ମାଉସୀ
ମାଉସୀ
ସେଫାଳି bsc ସେକେଣ୍ଡ ୟିଏର ରେ ପଢୁଥାଏ ହଷ୍ଟେଲ ରେ ରହି ।ତାର ମାଉସୀ ବି ସେ ସହର ରେ ରହୁଥାନ୍ତି । ମାଉସୀ ,ମଉସା ଙ୍କ ର କିଏ ପୁଅ ଝିଅ ନ ଥିବାରୁ ସେଫାଳି କୁ ସେମାନେ ଝିଅ ଠାରୁ ବି ଅଧିକ ଭଲ ପାଉଥାନ୍ତି ।ପଢ଼ା ପଢିରେ ସୁବିଧା ହେବ ବୋଲି ସେ ଯାହା ହଷ୍ଟେଲ ରେ ରହୁଥାଏ। ମଝିରେ ମଝିରେ ପୂଜା ପାର୍ବଣ ଦିନ ମାନଙ୍କରେ ମଉସା ଆସି ତାକୁ ନେଇ ଯାଆନ୍ତି ଏବଂ ସେମାନେ ଖୁବ ମଜା ମସ୍ତି କରନ୍ତି।
ମାଉସୀ ଙ୍କ ପାଖକୁ ଗଲେ ସେ ଗାଁ ରେ ଛାଡି ଆସିଥିବା ବୋଉ ର ସ୍ନେହ ମଧ୍ୟ ପାଇଯାଏ ମାଉସୀ ଙ୍କ ଠାରୁ।ତେଣୁ ପୂଜା ପାର୍ବଣ ବ୍ୟତୀତ ଯେତେବେଳେ ବି ଇଛା ହୁଏ ଛୁଟି ଦିନ ମାନଙ୍କରେ ମାଉସୀ ଙ୍କ ପାଖରେ ପହଞ୍ଚି ଯାଏ ସେଫାଳି।
ତାରି ସୁବିଧା ପାଇଁ ମଉସା ତା ପାଇଁ ଗୋଟିଏ ଡୁପ୍ଲିକେଟ ଚାବି ମଧ୍ୟ ବନେଇ ଦେଇଥାନ୍ତି ।ସେମାନଙ୍କ ଅନୁପସ୍ଥିତ ରେ ସେ ଆରାମ ରେ ଆସି ରହିପାରିବ ବୋଲି।
ଏକଜାମ ଥିବାରୁ ପଢାପଢିର ବ୍ୟସ୍ତତାରେ ବହୁତ ଦିନ ଧରି ମାଉସୀ ଙ୍କୁ ଭେଟି ବାକୁ ଯାଇ ପରିନଥାଏ ସେଫାଳି।(ସେତେବେଳେ ଆଜିକାଲିର ପରି ମୋବାଇଲ ଫୋନର ବ୍ୟବସ୍ଥା ନ ଥାଏ ।ଘର ଲୋକ କିମ୍ବା ମଉସା ମାଉସୀ ତାକୁ ହଷ୍ଟେଲ ହି ଦେଖା କରି ଯାଉଥାନ୍ତି )ମାଉସୀ ଙ୍କ କଥା ବହୁତ ମନେ ପଡିବାରୁ ସେଫାଳି ନିଷ୍ପତ୍ତି ନେଲା ଏକଜାମ ସରୁ ସରୁ କାହାକୁ କିଛି ନ କହି ମାଉସୀ ଙ୍କ ଘର କୁ ଯାଇ ମାଉସୀ ଙ୍କୁ ସର ପ୍ରାଇଜ ଦେବ ବୋଲି।ନିର୍ଦ୍ଧିଷ୍ଟ ଦିନ ଏକଜ଼ାମ ସରିବା ପରେ ବସ ରେ ଯାଇ ପହଁଚିଲା ମାଉସୀ ଙ୍କ ଘରେ। ଘରେ ପହଞ୍ଚିଲା ବେଳକୁ ମୁହଁ ମୁହଁ ଅନ୍ଧାର।ସୂର୍ଯ୍ୟ ଦେବତା ତାଙ୍କ ମା ଙ୍କ କୋଳ କୁ ଚାଲି ଗଲେଣି।କବାଟ ନକ କରିବା ପରେ ମଧ୍ୟ କାହାର କିଛି ଉତ୍ତର ଆସିଲା ନାହିଁ । ବାହାରେ ଅସମ୍ଭବ ନୀରବତା କେହି ଶୁଣୁ ନାହାନ୍ତି କାହିଁକି? ଦାଣ୍ଡ ରେ ଆଲୁଅ ମଧ୍ୟ ଜଳୁନହିଁ ।ଅନ୍ଧାର ରେ ଅଣ୍ଡାଳି ଦେଖିଲା ଘରେ ତାଲା ପଡିଛି ।ମାଉସୀ ମଉସା ମାର୍କେଟ ଯାଇଥିବେ ଭାବି ଡୁପ୍ଲିକେଟ ଚାବି ଦ୍ୱାରା ତାଲା ଖୋଲିଲା ସେଫାଳି।ପୂର୍ବରୁ ସେପରି ବହୁତ ଥର ହେଇଛି ମାଉସା ମାଉସୀ ଙ୍କ ଅନୁପସ୍ଥିତ ରେ ସେ ଯାଇ ତାଙ୍କୁ ସରପ୍ରାଇଜ ଦେଇଛି ,ଭାବି ବାର କିଛି ନଥିଲା ।ଲାଇଟ ଅନ କଲା ସେଫାଳି ଘର ଭିତରୁ କେମିତି ଗୋଟିଏ ଦୁର୍ଗନ୍ଧ ଭାସି ଆସିଲା ।ଘର ସାରା ଅପରିସ୍କାର ହୋଇ ପଡିଥାଏ,ଠ।ଏ ଠ।ଏ ଅଳନ୍ଧୁ।ବୋଧେ ମାଉସୀ ତାଙ୍କ ଶାଶୁ ଘରକୁ ଯାଇଛନ୍ତି ଭାବି ଘର ସଫାରେ ମନ ଦେଲା ସେଫାଳି ।ସଫା ସଫି ସାରି ଫ୍ରେଶ ହେବା ପାଇଁ ବଥ ରୁମ ଯାଇ ଦେଖିଲା ବାଲ୍ଟି ଭିତରେ ଥିବା ଅଳ୍ପ ପାଣି ଭିତରେ ଶିଉଳି ଜମି ଯାଇଛି।କିଚେନକୁ ଗଲା କିଛି ଖାଦ୍ୟ ଆଣିବା ପାଇଁ ଦେଖିଲା କିଚେନ ରେ ବଳି ଯାଇଥିବା ଖାଦ୍ୟରେ ପୋକ ।କିଚେନ ସେଲ୍ଫ ଯାକ ପୋକ ସାଲୁ ବାଲୁ କିଛି ବୁଝିପାରିଲା ନାହିଁ ଏମିତି ତ ଆଗରୁ କେବେ ହୋଇ ନ ଥିଲା।ହଟାତ ବେଡ଼ ରୁମ ରୁ କ୍ଷୀଣ ସ୍ୱର ରେ କିଛି ଆବାଜ ଶୁଭିଲା ଧୀରେ ଧୀରେ ବେଡ଼ ରୁମ କବାଟ କୁ ଖୋଲିଲା ସେଫାଳି ,ଅରେ .......ଏ କଣ ମାଉସୀ ଶୋଇଛନ୍ତି ।କ୍ଷୀଣ ସ୍ୱର ରେ ତାକୁ ହିଁ ଡାକୁଥିଲେ ବୋଧେ।ଏତେ ସମୟ ଧରି ସେ ଅଛି ଅଥଚ ସେ ଜାଣି ପାରିନାହିଁ।ମାଉସୀ କୁ ଖୁସି ରେ କୁଣ୍ଢାଇ ଧରିଲା ସେ ।ମାଉସୀ ପୁରା ଦୁର୍ବଳ ଜଣାପଡୁଥାନ୍ତି ନଖ ଗୁଡିକ ମଧ୍ୟ ବଢିଯାଇଥାଏ।ଲାଇଟ ଅନ କରିବା ସମୟ ରେ ମାଉସୀ ମନା କଲେ ଲାଇଟ ଅନ ନ କରିବା ପାଇଁ ।ଅଭିଯୋଗ ବାଢି ବସିଲା ସେଫାଳି ଏତେ ଦେହ ଖରାପ ଥିବା ସତ୍ତ୍ୱେ ତାକୁ କାହିଁକି ଖବର ଦିଆ ଯାଇନଥିଲା ।ମଉସା ଙ୍କ କଥା ପଚାରିବାରେ ମାଉସୀ କହିଲେ ସେ କୁଆଡେ ବାହାରକୁ ଯାଇଛନ୍ତି କିଛି ଅର୍ଜେଂଟ କାମ ରେ ମଉସା ଗଲା ପରେ ତାଙ୍କର ଏ ଅବସ୍ଥା ହୋଇ ଯାଇଛି ।ବିରକ୍ତ ହେଲା ମନେ ମନେ ସେଫାଳି କେହି କଣ ଏମିତି କବାଟ ରେ ତାଲା ପକେଇ ଯାଏ ସ୍ତ୍ରୀ କୁ ,ମୁ ଯଦି ଆଜି ଆସି ନ ଥାନ୍ତି କଣ ହୋଇଥାନ୍ତା ମୋ ମାଉସୀ ର ।ରାଗି କି ଗୁଣୁ ଗୁଣୁ ହୋଇ ଗାଳି କଲା ବେଳେ ମାଉସୀ କହିଲେ ତାଙ୍କର କିଛି ଭୁଲ ନାହଁ ମା ମୁଁ ହିଁ ତାଙ୍କୁ ବାଧ୍ୟ କରିଥିଲି ,ଆଶ୍ଚର୍ଯ୍ୟ ହୋଇଥିଲା ସେଫାଳି ମାଉସୀ କିପରି ଜାଣିଲେ ତା ମନ କଥା ।ସେ ତ ପାଟି ଖୋଲି କିଛି କହିନାହିଁ ।ସେ ଯାହା ହେଉ ମାଉସୀ ଙ୍କ ସେବା ରେ ଲାଗିଗଲା ସେଫାଳି ।ଗରମ ପାଣି ରେ ତାଙ୍କୁ ପୋଛା ପୋଛି କରି ହାଲକା ଛତୁଆ ଟିକେ ଖୁଆଇ ଦେଲା ତାଙ୍କୁ।ନିଜେ ବି ଟିକେ ଖାଇଲା ।ସକାଳେ ମାଉସୀ ଙ୍କୁ ହସ୍ପିଟାଲ ରେ ଆଡ଼ମିଟ କରେଇବ ଭାବି ଚୁପଚାପ ମାଉସୀ ଙ୍କ ପାଖରେ ଶୋଇ ପଡ଼ିଲା ସେଫାଳି।
ହଟାତ କାହାର କବାଟ ରେ କରାଘାତ ରେ ନିଦ ଭାଙ୍ଗିଲା ସେଫାଳି ର ,ଘଣ୍ଟା କୁ ଚାହିଁ ଦେଖେ 9 ଟା ବାଜିଲାଣି ।ବହୁତ ସମୟ ଯାଏଁ ଶୋଇରହିଥିଲା ସେ ମାଉସୀ ପାଖରେ ପରମ ଆନନ୍ଦ ରେ ପରମ ତୃପ୍ତି ରେ ,ବୋଧେ ଏମିତି ଶାନ୍ତି ର ନିଦ ସେ ଆଗରୁ କେବେ ଶୋଇ ନ ଥିଲା।
ନିଦ ରୁ ଉଠି କବାଟ ଖୋଲିବାକୁ ଗଲା ।ଦାଣ୍ଡ ରେ ମଉସା ,ବାପା ,ବୋଉ ଓ ଭାଇ କୁ ଦେଖି ଆଶ୍ଚର୍ଯ୍ୟ ହେଲା ସେଫାଳି ।ସମସ୍ତ ଙ୍କୁ ଏକାଠି ଆସିବାର କାରଣ କଣ ?ଏହି ଭାବନା କରୁଥିବା ସମୟରେ ବୋଉ ର କାନ୍ଦ କିଛି ବୁଝି ପାରିଲା ନାହିଁ ସେଫାଳି।
ମଉସା ଙ୍କ ଆଖି ଛଳ ଛଳ ,ବୋଉ ର କାନ୍ଦୁଛି କାହିଁକି?ବୋଉ କାନ୍ଦି କାନ୍ଦି କହିଥିଲେ ତା ମାଉସୀ ଆଉ ନାହାନ୍ତି ଆଜି କୁ ପନ୍ଦର ଦିନ ହେଲା ସେ ଆର ପାରିରେ।ପରୀକ୍ଷା ଥିବାରୁ ପରୀକ୍ଷା ଖରାପ ହେବ ବୋଲି ତାକୁ ଏସବୁ ବିଷୟରେ କିଛି ବି ଖବର ଦେବା ପାଇଁ ନିଜେ ମାଉସ ମନା କରିଥିଲେ ।କିଛି ବି ବୁଝିପାରୁନଥିଲା ସେଫାଳି।ସେ ଏ କଣ ଶୁଣୁଛି ଘରେ ସମସ୍ତ ଙ୍କ ର ବୋଧେ ମୁଣ୍ଡ ଖରାପ ହୋଇ ଗଲାଣି।ମାଉସୀ ତ ଘର ଭିତରେ ଶୋଇଛି ସେ ମରିବ କାହିଁକି ?ସେ ପରା କାଲି ନିଜ ହାତରେ ମାଉସୀ କୁ ଖୁଆଇଛି ,ସଫା କରିଛି ,ବଢି ଯାଇଥିବା ନଖ କାଟି ସଫା କରିଛି ।ବୋଉ ର ହାତ ଧରି ଭିତର ଘରକୁ ଟାଣି ଟାଣି ନେଲା ସେଫାଳି ମାଉସୀ ଙ୍କୁ ଦେଖେଇବା ପାଇଁ।ମାଉସୀ ମାଉସୀ କହି ଡାକି ଡାକି ଭିତରକୁ ଯାଇ ଦେଖିଲା ମାଉସୀ ବେଡ଼ ରେ ନାହାନ୍ତି ।ବାଥରୁମ କୁ ଫ୍ରେଶ ହେବା ପାଇଁ ଯାଇଥିବେ ଭାବି ବାଥରୁମ ପାଖକୁ ଗଲା ବେଳକୁ ବାଥରୁମ ,କିଚେନ କୋଉଠେ ବି ପାଇନଥିଲା।ବୋଉ ,ବାପା,ଭାଇ,ମଉସା ଯେତେ ବୁଝେଇବା ପରେ ବି ସେ ବିଶ୍ୱାସ କରିବାକୁ ରାଜି ନ ଥିଲା ମାଉସୀ ମରିଯାଇଛନ୍ତି ବୋଲି।କାରଣ ସେ ରାତି ଠାରୁ ସକାଳ ଯାଏଁ ମାଉସୀ ଙ୍କ ପାଖରେ ଆରାମ ରେ ଶୋଇ ରହିଥିଲା ଶାନ୍ତିର ନିଦ୍ରାରେ ।
ଏମିତି କଣ ସତରେ ସମ୍ଭବ ,ମନ କୁ ମନ ପଚାରୁଥିଲା ସେଫାଳି।ବୋଧେ ତା ପ୍ରତି ଥିବା ଅତ୍ୟଧିକ ପ୍ରେମ ଯୋଗୁ ମାଉସୀ ମରି ମଧ୍ୟ କିଛି ସମୟ ପାଇଁ ଜୀଵିତ ରହିଥିଲେ ।

