Shibashis Padhee

Inspirational

4.1  

Shibashis Padhee

Inspirational

ମା

ମା

4 mins
823



ଗାଁ ରେ କିଛି ଗୁଣ୍ଠ ର ଘରବାଡ଼ି ଆମର !ଅଳ୍ପ ରେ ରେ ଘର !ପୁରୁଣା କାଳିଆ ଚାରିକୋଣିଆ ଘର ମଝିରେ ଅଗଣା !ଘର କୁ ଲାଗି ବାକି ବଡ ଜାଗା ଟି ଖୋଲା ପଡିଥାଏ !ଅନାବନା ଗଛଲତା ରେ ଭର୍ତ୍ତି !ଖୋଲା ସ୍ଥାନ ସେ ପଟେ ଅନ୍ୟ ମାନଙ୍କ ଘର !ଜାଗାଟି ଖୋଲା ପଡ଼ିଥିବାରୁ ଆମର ତଥା ଆମ ପଡୋଶୀ ମାନଙ୍କ ଆବର୍ଜନା କୁଣ୍ଡ ରୂପେ ବ୍ୟବହୃତ ହୁଏ !ଆମ ଜାଗା ରେ ଆବର୍ଜନା ନ ପକାଇବା ପାଇଁ ପଡୋଶୀ ଙ୍କୁ ମା ର ଅନେକ ଥର ଚେତାବନୀ ସତ୍ୱେ ନିଜ ଆଖ ପାଖରେ ଆଉ ସ୍ଥାନ ନ ଥିବାରୁ ଅତ୍ୟନ୍ତ ସତର୍କତା ର ସହ ରାତି ଅଧିଆ ଅଭିଯାନ ରେ ସେମାନେ ତାଙ୍କ କାମ କରନ୍ତି !


ଜାଗାଟିକୁ ପାଚେରୀ ପରିବେଷ୍ଟିତ କରିବା ଦିଗରେ ମୋର ଚରମ ଅବହେଳା ଯୋଗୁଁ ମୋ ଉପରେ ଭାରି ବିରକ୍ତ ହୁଏ ମା !ଦିନେ ଏକ ବୁଲା ଷଣ୍ଢର ସେପଟୁ ଅବାଧ ପ୍ରବେଶ ଓ ତା ହାବୁଡ଼ରେ ପଡି ମୁଁ ନିଜେ ଆଘାତପ୍ରାପ୍ତ ହେଲା ପରେ ପାଚେରୀ ଉଠାଇବା ପାଇଁ ସଜବାଜ ହେଲି !ଆବଶ୍ୟକୀୟ ଇଟା ବାଲି ଇତ୍ୟାଦି ଯୋଗାଡ଼ ପରେ ପାଚେରୀ ଉଠା କାମ ଜୋରସୋର ରେ ଚାଲି ସରି ଆସିଲା !


ସେପଟୁ ସମ୍ପୂର୍ଣ ଆବଦ୍ଧ କରି ଆମ ଘର ପଟୁ ଗୋଟିଏ ବାଟ ରଖାହେଲା !ଯେଉଁ ଦିନ ଯୋଡ଼େଇ କାମ ସରିଗଲା ଶ୍ରମିକମାନଙ୍କୁ ପାଉଣା ଦେଇ ସାରି ମୁଁ ଦାଣ୍ଡ ପିଣ୍ଡାରେ ବସିଥାଏ !ଦେଖିଲି କଳା କୁକୁରଟାଏ ପାଚେରୀ କଡେ କଡେ ଆସି ଆମ ମୁଖ୍ୟ ବାଟରେ ଧସେଇ ପଶୁଛି !


କୁକୁର ଯଦି ପଶିଯିବ ଓ ଭିତର ପିଣ୍ଡା ରେ ଚାଲି ଦେବ ତେବେ କଥା ସରିଲା ମା ଭୀଷଣ ବିରକ୍ତ ହୋଇ ସାରା ଘର ଧୁଆ ଧୋଇ କରିବ ଓ ବାଟ ରେ ଥାଇ କୁକୁର ପ୍ରବେଶ କୁ ରୋକିବାରେ ମୋ ବିଫଳତା ଯୋଗୁଁ ସବୁ ରାଗ ମୋ ଉପରେ ଉତ୍ତାରିବାର ଭୟ ଯୋଗୁଁ ଦୋଉଡିଯାଇ ହେ ହେ କହି ତାକୁ ତଡି ଦେଲି ମୁଁ !


କିନ୍ତୁ କିଛି ଦୂର ଯାଇ ପୁଣି ଫେରି ଆସିଲା ସେ !ବୁଲା ମାଇ କୁକୁର କଳା ରଙ୍ଗର !ସେମିତି ହୃଷ୍ଟ ପୃଷ୍ଟ ବି ନୁହେଁ !ପୁଣି ଘରକୁ ଅନୁପ୍ରବେଶ ପାଇଁ ମୁଖ୍ୟ ଦ୍ୱାର ର ଅଳ୍ପ ଦୂରରେ ପ୍ରସ୍ତୁତ ହୋଇ ରହିଲା ସେ !


ମୁଁ ବି ସଜାଗ ଥିଲି କାରଣ ମୁଁ ତାର ଫେରିବା ଦେଖି ନେଇଥିଲି !ଅଳ୍ପ ସମୟ ମୋତେ ଧ୍ୟାନ ର ସହ ଦେଖି ମୋ ଅନ୍ୟମନସ୍କ ଭାବ ର ସୁଯୋଗ ନେଇ ପୁଣି ଥରେ ଭିତର କୁ ଯିବା ଚେଷ୍ଟା କଲା ସେ କିନ୍ତୁ ଠିକ ସମୟ ରେ ଦେଖି ପକାଇ ତାର ଯୋଜନା କୁ ପଣ୍ଡ କରି ଦେଲି ମୁଁ !ପାଖରେ ଥିବା ଛୋଟ ବାଡ଼ି ର ଅଵ୍ୟର୍ଥ ପ୍ରହାର ରେ କାଇଁ କାଇଁ କରି ଦୂର କୁ ଚାଲି ଗଲା ସେ !ଏଥର ମୁଁ କିଛି ଟୁକୁଡା ଇଟା ମଧ୍ୟ୍ୟ ସଂଗ୍ରହ କରି ନେଇଥିଲି !ଛାଟି ଦେଲି ଗୋଟିଏ !ଫେରି କି ଆସୁଥିଲା ସେ !ସିଧା ଯାଇ ମାଡ଼ ହେଲା ତା ମୁହଁ ପାଖରେ !ବୋଧେ କିଛି ରକ୍ତ ପଡିଲା !କାଇଁ କାଇଁ କାଇଁ କିଛି ସମୟ ଯାଏ ତା ପାଟି ଶୁଭୁ ଥିଲା ମୋତେ !ନିଶ୍ଚିତ ହେଲି ଆଉ ଆସିବନି କିନ୍ତୁ କିଛି ସମୟ ପରେ ପୁଣି ଆସିଗଲା ସେ !


ଏହିପରି ଚାରି ପାଞ୍ଚ ଥର ତାର ମୋର ଛକାପଂଜା ପରେ ମୁଁ କୁକୁର ଟି ବିଷୟରେ ଗୁରୁତ୍ୱର ସହ ଚିନ୍ତା କଲି !ପୁଣି ଆସି ମୁଖ୍ୟ ଦ୍ୱାର ସାମ୍ନାରେ ଛିଡା ହୋଇଥିଲା ସେ !ଜିଭକୁ ବାହାର କରି ସଁ ସଁ ହୋଇ ମୋ ହାତ ଉପରେ ତୀକ୍ଷଣ ନଜର ରଖିଥିଲା କାରଣ ୟା ଭିତରେ ଆଉ ଗୋଟିଏ ଛୋଟ ବାଡ଼ି ସଂଗ୍ରହ କରି ନେଇଥିଲି ମୁଁ !


ଭିତରକୁ ଯିବାର ପ୍ରବଳ ବ୍ୟାକୁଳତା ପଛରେ ଯେ ଉଦ୍ଦେଶ୍ୟ ଖାଦ୍ୟ ନୁହେଁ ଏ କଥା ମୁଁ ଚିନ୍ତା କରୁଥିଲି !ନିଶ୍ଚୟ କିଛି ଅଲଗା ଉଦ୍ଦେଶ୍ୟ ନେଇ ସେ ଆମ ଘର କିମ୍ବା ବାଡ଼ି କୁ ଯାଉଛି !ପାଚେରୀ ପାଇଁ ସେ ପଟୁ ଯାଇ ନ ପାରି ମୁଖ୍ୟ କବାଟ ରୁ ଦେଖା ଯାଉଥିବା ବାଡ଼ି ପଟ କୁ ନଜର କରୁଛି !!ତାର ନଛୋଡପଣିଆ ଓ ବ୍ୟାକୁଳତା ଯାହାକି ତିନି ଚାରିଥର ବାଡ଼ି ପ୍ରହାର ଖାଇଲା ପରେ ମଧ୍ୟ୍ୟ ବଢ଼ିବାରେ ଲାଗିଥିଲା ତାର ରହସ୍ୟ ଉନ୍ମୋଚନ ପାଇଁ ଏଥର ମୁଁ ନ ଦେଖିଲା ଭଳିଆ ରହି ଗଲି !


ସିଧା ପଶି ଗଲା ସେ ଭିତରକୁ ଘର ଦୁଆର (ଅଗଣା )ସିଧାରେ ବାଡ଼ି ପଟକୁ ବାଟ !ପୂର୍ବରୁ ଦେଖିଲା ଭଳିଆ ସିଧା ବାଡ଼ିପଟକୁ ଯାଉଥିଲା ସେ !ବାଡ଼ିପଟେ ଯଦି ସେ କେଉଁଠି ରହୁଥିବ ଆଜି ତାର ଶେଷ ଦିନ ବୋଲି ତାକୁ ଜଣାଇବା ପାଇଁ ଏକ ବଡ ବାଡ଼ି ନେଇ ସନ୍ତର୍ପଣ ରେ ତାର ପଛେ ଅଛେ ଗଲି ମୁଁ !


ବେଶି ଖୋଜିବାକୁ ପଡି ନ ଥିଲା ବାଡ଼ି ମଝାମଝି ଥିବା ଏକ ସଜନା ଗଛ ମୂଳେ ତେଢା ଭାବରେ ପଡିଥିବା ପୁରୁଣା ପିଚୁ ଡ୍ରମକୁ ପଶୁଥିଲା ସେ !ଏକ ପ୍ରଚଣ୍ଡ ପ୍ରହାର ଦେବା ପାଇଁ ବାଡ଼ି ଉଠାଇ ଧୀରେ ଧୀରେ ପହଞ୍ଚି ଗଲି ମୁଁ !


ଠିକ ମୋ ସାମ୍ନା ରେ ପିଚୁ ଡ୍ରମ ଭିତରେ ଚିତ ହୋଇ ଶୋଇଥିଲା ସେ !ଚାରି ପାଞ୍ଚଟି ଛୋଟ ଛୋଟ ଛୁଆ ଯାହାଙ୍କ ଆଖି ଫିଟି ନ ଥିଲା !ତାର ଛାତି ଉପରେ ଚଢି ପିଇ ଯାଉଥିଲେ କୁଇଂ କୁଇଂ ହୋଇ !ତା ଆଖି ମୋ ଆଖି ସହ ମିଶିଗଲା !ଅତ୍ୟନ୍ତ କାତର ଦୃଷ୍ଟି ରେ ଚାହୁଁଥିଲା ମୋତେ !ଯେମିତି ମାଗୁଥିଲା କିଛି ସମୟ ନିଜ ଭୋକିଲା ଛୁଆ ଙ୍କ ପାଇଁ !ରହସ୍ୟ ଜାଣି ଯାଇଥିଲି ମୁଁ !ପଶୁ ହେଲେ ବି ସେ ଗୋଟିଏ ମା !ମା ର ମମତ୍ୱ ହିଁ ତାକୁ ବାରମ୍ବାର ମାଡ଼ ଖାଇବା ସତୟେ ପୁଣି ଟାଣି ଆଣୁଥିଲା !ନିଜ ଛୁଆ ଙ୍କ ଚିନ୍ତା ପାଇଁ ବାରମ୍ବାର ଧସେଇ ପଶିବାର ଚେଷ୍ଟା କରିବା ପାଇଁ ତାକୁ ବାଧ୍ୟ୍ୟ କରୁଥିଲା ! !ସ୍ୱୟଂକ୍ରିୟ ଭାବେ ଉଠେଇ ଥିବା ବାଡ଼ି ସହ ପଛ କୁ ଫେରୁଥିଲି ମୁଁ !କିଛି ସମୟ ଆଗରୁ ଦେଇଥିବା ପ୍ରଚଣ୍ଡ ପ୍ରହାର ମୋର ମନେ ପଡୁଥିଲା !ଏପଟୁ ମା ଡାକ ଛାଡୁଥିଲା ବୋଧେ ବାରଣ୍ଡା ରେ କୁକୁର ମୁହଁ ର ରକ୍ତ ଛିଟା କିଛି ପଡି ଯାଇଥିଲା !ମା ପ୍ରତି ମୋର ଭକ୍ତି କେମିତି ଅହେତୁକ ଭାବେ ବଢି ଯାଉଥିଲା !


ଆରଦିନ କୁଲି ମିସ୍ତ୍ରୀ ଆସିବା ମାତ୍ରକେ ଗତକାଲି ଯୋଡିଥିବା ଇଟା ସବୁକୁ ଖୋଲି ଏକ ଛୋଟ ବାଟ ଅନ୍ତତଃ କିଛି ଦିନ ପାଇଁ ଛାଡ଼ିଦେବା ପାଇଁ ନିର୍ଦେଶ ଦେଇଥିଲି ମୁଁ !!!!!!!!!!


(ମାତୃ ଦିବସ ଉପଲକ୍ଷେ ସମସ୍ତ ମା ମାନଂକୁ ଭକ୍ତିପୂତ ପ୍ରଣାମ ))


Rate this content
Log in

Similar oriya story from Inspirational