ମାଣେ ଉଖୁଡା
ମାଣେ ଉଖୁଡା
ମାଣେ ଉଖୁଡାରେ ଲୋଭ।
ଝିଅ ଜାଣେ - ମାଣେ ଧାନ ଦେବ ତ ମାଣେ ଉଖୁଡା ପାଇବ।
ମଗୁଶିର ମାସ ହେଲେ ଝିଅର ମନଟା ଉଡେ କି ବୁଡେ।
ଆଉ ମାସ ଗୋଟାକରେ ବିଲରେ ଧାନ ପାଚିବ।ଶୁଖି ଝଡିବ ଧାନକେଣ୍ଡା।ଟୋକେଇ ଧରି ବିଲକୁ ବାହାରିଯିବ ସେ।ଧାନକେଣ୍ଡା ସାଉଁଟିବ।ଆଣି ଅମଳ କରିବ ଘରେ।ପାଛୁଡା ପାଛୁଡି କରି ନେଇ ମାଣରେ ପୂରେଇବ।ଯେତେ ମାଣ ହବ ସେତେ ମାଣ ଉଖୁଡା ତା'ର।
ଏମିତିକା ଘରେ ତା'ର ଜନ୍ମ ଯେ ଜମି ଗୁଣ୍ଠେ ବୋଲି ବାପର ନାହିଁ।ପର ଘରେ ମଜୁରି ଖଟେ ବାପା।ସୁଖଦୁଃଖେ ସଂସାର ସେଇଥିରେ ଚଳେ।
ମଗୁଶିର ଚାଲିଯାଏ।ଆସେ ପୁଷ।ବିଲରେ ଧାନ ସବୁ ପାଚି ସୁନାରଙ୍ଗର ଦିଶେ।ସେଇଠୁ ଝିଅ ତା'ର ଟୋକେଇ ସଜାଡେ।ଦିନ ଗଣେ।କେବେ କେବେ ଗାଆଁ ମୁଣ୍ଡକୁ ଚାଲି ଆସି ଧାନକିଆରୀ ଆଡକୁ ଚାହେଁ।ଅସୁମାରୀ ଆଶା ଖୁନ୍ଦି ହୋଇଯାଏ ତା' ମନରେ।ଏଥର ତା' ମାଣ ପୂରିବ - ସେ ମନେମନେ ଭାବେ।
ଧାନକଟା ଆରମ୍ଭ ହେଲା।ମୋରମ୍ ରାସ୍ତା, ଗାଁ କଂକ୍ରିଟ୍ ଦାଣ୍ଡ, କାଦୁଅ ବିଲ - ସବୁଠି ଏବେ ବିଛେଇ ହୋଇ ପଡିଲା ସୁନାରଙ୍ଗୀ ଧାନକେଣ୍ଡା।କାଖରେ ଟୋକେଇ ଧରି ବିଲ ଆଡ଼କୁ ବାହାରିଲା ସେ।ଧାନକେଣ୍ଡା ସାଉଁଟିଲା।
ଧାନମାନେ କେଣ୍ଡାଟିରେ ଗୁନ୍ଥି ହୋଇ କେମିତି ତଳକୁ ଖସନ୍ତି ?ଅପାଠୋଇ ଝିଅ ସେକଥା ବୁଝିପାରେନା।ମନେମନେ ଭାବେ।ନିଜକୁ ପ୍ରଶ୍ନ କରେ।
ଯେତିକି ଧାନକେଣ୍ଡା ସାଉଁଟେ,ସବୁତକ ଅମଳ କରି ନେଇ ମାଣରେ ଭରେ।ହେଲେ ପରଦିନକୁ ତା'ର ମାଣ ଯେତିକି ସେତିକି ଥାଏ।କେବେ ପୂରୁ ନ ଥାଏ ତା'ର ମାଣ।ରାତି ପାହିଲେ ସେ ପୁଣି ଧାନ ସାଉଁଟିବାକୁ ବାହାରିଯାଏ।
ତା' ମାଣରୁ ସବୁଦିନେ ଧାନ ନେଇଯାଏ ମାଆ।ନେଇ ଉଷାଁଏ।ଶୁଖାଏ।ଢିଙ୍କିରେ କୁଟି ଚାଉଳ କରେ।ଭାତ ରାନ୍ଧେ।ଝିଅକୁ ପରସେ।ଝିଅ ସେଇ ଭାତ ଖାଏ।ଖାଉ ଖାଉ ପଚାରେ - କେତେ ମୁଠା ଚାଉଳ ହେଲେ ବେଲେ ଭାତ ହୁଏ, ମା' ? ମାଣକର ଧାନରେ କେତେ ମୁଠା ଚାଉଳ ହୁଏ ?
ଉତ୍ତରରେ ମାଆ କିଛି ବି କହିପାରେନି।
ମାଣେ ଉଖୁଡାକୁ ଝୁରି ହେଉଥାଏ ଝିଅ।ଧାନ ମାଣେ ହୁଏନି କି ଉଖୁଡା ମାଣେ ହୁଏନି।
ଝିଅ ବଡ ହେଲା।ଏବେ ତା' ଦେହର ଲାବଣ୍ୟ ଫୁଟିଉଠିଲା।ମାଆ କହିଲା - ଝିଅ, ତୁ ଆଉ ବିଲ ଆଡେ ଯାଆନା।
ମାଆର ଆକଟ ! ଫାଙ୍କି ଦେବାକୁ ତା'ର ସାହସ ନ ଥିଲା।ସତକୁସତ ସେ ଆଉ ବିଲ ଆଡେ ଗଲାନି।ଗୋଟା ଖରାବେଳେ ବୁଲୁଥିଲା ସେ ଆମ୍ବତୋଟାରେ।ସେଆଡେ ମଧ୍ୟ ଗଲାନି।କିଏ ତା' ଦେହରେ ସବାର ହୋଇ ଯାଇଥିଲା କେଜାଣି !ସଭିଏଁ ତା' ଛାତି ଆଡେ ଡହଡହ ଆଖିରେ ଚାହିଁ ରହୁଥିଲେ।ଛାତି ଉପରେ ଓଢଣାକୁ ଢାଙ୍କି ଦେଉଥିଲା ସେ।ବାଟ ଭାଙ୍ଗି ଚାଲି ଯାଉଥିଲା।
ଘରେ ଏବେ ଖୁବ୍ ମନ ମାରି ବସୁଥିଲା ଝିଅ।ତା'ର ମନରେ ଟିକେ ବି ସରସତା ନ ଥିଲା।
ଦିନେ ଗୋଟେ ମଣିଷକୁ ସାଙ୍ଗରେ ଧରି ଆସି ଝିଅଟି ପାଖରେ ପହଞ୍ଚିଲା ତା'ର ମା'।କହିଲା - ତୋର କ'ଣ ଇଚ୍ଛା ? ଯାହା ମାଗିବୁ ତାହା ପାଇବୁ।ଧନର ଅଭାବ ନାହିଁ।ମୁଁ ୟାଙ୍କ ହାତରେ ତତେ ଟେକିଦେବାକୁ ଚାହେଁ।
ମାଣେ ଉଖୁଡାରେ ଲୋଭ।ହେଲେ ଏଇଟା କ'ଣ ଗୋଟେ ମାଗିବାର ଜିନିଷ !
ବୁଢ଼ାବରକୁ ଦେଖି ନିଃଶଦ୍ଦରେ ଧାର ଧାର ଲୁହ ଝରିଗଲା ଝିଅଟିର ଆଖିରୁ।ସେଇ ଲୁହରେ ଭାସୁଥିଲା ତା'ର ରୂପ ଓ ଲାବଣ୍ୟ।
ମାଣେ ଉଖୁଡା କ'ଣ ଗୋଟେ ମାଗିବାର ଜିନିଷ ? ଝିଅଟି ତା' ନିଜକୁ ପଚାରୁଥିଲା ବାରମ୍ବାର।ତାକୁ ସେଇ ବୁଢ଼ାବର ସାଙ୍ଗରେ ହିଁ ଯିବାକୁ ହେଲା।
ଏଠି ତା' ପରି ଝିଅମାନଙ୍କୁ ମାଣେ ଉଖୁଡା ପାଇଁ ମାଣେ ଧାନ ମିଳେ କ'ଣ ?