Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

MANAS KAR

Horror Romance Tragedy

3.5  

MANAS KAR

Horror Romance Tragedy

ମାଟି ହାଣ୍ଡି

ମାଟି ହାଣ୍ଡି

6 mins
155



କ୍ଳାନ୍ତ ମଧ୍ୟାହ୍ନଠୁ ଆହୁରି ବେବଶ ଲାଗୁଥିଲା ସମୟ। 

ସମୟ ବି କାହିଁକି କେଜାଣି ଏତେ ସହଜ ମନେ କରୁ ନ ଥିଲା ନିଜ ସ୍ଥିତି କୁ ନେଇ ।

ଏମିତି ଗୋଟାଏ କ୍ଳାନ୍ତ ଶ୍ଲାନ୍ତ ସମୟକୁ ପଛରେ ଛାଡ଼ି ଅନେକ ଆଗରେ ଆସି ପହଂଚିଛନ୍ତି ମନୋଜ ବାବୁ। କେତେ କେତେ ଦ୍ରୁତଗାମୀ ଠେକୁଆକୁ ପଛରେ ପକେଇ ଜୀବନର ଅନ୍ୟତମ ମାଇଲ ଖୁଣ୍ଟଟିଏ ଛୁଇଁ ସାରିଥିଲେ ସେ। ଜେନେରେସନ୍ ଗ୍ୟାପ୍। ଅତି ସାମାନ୍ୟ କୁମ୍ଭାର ପରିବାରରୁ ଜନ୍ମ ନେଇ ଆଇଏଏସ କ୍ୱାଲିଫାୟ କରିବା ଏତେ ସହଜ ନୁହେଁ। ଅସହନୀୟ ପରାଜୟର ଗ୍ଲାନିକୁ ନେଇ ସମୟ ବି ହୀନମାନ୍ୟତାର ପରଦା ପଛରେ ଉଙ୍କି ମାରୁଛି।

 

ମନୋଜ ବାବୁ ଜିଲ୍ଲା କଲେକ୍ଟର। ଅତି ଲୋକପ୍ରିୟ, ଅତି ସରଳ ମଣିଷ। କଲେକ୍ଟର କ୍ୟାମ୍ପସରେ ଦୁଇ ତିନିଟା କାର ଛିଡ଼ା ହୋଇ ଥିଲେ ବି ସେ ପୁଅକୁ ସାଇକେଲରେ ବସାଇ ପ୍ରତିଦିନ ସ୍କୁଲ ନେଇଯାଆନ୍ତି। ସ୍ତ୍ରୀ ମୋନିକା ଅନେକ ଥର କହନ୍ତି, ତମେ ଜିଲାପାଳ ହୋଇ ସାଇକେଲରେ ପୁଅକୁ ସ୍କୁଲ ନେଉଛ, କଣ ଶୋଭା ପାଉଛି। ମନୋଜ ବାବୁ ବାସ ହସି ଦିଅନ୍ତି, 

ଜିଲ୍ଲାପାଳଙ୍କ ଘରକୁ ଲାଗି ଆରଡିସି, ଏସପି ଙ୍କ କ୍ୱାର୍ଟର। ମାଡ଼ମ ମାନେ ତାଛଲ୍ୟ କରନ୍ତି ମୋନିକା ଙ୍କୁ, ତମର ଏତେ ଚାକର ବାକର ଥାଉ ଥାଉ ତମ ହଜବେଣ୍ଡ ସାଇକେଲ ରେ ଛୁଆକୁ ଛାଡୁଛନ୍ତି, କହୁନା କାହିଁକି, ଭୁଲ୍ ମେସେଜ ଯାଉଛି ସୋସାଇଟିକୁ । ଜାଣିଛ, ଲୋକମାନେ ପଦାରେ କେତେ କଣ କହୁଥିବେ ! ବହୁତ ଖରାପ ଲାଗିଲା ମୋନିକାଙ୍କୁ। କଥାଟା ସୋସିଆଲ ଷ୍ଟାଟସ ସହିତ ଜଡ଼ିତ ଯେତେବେଳେ ମୋତେ କିଛି କରିବାକୁ ପଡ଼ିବ, ମୋନିକା ଭାବିଲେ।


ମନୋଜ ବାବୁ ଅଫିସରୁ ଫେରିବା ପରେ ମୋନିକା କହିଲେ, ମନୋଜ ! ମାେ କଥା ରଖିବ, ବାବୁଲାକୁ କାଲିଠୁ ପିଅନ ନେଇ ସ୍କୁଲରେ ଛାଡ଼ୁ। ମନୋଜ ହସିଦେଲେ। ମୋନିକା ଓ ମନୋଜ ଙ୍କ ଭିତରେ ବେଜବାବ୍ କେମିଷ୍ଟ୍ରି । ସାମାନ୍ୟ କଥାଟି ପାଇଁ ସମ୍ପର୍କ ଭିତରେ କିଛି ହଲଚଲ ନ ଆସୁ ସେଥିପାଇଁ ମୋନିକା ହାତେ ମାପି ଚାଖଣ୍ଡେ ଚାଲନ୍ତି। ଥରେ ଦୁଇ ଥର କହିଲେ ମନୋଜଙ୍କୁ। ଆମେ ସିଭିଲ ସୋସାଇଟି ରେ ରହୁଛୁ। ଟିକିଏ ଜଗି ଦେଲେ କଣ ଅସୁବିଧା ଯେ। ବନେଇ ଚୁନେଇ କହିବାର କୌଶଳ ଜାଣି ଥିଲେ ବି ମନୋଜଙ୍କ ମନରେ ଟିକେ ଆଞ୍ଚ ନ ଆସୁ, ସେଥିପାଇଁ ସତର୍କତା ଅବଲମ୍ବନ କରୁ ଥିଲେ ସେ। 

ରବିବାର, ଛୁଟି ଦିନ। ବାରଣ୍ଡାରେ ବସି ଚା ପିଉଥିଲେ ମନୋଜ ବାବୁ ଓ ମୋନିକା। ଏ ସୁଯୋଗ ଟିକୁ ହାତ ଛଡା କରିବାକୁ ଚାହିଁଲେ ନାହିଁ ମୋନିକା। କଣ ଚିନ୍ତା କଲ ମନୋଜ ! ସାଇକେଲ ରେ ପୁଅକୁ ସ୍କୁଲରେ ଛାଡ଼ିବା କଥାଟି।


ହଁ ମୋନିକା, ମୋ ଜୀବନରେ ଘଟିଥିବା ଆହୁରି ଅନେକ କିଛି ଘଟଣା ଅଛି ଯାହା ମୁଁ ତମକୁ କହିନି। ଏଇ ଦଶ ବର୍ଷ ଭିତରେ ସବୁ କଣ କହିବା ସମ୍ଭବ ! ଜୀବନଟା ଏତେ ଲମ୍ବା ଉପନ୍ୟାସ ଯେ ଏତେ କମ ସମୟ ଭିତରେ କଣ ପଢ଼ି ହୁଏ ? ପୃଷ୍ଠା ଓଲଟାଇ ପ୍ରତି ଧାଡ଼ି ପଢ଼ି ପଢ଼ି ବୁଝିବାକୁ ହୁଏ। ଧୀରେ ଧୀରେ ସବୁ କଥା ଜାଣି ଥାଆନ୍ତ। ଜାଣିବାକୁ ଚାହୁଁଛ ଯେତେବେଳେ ଶୁଣ !!!


ଅତି ସରଳ ମଣିଷ ଥିଲେ ମୋ ବାପା। ମାଟି ହାଣ୍ଡି ଗଢୁ ଗଢ଼ୁ ଫୁରସତ ପାଇ ଆମ କଥା ଚିନ୍ତା କରିବସିଲେ ସେ। ସାମାନ୍ୟତମ ଆଙ୍ଗୁଳି ଚାପରେ ମାଟି ହାଣ୍ଡି ଉପରେ ବନି ଯାଉଥିବା ଚିତ୍ରକଳା ଦେଖି ବାପା ସ୍ବପ୍ନ ଦେଖିବା ଆରମ୍ଭ କରିଦେଲେ ଆମ ପାଇଁ। କୁମ୍ଭାରଶାଳ ର ପରିଧିର ବାହାରେ ଗୋଟାଏ ସୁନ୍ଦର ପୃଥିବୀ ଥାଏ ବୋଲି ବୁଝିବାକୁ ସମୟ ଲାଗିଲାନି ତାଙ୍କ ପାଇଁ। ପ୍ରଥମରୁ ଚେଷ୍ଟା କଲେ ଠିକ୍ ମାଟି ହାଣ୍ଡି ପରି ପୁଅ, ଝିଅ ମାନବିକାତର ସ୍ପର୍ଶ ସାଥିରେ ସର୍ବଶ୍ରେଷ୍ଠ ହୋଇପାରିବେ ବୋଲି କିଏ ଜଣେ ଶବ୍ଦ କରୁଥିଲା ତାଙ୍କ ଅନ୍ତରାତ୍ମାରେ। ନିଖୁଣ ଚରିତ୍ର ସହିତ ମଣିଷ ପରି ମଣିଷକୁ ଆବିଷ୍କାର କରି ସାରିଥିଲେ ସେ ଆମ ଭିତରେ।

ଆମେ ଭାଇ ଭଉଣୀ ସ୍କୁଲ ବେଗ ଧରି ବାପାଙ୍କ ସାମ୍ନାରେ ଛିଡ଼ା ହୋଇଯାଉ। ବାପା ପିନ୍ଧିଥିବା ଲୁଙ୍ଗି କୁ କଛା ମାରନ୍ତି। ଓଳି ପଛରୁ ସାଇକେଲ ଟିକୁ ଘୋଷାଡି ଆଣନ୍ତି ଦାଣ୍ଡ ଦ୍ଵାରକୁ। ସାନ ଭଉଣୀକୁ ଆଗରେ ରଡ଼ ଉପରେ ବସାଇ ଦିଅନ୍ତି, ମୁଁ ବସେ ପଛରେ ଥିବା କେରିଅର ଉପରେ। ଦୁଇ ଜଣଙ୍କ ବସ୍ତାନୀ କୁ ନିଜ ପିଠି ଉପରେ ଲଦି ସାଇକେଲ ପ୍ୟାଡେଲ ରେ ପାଦ ଥୋଇବା ମାତ୍ରେ ସାଇକେଲ ଗଡ଼ି ଚାଲେ ଆଗକୁ। ରାସ୍ତାରେ ଝାଳ ମାଳ ହୋଇ ଯାଆନ୍ତି ସେ। ସ୍କୁଲ ଯିବା ବେଳେ ରାସ୍ତାରେ ଉଠାଣି ଆସେ। ମୁଁ ବୁଝି ପାରେ ତାଙ୍କୁ କଷ୍ଟ ହେଉଛି, ଧୀରେ କି ପଛରୁ ଓହ୍ଲେଇ ପଡି ସାଇକେଲ କୁ ପଛରୁ ଧକ୍କା ଦିଏ, ବାପା ଜାଣି ପାରି ପଛକୁ ଅନେଇ ହସି ଦିଅନ୍ତି, ଜାଣିଛ ମୋନିକା ! ଗୋଟାଏ ମଧୁରତାର ମହକ ଝଲକୁ ଥାଏ ସେଇ ହସ ଭିତରୁ। କେତେ ସରଳ, କେତେ ନିଷ୍କପଟ ସେ ହସ। ସମତଳ ରାସ୍ତା ଆସିଲେ ବାପା କହନ୍ତି, ମନୁ ତୁ ବସ। ଏଣିକି ଆଉ ଅସୁବିଧା ନାହିଁ। କାଳୀଜାଈରେ ସନ୍ଧ୍ୟା ଗୀତକୁ ଗୁଣୁ ଗୁଣୁ କରନ୍ତି...ସେଇଟା ବୋଧ ହୁଏ ତାଙ୍କ ଜୀବନର ପ୍ରିୟ ଗୀତ ଥିଲା। ମାଟି ହାଣ୍ଡି କାମ ଭିତରେ କିମ୍ବା ଆମକୁ ସାଇକେଲରେ ଘୋଷାଡି ଘୋଷାଡି ସ୍କୁଲ ପହଞ୍ଚିବା ସମୟରେ ସବୁ ବେଳେ ଗୁଣୁ ଗୁଣୁ କରନ୍ତି " କାତ ଧରି ଧିରେ ନାଉରୀ ନାଅା ଦେଇଛି ମେଲି ...ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି" 


ଘରଠୁ ସ୍କୁଲ ଦୁଇ କିଲୋମିଟର। ପାଞ୍ଚ ମିନିଟ ଆଗରୁ ପହଞ୍ଚେଇ ଦିଅନ୍ତି ସେ। ଦିନେ ବାପା ଘରେ ନ ଥିଲେ, ସାଇକେଲ ଚଲେଇବା ପାଇଁ ବହୁତ ଇଛା ହେଲା। ବସିଲି ସାଇକେଲ ସିଟ୍ ଉପରେ। ଫଟା ସିଟ୍ ଭିତରେ ମୋ ଜଙ୍ଘର ପୁଳାଏ ମାଂସ ଫସିଗଲା। ବିଶ୍ୱାସ କରିବନି ମୋନିକା, ମୁଁ ପାଗଳ ହୋଇ ଗଲି ଯନ୍ତ୍ରଣାରେ। କଷ୍ଟେ ମଷ୍ଟେ ବାହାରିଲି ତା ଭିତରୁ। ଭାବିଲି ମୋତେ ଯଦି ଏତେ କଷ୍ଟ ହେଲା,ତେବେ ବାପାଙ୍କୁ କେତେ କଷ୍ଟ ନ ହେଉଥିବ, ଯେତେ ବେଳେ ସେ ସାଇକେଲ ଚଲାଇ ଆମକୁ ସ୍କୁଲ ନେଇଯାଆନ୍ତି ! ବାପା ମାନେ କେଉଁ ମାଂସ ରେ ଗଢା କେଜାଣି ମୋନିକା, ଏତେ କଷ୍ଟ ସହି ପାରନ୍ତି।


ସେଇ ବର୍ଷ ସପ୍ତମ ଶ୍ରେଣୀରେ ମୁଁ ସ୍କଲାର୍ଶିପ୍ ପାଇଲି। ହେଡ ମାଷ୍ଟର ମୋତେ ୧୦୮ ଟଙ୍କା ଦେଲେ। ମୁଁ ସ୍କୁଲ୍ ପାଖରେ ଥିବା ସାଇକେଲ ଦୋକାନକୁ ଯାଇ ଗଦି ଥିବା ସାଇକେଲ ସିଟ୍ କିଣି ସାଇକେଲରେ ଲଗେଇଦେଲି। ବାପାଙ୍କର ଅଭିମାନ ଭରା ହସ ଭିତରେ ଅସହାୟତା ର ଉଷ୍ମତା କୁ ମୁଁ ମାପୁଥିଲି। ବାପା ବି ତ ରକ୍ତ ମାଂସର ମଣିଷ। ତାଙ୍କର ଅନୁଭବ କରିବାର ଶକ୍ତି ଅଛି। ମୁଁ ମନେ ମନେ ଖୁସି ହେଲି, ବାପାଙ୍କୁ ଆଉ କଷ୍ଟ ହେବନି। ମୋର ମନେ ଅଛି, ଗାଆଁ ସାରା ମୋ କଥା ଗାଇ ବୁଲିଲେ। ସତରେ, ବାପାଙ୍କ ଭରପୁର ସ୍ନେହର ଦରିଆରେ କେଇ ବୁନ୍ଦା ମମତା ଯୋଡ଼ି ଗଲେ ତାରଙ୍ଗାଇତ ହୋଇ ଉଠେ ତାଙ୍କ ଭାବ ପ୍ରବଣତା। ଠିକ ତାହା ହିଁ ହେଲା।


ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଦିନ ଚାରି କିଲୋ ମିଟର ବୋହୁଥିଲେ ମୋତେ। ଭଉଣୀକୁ ବି ଚାରି ପାଞ୍ଚ ବର୍ଷ ମୋ ସାଥିରେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଦିନେ ରାତିରେ ବାତ୍ୟା ଆସିଲା। ବାପାଙ୍କର ଚାରି ଶହ ହାଣ୍ଡି ବର୍ଷାରେ ଭିଜି ନଷ୍ଟ ହୋଇଗଲା। କ୍ଷତି ପୂରଣ ପାଇଁ ସାଇକେଲ ବିକିଦେଲେ। ଗୋଟାଏ ବର୍ଷ ଭଉଣୀ ର ହାତ ଧରି ପାଦରେ ଚାଲି ଚାଲି ମୁଁ ସ୍କୁଲ ଗଲି, ତାଙ୍କ ଅପାରଗତା ଜନିତ ଗ୍ଲାନି ମୁଁ ସ୍ପଷ୍ଟ ପଢ଼ି ପାରୁଥିଲି ତାଙ୍କ ମୁହଁ ଉପରେ, ମୁହଁ ବୁଲେଇ ସମୟକୁ ଧିକ୍କାର କରୁଥିଲେ ସେ। ଗୋଟେ ନିଃସହାୟ ମଣିଷର ଆବେଗର ସ୍ୱର ମୋ କାନ ପରଦାରେ ପ୍ରତିଧ୍ଵନିତ ହେଉଥିଲା। ଅପ୍ରାକୃତିକ ମିଶାଣ ଫେଡାଣ ଭିତରେ ମୁଁ ଧସି ଧସି ଯାଉଥିଲି, ଏମିତି ଅନେକ କଥା ଅଛି ମୋନିକା.....

ମୁଁ ଆଇ ଏ ଏସ କ୍ୱାଲିଫାଏ କରିବାର ବର୍ଷେ ଆଗରୁ ବାପା ଚାଲିଗଲେ। ନା ତାଙ୍କ ଖୁସି ମୁଁ ଦେଖି ପାରିଲି, ନା ସେ ମାେ ଖୁସି ଦେଖି ପାରିଲେ। ସେଇ ବର୍ଷ ମା ମରିଗଲେ, ଭଉଣୀ ପାଖ ଗାଁକୁ ବାହା ହୋଇ ଚାଲିଗଲା।


ତା ପରେ ତମେ ଆସିଲ।


ମୁଁ ତାଙ୍କର ସେଇ ଫଟା ସାଇକେଲ ସିଟକୁ ଯତ୍ନ ସହକାର ରେ ଆଜି ପର୍ଯ୍ୟନ୍ତ ରଖିଛି । ମୁଁ ମୋ ସାଇକେଲରେ ସେଇ ସିଟ କୁ ପକେଇଛି ମୋନିକା...

କାହିଁକି ଜାଣିଛ ! ସେଇ ସିଟରେ ବସି ମୁଁ ମାେ ପୁଅକୁ ସବୁଦିନ ସ୍କୁଲ ନେଇଯିବି ବୋଲି ସଂକଳ୍ପ କରିଥିଲି ଯେଉଁ ଦିନ ମୋ ଜଙ୍ଘର ପୋଳାଏ ମାଂସ ଲାଗି ଯାଇଥିଲା ତାଙ୍କ ଫଟା ସିଟ ରେ। ତା ହିଁ ମୋର ପ୍ରକୃତ ବଳିଦାନ ମାେ ବାପାଙ୍କ ପାଇଁ, ଆଉ ବାପାଙ୍କୁ ସ୍ମୃତିରେ ବହନ କରି ଚାଲିବା ଉଦ୍ଦେଶ୍ୟରେ ! 

ମୋ ନୂଆ ସାଇକେଲ କୁ ମେଚ କରିବା ପାଇଁ ପତଳା କଭର୍ ଟିଏ ପକେଇ ଦେଇଛି ତା ଉପରେ। ତା ଉପରେ ବସି ବାବୁଲା କୁ ସ୍କୁଲ୍ ନେବା ଭିତରେ ମୋତେ ଲାଗେ ଆଜି ବି ବାପା ମୋ ଭିତରେ ବଂଚିଛନ୍ତି। ଜଙ୍ଘ କୁ କାଟିଲେ ମୋତେ ଲାଗେ ମୁଁ ବି ମୋ ପୁଅ ପାଇଁ କଷ୍ଟ ସହିପାରେ, ମୋତେ ଲାଗେ ବାପାଙ୍କ ସାଇକେଲରେ ଆଜି ବି ବସି ମୁଁ ସ୍କୁଲ ଯାଉଛି। ସେଇ ଫଟା ସିଟ୍ ଉପରେ ବସିଥିଲେ ମୋ ଭିତରେ ମୋ ବାପାଙ୍କର ଶକ୍ତି ସଞ୍ଚାରିତ ହୁଏ, ମାେ ବାପାଙ୍କ ଇଚ୍ଛା ଶକ୍ତି ଆସି ମୋତେ ଆନ୍ଦୋଳିତ କରାଏ। ମୁଁ ବିଭୋର ହୋଇଯାଏ ତାଙ୍କର ଝାଳୁଆ ବାସ୍ନାରେ।


ଏବେ କୁହ ମୋନିକା ମୋ ବାପା ମୋତେ ଝାଳେଇ ମାଳେଇ ସ୍କୁଲ ନେଇ ଯାଉଥିଲେ, ଆଉ ମୁଁ ଯଦି ମୋ ପୁଅକୁ ସାଇକେଲରେ ବସାଇ ସ୍କୁଲ ନେଇଯାଏ ତେବେ ଭୂଲ କେଉଁଠି ? ଜଙ୍ଘକୁ କାଟିଲେ ବାପା ହିଁ ମନେ ପଡନ୍ତି, ସେ ମନେ ପଡିଲେ ପୁଣ୍ୟତା ଭରିଯାଏ ମାେ ଭିତରେ। ମୋଟର ଟାୟାର ନିର୍ମିତ ଫଟା ସାଇକେଲ ସିଟ୍ ମାଧ୍ୟମରେ ସ୍ନେହ, ମମତା, ସ୍ମୃତି ସବୁ ବଞ୍ଚି ଥାଉ ମୋନିକା ! ଟଙ୍କା ପଇସା, ସାମାଜିକ ଷ୍ଟାଟସ ଆଜି ଅଛି, କାଲି ବି ରହିବ । କିନ୍ତୁ ମନ ଭିତରୁ ବାପା ଓହରି ଗଲେ ଆଉ ଫେରି ପାଇବା ସମ୍ଭବ ହେବନି।

ମୋନିକା, ପ୍ଲିଜ୍ ତମ ସାଙ୍ଗ ମାନଙ୍କୁ ବୁଝେଇ ଦିଅ। ଯେତେ ପର୍ଯ୍ୟନ୍ତ ପାରୁଛି ମୋତେ କରିବାକୁ ଦିଅ। ମୁଁ ଆଇ ଏ ସ, So what, ମୋତେ ବାପାଙ୍କ ସ୍ମୃତି ସହିତ ଯୋଡି ରହିବାର ଅଧିକାର ରୁ ବଞ୍ଚିତ କରନି।

ମୋନିକା ର ଗାଲ ଭିଜି ଯାଇଥିଲା ଦୁଇଟୋପା ଲୁହରେ, ଶୀତ ସକାଳର ଶିଶିର ବିନ୍ଦୁ ପରି ସୂର୍ଯ୍ୟ କିରଣରେ ଝଲକୁ ଥିଲା ଲୁହ ସବୁ। ଆସ୍ତେ କରି ଆଉଜି ପଡ଼ିଲେ ମନୋଜ ବାବୁଙ୍କ ଉପରକୁ..

ଏକ ବିଶାଳତା ର କଥା ଶୁଣି ଖୁସି ହୋଇ ଯାଇଥିଲେ ମୋନିକା।


ମୋନିକା ! 

ମୋ ସାଇକେଲ ସିଟ୍ କଭର ?

-କଥାଟି କାଲି ପୁଅକୁ କହୁଥିଲି, ଶୁଣି ଗଦଗଦ ହୋଇଗଲା ସେ କହିଲା ବୋଉ , ବାପାଙ୍କୁ କଷ୍ଟ ହେଉଥିବ, ଚାଲ ଗଦି ବାଲା ସିଟଟିଏ ଲଗେଇଦେବା। 

ସେ ଠିକ୍ ତମ ପରି, କିଛି ବୁଝେନି।


ଆଉ ଶୁଣ, ଫଟା ସିଟ କୁ ସେ କୁଆଡେ କେଜାଣି ଲୁଚେଇ ରଖିଛି। କହିଲା, ବଡ଼ ହେଲେ ସେ ତା ସାଇକେଲରେ ଲଗେଇବ। 

ସରଳ ହସଟିଏ ଉଦ୍ଭାସିତ ହୋଇ ଉଠୁ ଥିଲା ମନୋଜ ବାବୁଙ୍କ ମୁଖ ମଣ୍ଡଳ ରେ....

ଭାବୁଥିଲେ ମାେ ବାପାଙ୍କ ରକ୍ତ ବି ପ୍ରବାହିତ ହେଉଛି ଆମ ବାବୁଲା ର ଶିରା ପ୍ରଶିରା ରେ, ବାବୁଲା ସଠିକ ରୂପ ନେଇଛି *ମାଟି ହାଣ୍ଡି* ପରି....

ବାବୁଲା ଭିତରେ ନିଜ ବାପାଙ୍କୁ ଖୋଜୁଥିଲେ ମନୋଜ ବାବୁ, ଶୂନ୍ୟ ଆକାଶ ଆଡେ ଥରେ ମୁହଁ ବୁଲେଇ ଆଣିଲେ ସେ, ବାପାଙ୍କ ଉଦ୍ଦେଶ୍ୟରେ................



Rate this content
Log in

More oriya story from MANAS KAR

Similar oriya story from Horror