STORYMIRROR

Jasobanta Sethi

Abstract Romance

3  

Jasobanta Sethi

Abstract Romance

ମୋ ଆଖିରେ ତୁ ...ତୋ ଆଖିରେ ମୁଁ

ମୋ ଆଖିରେ ତୁ ...ତୋ ଆଖିରେ ମୁଁ

5 mins
311


   ସ୍ନିଗ୍ଧା ସହିତ ମୋର ଆଜି ହଠାତ୍ ଦେଖା ହୋଇଗଲା । ଉଭୟେ ସାମ୍ନାସାମ୍ନି ଛିଡା ହୋଇଥିଲୁ । ଆଖିକୁ ବିଶ୍ଵାସ କରି ପାରୁନଥିଲି । ସ୍ୱପ୍ନ ନଥିଲା ; ସମ୍ପୂର୍ଣ୍ଣ ସତ୍ୟ ଥିଲା । କାରଣ - ପୁରୀର ଲୋକାରଣ୍ୟ ବିସ୍ତୀର୍ଣ୍ଣ ବେଳାଭୂମି , ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳ, ଅସଂଖ୍ୟ ସୁଉଚ୍ଚ ଲହଡିମାଳା କୂଳରେ ଆସି ମୁଣ୍ଡ ପିଟିବାର ଘୋ - ଘା ଶବ୍ଦ, ଏସବୁ ତ ମିଥ୍ୟା ନଥିଲା !


    ଦୀର୍ଘ କୋଡିଏ ବର୍ଷ ଧରି ଅଜଗର ପରି ପଡିରହିଥିବା ଉଭୟଙ୍କର ନିଃଶ୍ଵାସ ପ୍ରଶ୍ୱାସ ହଠାତ୍ ନାଗସାପ ପରି ଗତିଶୀଳ ହୋଇଉଠିଥିଲା । ଏତେଦିନର ବ୍ୟବଧାନ ପରେ ମଧ୍ୟ ଆମେ ପରସ୍ପରକୁ ତତକ୍ଷଣାତ୍ ନିର୍ଦ୍ୱନ୍ଦରେ ଚିହ୍ନିପାରିଥିଲୁ । କାରଣ - ମନେରଖିବାକୁ ଇଚ୍ଛାକଲେ ଜଣେ କେବେ ଜଣକୁ ଭୁଲିପାରେନା ; ଭୁଲିଯିବାକୁ ଚାହିଁଲେ ଜଣେ ଜଣକୁ ମନେ ରଖିପାରେନା ।


     ଉଭୟେ ନିର୍ବାକ ହୋଇ ଛିଡା ହୋଇଥିଲୁ । ମୋ କାନକୁ ଆଉ ମହୋଦଧି କିମ୍ବା ଉପସ୍ଥିତ ଜନସମୁଦ୍ରର ଗର୍ଜନ ଶୁଭୁନଥିଲା ; କାରଣ -ଏହା ଭିତରେ ମୋ ସାମ୍ନାରେ ଅନ୍ୟଏକ ମହୋଦଧିର ଆବିର୍ଭାବ ହୋଇ ସାରିଥିଲା ; ଯାହାର ଆଖିତଳେ ହଜାର ହଜାର ଲୁହର ସୁଉଚ୍ଚ ଜୁଆର ମୁଣ୍ଡ ପିଟିବାର ଘୋ ଘା ଶବ୍ଦ, ଯାହା ଓଠର ବେଳାଭୂମିରେ ଅଜସ୍ର ସ୍ମୃତି ରୂପକ ପର୍ଯ୍ୟଟକଙ୍କର ଭିଡ ଲାଗି ରହିଥିବାର ମୁଁ ଦେଖିପାରୁଥିଲି । 


    ପ୍ରଥମେ ମୋ' ହୃଦୟରେ ବହୁଦିନର ଜମାଟବନ୍ଧା ପ୍ରଶ୍ନମାନଙ୍କର ଉତ୍ତର ତା'ଆଖିରୁ ପଢିନେବି , କିମ୍ବା ତା'ମନରେ ବସା ବାନ୍ଧିଥିବା ମେଞ୍ଚା ମେଞ୍ଚା ପ୍ରଶ୍ନର ଉତ୍ତର ମୋଆଖିରେ ତାକୁ ପଢିବାର ସୁଯୋଗ ଦେବି , ମୁଁ ନିର୍ଣ୍ଣୟ କରିପାରୁନଥିଲି । କାରଣ - ଆମ ଜୀବନର ପ୍ରଥମ ମିଳନ ଏଇ ଚାହାଁଣିର ପ୍ରଶ୍ନରେ ଆରମ୍ଭ ହୋଇଥିଲା, ବିଚ୍ଛେଦ ମଧ୍ୟ ସେହି ପ୍ରଶ୍ନ ଭିତରେ ରହିଯାଇଥିଲା । ସେଦିନ ଉଭୟେ ଉଭୟଙ୍କ ପାଇଁ ଅଛିଣ୍ଡା ପ୍ରଶ୍ନ ଥିଲୁ ; ପରସ୍ପର ଦୂରେଇ ଯିବାର କାରଣ ପ୍ରଶ୍ନ ଭିତରେ ରହିଯାଇଥିଲା ଏବଂ ଆଜିର ଏ ସାମୟିକ ପୁନର୍ମିଳନ ମଧ୍ୟ ସେହି ପ୍ରଶ୍ନର ଚୋରାବାଲି ଉପରେ ଦଣ୍ଡାୟମାନ । କେତେବେଳ ଯାଏଁ ଆମେ ସେ ପ୍ରଶ୍ନର ବାଲୁକାସ୍ତୁପ ଉପରେ ଛିଡାହୋଇ ରହିପାରିବା, ତାହା ସେ ପ୍ରଶ୍ନର ଟାଣପଣ ଉପରେ ନିର୍ଭର କରେ ।


   କୁଶଳ - ମଙ୍ଗଳ ପଚାରି ବୁଝିବି , ନା ସେ ଆଗ ମୋତେ ପଚାରିବ ? ଉଭୟଙ୍କ ଉତ୍ତର ସମାନ ରହିବ , ନା ଅଲଗା ? " ହଁ ସବୁ ଠିକ୍ ଠାକ୍ ଚାଲିଚି " କହି ପରସ୍ପରର ଅକୁହା ଆବେଗକୁ ବାଆଁରେଇ ଯିବା , ନା ପରସ୍ପରର ଯନ୍ତ୍ରଣାର ପସରା ମେଲି କାହାର ବେଶି କାହାର କମ୍ ତଉଲି ବସିବା !


    ସ୍ୱଗତୋକ୍ତି କରିବାକୁ ଯାଇ ପୁରୁଣା ବାନ୍ଧବୀ ହିସାବରେ କରମର୍ଦ୍ଦନ କରିବି ନା ହୃଦୟ ଦେଇ ଭଲପାଉଥିବା ସେହି ହୃଦୟକୁ ନିର୍ଦ୍ଦେଶ ଦେବି ତା ହୃଦୟରେ ସୃଷ୍ଟି ହେଉଥିବା କମ୍ପନକୁ ସିସ୍ମୋମିଟରରେ ମାପି ଆସିବାକୁ !


    ଉଭୟେ ଉଭୟଙ୍କୁ ଅପଲକ ନେତ୍ରରେ ଚାହିଁ ରହିଥିଲୁ ; ଯେପରି ଅନନ୍ତ ଆକାଶ ଚାହିଁ ରହିଥାଏ ବିଶାଳ ପୃଥିବୀକୁ, ବିଶାଳ ସାଗର ଚାହିଁ ରହିଥାଏ ସୀମାହୀନ ନୀଳ ଆକାଶକୁ । ଉଭୟଙ୍କ ଚକ୍ଷୁ ଯୁଗଳରେ ଭରି ରହିଥିଲା ଭାବପ୍ରବଣତା ମାନଙ୍କର ଗହଗହ ପଣ ।


   ହସ-କାନ୍ଦ , ସୁଖ-ଦୁଃଖ, ମାନ-ଅଭିମାନ,ଦୋଷାରୋପ-କ୍ଷମା ପ୍ରାର୍ଥନା , ସବୁକିଛି ଆମେ ଆନାୟାସରେ ପଢି ଯାଉଥିଲୂ ଉଭୟଙ୍କ ମୁଖମଣ୍ଡଳରେ ସେହି କ୍ଷଣିକ ମିଳନରେ । କିଏ ଆଗ କଥା ହେବା , କଣ କଥା ହେବା , ଅଧାବାଟରେ କ୍ରମଶଃ ହୋଇ ରହିଯାଇଥିବା କ୍ଷଣରୁ କଥା ଆରମ୍ଭ କରିବା ନା ଏବର ଜୀବନରାସ୍ତାରେ ଝୁଣ୍ଟି ଝୁଣ୍ଟି ଆଗକୁ ବଢୁଥିବା ଯାତ୍ରାର ଅନୁଶୀଳନ କରିବାକୁ ମୁହୂର୍ତ୍ତଟିଏ ଭିକ୍ଷାମାଗିବା , କିଛି ଠିକ୍ କରିପାରୁନଥିଲେ ।


  ତାର ନିରୀହ - ଯନ୍ତ୍ରଣା ଜର୍ଜରିତ ମୁଖମଣ୍ଡଳ ରୂପକ ପୁସ୍ତକର ଛିନ୍ନପୃଷ୍ଠାକୁ ଗୋଟିଏ ପରେ ଗୋଟିଏ ଓଲଟାଇ ମୁଁ କେବଳ ପଢିଚାଲିଥିଲି । କେଉଁ ପୃଷ୍ଠାରେ ସେ କ୍ଷମା ମାଗୁଛି ଏକ ଦୋଷୀ ନିକଟରେ ଅଜାଣତରେ କାଳେ ଭୁଲ୍ କରଦେଇଥିବ ଭାବି । ପୁଣି କେଉଁ ପୃଷ୍ଠାରେ ସେ କ୍ଷମା ଦେଉଛି ଏକ ଅପାରଗ ପ୍ରେମିକକୁ , ଯିଏକି ପ୍ରେମର ପ୍ରତିବଦଳରେ ପ୍ରେମକୁ ଜିତି ନପାରି ବ୍ୟର୍ଥ ପ୍ରେମର ଦିଗବଳୟରେ ଅଶାନ୍ତ ଝଡ ହୋଇ ଘୂରିବୁଲୁଛି ବର୍ଷ ବର୍ଷ ଧରି । କେଉଁ ପୃଷ୍ଠାରେ ସେ ନିଜର ନିଃସହାୟତାକୁ ପ୍ରକାଶ କରିବାକୁ ଯାଇ ଭାଗ୍ୟ ଓ ଭଗବାନରେ ଦାୟ କରିବାକୁ ଚାହୁଁଛି ତ ପୁଣି କେଉଁ ପୃଷ୍ଠାରେ ସେମାନଙ୍କ ଉପରେ ଦୋଷ ଲଦିଦେବାକୁ ଚାହୁଁଛି ଆମ ଦୁଇଜଣଙ୍କ ହୃଦୟରେ କାମନାର ବାଣ ନିକ୍ଷେପ କରି ଅଧାରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ଛାଡିଦେଇଥିବାରୁ । 


    ତା ଆଖିର ଝରକା ଦେଇ ମୁଁ ପୁଣି ଆବିଷ୍କାର କରୁଥିଲି ଅନ୍ୟ ଏକ ପୃଥିବୀକୁ । ହଁ ହଁ, ସେ ପୃଥିବୀକୁ ମୁଁ କେବଳ ଦେଖିବାକୁ ସମର୍ଥ ବୋଲି ଛାତିରେ ହାତ ବାଡେଇ କହିପାରେ । କାରଣ ସେ ପୃଥିବୀର ପୃଷ୍ଠଭୂମି ଉପରେ କେବଳ ମୁଁ ହିଁ ବହୁଦିନ ଧରି ଅନାୟାସରେ ବିଚରଣ କରିଛି । ସେ ପୃଥିବୀର କୋଣ ଅନୁକୋଣ,ଜଳ ସ୍ଥଳ,ଗଛ ଲତା, ନଦୀ ଝରଣା, ଖଣି ଖାଦାନ୍ ଆଦିର ଭାଗମାପ କେତେ, ମୁଁ ହିସାବ ରଖିଛି । ତା ହୃଦୟ ଚିରି ତା ଭିତରର ସୁପ୍ତ ଆଗ୍ନେୟଗିରିରୁ କେତେବେଳେ ଉତ୍ତପ୍ତ ଲାଭା ଉଦ୍ଗୀରଣ ହୁଏ, ତା ଆକାଶ କେତେବେଳେ ମେଘାଚ୍ଛନ୍ନ ହୁଏ, ତା ପରିମଣ୍ଡଳରେ କେବେ କେବେ ଗ୍ରୀଷ୍ମ, ବର୍ଷା,ଶୀତ,ବସନ୍ତର ଆଗମନୀ ହୋଇ ଋତୁ ପରିବର୍ତ୍ତନ ହୁଏ, ତା ମନ ଉପବନରେ କେବେ ମନ୍ଦ ମଳୟ ବହେ , ତା ଖୁସିର ବଗିଚାରେ କେଉଁ କେଉଁ ଫୁଲ ଫୁଟନ୍ତି,ତା ଦୁଃଖର ନିର୍ଝରିଣୀରେ କେଉଁ ସମୟରେ ବନ୍ୟା ଆସେ ଏବଂ ତା ଦୂରନ୍ତ ଦିଗବଳୟରେ କେଉଁ ସମୟରେ ସୂର୍ଯ୍ୟାସ୍ତ - କେଉଁ ସମୟରେ ସୂର୍ଯ୍ୟୋଦୟ ହୁଏ , ସେକଥା ମୋ'ଠୁ ଅଧିକ କେହି ଜାଣନ୍ତି ନାହିଁ ।


   ଏଇ ସେହି ନିରୀହ ଝିଅ ସ୍ନିଗ୍ଧା ! ବୟସର ଫୁଲ ବଗିଚାରେ ପଦଚାରଣ କରୁକରୁ ବାଛିବାଛି ମୋ ପାଇଁ ଯିଏ କେବଳ ଗୋଲାପ ତୋଳି ଦେଇଥିଲା ! ଗୋଲାପ ବଦଳରେ ଗୋଲାପ ନୁହେଁ କଣ୍ଟା ମାଗିଥିଲା ; ଯିଏକି ସୁଖରେ ନୁହେଁ ଦୁଃଖରେ କେବଳ ଭାଗୀଦାର ହେବାକୁ ଅଝଟ କରିଥିଲା ; ପ୍ରେମ ବଦଳରେ ଶାଶ୍ଵତ ପ୍ରେମ ଏବଂ ଘୃଣା ବଦଳରେ ମଧ୍ୟ ନିଚ୍ଛକ ପ୍ରେମର ପ୍ରତିଦାନ ଦେଇ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ମଧ୍ୟ ସଫଳତାର ପାହାଚରେ ପାଦ ଦେଇପାରି ନଥିଲା ।

 

   ଆଉ ମୁଁ ! ହାଃ ! ମୋର ବା ପରିଚୟ କଣ ! ମୋତେ ସେ ଦେଖି ଜାଣିପାରୁଛି କି ନାହିଁ କେଜାଣି ମୁଁ ସେହି ଥୁଣ୍ଟା ବରଗଛଟି ବୋଲି ! ଯାହାର ପତ୍ର କଅଁଳିବାର କେହି କେବେ ଦେଖିନାହିଁ । କେବଳ ଖରା,ବର୍ଷା,ଶୀତ,କାକର, ଝଡ ତୋଫାନର ତାଡନାକୁ ସହିସହି ଆକାଶକୁ ଚାହିଁ ରହିଥାଏ ; କାଳେ କେଉଁ ମୁହୂର୍ତ୍ତରେ ପତ୍ର କଅଁଳିବ ଭାବି ।

  ତାର ଓଠ ଦୁଇଟି ଧୀରେ ଧୀରେ ଥରି ଉଠୁଥିଲା ; ମୋ ଆଖି ଭିତରେ ମୋର ନିଃସହାୟତାକୁ ପଢୁ ପଢୁ । 


   କିଏ କାହାକୁ ଦୋଷାରୋପ କରିବ ଆମେ କାହିଁକି ହାରିଗଲୁ ବୋଲି ! କିଏ କାହା ବିରୁଦ୍ଧରେ ଅଭିଯୋଗ କରିବ ଆମେ ଆଜି ପରସ୍ପରକୁ ନିଜର ବୋଲି କହି ପାରୁନଥିବାରୁ ! କିଏ କାହା ଉପରେ ଅଭିମାନ କରିବ ଆମେ ଦୁହେଁ ଗୋଟିଏ ସୂର୍ଯ୍ୟ, ଗୋଟିଏ ଚନ୍ଦ୍ରକୁ ଅଲଗା ଅଲଗା ଗବାକ୍ଷ ଫାଙ୍କରୁ ଉଦୟ - ଅସ୍ତ ହେବାର କାହିଁକି ଦେଖୁଛୁ ବୋଲି ! 

 

   ସ୍ନିଗ୍ଧା ବୋଲି ଥରେଖାଲି ଡାକିଦବାକୁ ବହୁତ ଇଚ୍ଛା ହେଉଛି । କିନ୍ତୁ ଇଚ୍ଛାର ମାଲିକ ବିବେକ ମୋ ଓଠଦୁଇଟିକୁ ଦୃଢଭାବେ ଚାପିଧରୁଛି । ନା , ତୁ ଡାକିପାରିବୁନି । ସେ ଆଉ ତୋର ସେ ପୂର୍ବର ସ୍ନିଗ୍ଧା ହୋଇ ନାହିଁ । ସ୍ନିଗ୍ଧା ରୂପକ କାଦୁଅ ପିଣ୍ଡୁଳାରେ ମୂର୍ତ୍ତିଗଢି କାରିଗର ସେଥିରେ ରଙ୍ଗ ଦେଇ ସଜେଇ ଦେଲାପରେ ସେ ଆଉ କାହା ମନ୍ଦିରରେ ଲକ୍ଷ୍ମୀ ପ୍ରତିମା ସାଜି ପୂଜା ପାଉଛି । ତୋର ମନ୍ଦିର ସେହିପରି ଶୂନ୍ୟ ପଡିଥିବ ଯୁଗଯୁଗ ଧରି । କାରଣ - ତୁ ନିଜ ହାତରେ ମନ୍ଦିର ତୋଳିପାରୁ । ଧର୍ମପଦ ସାଜି ସେ ମନ୍ଦିରର ଚୂଳି ମଧ୍ୟ ମାରିପାରୁ । କିନ୍ତୁ ପୂଜକ ହୋଇ ପ୍ରତିମା ପୂଜା କରିବାର ଯୋଗ୍ୟତା ତୋର କାହିଁ ! ତୁ ତୋର ଜାତି,କୂଳ,ଗୋତ୍ର କିପରି ପାସୋରିଦେଉଛୁ ! 


   ମୋ ମୁହଁର ବିଷାଦ ପଢୁପଢୁ ସ୍ନିଗ୍ଧାର ମୁହଁ କାନ୍ଦ କାନ୍ଦ ହୋଇ ଆସୁଥିଲା । କାହିଁକି ! ସାମାଜିକ କୁସଂସ୍କାର, ପିତାମାତା, ଆତ୍ମୀୟସ୍ଵଜନଙ୍କ ବାରଣକୁ ସମ୍ମାନ ଜଣାଇ ମୋଠୁ ଦୂରେଇ ଯାଇଥିବାର ପଶ୍ଚାତ୍ତାପଜନିତ ଦୁଃଖରେ ! ନା ନିଜର ସବୁକିଛିକୁ ଜଳାଞ୍ଜଳି ଦେଇ ମରୀଚିକା ପଛରେ ଗୋଡାଇ ଗୋଡାଇ ନିଜକୁ କ୍ଷତାକ୍ତ କରିଦେଇଥିବା ଏକ ପାଗଳ ପ୍ରେମିକର ଅସହାୟତା ପ୍ରତି ଅନୁକମ୍ପାରେ !


    ଉଭୟେ ଉଭୟଙ୍କ ଆଖିକୁ କେବଳ ଏକଲୟରେ ଚାହିଁ ରହିଥିଲୁ । ସତେ ଯେପରି ଆମେ ଏମିତି ଚାହିଁ ରହିଥିବା ମାସ ମାସ, ବର୍ଷ ବର୍ଷ, ଯୁଗ ଯୁଗ ଧରି । ଚାହାଣିରେ ବାର୍ତ୍ତାଳପ, ଚାହାଣିରେ ପ୍ରଶ୍ନୋତ୍ତର, ଚାହାଣିରେ ହସ-କାନ୍ଦ, ଚାହାଣିରେ ଜନ୍ମ ଆଉ ଚାହାଣିରେ ମୃତ୍ୟୁକୁ ଆମେ ସ୍ୱାଗତ କରୁଥିଲୁ । ପୁଣି ଚାହାଣିରେ ଆମେ ଭାଗ୍ୟ ତଥା ଭଗବାନଙ୍କ ଶେଷ ବିଚାର ତଥା ଶେଷ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ବାଧ୍ୟ ହେଉଥିଲୁ ।


   ଶେଷରେ ଭାବାବେଗର କୁଠାରଘାତକୁ ସହ୍ୟ କରିନପାରି ତା' ଆଖିର ଦୁଇଧାର ଅମାନିଆ ଲୁହ ମୋର ମସୃଣ ଗଣ୍ଡଦେଇ ଅନାୟାସରେ ବହିଯାଉଥିବାର ମୁଁ ଉପଲବ୍ଧି କରୁଥିଲି । 

   ଏହାହିଁ ତ ଆମ ଦୁହିଁଙ୍କର ଜୀବନର ଚିର ସତ୍ୟ ! ! !


Rate this content
Log in

Similar oriya story from Abstract