STORYMIRROR

Udaya bhanu Rout

Abstract Inspirational Others

4  

Udaya bhanu Rout

Abstract Inspirational Others

ମାଟିର ମଣିଷ

ମାଟିର ମଣିଷ

2 mins
232

ଆଗକୁ ଦୀପାବଳୀ, ଉତ୍ସବ ମୁଖର ଗାଆଁଠୁ ନେଇ ସହର । ଏହା ଭିତରେ ଥରଥର ହାତରେ, କାଦୁଅ ମେଞ୍ଚାକୁ ଚକୁଡ଼ି ଚକୁଡ଼ି ଦୀପ ତିଆରି କରିବାରେ ବ୍ୟସ୍ତ । ଯେଉଁ ଦୁଇପଇସା ହେବ, ସେଇଥିରେ ଟିକେ ତୀର୍ଥ କରିବାକୁ ଯିବ ବୋଲି ଆଶା ବାନ୍ଧିଛି ହରିଆ।

ହରିଶ୍ଚନ୍ଦ୍ରପୁର ଗାଆଁର ହରିଆ ମହାରଣା ଭାରି ସରଳ, ଶାନ୍ତ ଆଉ କର୍ମଠ ଲୋକଟିଏ। ଜୀବନରେ ବଡ଼ଲୋକ ହେବାକୁ ଚାହିଁନି। କୌଳିକ ବୃତ୍ତିକୁ ଆପଣେଇ ନେଇ ଆଜି ପର୍ଯ୍ୟନ୍ତ ତାର ଏଇ ଜୀବନ ଯାତ୍ରା ଚାଲିଛି। ମାଟିର ଯାଦୁଗର ସେ । କାଳୀ, ମଙ୍ଗଳା, ଗଜଲକ୍ଷ୍ମୀ, କାର୍ତ୍ତିକ , ଦୁର୍ଗା, ଗଣେଶ, ସରସ୍ୱତୀ ଆଦି ଅନେକ ଦେବାଦେବୀଙ୍କ ମୂର୍ତ୍ତିକୁ ଏମିତି ତା ହାତର ଯାଦୁରେ ତିଆରି କରିଦେବ, ସତେ ଯେମିତି ଜୀବନ୍ତ ଦେବତା। ତା ମାଟି ଦୀପ, ସରା, କଳସୀ, ମାଟିହାଣ୍ଡି ଥରେ ଯିଏ କିଣିଛି ଭୁଲିପାରିନି ତାର ଏଇ କାମକୁ। ଯିଏ ଯେତେ ଦେଲେ ମୁଣ୍ଡରେ ମାରି ନେଇଯାଏ। ମାଟିର ଜିନିଷ ମାଟିରେ ମିଶିଯିବ ମୁଁ ତ ଖାଲି ହାତ ଟିକିଏ ମାରିଦେଉଛି, ଏତିକି କହି ଟିକେ ମୁରୁକି ହସିଦିଏ। ଟିକେ ଗର୍ବ, ଛଳ ଆଉ ଲୋଭ ନାହିଁ।

ପଚିସି ବର୍ଷର ଅଭିଜ୍ଞତା । ପରିବାର କହିଲେ ପୁଅ, ଝିଅ ଆଉ ଭାରିଜାକୁ ନେଇ ତାର ଛୋଟିଆ ସଂସାର। ଅଭାବ ଅନାଟନ ଭିତରେ ପିଲା ଦୁଇଟାକୁ ମଣିଷ କରିଛି। ଉପଯୁକ୍ତ ସଂସ୍କାର ଆଉ ଶିକ୍ଷା ଦେଇଛି। ବଡ଼ ହେଲା ପରେ ଆଜିକାଲି ଯେମିତି ପିଲାମାନେ ବାପା ମାଆଙ୍କୁ ଭୁଲିଯାନ୍ତି, ସେମିତି ହେଇନି। ଝିଅଟିକୁ ଉପଯୁକ୍ତ ପାତ୍ର ସହିତ ବାହାଘର କରେଇ ଦେଇଛି। ପୁଅଟି ତାର ଭୁବନେଶ୍ୱର ରେ ଇଞ୍ଜିନିୟର ଅଛି। ବହୁତ ଥର ବାପାଙ୍କୁ କହିଛି ବାପା, ମୁଁ ତ ରୋଜଗାର କରୁଛି, ଆମର ଆଉ କେଉଁ ଅଭାବ ଅଛି ଯେ ତୁମେ ଏ ବୟସରେ ପରିଶ୍ରମ କରୁଛ।

ହସି ହସି ପୁଅକୁ ବୁଝେଇଦିଏ-ବାବୁରେ ଏଇ ମାଟି ପରା ମୋ ମାଆ, ପଚିସି ବର୍ଷର ଭାବ ତାର ମୋର। ତାରି ଭିତରେ ମୁଁ ମୋ ଦୁନିଆ ଆଉ ସ୍ୱପ୍ନ ଦେଖିଛି।

ମୁଁ ଦୀପ ତିଆରି କଲାବେଳେ ମୁଁ ଭାବିନି ମୁଁ ଏହାକୁ ବିକ୍ରିକରିବି, ମୋତେ ଲାଗେ ମୁଁ ସେହି ଈଶ୍ବରଙ୍କ ପାଇଁ କାମ କରୁଛି। ବିଭିନ୍ନ ମୂର୍ତ୍ତି ତିଆରି କଲାବେଳେ ଏଇ ମାଟିରେ ମୁଁ ମୋ ଦେବୀ ମାତାଙ୍କୁ ଦେଖିଛି। ଏ ମାଟିରେ କାଦୁଅ ହେଇ ଘାଣ୍ଟି ଚକଟି ହେଲା ବେଳେ, ମୋତେ କଷ୍ଟ ହୁଏନି ବରଂ ଖୁସି ଲାଗେ ଯେମିତି ମୁଁ ମୋ ମାଆ ସହ ଖେଳୁଛି ଆଉ ସେ ମୋ ଦେହରେ ହାତ ମାରି ମୋତେ ଆଶୀର୍ବାଦ ଦେଉଛି। ଆଜି ମୁଁ ଯେତେ ବଡ଼ଲୋକ ହେଇ ଯେଉଁଠି ପହଁଚିଲେ ବି ମୁଁ ଏ ମାଟିକୁ ଭୁଲିବିନି। ତୋରି ରୋଜଗାର ପଇସାରେ ମୁଁ ତୀର୍ଥକରି ପୁଣ୍ୟ ଅର୍ଜନ କରିବାକୁ ଚାହୁଁନି।ଆସନ୍ତା ଦୀପାବଳିରେ ଯେଉଁ ଦୁଇ ପଇସା ହେବ ତୋରି ମାଆ ଆଉ ମୁଁ ଟିକେ ତୀର୍ଥ କରିବାକୁ ଯିବୁ।

ବାପାଙ୍କ କଥାକୁ ପୁଅ ଠିକ ବୁଝିପାରୁଥିଲା। ମାଟିକୁ ଭଲ ପାଉଥିବା ମଣିଷଟିଏ ମୋ ବାପା। ଆମେ ଯେତେ ଉପରକୁ ଗଲେ ବି ଏ ନିଜ ମାଟି, ପାଣି, ପବନକୁ ଭୁଲିଯିବା କଥା ନୁହଁ। କାରଣ ମାଟି ଆମ ମାଆ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract