Manoj Dalbehera

Tragedy Inspirational

5.0  

Manoj Dalbehera

Tragedy Inspirational

ମାଆ

ମାଆ

3 mins
14.1K


ନିଛାଟିଆ ଖରାବେଳେ ଗାଁ ମଝି ବିଲ ରାସ୍ତା ଦେଇ ଏକମୁହାଁ ଚାଲିଥିଲି ମୁଁ ଏକା ଏକା . ବସ୍ ଧରିବାକୁ ତରବର ହେଉଥିଲି I ଅଶିଣମାସିଆ ଖରାଟା ଦେହକୁ ବାଧୁଥିଲେ ବି ବେଳେ ବେଳେ ଗାଈଗୋଠ ପରି ଭାସି ଯାଉଥିଵା ମେଘଖଣ୍ଡମାନ ମଥା ଉପରେ ଶୀତଳଛାୟା ପ୍ରଦାନ କରୁଥିଲେ I ମଶାଣି ପଡିଆ ପାରହେଲେ ଯାଇ ଆମ ଗାଁ ବସ୍ ଷ୍ଟପ୍ I ସେଥିପାଇଁ ମୁଁ ଯେତିକି ବ୍ୟସ୍ତ ହେଉ ନ ଥିଲି , ତା’ ଠାରୁ ଅଧିକ ବିବ୍ରତ ଥିଲି ଆସିଲା ବେଳେ ମାଆକୁ ନ ଜଣାଇ ଲୁଚି ଲୁଚି ପଳାଇ ଆସିଥିବାରୁ I ସେମିତି କରି ନଥିଲେ ସେ କ’ଣ ମୋତେ ଛାଡିଥାନ୍ତା ?

ବାପାଙ୍କ ଅନ୍ତେ ଗାଆଁର ଜମିବାଡି କଥା ମାଆ ସବୁ ବୁଝେ I ତେଣୁ ତାକୁ ସବୁ ସମୟରେ ଗାଆଁରେ ଏକୁଟିଆ ରହିବାକୁ ପଡୁଛି I ଯଦିଓ ତା’ ଭଲ ମନ୍ଦ ବୁଝିବାକୁ ଗାଆଁର ଜଣେ ସମ୍ପର୍କୀୟା ଖୁଡୀଙ୍କୁ ଦାୟିତ୍ଵ ଦିଆଯାଇଛି ; ତଥାପି ଆମକୁ ମଝିରେ ମଝିରେ ଆସି ବୁଝିଯିବାକୁ ହୁଏ I ମାସକର ସୌଦାପତ୍ର, ଔଷଧାଦି କିଣି ଆଣିଥାଏ I ଗାଆଁରେ ମାସକ ପାଇଁ କ୍ଷୀର, ଚିନି, କିରାସିନି ଇତ୍ୟାଦି ବ୍ୟବସ୍ଥା କରିଦିଏ I ବିମଳା ଖୁଡିଙ୍କୁ ତା’ଙ୍କ ମାସିକିଆ ପାଉଣା ଦିଏ I

ପ୍ରତି ଆସିବା ତାରିଖରେ ମୋ ବାଟକୁ ଚାହିଁ ବସିଥାଏ ମାଆ I ମୋତେ ଦେଖିଲେ ସେ ବହୁତ ଖୁସି ହୋଇଯାଏ I ଅସୁସ୍ଥତା ଭିତରେ ବି ନିଜ ହାତରେ ଭଲ ମନ୍ଦ ରାନ୍ଧି ମୋତେ ଖୁଆଏ I ମୋ ପାଖରେ ବସି ମଥାକୁ ମୋର ଆଉଁସି ଦିଏ I ସରୁ ସରୁ ହାତରେ ତା’ର ମୋ ପାଦଦି’ଟାକୁ ଚିପିଦିଏ I ପିଲାମାନଙ୍କ କଥା ପଚାରେ I ବହୁତ୍ ଦିନରୁ ଦେଖିନାହିଁ ବୋଲି ମନ ଦୁଃଖ କରେ I ଏଥର ଯେମିତି ହେଉ ପିଲାମାନଙ୍କୁ ନେଇ ଆଗାମୀ ଛୁଟିରେ ଆସିବାକୁ ତାଗିଦ୍ କରେ I

ଆଜି ଫେରିଲାବେଳେ କବାଟ ପଛପଟୁ ପ୍ରଣାମ କରି ଆସିଥିଲି ତା’କୁ କିଛି ନଜଣାଇ I କାଲି ସକାଳେ ଆମେ ସଭିଏଁ ସମ୍ବଲପୁର ଅଭିମୁଖେ ଯାତ୍ରାକରିବୁ I ତେଣୁ ଆଜି ଯେମିତି ହେଲେ ମୋତେ ଫେରିବାକୁ ପଡିବ I ଏଥର ଶ୍ରୀମତୀଙ୍କ ଇଚ୍ଛା, ଦଶହରା ଛୁଟିରେ ସାନଭାଇ ପାଖକୁ ସମ୍ବଲପୁର ଯିବେ I ପୂଜାରେ ମାଆ ସମଲେଶ୍ଵରୀଙ୍କୁ ଦର୍ଶନ କରିବେ I ହେଲେ ମାଆ ମୋର କେବେଠୁଁ ଆଶା ବାନ୍ଧି ବସିଛି ଏଥର ପୂଜାଛୁଟିରେ ନାତିନାତୁଣୀ ତା’ ପାଖକୁ ଆସିବେ I ହସ-ଖୁସିରେ ଦିନସବୁ କଟିଯିବ I ମନଟା ମୋର ଗୁଡେଇ ତୁଡେଇ ହେବାରୁ ସମ୍ବଲପୁର ଯିବାର ଦିନକ ପୂର୍ବରୁ ଦେଖାକରିବାକୁ ଚାଲିଆସିଥିଲି ମାଆକୁ I ଆସିଲା ବେଳେ ଆମେ ସମ୍ବଲପୁର ଯିବା କଥା ମାଆକୁ କହିପାରିଲି ନାହିଁ . କହିବାକୁ ସାହସ ଜମା ହେଲାନାହିଁ I ତେଣୁ ଲୁଚିକରି ପଳାଇ ଆସିଲି I

ଆଉ ଅଳ୍ପ ବାଟ ପରେ ପିଚୁ ସଡ଼କ I ସେଠାରୁ ଅଳ୍ପ ସମୟ ମଧ୍ୟରେ ବସ୍ ମିଳିଯିବ I ସଡ଼କ କଡ଼ ଚା’ ଦୋକାନଟି ଖୋଲିଲାଣି ବୋଧହୁଏ I ଦୋକାନ ଚାଳ ଡେଇଁ ଧୂଆଁ ଉଠୁଛି ଆକାଶ ଛୁଇଁ I ଅଶିଣମାସିଆ ଖରାଟା ବି ବଳେଇ ପଡୁଥିଲା ସେଦିନ I ଆଉ ଦୁଇଦିନ ପରେ ମାଆଙ୍କ ଅଷ୍ଟମୀପୂଜା I ସେପଟେ ସମଲେଶ୍ଵରୀଙ୍କ ପୀଠରେ ପୂଜା ଦେଖିବାକୁ ମନ , ଏପଟେ ରୋଗିଣା ମାଆର ଚିନ୍ତା . କିଛି ଭଲ ଲାଗୁ ନଥିଲା ମୋତେ I ଛକରେ ପହଞ୍ଚିଲେ ଦଣ୍ଡେ ସାଷ୍ଟାଙ୍ଗ ହେବାକୁ ପଡିବ I ବସ୍ ପହଞ୍ଚିବା ପୂର୍ବରୁ ଚା’ ଟିକିଏ ପିଇ ନେଲେ ଭଲ ହୁଅନ୍ତା I ତେଣୁ ପାଦର ଗତିକୁ ଆଉ ଟିକିଏ ବଢାଇଦେଲି I ଏତିକିବେଳେ କାହାର ପାଦ ଶବ୍ଦରେ ପଛକୁ ଫେରି ଚାହିଁଲି I ଶୁନଶାନ ଶ୍ମଶାନ ଭିତରଦେଇ ସ୍ତ୍ରୀଲୋକଟିଏ ଆସୁଥିଲା ଏକାଏକା I

ଆଶ୍ଚର୍ଯ୍ୟ ହେଲି ମୁଁ ନିଛାଟିଆ ଖରାବେଳେ ଏକାଏକା ଆସୁଥିବାର ଦେଖି I କାରଣ ନିଛାଟିଆ ବେଳେ ଏଠାରେ ଲୁଟପାଟ ହେବାର ନଜିର୍ ରହିଛି I ଏଇ ତ ଅଳ୍ପଦିନ ତଳେ ଦୁର୍ଘଟଣାଟିଏ ଘଟିଥିଲା ଏଇ ବାଟରେ I ପଚାରିଲି – ମାଆ ! ଏ ନିଛାଟିଆ ରାସ୍ତାରେ ତୁ ଏକା ଯେ ? ତୋତେ କ’ଣ ଭୟ ଲାଗୁନାହିଁ ?

ସ୍ତ୍ରୀଲୋକଟି ଅଳ୍ପ ହସିଦେଲା I କହିଲା – କାହିଁକି , ମୋ ସାଙ୍ଗରେ ମୋ ପୁଅ ଅଛି ପରା ?

ମୋ ନଜର ବୁଲିଗଲା I ଅଳ୍ପ ଦୂରତ୍ଵରେ ନିଜଠାରୁ ହାତେ ଉଚ୍ଚ ସାଇକେଲକୁ ପେଲିପେଲି ଆସୁଥିଲା ୭/୮ ବର୍ଷର ବାଳକଟିଏ I ଏ ତା ହେଲେ ଏ ମାଆର ଭରସା ! ଇସ୍ କି ବିଶ୍ଵାସ ! ମୁଁ ଚମକିପଡିଲି I

ଲୁଚିକି ପଳାଇଆସିବା ବେଳେ ବିମଳାଖୁଡିଙ୍କୁ ମାଆ କହୁଥିବାର ଶୁଣିଥିଲି , ବୁଝିଲୁ ବିମଳା! ମୋ ପୁଅ ଆସିଗଲାଣି ମାନେ ମୋର ଆଉ କିଛି ହେବ ନାହିଁ I ମାଆର ତେବେ କ’ଣ ହୋଇଛି ? କାହିଁ କିଛି କହିଲା ନାହିଁ ତ ? ମୋର ଗୋଡ ହାତ କ’ଣ ହୋଇଗଲା I ଥମ୍ କରି ଭୂଇଁରେ ବସିପଡିଲି I

ସ୍ତ୍ରୀଲୋକଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା – କ’ଣ ହେଲା ବାବୁ ?

ମୁଁ ଉଠି ପଡୁପଡୁ କହିଲି – ନାଇଁ ନାଇଁ, କିଛି ନାହିଁ . ମୋତେ ଯିବାକୁ ହେବ I ମୋ ମାଆ ପାଖକୁ ଯିବାକୁ ହେବ I

ଦୂର ପୂଜାମଣ୍ଡପରେ ବୋଧହୁଏ ବେଲବରଣ ଆରମ୍ଭ ହୋଇଯାଇଥିଲା I ଜୋରରେ ବାଜା ଓ ଘଣ୍ଟାନାଦ ଶୁଭୁଥିଲା I ମୁଁ ଏକମୁହାଁ ହୋଇ ଫେରୁଥିଲି ଗାଆଁ ଆଡ଼କୁ ; ମୋ ରୋଗିଣା ମାଆର କୋଳକୁ ........


Rate this content
Log in

Similar oriya story from Tragedy