ ଦେଖାଇଲା ସ୍ମିତାକୁ ।ଦିବ୍ୟାଙ୍ଗମାନଙ୍କ ସେବା ଓ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ର ଭାରତୀୟ ଶାଖା ର୍ ପ୍ରବନ୍ଧକ ଜି. ଭାର୍ଗବୀ ଙ୍କ ...."".ଯୁବ ଉଦ୍ୟୋଗପତି ପ୍ରଶାନ୍ତ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ପ୍ରେରଣା କର୍ମ ଶାଳା"ଉଇ ଆର ଷ୍ଟାରସ "(we are stars )ର୍ ପ୍ରାୟୋଜକ ରୂପେ"" ବିଶେଷ ପ୍ରତିଭା ବିକାଶ ସମ୍ମାନ""ପାଇବାକୁ ଆମନ୍ତ୍ରିତ ହୋଇଛନ୍ତି ""ବୋଲି ମେସେଜଟିକୁ ପଢ଼ିସାରିବା ପରେ ପ୍ରଶାନ୍ତ ସେ କର୍ମଶାଳା ଗୁଡିକ ର କିଛି ଛାୟା ଦୃଶ୍ୟ ଟି. ଭି ସହିତ ସଂଯୁକ୍ତ କରିଦେଲା । ବଡ ପରଦା ଉପରେ ସ୍ପଷ୍ଟ ଭାବରେ ସ୍ମିତା ଦେଖୁଥିଲା ,ବିଭିନ୍ନ ବୟସ ର, ବିଭିନ୍ନ ବର୍ଗ ର ଦିବ୍ୟାଙ୍ଗ ପିଲାମାନେ କୃତ୍ରିମ ଅଙ୍ଗ ସାହାଯ୍ୟ ରେ ବେଶ ସୁନ୍ଦର ଭାବେ ଅନେକ କିଛି କାମ କରିପାରୁଛନ୍ତି।ଓଃ ....ଆଉ ଚାହିଁ ହେଉନି ...।ଆତ୍ମା ହା ହା କାର କରିଉଠୁଥିଲା ସ୍ମିତାର ।ଅସୀମ ଧୈର୍ଯ୍ୟ ,ସ୍ନେହ, ପ୍ରେମ ର ମନ୍ଦାକିନି ବୁହାଇ କୌଶଳୀ ଶିକ୍ଷକ ମାନେ ସେମାନଙ୍କୁ ତାଲିମ ଦେବାରେ, ପ୍ରଶିକ୍ଷିତ କରାଇବାରେ ନିୟୋଜିତ । ବିଭିନ୍ନ ଶିକ୍ଷା, ଖେଳକୁଦ, ନୃତ୍ୟସଙ୍ଗୀତ ,ଚିତ୍ରାଙ୍କନ, ଅଭିନୟ ଇତ୍ୟାଦି ରେ ଦିବ୍ୟାଙ୍ଗ ମାନଙ୍କୁ ପ୍ରଶିକ୍ଷଣ ଦେବା ରେ ସେମାନଙ୍କ ଆତ୍ମିକ ଆବେଗକୁ ହୃଦୟ ରୁ ପ୍ରଣାମ ନ ଜଣାଇ ରହିପାରିଲାନି ସ୍ମିତା।

ଆଉ ତା ସାଥିରେ ଶାନ୍ତି ଅପା ଦ୍ୱାରା ସୃଷ୍ଟି ହୋଇଥିବା ଗୋଟିଏ ମୁହୂର୍ତ୍ତର ସନ୍ଦେହ କୁ ସମୂଳେ ପୋଛିଦେଇ ସ୍ୱାମୀ ପ୍ରଶାନ୍ତ ର ଓସାରିଆ ଛାତିରେ ମୁହଁ ଗୁଞ୍ଜି ଖୁବ୍ ଆତୁର କଣ୍ଠରେ କହିଲା

--"ମୋତେ କ୍ଷମା କରିଦିଅ "

ସ୍ମିତାକୁ ଆଉ ଟିକିଏ ନିବିଡ଼ କରୁ କରୁ ପ୍ରଶାନ୍ତ କହିଲା --"ମୁଁ ଭାବୁଛି ଘରେ ଏକା ବସି ବସି ତୁମେ ନିହାତି ବୋର ହୋଇଯାଉଛ ତଥା ଅନ୍ୟ ମାନଙ୍କ ଶିକ୍ଷାରେ ପଡୁଛ ।ତେଣୁ ମୋ ମତରେ ତୁମେ ପୁଣି ତୁମ ଡ୍ୟାନ୍ସ କ୍ୟାରିଅର ରେ ମନ ଦିଅ ।ଘରେ ଗୋଟେ ଛୋଟ ଡ୍ୟାନ୍ସ ସ୍କୁଲ ଖୋଲିଦିଅ।

ତୁମେ ଭାବୁଥିବ ମୁଁ କେମିତି ଏତେ କଥା କହୁଛି ? ମନେ ଅଛି ଆମ ବିବାହ ର କିଛି ମାସ ପୂର୍ବ ର କଥା --ବଲାଙ୍ଗୀର ଜିଲ୍ଲା ରେ ଏମିତି ଏକ କାର୍ଯ୍ୟକ୍ରମ "ଅମୃତ ର ସନ୍ତାନ "ରେ ତମର ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ବିଶେଷ କରି ମୋତେ ।ସେତେବେଳେ ମୁଁ ସେଠି ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲି । ଆଉ ତା ପରେ ପରେ ହିଁ ତମେ ମୋ ଜୀବନସଙ୍ଗିନୀ ହେଲ ।"

ସ୍ମିତା ମୃଦୁ ହସି ଆଖି ନଚାଇ ପ୍ରଶାନ୍ତ ର ନିବିଡ଼ତମ

ହେଉ ହେଉ କହିଲା --"ଏତେ ରହସ୍ୟ ଥିଲା ୟା ଭିତରେ ।କିନ୍ତୁ

କେବେ ଜାଣିବାର ସୁଯୋଗ ଦେଇନଥିଲ ତ ,ବାହାଘରକୁ ବର୍ଷେ ଡେଇଁଲାଣି । ଯା 'ହେଉ ଶାନ୍ତି ଅପା ଗୋଟେ ମସ୍ତବଡ ଉପକାର କରିଦେଇଗଲେ ।ତୁମ ପରି ସ୍ୱାମୀ ମୋତେ ସବୁ ଜନ୍ମ ରେ ପ୍ରାପ୍ତ ହେଉ ।"

--"ହଉ ଏବେ ଜାଣିଲ ତ ,!!ମୋ ସନ୍ଦେହୀ ପ୍ରିୟା......" ପ୍ରଶାନ୍ତ ଆଖିରେ ଆଉ ଓଠ ରେ ଦୁଷ୍ଟାମୀ ର ହସ ସହିତ ରାତ୍ରୀ ତା'ର ଯୌବନ ରେ ଉପନୀତ ହେଉଥିଲା ଓ ସେଇ ହସ ସଂଚରି ଯାଉଥିଲା ସ୍ମିତା ଓଠ କୁ ସନ୍ଦେହ ର ଘନ କୁହେଳୀକା ଅପସାରଣ କରି ।....

-------------


Rate this content
Log in

Similar oriya story from Inspirational