Pritisima Swain

Tragedy


4.1  

Pritisima Swain

Tragedy


ଚିଠି

ଚିଠି

2 mins 375 2 mins 375

ସ୍ନେହର ମିକୁ(ମିକି)

  ବହୁତ୍ ସାରା ଭଲପାଇବା । ତୋ ପିଲାପିଲିଙ୍କୁ ସ୍ନେହ ।   ଭାଇଙ୍କୁ ଯଥାମାନ୍ୟ । ଗୁଡ଼ାଏ ଦିନ ହେଲା ଅଧରାତିରୁ ନିଦ ଭାଙ୍ଗିଯାଉଛି । ସେ ଦିନ ଗୁଡ଼ା ଆଖି ଆଗରେ ନାଚିଯାଉଛି । ତୋର ମନେଅଛି ସେ ଦିନ ଗୁଡ଼ା କେମିତି କାଟୁଥିଲେ ଆମେ ? କଲେଜ୍ ଯିବା ରାସ୍ତାରେ କେତେ ମନଇଚ୍ଛା ଭିଜୁଥିଲେ । ନିଧି ମଉସାଙ୍କ ଆମ୍ବ ବାଡ଼ିରେ ପଶି ଆମ୍ବ ଖାଉଥିଲେ । ତୁ କ୍ଲାସ୍ ମିସ୍ କରିଲେ ସାର୍ ମୋତେ ପଚାରୁଥିଲେ ତୋ କଥା, ମୁଁ କ୍ଲାସରେ ନଥିଲେ ମୋ କଥା ତତେ ପଚାରୁଥିଲେ । ପାଠ ପଢ଼ାରେ ଆମେ ଭାରି ସିରିଅସ ଥିଲେ । ଆମ ଫ୍ରେଣ୍ଡସିପ୍ ଦେଖି ପୁରା କ୍ଲାସ୍ ଜଳୁଥିଲା l କଲେଜର ସେଇ ଶେଷ ଦିନ ହଷ୍ଟେଲ ଛାଡ଼ିବା ଆଗରୁ ଆମେ ପ୍ରମିଜ୍ କରିଥିଲେ ମାସରେ ଥରେ ପରସ୍ପରକୁ ଭେଟିବା, ନହେଲେ ଅନ୍ତତଃ ଚିଠି ଗୋଟେ ଦେବା । କିଛିଦିନ ଚିଠି ବରାବର୍ ଦିଆନିଆ ଚାଲିଥିଲା । ତାପରେ ତୋ ବାହାଘର ହେଇଗଲା । ସମୟ ହଉନି କହି ତୁ ଥରଟେ ଆମ ଘର ନମ୍ବରରେ କଲ୍ କରି ତୋ ଫୋନ୍ ନମ୍ୱର୍ ଦେଇଥିଲୁ । ମୁଁ ବି ଚାକିରୀ ଜୀବନ ଆଉ ନିଜ କର୍ତ୍ତବ୍ୟରେ ବ୍ୟସ୍ତ ହୋଇଗଲି । ସମ୍ପର୍କର ସୂତାଖିଅ ହୁଗୁଳି ଚାଲିଲା । ସେ ସମୟ ଅଲଗା ଥିଲା ତୁ ମୋ ଘରୁ ହଷ୍ଟେଲ ଫେରିବା ବିଳମ୍ବ ହେଲେ ହଷ୍ଟେଲ ନମ୍ବରରୁ ବାରମ୍ବାର ମିସ୍ କଲ୍ ଦେଉ । ମୁଁ ବୁଝିଯାଏ ଏ କାମ ତୋର । ଘରେ ସମସ୍ତେ ବିରକ୍ତ ହୁଅନ୍ତି । ମୁଁ ମନେମନେ ବହୁତ୍ ହସେ । ଏବେ ଆଉ ସେ ଚିଠିର ଦିନ ନାହିଁ । ପାଖରେ ମୋବାଇଲ୍ ଫୋନ୍ ଯେତେବେଳେ ଚାହିଁଲେ କଲ୍ କରିହେବ । ଏଇ କରିହେବକୁ ଅପେକ୍ଷା କରି ଅନେକ ସମୟ ଚାଲିଯାଏ । କରିହୁଏ ନାହିଁ । ତୁ ଦେଇଥିବା ନମ୍ବରରେ ଅନେକ ଚେଷ୍ଟା କରିଛି ରିଂ ହେଇହେଇ ଫୋନ୍ କଟେ । ସବୁଥର ଏଇ ଆଶାରେ ଥାଏ କାଳେ ତୁ ଫୋନ୍ ରିସିଭ୍ କରିବୁ । ସେ ଚିଠିର ଦିନ ସତରେ କେତେ ଭଲ ଥିଲା, ଏତେ ଅପେକ୍ଷାପଣ ଧୈର୍ଯ୍ୟ କୋଉଠୁ ଆସେ କେଜାଣି । ଦୂରରେ ଥିବା ସ୍ୱାମୀର ଚିଠିକୁ ସ୍ତ୍ରୀ ଅପେକ୍ଷା କରିଥାଏ । ସେ ଚିଠିର ଖୁସି ଶହଶହ ଫୋନ୍ କଲ୍ ଉପରେ । କେତେ ଯତ୍ନରେ ସେ ଚିଠିକୁ ତକିଆ ତଳେ ସାଇତି ଦିଏ । ଅନୁପସ୍ଥିତି ଜାଳିଲେ ଚିଠିଟି ପୁଣି ଖୋଲିବସେ । ତତଲା ନିଃଶ୍ୱାସ ପୁଳାଏ ଲୁହ ହେଇ ତାକୁ ଭିଯାଉଥାଏ । 

  ତୋର ମନେଅଛି ସେ କଲେଜର ମଉସା, ଯିଏ ବିସ୍କୁଟ କେକ୍ ବିକୁଥିଲେ ସେ ଚାଲିଗଲେଣି । ହଷ୍ଟେଲ ମାଉସୀଙ୍କ ପୁଅ ବଡ଼ ହେଇ ଚାକିରୀ କରିଲାଣି । ଆମ ଫ୍ରଣ୍ଟ ରୁମ୍ କସ୍ତୁରୀ ତା' ବଏ ଫ୍ରେଣ୍ଡ୍ ସହ ପଳେଇ ଯାଇଛି । ରୂପା ଏବେ ସିରିଏଲ୍ କରୁଛି । ଧେତ୍ ତୁ କୋଉ ଜାଣିନଥିବୁ ଯେ ମୁଁ ଏତେ ସବୁ କହିଯାଉଛି । କଲେଜ୍ ବେଳର ସେ ଗପିବା ରୋଗ ଯାଇନି ଚିଠିକୁ ତୁ ଭାବି ଗପିଯାଉଛି l 

  ସ୍ୱାମୀ ସଂସାର ନେଇ ତୁ ବହୁତ୍ ଖୁସିରେ ଅଛୁ ବୋଧହୁଏ, ଅବା ବ୍ୟସ୍ତ ଅଛୁ । ଅନେକ ଥର ଭାବିଛି ତୋ ସହ ଦେଖା କରିବାକୁ । ଶୁଣିଥିଲି ତୁ କଟକରେ ରହୁଛୁ । ଏବେ ତୋର ସେ ଠିକଣା ଅଛି କି ବଦଳି ଯାଇଛି ଜାଣିନି । ଚିଠିର ଦିନ କୁଆଡେ଼ ସମ୍ପର୍କର ମୂଲ୍ୟକୁ ସମ୍ଭାଳି ପାରୁଥିଲା, ମୋବାଇଲର ସୁବିଧାପଣ ସମ୍ପର୍କର ମୂଲ୍ୟକୁ ଅଙ୍କ କଷିଲା ପରି ମିଶେଇ ଫେଡି ଗୁଣି ହରି ଭାଗଶେଷ ଶୂନ୍ୟ କରିଦେଉଛି । ଆମ ସଂପର୍କ ଉପରେ ମୋର ବିଶ୍ୱାସ ଅତୁଟ । ଖାଲି ଯା' ଏ ମନ ବୋଲ ମାନୁନି । ଚିଠି ପାଇ ନିଶ୍ଚେ ଚିଠି ଦବୁ । 

   /ଇତି /

   ତୋର ମକର



Rate this content
Log in

More oriya story from Pritisima Swain

Similar oriya story from Tragedy