Jayashree Maharana

Tragedy Others

3  

Jayashree Maharana

Tragedy Others

ମିଛ ସମ୍ପର୍କ

ମିଛ ସମ୍ପର୍କ

3 mins
263


 ଛଳନାର କାଲୁଆ ବାଆ ପ୍ରୀତିର ସମଗ୍ର ଶରୀରକୁ ଥରାଇ ଦେଇଛି । ପଥର ପରି ସହିବାର ଶକ୍ତି ଏକଜୁଟ କରି ଜଡ ପାଳଟିଯାଇଛି ଯେମିତି ସେ । ମନରେ ଅନେକ ଦ୍ୱନ୍ଦ,ଅନେକ କୋହ । କହି ହେଉନଥିବା ଅଦେଖା ବ୍ୟଥା ସବୁ ସହିବା ଯେ କେତେ କଷ୍ଟକର ଅନୁଭବୀ ହିଁ ଜାଣିପାରେ । ସେସବୁକୁ ଛାତିତଳେ କବର ଦେଇ ଦୁନିଆ ଦାଣ୍ଡରେ ମିଛ ହସ ହସିବାର ପ୍ରୟାସ କରୁଛି ପ୍ରୀତି । ବିନା ନିମନ୍ତ୍ରଣରେ ଭୟଙ୍କର ରୂପ ଧରି ହଟାତ୍ ଚାଲିଆସି ପ୍ରକୃତିକୁ ଶ୍ରୀହୀନ କରିଦେଇଥିବା ମହାବାତ୍ୟା ପରି ପ୍ରୀତି ଜୀବନକୁ ଅକ୍ତିଆର କରିନେଇଥିଲେ ପରେଶ । ମାତ୍ର ଆଜି ସବୁକିଛି ଶୂନ୍ୟ । ଏଇ ଶୂନ୍ୟତାରେ କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା । ବିଦଗ୍ଧ ହୃଦୟର ବେଦନା ମୃତ୍ୟୁଠାରୁ ଆହୁରି ଭୟଙ୍କର ଯେମିତି ।


   ପ୍ରୀତି ।


ଆହା କେଡେ ମଧୁର ନାମଟି । ନାଁ ଯେମିତି ରୂପ,ଗୁଣ

ବି ସେପରି । ଗୋଟିଏ ଚାଉଳରେ ଗଢା । ଶତ୍ରୁ ବି ଛଅ ଘଡି ଚାହିଁରହେ । ଖୁବ ସରଳ,ନମ୍ର,ଭଦ୍ର । ପାଠରେ ଶାଠରେ ସବୁଥିରେ ଆଗୁଆ । ବାପାମାଆ ଭାଇଭଉଣୀଙ୍କଠାରୁ ଆରମ୍ଭ କରି ଗୁରୁଜୀଗୁରୁମା,ସାହିପଡ଼ିଶା,ବନ୍ଧୁବାନ୍ଧବ ସମସ୍ତଙ୍କର

ସେ ଅତି ପ୍ରିୟ । ସତରେ ପ୍ରୀତି ନାମର ସାର୍ଥକତା ବାରି ହୋଇଯାଉଛି ଯେମିତି ।


    ଯୌବନଟା ଧସେଇ ପଶି ଆସିବା ପରେ ବିରାଟ ବିରାଟ ପରିବର୍ତ୍ତନକୁ ଆଦରି ନେଇଛି ପ୍ରୀତି । ଫ୍ରକ୍ ଛାଡି ଚୁଡ଼ିଦାର ପିନ୍ଧିଛି । ଆଇନା ଆଗରେ ସଜେଇ ହୋଇ ଯେତେବେଳେ କଲେଜ ବାହାରିଯାଏ ଅନେକ ଯୁବକଙ୍କ ହୃଦୟର ସ୍ପନ୍ଦନ ବଢିଯାଏ । କିନ୍ତୁ ଭାରି ସନ୍ତର୍ପଣରେ ନିଜ ଖିଆଲି ମନକୁ ସମ୍ଭାଳି ରଖିଥିଲା ପ୍ରୀତି । ମନଟା କାହାକୁ ଦେଇନଥିଲା । ଯୌବନର ଜୁଇରେ ଅନେକ ଯୁବକ ଯୁବତୀ ଅସ୍ତବ୍ୟସ୍ତ ହୋଇ ନିଜ ଜୀବନକୁ ଧ୍ବଂସ କରିଦେଉଥିବାବେଳେ ପ୍ରୀତି କିନ୍ତୁ ଥିଲା ସ୍ଥିରମନା । ଏଥିପାଇଁ ତ ସେ ଥିଲା ସମସ୍ତଙ୍କର ଆଦରଣିୟା ।


    ସମ୍ପର୍କ । କେତେ ସୁନ୍ଦର ଶବ୍ଦଟିଏ ସତେ !କେତେ ସ୍ବର୍ଗୀୟ । ମଣିଷକୁ ମଣିଷତ୍ଵର ପରିଚୟ ଦେବାପାଇଁ ଏହି ସମ୍ପର୍କଟା ତ ହିଁ ଲୋଡ଼ା । ବିନା ସମ୍ପର୍କରେ କିଏ ବା ଜିତିଛି ଜୀବନରେ । କିନ୍ତୁ ମିଛ ସମ୍ପର୍କ । କି ପରିଭାଷା ଦେବା ତାହାର ?ଯୋଡିବା ଅତି ସହଜ । କିନ୍ତୁ ତାହାର ଜ୍ବାଳା ସହିବା କେତେ କଷ୍ଟ । ଏମିତି ମିଛ ସମ୍ପର୍କରେ କାହିଁକି ଛନ୍ଦି ହୋଇପଡିଲା ପ୍ରୀତି କେଜାଣି ?


   ଅଦିନିଆ ମେଘ ଆସି ପୃଥିବୀକୁ ଭିଜାଇଦେବା ପରେ ପୃଥିବୀର ହୃଦୟରେ ଯେଉଁ ଖୁସି ଜାଗ୍ରତ ହୁଏ ତାହା ବିଛୁରିତ ବାସ୍ନାରୁ ବାରିହୋଇଯାଏ । ସେପରି ପରେଶ ଅନେକ ଯୋଜନା,ଅନେକ ଛଳନା ହୃଦୟରେ ଭରି ଚାଲିଆସିଥିଲା ପ୍ରୀତିର ଜୀବନକୁ । ନିଜ ଅଜାଣତରେ କେତେବେଳେ କେଜାଣି ପ୍ରୀତି ଡେଇଁଗଲା ସବୁ ସୀମାରେଖା । ନିଜ ହୃଦୟକୁ ବନ୍ଧା ପକାଇଦେଲା ପରେଶର ମିଛ ସମ୍ପର୍କ ଜାଲରେ । ମନରେ ଅସୁମାରି ଆଶାକୁ ସଜାଡି ରାତାରାତି ସ୍ୱପ୍ନରେ ବିଭୋର ହୋଇଉଠୁଥିଲା । ଯୌବନର ଉଦ୍ଦାମତା ରାକ୍ଷସରୂପ ଧରି ତା'ର ଶରୀରକୁ କବଳିତ କରିନେଇଥିଲା । ବିରହରେ ସେ ହୋଇଥିଲା ଦଗ୍ଧ । ପ୍ରେମରେ ଇଏ କି ଭାବ କେଜାଣି । ସବୁକିଛି ଅଭାବ ଲାଗେ । ସବୁଠି ଖାଲି ପରେଶ । ନିଜକୁ ବିକିଦେଇଥିଲା ପରେଶର ହାତରେ । ଅନେକଥର ପ୍ରେମ ପ୍ରଣୟର ମଧୁର ମହକକୁ ଆଘ୍ରାଣ କରିଛନ୍ତି ଦୁହେଁ । ମତୁଆଲା ହୋଇଛନ୍ତି ପ୍ରେମର ନିଶାରେ । ଭାରି ମିଠା ଲାଗୁଥିଲା ଲୁଚାଛପା ସେ ପ୍ରେମର ପରଶ ।


  ସେଦିନ କୁ ପ୍ରୀତି କେମିତି ଭୁଲିବ?କଲେଜର ସେଇ ଛୋଟ ବଗିଚାର କୁନି କୁନି ଫୁଲଗଛ ଗୁଡିକ ଆଜି ବି ମୂକସାକ୍ଷୀ ରୂପେ ଦଣ୍ଡାୟମାନ ।

 ......ପରେଶ । ତୁମେ ମୋତେ ବିବାହ କରି ଖୁସି ହେବ ତ?

.....ବିବାହ !ଚମକି ଉଠିଥିଲା ପରେଶ । ମୁଁ ଆସୁଛି ପ୍ରୀତି ଗୋଟିଏ ଜରୁରୀ କାମ ଅଛି । ମୁଁ ତୁମ ସହ ପରେ କଥା ହେବି ।


ଏଇ ଥିଲା ପ୍ରୀତି ଆଉ ପରେଶର ଶେଷଆଳାପ ।

ସରଲବିଶ୍ୱାସୀ ପ୍ରୀତି ଅନେକ ଖୋଜିଛି ପରେଶକୁ । ମାତ୍ର ପରେଶ ତା'ଅଇଁ ଅବୁଝା ଅଙ୍କଟିଏ ପାଲଟିଯାଇଛି ।ନା ରହିଛି ତା'କଥାରେ ଆଉ ସେ ମାଦକତା ନା ରହିଛି ସେ ଚାହାଣୀରେ ବିଭୋରତା । ଗୋଟିଏ ଶ୍ରେଣୀରେ ଥାଇ ମଧ୍ୟ ଦୁହେଁ ଦୁହିଙ୍କଠାରୁ ବହୁତ ଦୂରରେ ହୃଦୟରେ ,ପ୍ରାଣରେ । ପରେଶ ବନ୍ଧୁମାନଙ୍କ ସହ ସମୟ ବିତାଉଥିବାବେଳେ ମିଛ ସମ୍ପର୍କର ଜାଲଟି ଛିଣ୍ଡାଇ ମୁକ୍ତ ହୋଇ ପାରୁନଥିଲା ପ୍ରୀତି । ତେବେ ପ୍ରୀତି କଣ ଭୁଲ କରିଛି ?

  

   ବିବାହ । ସମ୍ପର୍କକୁ ଦୃଢ଼ କରିବା ପାଇଁ ବିବାହ ତ ଏକ ମାଧ୍ୟମ । ସାମାଜିକ ସ୍ୱୀକୃତି ପ୍ରାପ୍ତ ସୁନ୍ଦର ସମ୍ପର୍କର ଅନ୍ୟ ନାମ ବିବାହ । ତେବେ କଣ ପାଇଁ ବିବାହ କଥା ଶୁଣି ପରେଶର ବିରାଟ ପରିବର୍ତ୍ତନ । ନିଜ ଯୌବନାସିକ୍ତ ନିଜ ଶରୀରର ଭୋକ ,ମନର ବାସନାକୁ ପ୍ରଶମିତ କରିବା ପାଇଁ ପ୍ରୀତି ପଛରେ ପାଗଳ ପରି ସମ୍ପର୍କ ଯୋଡିଥିଲେ?ସବୁକିଛି ଧୀରେ ଧୀରେ ବୁଝୁଥିଲା ପ୍ରୀତି । ମିଛ ସମ୍ପର୍କର ସେଇ ଜ୍ବାଳାରେ ଜଳିଜଳି ପାଉଁଶ ହେବା ଯେ କେତେ ଯନ୍ତ୍ରଣାଦାୟକ ତାହା ପ୍ରୀତିଠାରୁ କିଏ ଅଧିକ ଜାଣିବ ?ଯାତନାର ଜଉଘରେ ଦଗ୍ଧ ମନ,ପ୍ରାଣର ଅବଶେଷ

କେବଳ ସ୍ମୃତି ହୋଇରହିଛି ଯେମିତି ।


  ସମ୍ପର୍କର ପରିଭାଷାକୁ ବଦଳେଇଦେଉଥିବା ପରେଶ ପରି ଯୁବଗୋଷ୍ଠୀକୁ ସମ୍ପର୍କର ମହତ୍ତ୍ୱ କିଏ ବୁଝାଇବ ?ପ୍ରୀତିପରି ଝିଅ ଯଦି ଏମିତି ମିଛ ସମ୍ପର୍କ ଜାଲରେ ଫାଶଯୁକ୍ତ ହେବ ତେବେ କାହାକୁ ବା ଦାୟୀ କରାଯିବ ?ସମୟକୁ ନା ବୟସକୁ ନା ସମାଜକୁ ?

ସତରେ ବଡ଼ ବିଚିତ୍ର ଏ ସମ୍ପର୍କ । ଏଇ ସମ୍ପର୍କ ଦୁଇ ହୃଦୟକୁ ଏକାକାର କରିଦିଏ ପୁଣି କେତେବେଳେ ଛଳନାର ମୁଖାପିନ୍ଧି ଜୀବନକୁ ନର୍କ କରିଦିଏ । ମିଛରେ ମିଛରେ ଅସ୍ତିତ୍ୱ ହରାଏ ସମ୍ପର୍କ । ବିଚାରା ସମ୍ପର୍କ । କାହାପାଇଁ କେବଳ ଜ୍ବଳନ ମାତ୍ର ।

  


        


Rate this content
Log in

Similar oriya story from Tragedy