STORYMIRROR

Priyadarshini Mishra

Tragedy

3  

Priyadarshini Mishra

Tragedy

ମାନବିକ ଆବେଗର ହତ୍ୟା

ମାନବିକ ଆବେଗର ହତ୍ୟା

2 mins
466


ସୋମନାଥ ଦାଶ, ଗାଁ ପାଖ ହାଇସ୍କୁଲ ରେ ସଂସ୍କୃତ ଶିକ୍ଷକ। ଗାଁ ରେ ତାଙ୍କର ଖୁବ ନାଁ ଡାକ।ଗୁରୁଜନମାନଙ୍କ ଆଦରର ସୋମା ପଣ୍ଡିତଓ ସାନମାନଙ୍କ ଆଦରର ପଣ୍ଡିତ ମଉସା।ସରକାରୀ ଚାକିରୀ ସାଙ୍ଗକୁ ଜାତକ ଦେଖା ଦେଖି କରି ମଧ୍ୟ ଭଲ ଦି' ପଇସା ରୋଜଗାର କରିପାରୁଥିଲେ।ଅଧିକ ଆୟ ହେଉଥିବାରୁ ଗାଁରେ ମଧ୍ୟ ଧନବାନ ଲୋକ ହିସାବରେ ଖାତିର ବଢି ଯାଇଥିଲା।ଏହାଦ୍ୱାରା ସେ ଟଙ୍କାର ଗୁରୁତ୍ୱ ବେଶୀ ଜାଣି ପାରିଥିଲେ।ତାଙ୍କ ମନରେ ଧାରଣ। ହୋଇଥିଲା ଯେ ଟଙ୍କା ସର୍ବସ୍ୱ ପୃଥିବୀରେ ଟଙ୍କା ହିଁ ସବୁକିଛି। ଯାହା ପାଖରେ ଧନ ଅଛି ସେ ହିଁ ବଳଶାଳୀ। ତାଙ୍କର ଏହି ଚିନ୍ତାଧାରା ସେ ନିଜ ପୁଅ ଅମିତକୁ ମଧ୍ୟ ଦେଇଥିଲେ।


      ସୋମା ପଣ୍ଡିତଙ୍କ ପରିବାର କହିଲେ ପୁଅ ଅମିତ , ତାଙ୍କ ପତ୍ନୀ ଓ ସେ ନିଜେ।ପୁଅକୁ ପାଠ ପଢ଼ାଇ ଭଲ ରୋଜଗାରକ୍ଷମ କରାଇବା ସୋମା ପଣ୍ଡିତଙ୍କ ଲକ୍ଷ୍ୟ ଥିଲା। ପୁଅ ରୋଜଗାରକ୍ଷମ ହୋଇଗଲେ ଗାଁରେ ତାଙ୍କ ଖାତିର ଆହୁରି ବଢିଯିବ। ଯାହାର ପିଲାଏ ପାରିଯାଆନ୍ତି ସେ ମାଆ ବାପାଙ୍କ କିଛି ଚିନ୍ତା ନଥାଏ।ଅମିତ ରୋଜଗାରକ୍ଷମ ହୋଇଗଲେ ସୋମା ପଣ୍ଡିତେ ମଧ୍ୟ ନିଶରେ ଘିଅ ମାରି ବୁଲିପାରିବେ।


      ପିଲାଦିନରୁ ପୁଅ ଅମିତକୁ ପଣ୍ଡିତେ ଟଙ୍କାର ମହତ୍ତ୍ୱ ଓ ଗୁରୁତ୍ବ ବୁଝାଇଥିଲେ। ଟଙ୍କା ରୋଜଗାର କରିବାକୁ ହେଲେ ଭଲ ପଢିବା ପାଇଁ ହେବ। ତାଙ୍କ କଥା ମାନି ଅମିତ ଭଲ ପାଠ ପଢିଥିଲା। ପ୍ରତ୍ୟେକ ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଅଧିକାର କରୁଥିଲା। ଏହିପରି ସେ ଇଂଜିନିଅରିଂ ପାସ କଲା ପରେ ବାଙ୍ଗାଲୋରରେ ଭଲ ଚାକିରୀଟିଏ ପାଇଗଲା।ବଡ଼ କମ୍ପାନୀ ସାଙ୍ଗକୁ ମୋଟା ଅଙ୍କର ଦରମା। ଅମିତର ଚାକିରୀ ହେବା ଦିନ ଗାଁର ଏମିତି ଘର ନଥିଲା, ଯେଉଁ ଘରକୁ ପଣ୍ଡିତେ ମିଠା ଦେଇ ନଥିଲେ। ସମସ୍ତଙ୍କ ଘରେ ମିଠା ବାଣ୍ଟି ସମସ୍ତଙ୍କୁ ଅମିତ ର ଚାକିରୀ ଓ ଦରମା ବିଷୟରେ କହିଥିଲେ। ପଣ୍ଡିତଙ୍କ ଖୁସିରେ ସମସ୍ତେ ଖୁସି ହୋଇଥିଲେ ସତ, କିନ୍ତୁ ଗାଁର ଗୁରୁଜନ ମାନେ ପଣ୍ଡିତଙ୍କ ଉଚ୍ଚାକାଂକ୍ଷା ଦେଖି ଟିକେ ଶଙ୍କା ପ୍ରକାଶ କରିଥିଲେ।


       ଅମିତର ଚାକିରୀ ପରେ ପଣ୍ଡିତଙ୍କ ଚଳଣି , ରଙ୍ଗ ଢ଼ଙ୍ଗ ବଦଳିଗଲା। ଗାଁଲୋକଙ୍କ ଠାରୁ ଯେମିତି ସେ ଦୁରେଇଯାଇଥିଲେ।ଟଙ୍କା ଗର୍ବରେ କେତେବେଳେ କଣ କହୁଥିଲେ, କାହା ସହ କଣ ବ୍ୟବହାର କରୁଥିଲେ ସେ ନିଜେ ମଧ୍ୟ ଜାଣିପାରୁନଥିଲେ।ଗାଁରେ ପ୍ରାୟ ସମସ୍ତେ ପଣ୍ଡିତଙ୍କ ବଦଳିଯାଇଥିବା ରୂପ ବିଷୟରେ ଜାଣିପାରିଥିଲେ କିନ୍ତୁ ତାଙ୍କ ମୁହଁରେ କେହି କିଛି ନକହିଲେ ମଧ୍ୟ ସତେ ଯେମିତି ତାଙ୍କ ପାଇଁ ସମସ୍ତଙ୍କ ମନରେ ସହାନୁଭୂତି ସୃଷ୍ଟି ହୋଇଥିଲା। 


      ଅମିତର ବିବାହ କରାଇଦେବା ପାଇଁ ମାଆ ବାପା ଚାହିଁବାରୁ ସେ କିଛି ବର୍ଷ ପରେ ବିବାହ କରିବ ବୋଲି କହିଥିଲା। ତାର ଯୁକ୍ତି ଥିଲା ସେ ରୋଜଗାର କରି ନିଜ ଘର ଦ୍ୱାର ବ୍ୟାଙ୍କ ବାଲାନ୍ସ ବଢ଼ାଇବା ପରେ ହିଁ ବିବାହ କରିବ।କେବଳ ଟଙ୍କା ଛପା ମେସିନ ପରି ଅମିତ ରୋଜଗାର କରିବାରେ ଲାଗିଲା। କମ୍ପାନୀ ତରଫରୁ ସେ ଆମେରିକା ଚାଲିଗଲା। 


      ଏପଟେ ଗାଁରେ ପଣ୍ଡିତେ ତାଙ୍କ ପତ୍ନୀଙ୍କର ଭଗ୍ନ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ।ଅମିତକୁ ବାରମ୍ବାର ଜଣାଇଲେ ମଧ୍ୟ ଛୁଟି ନାହିଁ କହି ମାଆକୁ ଦେଖିବାକୁ ଆସିପାରି ନଥିଲା।ଶେଷରେ ଅମିତକୁ ଓ ତା' ବିବାହ ପରେ ତା'ପରିବାରକୁ ଦେଖିବା ଆଶା ନେଇ ପଣ୍ଡିତଙ୍କ ପତ୍ନୀ ଆଖି ବୁଜିଲେ। ପଣ୍ଡିତେ ଏହି କଥା ଅମିତକୁ ଜଣାଇବାରୁ ସେ ମାଆର କ୍ରିୟା କର୍ମ କରିବା ଦୂରକଥା ମାଆର ଶେଷ ଦର୍ଶନ ପାଇଁ ମଧ୍ୟ ଆସିପାରିବ ନାହିଁ ବୋଲି ଜଣାଇଦେଇଥିଲ।।ବରଂ ମାଆର ଶୁଦ୍ଧି କ୍ରିୟା ପାଇଁ ଟଙ୍କା ପଠାଇଦେବ ବୋଲି କହିଥିଲା। ପଣ୍ଡିତେ ଅଭିମାନରେ ଟଙ୍କା ଦରକାର ନାହିଁ କହି ଫୋନ କାଟି ଦେଇଥିଲେ।ଗାଁ ଲୋକଙ୍କ ସହାୟତାରେ ପତ୍ନୀଙ୍କର ଦାହ ସଂସ୍କାର କରିବା ପରେ ଶୁଦ୍ଧି ହେବା ପାଇଁ ପୁରୀ ଚାଲିଗଲେ। ଶ୍ରୀ ମନ୍ଦିରରେ ପ୍ରଭୁ ଚକା ନୟନଙ୍କୁ ଦର୍ଶନ କରିବା ବେଳେ ସେ ନିଜକୁ ତର୍ଜମା କରିବାକୁ ଲାଗିଲେ।ଅମିତକୁ ପିଲାଦିନରୁ ଟଙ୍କାର ମହତ୍ତ୍ୱ ଶିଖେଇବାକୁ ଯାଇ ତାର ମାନବିକ ଆବେଗକୁ ସେ ହତ୍ୟା କରିଦେଇଥିଲେ।ତା'ର କୁପରିଣ।ମ ସେ ଆଜି ଭୋଗ କରୁଛନ୍ତି ତେଣୁ ଦୋଷ ଦେବେ କାହାକୁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Tragedy