ମଣିଷ ରୂପୀ ଭଗବାନ
ମଣିଷ ରୂପୀ ଭଗବାନ
ଚେତା ଫେରି ଆସିବା ପରେ ରତ୍ନାକର ବାବୁ
ଶୋଇ ଶୋଇ ଅନୁଭବ କଲେ ସେ ବିଛଣାରେ
ଶୋଇଛନ୍ତି। ବାହାରରୁ କିଛି ଶବ୍ଦର ଗୁଞ୍ଜରଣ
ତାଙ୍କ କାନକୁ ସଜାଗ କରିଦେଲା। ସେ ଜାଣିବା
ଚାହିଁଲେ ଘଟଣା ବିଷୟରେ....
ଆଖି ଖୋଲି ଚାହିଁଲେ, ଏ କଣ ସେ ତ ମେଡିକାଲ୍
ର ଏକ ବେଡ୍ ରେ...ଜଣେ ରୋଗୀ। ପାଖରେ
ବସିଛି ଗୋଟେ ଟୁଲ୍ ଉପରେ ତାଙ୍କ ପୁଅ ସୁଯଶ।
ଦୃଷ୍ଟି ପଡିଲା ତା ଆଡକୁ...ମଳିନ ତା ମୁଖମଣ୍ଡଳ
ଅନ୍ୟ ଦିଗରେ ତାଙ୍କର ପ୍ରାଣପ୍ରିୟା ଧର୍ମପତ୍ନୀ ମଧୁମିତା।
ଘଟଣା ସବୁ ତାଙ୍କର ସ୍ମରଣକୁ ଆସିଲା...
ତଥାପି ଆଖିରେ ଇସାରା ଦେଲେ ରତ୍ନାକର ବାବୁ
ମଧୁମିତାକୁ, ପାଖକୁ ଭିଡି ଆସି ସେ କହିଲେ..
ଭଗବାନ ଭାରି ଦୟାଳୁ, ବଡ଼ଲୋକ...ମହା ବିପଦରୁ
ଉଦ୍ଧାର କଲେ। ତୁମର ଏବେ ଏବେ ସେନ୍ସ୍ ଫେରିଛି।
ଜମାରୁ କଥା କୁହନି। ସୁଯଶ ଓ ମୁଁ ପାଖରେ ଅଛୁଁ।
ବ୍ୟସ୍ତ ହେବାର କିଛି ନାହିଁ। ବିପଦ ଟଳି ଯାଇଛି।
ଈଶ୍ଵରଙ୍କୁ କୋଟି କୋଟି ପ୍ରଣାମ।
ରତ୍ନାକର ବାବୁ ଆଉ କିଛି ପଚାରିବାକୁ ମୁହଁ
ଖୋଲିଲେ ନାହିଁ। ଆଖି ପତା ବନ୍ଦ କରି ମନେ କଲେ
ସେ ଘଟଣା...।
ଜୁଲାଇ ମାସ ଶେଷ ସପ୍ତାହ, ସେ ଦିନ ତାରିଖ
ଥିଲା ୨୭। ସ୍କୁଲ୍ ଛୁଟି ହେବା ପରେ ଘରକୁ ଫେରୁଥିଲେ ବାଇକ୍ ରେ। ସେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବେ।
ନିକଟ ଅତୀତରେ ପଦୋନ୍ନତି ପାଇ ଦୂର ସ୍କୁଲ୍ ରେ ଯୋଗଦାନ କରିଥାନ୍ତି ଏକ ମାସ ପୂର୍ବରୁ। ଘରୁ ୪୦ କିଲୋମିଟର ଦୂର। ଅବସର ନେବାକୁ ଆଉ ଏଗାର ମାସ। ତେଣୁ ଯାଇ ଆସି ସବୁ ଦାୟିତ୍ଵ ତୁଲାଇବେ ବୋଲି ଭରସା ରଖିଥିଲେ।
ଶନିବାର ସକାଳୁଆ ସ୍କୁଲ। ଛୁଟି ହେଲା ପରେ....
ଘରକୁ ଫେରୁଥିଲେ ସାଢେ ବାରରୁ ଗୋଟାଏ ଭିତରେ।
ପୁଅ ଭୁବନେଶ୍ଵରରେ ବିଟେକ୍ କରୁଛି। ଝିଅ ସବା ସାନ।
ଗତ ମାସ ତା' ବାହାଘର କରି ଦେଇଛନ୍ତି।
ଏମିତି ତାଙ୍କର ପାରିବାରିକ ସ୍ଥିତି। ଚଳଣି ମଧ୍ୟମ ଧରଣର। ଶିକ୍ଷକ ଭାବରେ ରତ୍ନାକର ବାବୁ ଜଣେ ଆଦର୍ଶ ଶିକ୍ଷକ। ତାଙ୍କର ଅନେକ ଛାତ୍ରଛାତ୍ରୀ ଏବେ ସରକାରଙ୍କର ବିଭିନ୍ନ ବିଭାଗରେ ଛୋଟରୁ ବଡ ପଦ ପଦବୀରେ ଅଛନ୍ତି। ତାଙ୍କ ଅଞ୍ଚଳର ସେ ବେଶ ଜଣାଶୁଣା। ଲୋକ ହିସାବରେ
ଭଦ୍ର ନମ୍ର ଶାନ୍ତ ମଧୁରଭାଷୀ। ତାଙ୍କୁ ଯିଏ ଯେଉଁଠି ଦେଖନ୍ତି ଚିହ୍ନାଜଣା ଲୋକ ସବୁ ମୁଣ୍ଡ ନୁଆଁଇ ନମସ୍କାରଟିଏ କରି ଯିବାକୁ କେହି ଭୁଲନ୍ତି ନାହିଁ।
ଘରୁ ସ୍କୁଲ୍ ସେମିତି ଦୂର ବାଟ ନହେଲେ ବି। ତାଙ୍କ ପାଇଁ କଷ୍ଟକର ଥିଲା। ବୟସ ୬୦ ଛୁଇଁବ।ଏସିଡିଟି, ରକ୍ତଚାପ ମଧୁମେହ ଜନିତ ରୋଗରେ ସେ ପଡିତ। ତେଣୁ ବହୁ ହୁସିଆରରେ ଚଳନ୍ତି। ଡାକ୍ତରଙ୍କ ପରମର୍ଶ ମାନି ନିୟମିତ ଔଷଧ ଖାନ୍ତି। ମାସକୁ ଥରେ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ କରି ନିଅନ୍ତି। ତଥାପି ଜୀବନ ଉପରେ ସେମିତି ଦୃଢତା ମନକୁ ଆସେନି।ପ୍ରଭୁଙ୍କୁ ଡାକି ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ
ତୁଲାଉଥାନ୍ତି।
ସେଦିନ ସ୍କୁଲ୍ ରୁ ଫେରୁ ଫେରୁ ବହୁତ ଖରାପ
ଅନୁଭବ କଲେ। ଏକ ଛକ ଦୋକାନରେ ରେଷ୍ଟ୍
ନେବାକୁ ମନ କରି ବାଇକ୍ ସ୍ଲୋ କରି ଓହ୍ଲାଉଥିଲେ..
ତା ପରେ ଆଉ କିଛି ମନେ ପଡିଲା ନାହିଁ ତାଙ୍କର,
ଏବେ ନିଜକୁ ଅନୁଭବ କରୁଛନ୍ତି ଏଇ ଡାକ୍ତରଖାନାରେ। କେମିତି କଣ ହେଲା ତାଙ୍କର...ପଚାରି ବୁଝିବାକୁ ପୁଣି
ଆଖି ଖୋଲିଲେ ସେ।
ଡାକିଲେ ପୁଅକୁ... ସୁଯଶ, କ୍ଷୀଣ ମୃଦୁ ସ୍ଵରରେ।
ସୁଯଶ ପାଖକୁ ଆସି, ଆଜ୍ଞା ବାପା କୁହ...ଆରେ କଣ
ହେଲା, ମୁଁ ଏଠିକୁ କେମିତି ଆସିଲି।
....ତୁମେ ସ୍କୁଲ୍ ରୁ ଫେରୁଥିଲ, ସେ ଦୋକାନରେ ଓହ୍ଲାଉ ଓହ୍ଲାଉ ଗଡି ପଡୁଥିଲ ତୁମକୁ ସେଠି ଯିଏ ଥିଲେ ଧରି ପକାଇଲେ ଦୌଡି ଯାଇ,ତୁମର ଚେତା ଚାଲିଗଲା। ତୁମକୁ ଆଣି ଏ ହସ୍ପିଟାଲ୍ ରେ ଏଡମିଟ୍ କରି ତୁମର ଚିକିତ୍ସା ବି କରାଇଛନ୍ତି। ଆମ ଘରକୁ ଯାଇ ଖବର ଦେଇଛନ୍ତି, ସେ
ଗାଁର ଲୋକ।
କଣ କହୁଛୁ ତୁ, ମୁଁ କେଡେ ଭାଗ୍ୟବାନ। ଏମିତି ଏକ ଦୟନୀୟ ପରିସ୍ଥିତିରେ ଭଗବାନ ମଣିଷ ରୂପରେ ଆସି ମୋତେ ବଞ୍ଚାଇ ଦେଲେ। କିଏ ସେ, ଜଣେ ନା ଆଉ କେହି ଅଛନ୍ତି।
ବାପା, ବେଶି ଇମୋସନାଲ୍ ହୁଅନି। ଡାକ୍ତର ମନା
କରିଛନ୍ତି। ମୁଁ ସବୁ କହିବି। ତୁମେ ସଂପୂର୍ଣ୍ତ ସୁସ୍ଥ ହୁଅ।
ଏତିକି ବେଳେ ଡାକ୍ତର ସାର୍ ...ସିଷ୍ଟରଙ୍କ ସହିତ
ତାଙ୍କ ପାଖକୁ ଆସି ଚେକ୍ ଅପ୍ କଲେ, ସବୁ ରିପୋର୍ଟ୍
ଦେଖି କହିଲେ....ସବୁ ଠିକ୍ ଅଛି, ନର୍ମାଲ୍...ମୁଁ ଏବେ ତାଙ୍କୁ ଡିସ୍ ଚାର୍ଜ କରି ଦେବି। ଆପଣ ଘରକୁ ନେଇ ଯାନ୍ତୁ।
ଔଷଧ ଲେଖି ଦେବି। ନିୟମିତ ଖାଇବେ।
ସୁଯଶ ଶାନ୍ତି ଓ ତୃପ୍ତିରେ ମାଆ ଆଡକୁ ଚାହିଁ ଆତ୍ମସନ୍ତୋଷ ପ୍ରକାଶ କଲା। ଦେଖିଲା ମା'ର ଆଖିରେ ହସ ...
ଲୁହ ଆଉ ନାହିଁ....ମୁହଁ ଆଶାର ଝଲକ।
ସୁଯଶ ତୁ ଯା ଗୋଟେ ଗାଡି ଦେଖିବୁ....ହଁ ବୋଉ ଯିବି, ଡାକ୍ତର ରିପୋର୍ଟ ଲେଖି ଦିଅନ୍ତୁ।
ସନ୍ତୋଷ ଓ ନରେଶ ହାତରେ ଫୁଲ ତୋଡା ଧରି
ଭିତରକୁ ଆସି ରତ୍ନାକର ବାବୁଙ୍କୁ ଧରାଇ ଦେଲେ ଓ
ପ୍ରଣାମ କଲେ....।
ଆପଣମାନେ....ସନ୍ତୋଷ କହିଲା ସାର୍, ଆପଣ
ମୋତେ ଚିହ୍ନ ପାରିଲେ ନାହିଁ। ମୁଁ ସନ୍ତୋଷ... ଆପଣଙ୍କ
ଛାତ୍ର। ଏ ନରେଶ ମୋ ସାଙ୍ଗ..., ଆପଣଙ୍କୁ ଏଠାକୁ
ଆଣି ମୋତେ ଫୋନ୍ ରେ ଜଣାଇଥିଲା। ମୁଁ ଏବେ ଏଇ ଟାଉନ୍ ରେ ଚାକିରି କରୁଛି।
ଠିକ୍ ରେ ମନେ ହେଉନି। ବହୁଦିନରୁ ଦେଖିନି ତ।
ସାର୍ ଆପଣଙ୍କୁ କଣ ଭୁଲି ହେବ। ଆପଣଙ୍କ ପାଇଁ ଆଜି
ମୁଁ ଇଞ୍ଜିନିୟର ହୋଇ ପାରିଛି।
ସୁଯଶ କହିଲା...ବାପା, ଏଇ ନରେଶ ଭାଇ ତୁମକୁ
ସେଠାରୁ ନେଇ ଆସି ଏଠି ଏଡମିଟ୍ କରିଛନ୍ତି।
ମୃଦୁ ହସି...ବାଃ ନରେଶ ମୁଁ କଣ କହିବି କି ଆଶୀର୍ବାଦ ତୁମକୁ ଦେବି। ମଣିଷ ରୂପରେ ତୁମେ ଭଗବାନ ହୋଇ ମୋତେ ବଞ୍ଚାଇ ଦେଲ।
ସେମିତି କହି ମୋତେ ଲଜ୍ୟା ଦିଅନ୍ତୁ ନାହିଁ ସାର୍,
ଆପଣଙ୍କ ପାଇଁ ମୁଁ ମଣିଷ ହୋଇଛି। ଆପଣଙ୍କର ଶିଷ୍ୟ
ନ ହେଲେ ମଧ୍ୟ ସାଙ୍ଗ ମାନଙ୍କ ଠାରୁ ଆପଣଙ୍କର ବହୁତ
ପ୍ରଶଂସା ଶୁଣିଛି । ଆପଣଙ୍କର ଆଦର୍ଶ ଯା' ଶୁଣିଛି, ପାଳିଛି
ଯେତିକି ପାରିଛି। ପାଠ ମୋର ଜମାରୁ ହେଉ ନ ଥିଲା, ପରୋକ୍ଷରେ ଆପଣଙ୍କ ପ୍ରେରଣା ପାଇଛି ସଭା ସମିତିରୁ...
ଆପଣଙ୍କର ନୀତି ଆଦର୍ଶର ମୂଲ୍ୟବାନ ଭାଷଣରୁ,
ବହୁ ସମୟରେ ଆପଣ ମୁଖ୍ୟ ଅତିଥି ବା ମୁଖ୍ୟ ବକ୍ତା
ହୋଇ ଆସିଛନ୍ତି ଆମ ଗାଁ'କୁ... ଆପଣଙ୍କୁ ମୁଁ ବହୁତ ଆଗରୁ
ଜାଣେ... ଏକଲବ୍ୟ ନ ହେଲେ ବି ମୁଁ... ଆପଣଙ୍କୁ ଗୁରୁ
ଦୌଣଙ୍କ ସ୍ଥାନରେ ମୋ ହୃଦୟ ଭିତରେ ରଖିଛି।
ଆପଣଙ୍କ ପାଇଁ ମୁଁ ଠିଆ ହୋଇଛି ଆଜି। ସେ ଛକରେ ଦୋକାନ କରିଛି, ଆପଣଙ୍କୁ ପଡ଼ିବାର ଦେଖି ଦୌଡ଼ି ଯାଇଥିଲି।ଆପଣଙ୍କ ପାଇଁ ଯେତେ କଲେ ବି କମ୍ ପଡିବ ସବୁ। ଆପଣ ମୋ ପାଇଁ ବାସ୍ତବରେ ମଣିଷ ରୂପରେ ଭଗବାନ।
ଆରେ କଣ ସବୁ କହି ଯାଉଛ। ମୁଁ ସେମିତି କିଛି ନୁହେଁ। ତୁମେ ତୁମର ଅଧ୍ୟବ୍ୟସାୟ ବଳରେ ଆଜି ସଫଳ ହୋଇଛ। ମୁଁ କିଏ...?
ଜାଣେ ସାର୍ ଆପଣ ନିଜ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତିନି। ତଥାପି ସାର୍ ଯାହା ବାସ୍ତବ ତାହା ହିଁ କହୁଛି।ଜୀବନରେ ମୁଁ ଆପଣଙ୍କଠାରୁ ବହୁତ କିଛି ପାଇଛି ଓ
ଅନୁଭବ କରିଛି ଆପଣ ମୋ ଆଗରେ ମଣିଷ ରୂପରେ ଭଗବାନ।
ସନ୍ତୋଷ କହିଲା ସାର୍ ମୁଁ ସନ୍ତୋଷ ଆପଣଙ୍କର ପ୍ରିୟ
ଛାତ୍ର ନରେଶ ମୋତେ ଫୋନ୍ କଲା। ମୁଁ ସଙ୍ଗେ ସଙ୍ଗେ
ଆସି ଆପଣଙ୍କର ଦେଖା ଶୁଣା କଲି ଓ ସୁଯଶକୁ
ଖବର ଦେଲି...। ଆପଣଙ୍କର ସେବା ତ ମୋର ସୌଭାଗ୍ୟ,
ଆପଣଙ୍କର ଯେତେ ସେବା କଲେ ବି... ୠଣ ଅସୁଝା ...
ରହିବ...ମାତୃ ଋଣ,ପିତୃ ଋଣ, ଗୁରୁ ଋଣ ଯୁଗେ ଯୁଗେ
ଅସୁଝା ରହେ...ଏ କଥା ତ ଆପଣ ବହୁବାର ବୁଝାଇଛନ୍ତି।
ହଁ ହଁ ମନେ ପଡିଲା... ତୁମେ ତ ଗଣିତରେ ଖୁବ୍ ଭଲ କରୁଥିଲ। ଏବେ ଦେଖୁଛି ଇଞ୍ଜିନିୟର ହୋଇ ବି ଭଲ ସାହିତ୍ୟ କହି ପାରୁଛ...ମୃଦୁ ହସରେ ନରମ କଣ୍ଠରେ
କହିଲେ ରତ୍ନାକର ବାବୁ...ଏକ ମଜାକ୍ ରେ...। ପରିସ୍ଥିତିକୁ ହାଲୁକା କରିବା ପାଇଁ....।
ସମସ୍ତେ ହସିଲେ ଚାପା କଣ୍ଠରେ ହସ୍ପିଟାଲ୍ ର ଶୃଙ୍ଖଳାକୁ ଆଖି ଆଗରେ ରଖି କାଳେ ନୀରବ ପରିବେଶରେ ବାଧା ଆସିବ ।
ଘରକୁ ଫେରିଯିବାର ପାଇଁ ସବୁ ସଜାଡା ହେଉଥିଲା। ସମସ୍ତଙ୍କ ଭିତରେ କେମିତି ଏକ ଆତ୍ମ ବିଶ୍ବାସ ସୃଷ୍ଟି ହେଉଥିଲା ସତରେ ମଣିଷ ଭିତରେ ହିଁ ଭଗବାନ
ଅଛନ୍ତି ବୋଲି ।
.
