Pritisima Swain

Inspirational

4.0  

Pritisima Swain

Inspirational

ମନେପଡ଼େ ଆଜି

ମନେପଡ଼େ ଆଜି

4 mins
237



ପିଲାଙ୍କୁ ପଢ଼ଉ ପଢଉ ହଠାତ୍ ସେଇ ଖାଲି ଜାଗା ଉପରେ ନଜର ପଡୁଥାଏ ସୋମା ମାଡ଼ାମଙ୍କର । ନିଜକୁ ଅଟକେଇ ନପାରି ପଚାରି ପକେଇଲେ, ଆରେ ପ୍ରିୟଙ୍କା କିଛିଦିନ ହେବ ସ୍କୁଲ୍ ଆସୁନି । ସମସ୍ତେ କହିଲେ ମିସ୍ ତାଙ୍କ ଘରେ ତାକୁ ଆଉ ପଢେଇବେ ନାହିଁ । ବଜ୍ର ପଡ଼ିଲା ଭଳି ଲାଗିଲା ମିସଙ୍କୁ । ସେ ହଠାତ୍ ହଜିଗଲେ କୁଆଡେ଼ । କେହି ଜଣେ ମିସ୍ ମିସ୍ ପାଞ୍ଚଥର ଡାକିଲା ପରେ ଚେତନାକୁ ଫେରିଲେ । ସବୁ ଜାଣି ଚୁପ୍ ରହିବାକୁ ମନ ଆଉ ବିବେକ ମାନିଲେନି । ସଞ୍ଜବେଳେ ଚାଲିଲେ ପ୍ରିୟଙ୍କା ଘରକୁ l କଣ କହିବେ ବୁଝି ପାରିଲେନି । ପ୍ରିୟଙ୍କା ବାପା ମାଆଙ୍କୁ ପାଖରେ ବସେଇ ଗପଟେ କହିବାକୁ ସମୟ ମାଗିଲେ । ସେମାନେ କିଛି ବୁଝିନପାରି ମିସଙ୍କୁ ଚାହିଁଥାନ୍ତି । ମିସ୍ କହି ଚାଲିଲେ .......


ସୋମା ପିଲାଦିନରୁ ପଢ଼ିବାକୁ ଖୁବ୍ ଭଲ ପାଉଥିଲା । ଘରର ଅବସ୍ଥା ପାଇଁ ନିଜର ଅନେକ ସ୍ୱପ୍ନକୁ ବରାବର ଭାଙ୍ଗିବାର ଦେଖୁ ଥିଲା । ଦୁଃଖୀ ହେଉଥିଲା । ଭାଙ୍ଗି ପଡ଼ିନଥିଲା । ଥରେ ସ୍କୁଲର ଗୋଟେ ପ୍ରତିଯୋଗିତାରେ ସୋମା ଜିତିଥିଲା । ଦୁର୍ଭାଗ୍ୟବଶତଃ ସେହି ପ୍ରତିଯୋଗିତାରେ ଜଜ୍ ଥିଲେ ସରପଞ୍ଚ । ତାଙ୍କ ଝିଅ ସୋମା ଉପର କ୍ଲାସରେ ପଢ଼େ । ବିଭିନ୍ନ କୂଟନୀତି ରଚି ତାକୁ ଜିତାଇ ଦିଆଗଲା । ସେଦିନ ପରଠୁ ସୋମା କେବେ କୌଣସି ପ୍ରତିଯୋଗିତାରେ ଭାଗ ନିଏ ନାହିଁ । ସ୍କୁଲରେ ମିଶ୍ର ସାର୍ ଜଣେ ଏସବୁ ଜାଣନ୍ତି । ସୋମାକୁ ଅନେକ ଥର ବୁଝେଇ ସାରିଛନ୍ତି । ସାର୍ ସବୁବେଳେ କୁହନ୍ତି ସୋମା ମିଥ୍ୟା ବା ଅସତ୍ୟର ଆୟୁଷ ବେଶୀ ଲମ୍ବା ନୁହେଁ । ତୁ ନିଶ୍ଚୟ ଜିତିବୁ ଥରେ ହାରିଗଲେ କଣ ହେଲା, ଜୀବନ ଯୁଦ୍ଧରେ ଜିତିବା ଦରକାର । ସୋମାକୁ ସେ ଆଦର କରନ୍ତି, ପଢ଼ିବାକୁ ବହି ଯୋଗେଇ ଦିଅନ୍ତି । ଥରେ ବ୍ଲକ୍ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅଛି ବୋଲି ଚିଠି ଆସି ଥାଏ । ସ୍କୁଲର ସବୁଠୁ ବେଶୀ ଭଲ ପଢୁଥିବା ଏବଂ ଜିତିବା ଭଳି ପିଲାକୁ ପଠେଇବା ଦରକାର । ସ୍କୁଲର ନାଁ ରଖିବା ଭଳି ପିଲା ଦରକାର । କାହାକୁ ପଠାଯିବ ଚିନ୍ତାରେ ପଡ଼ିଗଲେ ସାର୍ ମାନେ । ମିଶ୍ର ସାର୍ ସେଦିନ ସୋମା ନାଁ କହିଥିଲେ । ସୋମା ଅନେକ ରାଗିଥିଲା, କିନ୍ତୁ ଶେଷରେ ରାଜି ହୋଇ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଥିଲା। କିଛିଦିନ ପର୍ଯ୍ୟନ୍ତ ସୋମା ଫଳାଫଳ ଜାଣିବାକୁ ଚାହିଁ ରହିଲା । ତାକୁ କୌଣସି ବିଷୟରେ ଜଣା ଯାଇନଥିଲା । ଧୀରେ ଧୀରେ ଏସବୁ ସେ ଭୁଲିବାକୁ ଲାଗିଲା । ସବୁବେଳେ ସେ ଚେଷ୍ଟା କରୁଛି, ହେଲେ ଶେଷରେ ନିରାଶ ହେବାକୁ ପଡୁଛି । ଘରର ଅବସ୍ଥା ଗୁରୁତର ହେବାରୁ ସୋମାର ସ୍କୁଲ୍ ଯିବା ବନ୍ଦ୍ ହେଇଗଲା । ସାଙ୍ଗ ସାଥି ଯିଏ ପଚାରିଲେ ସୋମା ମିଛାରେ ଜ୍ଵର ହେଇଛି କହି କଥା ଭୁଲାଏ । ଏମିତି କିଛିଦିନ ବିତିଗଲା । ସେଦିନ ସ୍କୁଲ୍ ଛୁଟି ହେବା ପରେ ମିଶ୍ର ସାର୍ ସୋମା ଘର ମୁହାଁ ହେଲେ । ସୋମା ଘରେ ରହିଥାଏ । ହଠାତ୍ ସାରଙ୍କୁ ଦେଖି ସେ ଚମକି ପଡ଼ିଲା । ସାର୍ ସ୍କୁଲ୍ ନଯିବା କାରଣ ପଚାରିଲେ । "ମାଆ କହିଛି ତୁ ଘରେ ରହିଲେ ଘରର ଅନ୍ୟମାନେ କାମକୁ ଯିବେ । ଘର ଅବସ୍ଥା ସୁଧୁରିବ । ତାଛଡା ଯେତିକି ପଢ଼ିଲୁ ଢେର୍, ପଢିକି ଆଉ କଣ ହେବ, ଘର କାମ ଶିଖିଯା ତୋ ପାଇଁ ଭଲ ହେବ ।" ଏକଥା କହିବା ବେଳେ ସୋମା ମୁହଁରେ ବିଷାଦ ଉଙ୍କି ମାରୁଥାଏ । ସାରଙ୍କୁ ଚୌକିଟିଏ ବସିବାକୁ ଦେଲା । ସମସ୍ତେ ଫେରି ଆସିବେ ଘଡ଼ିଏ ଭିତରେ କହି ଭିତରକୁ ଚାଲିଗଲା । ମିଶ୍ର ସାର୍ ସୋମା ପରିବାର ଲୋକଙ୍କୁ ଅପେକ୍ଷା କରିଥାନ୍ତି । ହଠାତ୍ ଘରୁ ଫୁ ଫୁ ଶବ୍ଦ ବଡ଼ ଜୋରରେ ଶୁଭିଲା । ସାର୍ ଘର ଭିତରକୁ ଅନାଇ ଦେଖିଲେ ସୋମା ଚୁଲିରେ କିଛି ଗୋଟେ କରୁଛି । ପାଞ୍ଚ ମିନିଟ୍ ପରେ କାଚ ଗ୍ଲାସରେ ଚା' ଧରି ଆସିଲା ସୋମା । ସାର୍ କହୁଥାନ୍ତି ଏସବୁ କଣ ଦରକାର ଥିଲା? ସାର୍ ଚା ପିଉପିଉ କହିଲେ ଜାଣିଛୁ ସୋମା ତୁ ବ୍ଲକ୍ ସ୍ତରରୁ ଜିଲ୍ଲା ସ୍ତରକୁ ସିଲେକ୍ଟ ହେଇଛୁ । ତୁ ସ୍କୁଲ୍ ନଗଲେ କେମିତି ହେବ । ସୋମା ମୁହଁରୁ ଧାରେ ଶୁଷ୍କ ହସ ଦପ୍ କି ଜଳି ଲିଭିଗଲା । ଘର ଲୋକ ଫେରି ଆସିଲେ । ସୋମାକୁ ମିଶ୍ର ସାର୍ କିଛି ଆଣିବା ବାହାନାରେ ଦୋକାନକୁ ପଠେଇଲେ, ଘର ଲୋକଙ୍କୁ କଣ ବୁଝେଇ କହିଲେ ସେ ଜାଣିନି । ତାପରେ ସୋମା ସବୁବେଳେ ସ୍କୁଲ୍ ଗଲା ପଢିଲା । ଘରଲୋକ ଖୁସି ହେଲେ । କିନ୍ତୁ କେହି କେବେ ତାକୁ କହିଲେ ନାହିଁ ତା ପାଠ ପଢାର ସମସ୍ତ ଖର୍ଚ୍ଚ ମିଶ୍ର ସାର୍ ବହନ କରୁଥିଲେ । ଚାକିରୀର ପ୍ରଥମ ଦରମାରେ ସେ ବାପା ମାଆ ଭାଇ ଭାଉଜ ପୁତୁରା ଝିଆରୀ ସମସ୍ତଙ୍କ ପାଇଁ ନୂଆ ଲୁଗା ଆଣିଥାଏ । ହଠାତ୍ ବାପା ଭୋ ଭୋ କରି କାନ୍ଦି ଉଠିଲେ । ସେଦିନ ସୋମା ଜାଣିଲା ପ୍ରକୃତ ସତ । ଘରାଲୋକ ତା ପାଠ ପଢ଼ା ପାଇଁ ଯାହା କରିଛନ୍ତି ସେସବୁ ପ୍ରକୃତରେ ମିଶ୍ର ସାର୍ କରୁଥିଲେ । ଗୁଡ଼ାଏ ଦିନ ହେବ ମିଶ୍ର ସାରଙ୍କ ସହ ସୋମା ଦେଖା ହେଇନି । କଥା ବି ହେଇନି । ବାପାଙ୍କ ଠାରୁ ସବୁ ଶୁଣି ଦୌଡିଲା ସାରଙ୍କ ସ୍କୁଲକୁ । ସେଦିନ ମିଶ୍ର ସାର୍ ଅବସର ଗ୍ରହଣ କରୁଥାନ୍ତି ଚାକିରୀ ଜୀବନରୁ । ସଭା ଚାଲିଥାଏ । ସଭାରେ ହଠାତ୍ କିଛି ପରିବର୍ତ୍ତନ କରାଗଲା । ସୋମା ସାରଙ୍କ ଆଗରେ ଉଭା ହୋଇ ନିଜ ମନର ସବୁ କଥା କହିଗଲା । ସାରଙ୍କ ଆଖିରୁ ଲୁହ ଗଡ଼ି ଚାଲିଥାଏ । କହିଲେ ଆଜି ମୋ ଜୀବନ ସାର୍ଥକ ହେଇଗଲା । ସୋମା ତୁ ଆଜି ବହୁତ୍ ଖୁସି, ଆଉ ମୁଁ ବି । ତଥାପି ଜୀବନ ଯୁଦ୍ଧ ଆସିନି ମା' । 

ଏତିକି କହିବା ଭିତରେ ସୋମା ମିସ୍ ଲୁହରେ ଜୁଡୁବୁଡୁ ହୋଇ ସାରିଥିଲେ । ପ୍ରିୟଙ୍କା ବାପା ମାଆ ଗପରୁ କିଛି ବୁଝିବା ଆଗରୁ ସୋମା ମାଡ଼ାମ ବସିବା ଜାଗାରୁ ଉଠିପଡ଼ି କହିଲେ ସେଦିନର ସୋମା ଆଜି ମୁଁ ( ଶିକ୍ଷକ)ରେ ପରିଣତ ହୋଇ ପାରିଛି । #ଧନ୍ୟବାଦ ଶିକ୍ଷକ । ଆଜି ଆପଣଙ୍କ ପାଇଁ ମୁଁ ଏଇ ଜୀବନ ଯୁଦ୍ଧକୁ ସାମ୍ନା କରି ପାରିଛି । ଜିତିବି ସେତେବେଳେ ଯେତେବେଳେ ପ୍ରିୟଙ୍କା ପୁଣି ସ୍କୁଲ୍ ଯିବ । ପ୍ରିୟଙ୍କା ବାପା ମାଆ ଏବେ ସବୁ ବୁଝିପାରୁଥିଲେ । ସେମାନେ ବି ରାଜି ହେଲେ ଝିଅ ପଢ଼ିବା ଉଚିତ୍ । ସୋମା ମିସ୍ ହାତ ଯୋଡ଼ି କହୁଥିଲେ ଜୀବନ ଯୁଦ୍ଧ ମୁଁ ଜିତିଗଲି ସାର୍ । ଏସବୁ ଆପଣଙ୍କ ପାଇଁ । #ଧନ୍ୟବାଦ ଶିକ୍ଷକ ।



Rate this content
Log in

Similar oriya story from Inspirational