Chinmayee Barik

Inspirational

3  

Chinmayee Barik

Inspirational

ମାନବିକତା

ମାନବିକତା

2 mins
7.2K


  ବସ୍ ରେ ମୋ ସାମ୍ନାରେ ଦୁଇଜଣ ଲୋକ ବସି କଥା ହେଉଥିଲେ ...ଦୁନିଆରେ ମାନବିକତା ଜିନିଷ ବୋଲି ଆଉ କିଛି ନାହିଁ ।ଅନେକ ଜିନିଷର ଉଦାହରଣ ଦେଇ ତାହା ପରସ୍ପରକୁ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ ।ହଠାତ୍ ପାଖ ସିଟ୍ ରେ ଉପରୁ ଜଣଙ୍କର ଆଟେଜ ଖସି ପଡିଲା ଜଣେ ଲଣ୍ଡିତ ମସ୍ତକ ମହିଳାଙ୍କ ମୁଣ୍ଡ ଉପରେ । ଆବାଜ ବି ଜୋର୍ ରେ ହେଲା କିନ୍ତୁ ହଠାତ୍ ସମସ୍ତେ ଯେପରି କାଲ ହୋଇଗଲେ ...ଅନ୍ଧ ହୋଇଗଲେ ।ସବୁ ଚୁପ୍ ଚାପ୍ ।ମାନବିକତା ମରିଯାଉଥିଲା ବୋଧେ ଏଇ ସମୟରେ ନିଃଶବ୍ଦରେ ।

ଦେଖିଲି ମହିଳା ଜଣଙ୍କ ମୁଣ୍ଡରେ ହାତ ଦେଇବସିଛନ୍ତି ।ପାଖକୁଯାଇ ତାଙ୍କୁ ଯେମିତି ହଲେଇ ଦେଲି ସେ ଟଳି ପଡିଲେ ମୋ ଉପରେ । ମରିଯାଉଥିବା ମାନବିକତା ଯେପରି ହଠାତ୍ ଚିହିଁକି ଉଠିଲା ସମସ୍ତଙ୍କ ଭିତରେ ...ସବୁ ରୁଣ୍ଡ ହୋଇଗଲେ । ପାଣି ଛାଟିଲେ ।ମହିଳାଙ୍କର ହୋସ୍ ଫେରିଲା, ହେଲେ ଯନ୍ତ୍ରଣାରେ ସେ କାନ୍ଦୁଥିଲେ ।ପଚାରିବାରୁ ଜଣା ପଡିଲା ଯେ ମାସକ ତଳେ ସେ ବ୍ରେନ୍ ଅପରେସନ ହୋଇଛନ୍ତି ।ଯାଇଥିଲେ ଚେକ୍ ଅପ୍ କରିବାକୁ ।ଫେରିଲା ବେଳକୁ ଏଇ ଘଟଣା ।ସମସ୍ତେ ଆହା ଚୁଚୁ କଲେ ।

ଏଇ ମାନବିକତା ବିଷୟରେ ଭାବୁ ଭାବୁ ହସପିଟାଲ୍ ରେ ପହଞ୍ଚିଲି ।ମେଡିସିନ୍ ୱାର୍ଡ ।ଶୁକୁଆ ହାଟ ପରି ରୋଗୀ ହାଟ ।ମାଛି ଭଣ ଭଣ ପରି ।ସବୁ ରୋଗୀଙ୍କ ପାଖରେ କେହିତ ଜଣେ ଜଣେ ଅଛନ୍ତି ।କିଏ କାନ୍ଦି ପକାଉଛି..କିଏ କାହାର ଦେହ ହାତକୁ ଆଉଁସି ପକାଉଛି...କିଏ କାହାର ବାନ୍ତି ପୋଛୁଛି..କିଏ କାନ୍ଧରେ ପକେଇ ରୋଗୀଟିଏକୁ ଆଣୁଛି...କିଏ ହାତଯୋଡି ଇଶ୍ୱରଙ୍କୁ ଡାକୁଛି...ତ କିଏ ଚୁପଚାପ୍ ବସି ନିଜ ଆତ୍ମିୟର ଆସନ୍ନ ମୃତ୍ୟୁକୁ ଅନେଇଛି ।

ଦେଖିଲି ସମସ୍ତଙ୍କ ଆଖିରେ ଗୋଟିଏ ଜିନିଷର ହିଁ ଖୋଜ୍...ତାହା ହେଉଛି ଜୀବନ ।

ରୋଗୀର ଜୀବନ ବଞ୍ଚାଇବାକୁ ତା ଆତ୍ମିୟ ପରିଜନ ପ୍ରୟାସରତ ।ଭାବିଲି ...କେଉଁଠି ମରିଛି ସେ ମାନବିକତା ?ଯାହା ମୁଁ ଦେଖୁଛି ଏ ସବୁ ତାହେଲେ କଣ?ଜଣଙ୍କ ଲାଗି ଆଉ ଜଣଙ୍କର ଆକୁଳତା କଣ ମାନବିକତା ନୁହେଁ?

ହଁ,ସବୁ ଫସଲ ନଷ୍ଟ ହୋଇଗଲା ପରେ ବି ଗୋଟିଏ ବୀଜ କେଉଁଠି ନା କେଉଁଠି ମାଟିତଳେ ପୋତି ରହିଥାଏ ।ଉପଯୁକ୍ତ ପାଣି ପବନ ପାଇଲେ ବୃକ୍ଷ ହୁଏ ।

ମନ ଅଛି ମୋର ଜଣେ ସାର୍ କହିଥିଲେ ...ବଡ ମାଛ ଛୋଟମାଛକୁ ଖାଇଦିଏ ହେଲେ ମାଛର ବଂଶ ବୁଡି ଯାଏନି କାରଣ ଛୋଟ ମାଛ ନିଜକୁ ବଞ୍ଚାଇବାକୁ ରାସ୍ତା ଖୋଜିନିଏ ।ମାନବିକତା ସେମିତି ମଣିଷ ଭିତରେ ନିଜେ ନିଜକୁ ବଞ୍ଚାଇ ରଖିଥାଏ ।

ମଣିଷ ଯେତେ ରୁକ୍ଷ ହେଉ...ହିଂସ୍ର ହେଉ...ବିଭତ୍ସ ହେଉ..ନର ପିଶାଚ ହେଉ...ହେଲେ ମାନବିକତାର ବୀଜଟେ ସୁପ୍ତ ହୋଇ ରହିଥାଏ ।କାହାର ଠିକ୍ ସମୟରେ ଜାଗିଯାଏ ତ କାହାର ଜାଗେନି ।

ଛାତି ଅଣ୍ଡାଳିଲେ ମାନବିକତାର ସ୍ପର୍ଶଟିଏ ମିଳେ ହିଁ ମିଳେ ।

ଦୁର୍ଘଟଣାରେ ପଡିଥିବା ଲୋକଙ୍କୁ ଅଚିହ୍ନା ଲୋକଟିଏ ହେଉ କି ନିଜର ଘୋର ଶତ୍ରୁଟିଏ ହେଉ ସାହାଯ୍ୟର ହାତ ବଢାଏ ।ଏଠି ଆଉ କିଛି ନ ଥାଏ ।ଏଠି ଗୋଟେ ଜୀବନ ଆଉ ଗୋଟେ ଜୀବନକୁ ଖୋଜେ ।ରକ୍ତ ରକ୍ତକୁ ଡାକେ ।

ଏଇ ଡାକିବାର ଆକୁଳତା ଆଉ ଶୁଣିବାର ପ୍ରଚେଷ୍ଟା ହିଁ ବୋଧେ ମାନବିକତା ।


Rate this content
Log in

Similar oriya story from Inspirational