Titi Sarangi

Abstract Others

3  

Titi Sarangi

Abstract Others

ଲକ୍ଷ୍ମୀ

ଲକ୍ଷ୍ମୀ

2 mins
7.0K


ବହୁତ ଦିନ ପରେ ଆଜି ଲକ୍ଷ୍ମୀକି ଭେଟିଲି |ପୁଅର ବ୍ୟାଙ୍କ ଆକାଉଣ୍ଟ ଖୋଲିବ ବୋଲି ସ୍କୁଲରୁ ଜନ୍ମ ପ୍ରମାଣପତ୍ର ନବାକୁ ଆସିଥିଲା |ଚିର ଉଦାସ ତା ମୁହଁରେ ହସ ଟିକେ ଦେଖି ମୋତେ ଖୁସି ଲାଗୁଥିଲା |ତାକୁ ଛୋଟ ବେଳୁ ମୁଁ ଜାଣେ |ଅଠର ବର୍ଷରେ ବାହା ହେଇ ଶାଶୁଘର ଯାଇଥିଲା |ବାହା ଘର ତ ଗୋଟେ ଲଟେରୀ ଭଳି |ଭାଗ୍ୟରେ ଥିଲେ ଭଲ ପିଲାଟିଏ ମିଳେ | ନ ହେଲେ ପାପୁଲି ପିଠିରେ ଲୁହ ପୋଛି ପୋଛି ଦିନ ସରେ |ଏ କଥା ଅପାଠୋଈ ଲକ୍ଷ୍ମୀ କେବଳ ନୁହେଁ ଆମ ସମାଜ ବି ଗ୍ରହଣ କରି ନେଇଛି |ତେଣୁ ଭାଗ୍ୟରଖେଳରେ ତାକୁ ଯାହା ମିଳିଲା ସେ ଗ୍ରହଣ କରି ନେଇ ଥିଲା |

କଠିନ ପରିଶ୍ରମ କଲେ ସେମାନେ ଚଳନ୍ତି |ତା ବରର କିଛି ଚାଷ ଜମି ଅଛି |ବର୍ଷ ସାରା ଖଟି ଖଟି ନିଜ ପାଇଁ ଚଳିବା ଭଳି ସମ୍ବଳ ସେମାନେ ସଂଗ୍ରହ କରନ୍ତି |ତାଙ୍କ ସମାଜରେ ସ୍ତ୍ରୀମାନେ ବି କୁଲି କାମ କରନ୍ତି |ଲକ୍ଷ୍ମୀ ବି କରେ |ପରିଶ୍ରମ ବାଧା ତ ଦେହକୁ ହୁଏ ନିଶ୍ଚୟ |ସେଥିପାଇଁ ତାଙ୍କର ବଡ ଔଷଧ ହେଲା କୁସୁନା ,ଏକ ପ୍ରକାର ଦେଶୀ ମଦ |ଲକ୍ଷ୍ମୀ କିନ୍ତୁ ମଦ ପିଏନି |ପରିଶ୍ରମ ବାଧା ହେଲେ କିଛି ସମୟ ଶୁଏ |ଏଇଟା ତା ବର ଆଉ ତା ବରର ଜଣେ ପିଇସୀଙ୍କ ନଜରରେ ବଡ ଅପରାଧ |ଆମେ ସମସ୍ତେ ତ କୁସୁନା ପିଉଛୁ ଦେହର ବାଧା କଟିବ ବୋଲି ,ତୁ ଏମିତି କିଏ କି ....ଏଇଟା ସେମାନଙ୍କର ଯୁକ୍ତି |ସେତିକି ଭୁଲ୍ ପାଇଁ ତା ବର ତାକୁ ବହୁତ ପିଟେ |କାନ୍ଦି କାନ୍ଦି ଲକ୍ଷ୍ମୀ ପଳେଇ ଆସେ ବାପ ଘରକୁ |ହେଲେ କେତେ ଦିନ ରହିବ |ବାହା ହେଲା ପରେ ଶାଶୁ ଘର ତୋ ପାଇଁ ସବୁ କିଛି ,ଏ ଭଳି ଯୁକ୍ତି କରୁଥିବା ସମାଜକୁ କି ଜବାବ ଅବା ଦିଅନ୍ତା |ଅଗତ୍ୟା ସେଇଠି କି ଯାଏ |ସେଥିରେ ପୁଣି ଚିଙ୍ଗୁଡି ବାଛୁରୀ ଛୁଆ ତିନିଟି |ସେମାନେ ତ ମାଆ କାନିରେ ବନ୍ଧା | ପିଲେ ବଡ ହେଲେ |ସେମାନଙ୍କୁ ଶିକ୍ଷିତ କରେଇବାକୁ ଲକ୍ଷ୍ମୀର ଇଚ୍ଛା |ସେଇଥିପାଇଁ ବାପ ଘରେ ପଲାଙ୍କୁ ଛାଡିଛି |ନହେଲେ ସେଠି ରହିଲେ କାଳେ ମଦୁଆ ହେଇଯିବେ ବୋଲି ତାର ଭୟ |ଆହା ସେ ମାଆର ଜୀବନ .....

ତା ହସ ମୁହଁ ଦେଖି ମୋତେ ଖୁସି ଲାଗୁଥିଲା |ତାର କାରଣ ପଚାରିଲାରୁ ଭଲ ଜୀବନ ଦର୍ଶନର କଥାଟିଏ କହିଲା ସିଏ |କଂସା କି ପିତଳ ନୁହେଁ ତ ତାକୁ ବଦଳେଇ ଦେବି |ସେଇଠି ରହିବି ତ ସବୁଦିନ |କେତେ ଆଉ ମାଡ ଖାଇବି ....ଏବେ ପିଟିବାକୁ ଆସିଲେ ତା ହାତ ମୁଁ ମୋଡି ଦଉଛି |ପାଟି କରି ଗାଳି କଲେ ତାଠୁ ବଡ ପାଟିରେ ମୁଁ ବି ଡରଉଛି |ସେଇଠୁ ସେ ଚୁପ୍ |ଚାରିଆଡେ କହି ବୁଲୁଛି ମୋ ସ୍ତ୍ରୀଟା ଖରାପ |କହିଲେ କହୁଥାଉ |ଯିଏ ଯେମିତିକା ସିଏ ସେମିତି କଥା କହିବ |ତା ବୋଲି ମୋ ପିଲେ ତା ଭଳି ଅଶିକ୍ଷିତ ହେବେ ନା ମୁଁ କାନ୍ଦି କାନ୍ଦି ଦିନ କାଟିବି .....?ବାପ ଘରେ ବି ପିଲାଙ୍କୁ ସବୁ ଖର୍ଚ୍ଚ ଦେଇକି ରଖଛି କାଳେ ଭାଇ ଭାଉଜ ମନଦୁଃଖ କରିବେ ବୋଲି |ସ୍ଵାଭିମାନୀ ଲକ୍ଷ୍ମୀକୁ ଭଗବାନ୍ ଚିର ସହାୟ ହୁଅନ୍ତୁ ବୋଲି ମନେ ମନେ ମୁଁ ପ୍ରାର୍ଥନା କରୁଥିଲି |ତା ହସହସ ମୁହଁକୁ ପ୍ରଶଂସା କରି ତା ଫେରିବା ବାଟକୁ ମୁଗ୍ଧ ହେଇ ଦେଖୁଥିଲି |ତା ଚଲାପଥ ସେ ନିଜେ ତିଆରି କରିଛି |ସେଇ ବାଟ ଦିନେ ଅନେକଙ୍କୁ ବାଟ ଦେଖେଇବ ନିଶ୍ଚୟ |ଏ କଥା ହୁଏ ତ ଲକ୍ଷ୍ମୀ ଜାଣି ବି ନଥିବ |


Rate this content
Log in

Similar oriya story from Abstract